ସମୟର ଗତି କାହାକୁ ଅପେକ୍ଷା କରେନା। ଚାହୁଁ ଚାହୁଁ ଏକ ବର୍ଷ ହୋଇଗଲା। କୋଭିଡ଼ ସଂକ୍ରମଣ ସମ୍ପୂର୍ଣ୍ଣରୂପେ ଶେଷ ହୋଇନାହିଁ। କିନ୍ତୁ କୋଭିଡ଼ ମହାମାରୀ ଆମ ମଧ୍ୟରୁ ଜଣାଅଜଣା ଅନେକ ବ୍ୟକ୍ତିଙ୍କୁ ଛଡ଼ାଇ ନେଇଗଲା। ଆଜି ବି ଏହା ଚିନ୍ତାକଲେ ସୃଷ୍ଟି ଓ ବିନାଶର ରହସ୍ୟଭେଦ କରିବା ପାଇଁ ଉତ୍ସୁକତା ବଢ଼ିଯାଏ।
ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବହୁସମୟରେ ତତ୍କାଳୀନ ସହ ଖାପଖୁଆଇ ସ୍ବାଭିମାନ ଓ ସ୍ବାଧୀନ ମତକୁ ବନ୍ଧାପକାଇ ପରିସ୍ଥିତିର ଦାସ ହୋଇଥାଆନ୍ତି। କମ୍ ବ୍ୟକ୍ତି ମିଳିବେ ଯେଉଁମାନେ ଏହି ଧାରାରୁ ବିଚ୍ୟୁତ ହୋଇ ନିଜ ସ୍ବାଭିମାନ ସହ ସାଲିସ କରନ୍ତି ନାହିଁ। ଠୋସ୍ ଭାବେ କଥା କହି ସମସ୍ତ ପରିସ୍ଥିତିକୁ ମୁକାବିଲା କରିବାରେ ସମର୍ଥ ହୁଅନ୍ତି। ଏହି ଶ୍ରେଣୀର ରାଜନେତାମାନଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ସାରସ୍ବତ ସାଧକା ନଳିନୀ ଦେବୀଙ୍କ ସୁପୁତ୍ର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଅନ୍ୟତମ।
କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତବର୍ଷ ଜୁନ ୨ ତାରିଖ ସେ ଇହଲୀଳା ସମ୍ବରଣ କଲେ। ଆଜି ବି ବିଶ୍ବାସ କରିହେଉନାହିଁ ଅତି ଆପଣାର ବିଜୟଶ୍ରୀ, ଶ୍ରଦ୍ଧାନାମରେ ବେଶ୍ ଜଣାଶୁଣା ବାବୁଲି ରାଉତାରାୟ ଆମ୍ଭମାନଙ୍କ ଗହଣରୁ ବିଦାୟ ନେଇ ସାରିଛନ୍ତି। ହୃଷ୍ଟପୃଷ୍ଟ ଚେହେରା, ପରିହାସ ଭରା କଥା, ଏକ ସ୍ବତନ୍ତ୍ର ଶୈଳୀ ଓ ରୁଚିର ବାବୁଲାକୁ ଭୁଲି ହେଉନାହିଁ।
୧୯୭୭ ମସିହାରୁ ମୁଁ ବାବୁଲି ବାବୁଙ୍କୁ ଜାଣିଛି। ୧୯୯୦ ମସିହାରେ ଜନତା ଦଳର ପ୍ରାର୍ଥୀ ଭାବେ ଆମେ ସାଙ୍ଗହୋଇ ବିଧାନସଭାକୁ ନିର୍ବାଚିତ ହେଲୁ। ୧୯୯୦ ମସିହା ପରଠାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ୬ ଥର ବିଧାନସଭାକୁ ବିଜୟ ମଣ୍ଡିତ ହୋଇ ବିଜୟଶ୍ରୀ ନାମର ଯଥାର୍ଥତା ପ୍ରତିପାଦନ କରିଥିଲେ।
