ଦି’ ଦି’ ପଇସାର ବେପାର

ସତ୍ୟନାରାୟଣ ଗନ୍ତାୟତ

ସତ୍ୟେନ୍ଦୁ ପାଇଁ ଏ କିଣାକିଣି କରିବା ବ୍ୟାପାରଟି ସବୁବେଳେ ବଡ଼ ଅସହଜ କାମ ହୋଇ ରହି ଆସିଛି। ଆଜି ଯାଏ ନିହାତି ଲୋଡ଼ା ନ ପଡ଼ିଲେ ସେ କୋଉ ଦୋକାନ ପିଣ୍ଡା ମାଡ଼େ ନାହିଁ।

ଥରେ ତା ସାନଝିଅର ଡ୍ରେସ୍‌ କିଣିବା ପାଇଁ ତାକୁ ବଜାର ଯିବାକୁ ପଡ଼ିଥିଲା। ପତ୍ନୀ ଘରର କେଉଁ ଏକ ଜରୁରୀ କାମରେ ବ୍ୟସ୍ତ ଥିଲେ। ତଥାପି ଘରୁ ବାହାରିବା ବେଳେ ସେ ସତ୍ୟେନ୍ଦୁକୁ ମୂଲଚାଲ କରିବା ପାଇଁ ବିଭିନ୍ନ କାଇଦାରେ ବୁଝାଇ ଛାଡ଼ିବାକୁ ପଛେଇ ନ ଥିଲେ। ତେବେ, ବଜାରରେ ପଶୁ ପଶୁ ସତ୍ୟେନ୍ଦୁକୁ ଲାଗିଲା ଯେ ମୂଲଚାଲ କରିବା ତା’ ଦେଇ ହୋଇ ପାରିବନି। ତେଣୁ ସେ ଏମିତି ଗୋଟେ ଡ୍ରେସ୍‌ ଦୋକାନକୁ ଗଲା, ଯେଉଁଠି ମୂଲଚାଲ ହୁଏନି କି ରିହାତି ବି ନ ଥାଏ। ସେ ଭାବିଲା, ଯାଃ, ଝାମେଲା ଗଲା।

ଦୋକାନୀ ହେଉଛି ସତ୍ୟେନ୍ଦୁର ସାନଭାଇର ସାଙ୍ଗ, ତେଣୁ ତାକୁ ଟିକିଏ ଟିକିଏ ଜାଣେ। ସତ୍ୟେନ୍ଦୁକୁ ସେ ବେଶ୍ ସମ୍ମାନ ଦେଲା। ସେଇ ଦୋକାନରେ ଠାଏ ଲେଖା ଥିଲା ‘ଆଜି ନଗଦ, କାଲିଠୁ ବାକି!’ ତା’ ମାନେ ଯିଏ ବାକି ମାଗିବ, ତାକୁ ଏ ଦୁଇ ଧାଡ଼ି ଦେଖାଇ ଦେଲେ ସିଏ ଚୁପ୍। ତା’ ପର ଦିନ ଆସିବ ତ ପୁଣି ସେଇଆ ଦେଖି ଚୁପ୍ ହୋଇଯିବ। ତା ଅର୍ଥ କାଲି କେବେ ବି ଆସିବ ନାହିଁ।

ଏହି କୌତୁକିଆ ଧାଡ଼ି ଦୁଇଟି ପ୍ରତି ଦୋକାନୀର ଦୃଷ୍ଟି ଆକର୍ଷଣ କରନ୍ତେ, ଦୋକାନୀ ଉତ୍ସାହିତ ହୋଇ କହିଲା: କ’ଣ କରିବା ଭାଇନା, ‘ଦି ପଇସା ପାଇଁ’ ବେପାର କଲା ବେଳକୁ ଉଧାର ଦେଲେ ବୁଡ଼ିଯିବା କଥା। ତେଣୁ ଏମିତି ଲେଖିଦେଲେ ଗଲା!

ତା ପରେ ଆଉ ଗୋଟିଏ ଲେଖାକୁ ଦେଖାଇ ଦୋକାନୀ କହିଲା- ହେଇ ଦେଖୁ ନାହାନ୍ତି ସେଠି କ’ଣ ଲେଖା ହୋଇଛି! ସେହି ଦିଗକୁ ଚାହିଁ ସତ୍ୟେନ୍ଦୁ ଦେଖିଲା ଯେ ସେଠି ହିନ୍ଦୀରେ ଲେଖା ହୋଇଛି: ବେକାର୍ ବୈଠନା ମନା ହୈ! ସତ୍ୟେନ୍ଦୁ ଏହାର ଅର୍ଥ ବି ବୁଝିଗଲା, ଅର୍ଥାତ୍‌ ଫାଲତୁ ଗପ ଏଠେଇଁ ଚଳିବନି! କେବଳ ସେତିକି ନୁହେଁ ଉତ୍ସାହିତ ଦୋକାନୀ ଆହୁରି ଦେଖାଇ ଚାଲିଲା ତା ଦୋକାନରେ ବିଭିନ୍ନ ସ୍ଥାନରେ ଟଙ୍ଗା ହୋଇଥିବା ଆଉ କିଛି ଏଭଳି ବାଣୀ!

ସତ୍ୟେନ୍ଦୁ ଦେଖିଲା ଲେଖା ହୋଇଛି: ‘ଫିକ୍ସଡ ପ୍ରାଇସ୍, ନୋ ବାର୍ଗେନ, ନୋ ଏକ୍ସଚେଞ୍ଜ୍, ନୋ କ୍ରେଡିଟ୍, ନୋ ଗ୍ୟାରେଣ୍ଟି’ ଠାରୁ ଆରମ୍ଭ କରି ‘ନଗଦ୍ ବଡ଼େ ସୌକସେ ଉଧାର୍ ଅଗଲେ ଚୌକସେ’ ଜାତୀୟ କିସମ କିସମର ସତର୍କ ଓ ପରାମର୍ଶମୂଳକ ବାଣୀ ଦୋକାନରେ ଲେଖା ହୋଇଛି। ଏସବୁକୁ ଦେଖାଇ ଦୋକାନୀ ପୁଣି ଦୋହରାଇଲା: ‘ଦି ପଇସା ପାଇଁ’ ଆମେ ବେପାର କରୁଚୁ ଭାଇନା। ଏ ସବୁ ନ ଲେଖିଲେ ସମ୍ଭାଳି ହେବ କି?

ୟା ଭିତରେ ସତ୍ୟେନ୍ଦୁର ଝିଅ ବାଛି ସାରିଥିଲା ତା ଡ୍ରେସ୍‌। ଦାମ୍ ହେଲା ନ’ଶହ ପଞ୍ଚସ୍ତରି ଟଙ୍କା! ସତ୍ୟେନ୍ଦୁର ମନେ ପଡ଼ିଗଲା ଯେ ପତ୍ନୀ କହିଥିଲେ ଯେତେ ଫିକ୍ସଡ ପ୍ରାଇସ୍ ସପ୍ ହେଲେ ବି ମୂଲଚାଲ କରି ହିଁ କିଣିବ। ତେଣୁ ସେ ଦୋକାନୀକୁ ଅଗତ୍ୟା ପଚାରି ଦେଲା : ନ’ଶ ଦେଲେ ଚଳିବ?

ଦୋକାନୀ ମୁହୂର୍ତ୍ତେ ବି ଅପେକ୍ଷା ନ କରି କହିଲା: ‘ହେଁ… ହେଁ… ଭାଇନା, ଆମର ଫିକ୍ସଡ ପ୍ରାଇସ୍ ସପ୍‌, ଦି’ ପଇସା ପାଇବା ପାଇଁ ସିନା ଏ ବେପାର,… ହେଁ…… ହେଁ। ଆପଣ ଆଜି ନୂଆ କରି ଆସିଲେ ତ, ସେଥିଲାଗି ବୋଧହୁଏ ଜାଣି ପାରି ନାହାନ୍ତି।’

ସୁତରାଂ, ସତ୍ୟେନ୍ଦୁ କହିଲା, ‘ଥାଉ ଭାଇ, ସେଇ ନ’ଶ ପଞ୍ଚସ୍ତରି ହିଁ ନିଅ।’ ଦୋକାନୀ ହସି ହସି ତାକୁ ବିଦା କଲା ଓ କହିଲା: ଭାଇନା, ଖରାପ ଭାବିବ ନାହିଁ। ଦି’ ପଇସା ପାଇବା ପାଇଁ ଆମର ଏ ବେପାର!

ଝିଅ ସାଙ୍ଗେ ଘରକୁ ଫେରିବା ବେଳେ ସତ୍ୟେନ୍ଦୁ ଦେଖିଲା ରାସ୍ତା କଡ଼ରେ ବିରାଟ ତିନି ମହଲା ବିଲ୍‌ଡିଂ। ତାହା ସେହି ଦୋକାନୀଙ୍କ ଘର। ପଇସା ପତ୍ର ମାମଲା ଓ ମୂଲଚାଲରେ ସର୍ବଦା ବିଫଳ ସତ୍ୟେନ୍ଦୁ ହଠାତ୍‌ ସ୍ବଗତୋକ୍ତି କରି ପକାଇଲା: ଏମିତି ଦି ଦି ପଇସା ରଖିଲେ ଯାଇ ଏତେ ବଡ଼ ବିଲ୍‌ଡିଂ କରିହୁଏ ବୋଧେ!

ଏ କଥା ଶୁଣି ନେଲା ସାନ ଝିଅ। ସେ ପଚାରିଲା- ବାପା, ଏବେ ବି କ’ଣ ଦି ପଇସା ଚଳୁଛି?

ସତ୍ୟେନ୍ଦୁ ଟିକିଏ ହସିଲା ଓ କହିଲା: ମା’ ତୁ ବଡ଼ ହେଲେ ବୁଝିବୁ!

‘‘ସୁହାସିତମ୍”, କସ୍ତୁରୀ ନଗର
ରାୟଗଡ଼ା-୭୬୫୦୦୧

ସମ୍ବନ୍ଧିତ ଖବର