ମଇଁଷି ଲାଞ୍ଚ!

ଝରକା

ଗତ ମଙ୍ଗଳବାର ଦିନ ମଧ୍ୟ ପ୍ରଦେଶରେ ଏକ କୌତୂହଳପ୍ରଦ ଘଟଣା ଦେଖିବାକୁ ମିଳିଥିଲା। ସେ ରାଜ୍ୟର ସିଦ୍ଧି ଜିଲ୍ଲାରେ ଥିବା ଏକ ତହସିଲ କାର୍ଯ୍ୟାଳୟରେ ରାମକାଳୀ ପଟେଲ ନାମକ ଜଣେ ମହିଳା ଏକ ମଇଁଷି ଧରି ପହଞ୍ଚିଥିଲେ। ସେ କହିଥିଲେ ଯେ ତହସିଲ ଅଫିସରେ ପଡ଼ି ରହିଥିବା ତାଙ୍କ କାମ ହୋଇଯାଇ ଥିବାରୁ ପ୍ରତିଶ୍ରୁତି ରକ୍ଷା କରି ତାଙ୍କୁ ମଗା ଯାଇଥିବା ଲାଞ୍ଚ ସ୍ବରୂପ ସେ ମଇଁଷିଟିକୁ ଆଣିଛନ୍ତି। କାରଣ, ତାଙ୍କ ପାଖରେ ଲାଞ୍ଚ ଦେବା ଲାଗି ପଇସା ନାହିଁ। କଥା ହେଲା, ପୈତୃକ ସମ୍ପତ୍ତିର ମାଲିକାନା ବଦଳି ପାଇଁ ଆବେଦନ କରିଥିବା ମହିଳାଙ୍କୁ କୁଆଡ଼େ ୧୦ ହଜାର ଟଙ୍କାର ଲାଞ୍ଚ ମଗା ଯାଇଥିଲା।

ଯଦିଓ ସେହି ତହସିଲ୍‌ର ତହସିଲଦାର ସଫେଇ ଦେଇ କହିଛନ୍ତି ଯେ ମହିଳାଙ୍କ କାର୍ଯ୍ୟ ଗଲା ବର୍ଷ ନଭେମ୍ବର ୧୪ ତାରିଖରେ ହୋଇସାରିଛି। ମହିଳା ଜଣକ ମଧ୍ୟ ଏ ନେଇ ଅବଗତ। ତେବେ ସରକାରୀ କର୍ମଚାରୀଙ୍କୁ ବଦନାମ କରିବା ଲାଗି ଏହା ଏକ ଷଡ୍‍ଯନ୍ତ୍ର ହୋଇପାରେ ବୋଲି ସେ କହିଛନ୍ତି।

କଥାର ସତ୍ୟାସତ୍ୟ ତ ଯାଞ୍ଚ ପରେ ଜଣାପଡ଼ିବ, କିନ୍ତୁ ଯାହା ଏଠାରେ ପ୍ରଣିଧାନଯୋଗ୍ୟ ତାହା ହେଲା ଭାରତର ଗ୍ରାମାଞ୍ଚଳରେ ଏଭଳି ଲାଞ୍ଚ ଏକ ସାଧାରଣ କଥା। ଆଦିବାସୀମାନେ ନଗଦ ଟଙ୍କା ଅଭାବରୁ କୁକୁଡ଼ା, ଛେଳି ଠାରୁ ଆରମ୍ଭ କରି ବାଡ଼ିରେ ହେଉଥିବା ପନିପରିବା ପର୍ଯ୍ୟନ୍ତ ଲାଞ୍ଚ ଦେଉଥିବା ଦେଖାଯାଏ। ବରଂ ଅନେକ ସ୍ଥାନରେ ସରକାରୀ ବାବୁମାନେ ଏଭଳି ନଗଦ ଟଙ୍କା ବଦଳରେ ଏଭଳି ଲାଞ୍ଚକୁ ଗ୍ରହଣ କରିବାକୁ ପସନ୍ଦ କରନ୍ତି। କାରଣ ଏଥିରେ ଧରା ପଡ଼ିବାର ଭୟ କମ୍ ଥାଏ। ତେବେ ଏଠାରେ ଯାହା ସମସ୍ୟା ଭାବେ ଛିଡ଼ା ହେଲା ତାହା ହେଉଛି ଲାଞ୍ଚର ବିଶାଳତା। ଏଭଳି ଲାଞ୍ଚକୁ ସନ୍ତର୍ପଣରେ ହସ୍ତାନ୍ତର କରିବା ଅସମ୍ଭବ। ସେଥି ଲାଗି ଏହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରିଛି। ଏହାକୁ ପାଠ କରୁଥିବା ଲୋକେ ସେଥି ପାଇଁ କହୁଥିବା ଶୁଣାଯାଉଛି ଯେ ‘କିସ ପୁଣି ଦେଖା ନ ଯାଏ ଭାରତରେ!’

ସମ୍ବନ୍ଧିତ ଖବର