୧୯୯୭ ମସିହାରେ ବିଜୁ ଜନତା ଦଳ ଜନ୍ମ ହେଲା। ଏହି ଦଳ ଗଠନରେ ଯେଉଁ କେତେକ ବ୍ୟକ୍ତିଙ୍କ ସକ୍ରିୟ ଭୂମିକା ଥିଲା ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ବିଜେଡିର ପ୍ରତିଷ୍ଠାତା ସଭ୍ୟ। ସମୟ ପ୍ରବାହରେ ଅନେକ କଥା ଲୁଚିଯାଉଥିବା ବେଳେ ଏହି ସତ୍ୟକୁ ସାକାର କରିବାରେ ବର୍ତ୍ତମାନ ବହୁବ୍ୟକ୍ତି କୁଣ୍ଠାବୋଧ କରନ୍ତି। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ତାଙ୍କ ସହ ମୁଁ ମନ୍ତ୍ରୀ ଭାବେ ସାମିଲ ହୋଇଥିଲି। ସେ ପ୍ରାୟ ୧୨ ବର୍ଷରୁ ଅଧିକ କାଳ ସଂସ୍କୃତି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ସେ ସାସ୍ଥ୍ୟମନ୍ତ୍ରୀରୁ ଅବ୍ୟାହତି ନେଲାପରେ ତାଙ୍କ ମନ୍ତ୍ରିତ୍ୱ ସମୟରେ ଏକ ଅଭିଯୋଗ ଆସିଲା। ପରବର୍ତ୍ତୀ ଅବସ୍ଥାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏହାକୁ ସାଧାରଣରେ ସ୍ବୀକାର କଲେ। ସ୍ବର୍ଗତଃ ରାଉତରାୟ ଏଥିରେ କ୍ଷୁବ୍ଧ ହୋଇ ମାନହାନି ମୋକଦ୍ଦମା ଦାୟର କରିବା ପାଇଁ ନୋଟିସ ପଠାଇଲେ। ଏହାର ତଦନ୍ତ କରାଯାଇ ଏଥିରେ ତାଙ୍କ ସମ୍ପୃକ୍ତି ନ ଥିବା ମୁଖ୍ୟ ଶାସନ ସଚିବ ଘୋଷଣା କରି ସାଧାରଣରେ ଭୁଲ ସ୍ବୀକାର କରିବା ପରେ ଏହି ବିବାଦର ଅନ୍ତ ହୋଇଥିଲା। ଏଭଳି ସ୍ବାଭିମାନୀ ବିଜୟଶ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଗଲେ।
ଭୂଗୋଳରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉପାଧିତ୍ବର ଡିଗ୍ରୀ ହାସଲ କଲାପରେ ରେଭେନ୍ସା କଲେଜରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ ହେଁ ତାକୁ ସେ ପ୍ରତ୍ୟାଖ୍ୟାନ କରି ରାଜନୀତିକୁ ଆସିଥିଲେ। ବୃକ୍ଷଲତା, ଉଦ୍ୟାନ ସମ୍ପଦ ଓ ଜଙ୍ଗଲକୁ ସେ ପ୍ରାଣଭରି ଭଲପାଉଥିଲେ। ସେଥିରେ ତାଙ୍କ ଜ୍ଞାନ ଆହରଣ କରିବାରେ ଅଦମ୍ୟ ଇଚ୍ଛାଶକ୍ତି ଥିଲା।
ବିଜୟଶ୍ରୀଙ୍କର ଅସମୟ ଓ ଅସ୍ବାଭାବିକ ବିୟୋଗ ମୋ ଭଳି ବହୁ ବନ୍ଧୁକୁ ନିସଙ୍ଗ କରିଅଛି। ତାଙ୍କ ଧର୍ମପତ୍ନୀ ଜ୍ୟୋତି, ପୁତ୍ର ଦୁର୍ଗା ଓ ଜିତୁ, ପୁତ୍ରବଧୁ, ପରିବାର ବର୍ଗ ତାଙ୍କ ମୁରବିଙ୍କୁ ଓ ବାସୁଦେବପୁରବାସୀ ତାଙ୍କ ଯୋଗ୍ୟ ପ୍ରତିନିଧିଙ୍କୁ ହରାଇଲେ। ରାଜ୍ୟ ଜଣେ ପ୍ରବୀଣ ରାଜନେତାଙ୍କୁ ହରାଇଲା। ଓଡ଼ିଶା ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ।