ଛାତ୍ର ଜୀବନରୁ ସେ କମ୍ୟୁନିଷ୍ଟ ଚିନ୍ତାଧାରାରେ ବିଶ୍ୱାସ କରୁଥିଲେ। ବିପ୍ଳବର ନିଆଁ କେବେହେଲେ ତାଙ୍କ ପିଛା ଛାଡ଼ୁନଥିଲା। ଅବହେଳିତ, ନିଷ୍ପେଷିତ ତଥା ଆଦିବାସୀ, ହରିଜନ ଓ ପଛୁଆବର୍ଗ ଏବଂ ଅନୁନ୍ନତ ମାଟି ମାଆ, ସଭିଙ୍କ ଉତ୍ଥାନ ପାଇଁ ସେ ବାରମ୍ବାର ବିପ୍ଳବର ନିଆଁରେ ଝାସ ଦେଉଥିଲେ। ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବିଳାସବ୍ୟସନର ସଂକୀର୍ଣ୍ଣ ମାୟା ତାଙ୍କୁ ବାନ୍ଧି ରଖିପାରି ନଥିଲା। ସେହି ଆଜନ୍ମ ବିପ୍ଳବୀ, ସାମ୍ୟବାଦୀ ଜନନେତା ହେଉଛନ୍ତି ହରିଶ୍ଚନ୍ଦ୍ର ବକ୍ସିପାତ୍ର।
ହରିଶ ବାବୁ ଛାତ୍ର ଅବସ୍ଥାରେ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ରେଭେନ୍ସା କଲେଜ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରସଂଘ ସଭାପତି ନିର୍ବାଚିତ ହୋଇଥିଲେ ଏବଂ ଅଖିଳ ଭାରତୀୟ ଛାତ୍ର ସଂଘର ନେତୃତ୍ୱ ନେଇ ରାଜ୍ୟରେ ଛାତ୍ର ଆନ୍ଦୋଳନକୁ ଏକ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ୧୯୫୫ ମସିହାରେ ଯେତେବେଳେ ତତ୍କାଳୀନ କଟକ ଜିଲ୍ଲାର ଦଳେଇ ଘାଇ ଭାଙ୍ଗି ବନ୍ୟା ହୋଇଥିଲା, ସେ ସମୟରେ ଅତ୍ୟନ୍ତ ନିଷ୍ଠାପର ଭାବରେ ବନ୍ୟା ସାହାଯ୍ୟ ସମିତି ମାଧ୍ୟମରେ ବନ୍ୟାକ୍ଳିଷ୍ଟ ଜନତାଙ୍କର ସେ ସେବା କରିଥିଲେ। କୋରାପୁଟ ଭଳି ଏକ ଅନୁନ୍ନତ ଅଞ୍ଚଳରୁ ଆସିଥିବାରୁ ତା’ର ଉନ୍ନତି ପାଇଁ ତାଙ୍କୁ ଅନେକଥର ଆନ୍ଦୋଳନ କରିବାକୁ ପଡ଼ିଛି। ସାରା ଓଡ଼ିଶା ବୁଲି ରାଜ୍ୟର ଅଗଣିତ ଶ୍ରମିକମାନଙ୍କର ବିକାଶ ପାଇଁ ବିଭିନ୍ନ ଶ୍ରମିକ ସଂଘର ସେ ନେତୃତ୍ୱ ନେଉଥିଲେ। ଜୟପୁର ଠାରେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିବା ବକ୍ସବାବୁ କୃଷକ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
‘ଲୋକନୀତି’ ପାକ୍ଷିକ ପତ୍ରିକାର ପ୍ରକାଶନ ତାଙ୍କର ସାମ୍ବାଦିକତା ଏବଂ ସମ୍ପାଦକୀୟତାର ରୁଚିକୁ ପ୍ରତିଭାତ କରିଥିଲା। କମ୍ୟୁନିଷ୍ଟ, କଂଗ୍ରେସ, ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳରେ ଯୋଗଦେଇ ରାଜନୀତିର ଅନେକ ପାହାଚକୁ ପରଖିଥିଲେ ମଧ୍ୟ ସମାଜର ଶେଷ ଲୋକଟି କଥା ସେ ସବୁବେଳେ ଚିନ୍ତା କରୁଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ ୧୯ ମାସ କାରାବରଣ କରିଥିଲେ।
ହରିଶବାବୁ ୧୯୭୪ ମସିହା କୋରାପୁଟ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବରେ ବିଧାନସଭାର ଗୌରବ ବୃଦ୍ଧି କରିଥିବାବେଳେ ୧୯୭୭ ମସିହାରେ ପୁନର୍ବାର ଜନତା ପାର୍ଟି ଟିକେଟ୍ରେ ନିର୍ବାଚିତ ହୋଇ ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳରେ ଇସ୍ପାତ, ଖଣି ଓ ଭୂତତ୍ୱ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ। ସେହି ସମୟରେ ନାଲ୍କୋ କାରଖାନା ପ୍ରତିଷ୍ଠା ପାଇଁ ସେ ହିଁ ନୀଳ ନକ୍ସା ପ୍ରସ୍ତୁତ କରିଥିଲେ। ୧୯୯୦ ମସିହାରେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ ଓ ପରିବେଶ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଭାବରେ ରାଜ୍ୟର ଉନ୍ନତି ପାଇଁ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ସେ ଥିଲେ ଜଣେ ଅମାୟିକ, ଶ୍ରଦ୍ଧାଶୀଳ ଓ ବନ୍ଧୁ ବତ୍ସଳ ମଣିଷ। ରାଜା ହରିଶ୍ଚନ୍ଦ୍ର ଯେମିତି ସତ୍ୟରକ୍ଷା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଦେବାକୁ ପଛାଇ ନଥିଲେ ସେହିପରି ହରିଶବାବୁ ସାଧାରଣ ଲୋକଟିଏ ପାଇଁ ସବୁକିଛି କରିବାକୁ କୁଣ୍ଠିତ ହେଉ ନ ଥିଲେ। ସେ ଥିଲେ ଜଣେ ସଚ୍ଚା ଓଡ଼ିଆ ଯିଏ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ। ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଦାବିରେ ହୋଇଥିବା ସୀମା ଆନ୍ଦୋଳନ ମାଧ୍ୟମରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଏବଂ ସେହି ସୀମା ଆନ୍ଦୋଳନ କରିବା ଅବସ୍ଥାରେ ହିଁ ତାଙ୍କ ଜୀବନ ଦ୍ୱୀପ ଲିଭି ଯାଇଥିଲା ୨୦୦୦ ମସିହା ଅକ୍ଟୋବର ମାସ ୨୭ ତାରିଖରେ ଦିଲ୍ଲୀଠାରେ। ସେହି ମହାନ୍ ଜନନେତାଙ୍କ ଜୟନ୍ତୀରେ ଆଶା, ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଚାଲିବ।
ପୂର୍ବତନ ମନ୍ତ୍ରୀ, ଓଡ଼ିଶା
ମୋ- ୯୪୩୭୦୨୭୨୨୩