ବେଳେ ବେଳେ ଭାରି ମନେ ପଡ଼େ ‘ଭାଙ୍କାର ଚିଠି’, କ୍ଷୁଦ୍ର ଗଳ୍ପ ଯାହାକୁ ଲେଖିଥିଲେ ମହାନ ରୁଷୀୟ ଲେଖକ ଆଣ୍ଟନ ଚେଖଭ। ଗପଟି ଏମିତି: ଭାଙ୍କା ଝୁକୋଭ୍, ଗୋଟିଏ ନଅ ବର୍ଷର ପିତୃ-ମାତୃହୀନ ପିଲା। ଏଡ଼େ ବଡ଼ ପୃଥିବୀରେ ତା’ର ନିଜର ବୋଲି ଜଣେ ମଡ଼ମଡ଼ିଅା ବୁଢ଼ା ଜେଜେ। ଜେଜେଙ୍କ ନାଁ କନ୍ସ୍ତାନ୍ତିନ ମାକାରିଚ। ଭାଙ୍କା ଏବେ କିଛି ମାସ ହେବ ପେଟ ଚାଖଣ୍ଡକ ପାଇଁ ଚାକିରି କରୁଛି ସୁଦୂର ମସ୍କୋରେ; ଆଲ୍ୟାଖିନ୍ ମୋଚି ପାଖରେ କାମ ଶିଖୁଛି। ତା’ ଜେଜେଙ୍କ ପାଖକୁ ଖଣ୍ଡେ ଚିଠି ଲେଖିବା ପାଇଁ ସେ ନିରୋଳା ସୁଯୋଗ ଖୋଜୁଛି, ହେଲେ ପାଉନାହିଁ।
‘ବଡ଼ଦିନ’ ଦିନ ସୁଯୋଗଟିଏ ମିଳିଲା। ତା’ ମାଲିକ ଓ ମାଲିକାଣୀ ଗୀର୍ଜାକୁ ଯାଇଥାଆନ୍ତି। ଭାଙ୍କା ଅତି ସନ୍ତର୍ପଣରେ ମାଲିକର ଆଲମାରିରୁ ଗୋଟିଏ କଲମ ବାହାର କଲା; ନିବ୍ଟି ଥୁଣ୍ଟା। କିନ୍ତୁ ଦୁଆତ ସ୍ୟାହିରେ ଭରା। କେମିତି ଆରମ୍ଭ କରିବ ବୋଲି ଭାବି ଶେଷରେ ଚାଟଶାଳାରେ ଯେମିତି ଶିଖିଥିଲା ସେମିତି ଆରମ୍ଭ କଲା ଚିଠି ଲେଖା।
ମାନନୀୟ ଜେଜେ,
ବଡ଼ଦିନର ପ୍ରଣାମ। ମୋର ବାପା ଓ ମାଆ ନାହାନ୍ତି; ତମେ ହେଉଛ ସବୁ କିଛି। ଜେଜେ, ଗତ କାଲି ମୋ ଚୁଟିକୁ ଧରି ମୋତେ ନିର୍ଧୂମ୍ ମାଡ଼ ହେଲା। ମାଲିକ ମୋତେ ଘୋଷାରି ଘୋଷାରି ନେଇଗଲା ତା’ର ଅଗଣାକୁ। ଘୋଡ଼ାର ହାଉଦାରେ ଲାଗୁଥିବା ଫିତାରେ ଆଖି ବୁଜି ପିଟି ଦେଇଗଲା; କାରଣ, ତା’ ପିଲାକୁ ଝୁଲଣାରେ ଝୁଲାଉ ଛୁଲାଉ କେତେବେଳେ ମୋ ଆଖି ଲାଗି ଯାଇଥିଲା। ଠିକ୍ ସେମିତି, ଗତ ସପ୍ତାହରେ ଦିନେ ମାଲିକାଣୀ ମୋତେ ମାଛ କାଟି ସଫା କରିବାକୁ କହିଲା। ମାଛଟାର ଲାଞ୍ଜ ଆଡୁ ସଫା କଲା ବେଳେ ମାଲିକାଣୀ ମୋ ହାତରୁ ତାହା ଛଡ଼ାଇ ନେଇ ମାଛର ମୁଣ୍ଡଟାକୁ ମୋ ମୁହଁରେ ରଗଡ଼ି ଦେଲା। ଯାହା ତ କଷ୍ଟ ହେଲା ମୋତେ, ଅନ୍ୟ ଯେଉଁମାନେ ସେଠି କାମ କରୁଥିଲେ ସେମାନଙ୍କ ଟାହିଟାପରା ବେଶୀ ବାଧିଗଲା। ଏବେ ସେମାନେ ସେଇ କଥା କହି ମୋତେ ପରିହାସ କରୁଛନ୍ତି। ସେମାନେ ମୋତେ ଭାଟିରୁ ଭୋଡକା ଆଣିବାକୁ ପଠାଉଛନ୍ତି, ମାଲିକର ବାଡ଼ିରୁ କାକୁଡ଼ି ଚୋରି କରିବାକୁ କହୁଛନ୍ତି। ଧରା ପଡ଼ିଲେ ମାଲିକ ହାତରେ ଯାହା ପଡୁଛି ସେଥିରେ ସେ ମୋତେ ମେଣ୍ଢାମାନଙ୍କୁ ପିଟିଲା ପରି ପିଟି ଚାଲୁଛି। ଏଠାରେ ଖାଇବାକୁ କିଛି ମିଳୁନାହିଁ; ସକାଳେ, ଦି’ପଟ ରୁଟି। ଗାଧୁଆ ବେଳେ ମୁନ୍ଦେ ପେଜ। ସଞ୍ଜ ବେଳକୁ ପୁଣି ଦି’ଖଣ୍ଡ ରୁଟି। କୋବି ସୁରୁଆ ଟିକେ ନାହିଁ କିମ୍ବା ଚା’ ଟୋପେ ନାହିଁ। ସେମାନେ କିନ୍ତୁ ସବୁ ଖାଉଛନ୍ତି। ମୁଁ ଶୋଉଛି ଦାଣ୍ଡ ଘରୁ ଭିତରକୁ ଯିବା ଆସିବା ଗଳିରେ।’
ଦୀର୍ଘଶ୍ବାସ ପକାଇଛି ଭାଙ୍କା। ତା’ କଲମ ଟିକେ ଅଟକିଛି। ମନେ ପଡୁଛି ମଡ଼ମଡ଼ିଆ ଜେଜେର ଦନ୍ତହୀନ, ଗାଡୁଆ ମୁହଁ ଓ ବୟସ ଜୀର୍ଣ୍ଣ ଶରୀର।
ଲୋତକଭରା ଆଖିରେ ଭାଙ୍କା ପୁଣି ଲେଖୁଛି,- ଜେଜେ, ତମକୁ ଭଗବାନଙ୍କ ରାଣ; ମୋତେ ଏଠାରୁ ନେଇଯାଅ। ଆମ ଗାଁ ଘରକୁ। ସୁନା ଜେଜେ, ତମକୁ ମୁଁ ପ୍ରାର୍ଥନା କରୁଛି। ତମ ଗୋଡ଼ ହାତ ଧରୁଛି, ମୋତେ ଏଠାରୁ ନେଇଯାଅ। ନ ହେଲେ, ମୁଁ ଏଠି ମରିଯିବି, ଜେଜେ!’
ଭାଙ୍କାର ଓଠ ଥରି ଉଠୁଛି, ଆଖିର ଲୁହକୁ କାଳି ଲଗା ହାତରେ ପୋଛିଲା ବେଳେ ମୁହଁଟି ତା’ର କାଳିରେ ସାଲୁବାଲୁ ହୋଇଯାଇଛି। ସେ ଭାବୁଛି, ‘ଏବେ ଜେଜେ ହୁଏତ ନାଶ ଟିକେ ନାକରେ ଦେଇ କେଉଁ ଏକ ଗୀର୍ଜା ପାଖରେ ଜଗୁଆଳି ଭଳି ଟହଲ ମାରୁଥିବ।’
ଭାଙ୍କା ଲେଖୁଛି- ‘ଜେଜେ, ତମକୁ ଭଗବାନଙ୍କ ରାଣ, ମୋତେ ନେଇଯାଅ! ତମ ପାଇଁ ମୁଁ ନାଶ ଚୁରି େଦବି। ଯଦି ଦୁଷ୍ଟାମି କରେ ତେବେ ତୁମେ ତମ ଜଗୁଆଳ ବେତରେ ମୋତେ ଯେତେ ଜୋରରେ ଚାହିଁବ ପିଟି ପାରିବ। ମୁଁ ଟିକେ ହେଲେ କାନ୍ଦିବି ନାହିଁ। ତମ ଉପରେ ବୋଝ ହେବି ନାହିଁ। ମୁଁ ଜୋତା ପଲିସ କରିବା କାମ କରିବି ନ ହେଲେ ମେଣ୍ଢା ଜଗୁଆଳି ହେବି। ’
ଏମିତି କେତେ କ’ଣ ଲେଖି ଯାଉଛି ଭାଙ୍କା।
ଚେଖଭଙ୍କ ଏହି ଗଳ୍ପକୁ ପଢ଼ିଥିବା ପ୍ରତ୍ୟେକ ପାଠକପାଠିକା ଏହାକୁ ମନେ ରଖିବେ ତାହାର ଅନ୍ତିମ ଦୃଶ୍ୟ ପାଇଁ। ଚିଠିଟି ଲେଖି ସାରି ଲଫାଫାରେ ପୂରାଇ ଭାଙ୍କା ଡାକବାକ୍ସରେ ପକାଇ ଦେଇଛି, ଅଥଚ ଜେଜେବାପାଙ୍କ ଠିକଣା ତାକୁ ଜଣା ନାହିଁ। ଠିକଣାରେ ସେ ଲେଖିଛି, ‘ଜେଜେବାପା, ମୋ ଗାଁ’। ଘରକୁ ଫେରି ସେ ଶୋଇ ଶୋଇ ସ୍ବପ୍ନରେ ଦେଖୁଛି ଯେ ଏକ ଷ୍ଟୋଭ ନିକଟରେ ବସି ତା’ ମଡ଼ମଡ଼ିଆ ଜେଜେ ଚିଠିଟିକୁ ପଢୁଛନ୍ତି। କିନ୍ତୁ ପାଠକ ଜାଣେ, ତାହା କେବଳ ମିଛ ସ୍ବପ୍ନ; ଚିଠିଟି କେବେ ହେଲେ ତା’ ଜେଜେଙ୍କ ପାଖରେ ପହଞ୍ଚିବ ନାହିଁ। ଭାଙ୍କାର ନିଦ ପୁଣି ହୁଏତ ଭାଙ୍ଗିବ ମାଲିକର ନିର୍ଦ୍ଦୟ ପ୍ରହାରରେ ଯେତେବେଳେ ସେଠି କାମ କରୁଥିବା ଲୋକେ ଓଠ ଚାପି ହସୁଥିବେ!
ଅତ୍ୟନ୍ତ ପରିଣତ ବୟସରେ ପହଞ୍ଚି ସାରିଥିବା ଏହି ଲେଖକ ଖବରକାଗଜରେ ବେଳେ ବେଳେ ଶିଶୁ ଶ୍ରମିକମାନଙ୍କ ଯାତନା ବିଷୟରେ ପଢୁଥିବା ବେଳେ ‘ଭାଙ୍କାର ଚିଠି’ କଥା ମାନସପଟରେ ଭାସି ବୁଲେ। ଭାଙ୍କା ସେ ଦିନ ଚିଠିଟିଏ ଲେଖି ପାରିଲା, ତା’ ମନ କଥା ସ୍ୟାହିରେ ଲେଖା ହୋଇଗଲା; କିନ୍ତୁ ତାହା ଯେଉଁଠି ପହଞ୍ଚିବା କଥା ପହଞ୍ଚି ପାରି ନଥିବ। ମୁଁ ଭାବେ ଏମିତି ଅନେକ ନିର୍ଯାତିତ ଶିଶୁ ଥିବେ, ଯେଉଁମାନଙ୍କ ମର୍ମ-ବେଦନା ଓ ଆକୁଳ ଆର୍ତ୍ତି ମନ ଭିତରେ ହିଁ ରହିଯାଉଥିବ। ଚିଠିରେ ବି ବ୍ୟକ୍ତ ହେବାର ସୁଯୋଗ ନ ଥିବ! ମୁଁ ଭାବେ ସେମାନଙ୍କ ନିରବ ଗୁହାରି ଈଶ୍ବରଙ୍କ ଠାରେ ପହଞ୍ଚି ଯାଉଥିବ କି? ନା ଭାଙ୍କା ଦେଖୁଥିବା ସ୍ବପ୍ନ ଭଳି ଏକ ଆଶ୍ବାସନା ସେମାନଙ୍କ ଲାଗି ଆଶା ସଂଚାର କରୁଥିବ!
ମୋ: ୯୭୭୭୨୦୫୬୮୪
ଭାଙ୍କା’ର ଚିଠି
ହିରଣ୍ୟ ମହାନ୍ତି
/sambad/media/post_attachments/wp-content/uploads/2024/01/fhhshsf.jpg)