କିଛିଦିନ ତଳେ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ତାମିଲନାଡ଼ୁର ତିରୁଚିଲ୍ଲାପଲ୍ଲି ଜିଲ୍ଲା‌େର ୮୦ ଘଣ୍ଟାର ଉଦ୍ୟମ ସତ୍ତ୍ବେ ଦୁଇ ବର୍ଷ ବୟସର ସୁଜିତ୍‌ ୱିଲସନ୍‌କୁ ୯୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ଉଦ୍ଧାର କରାଯାଇ ପାରିଲା ନାହିଁ। ତିନି ଦିନ ଧରି ତାର କୋମଳ ପ୍ରାଣ ସେହି ଶ୍ବାସରୁଦ୍ଧକାରୀ ସଂକୀର୍ଣ୍ଣ ଅନ୍ଧକୂପରେ ବନ୍ଦୀ ହୋଇ ରହିବା ପରେ ତାର ଶରୀରକୁ ଛାଡ଼ି ଦେଇଥିଲା। ତେବେ ତାର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଘୋର ଯନ୍ତ୍ରଣାଦାୟକ ମୃତ୍ୟୁ ଦୋହଲାଇ ଦେଇଥିଲା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ଚିତ୍ରତାରକା, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତରେ ଅନେକଙ୍କୁ। ଏହା ସହିତ ସୁଜିତର ମୃତ୍ୟୁ ମଧ୍ୟ ଉନ୍ମୁକ୍ତ ରହିଥିବା ପରିତ୍ୟକ୍ତ ବୋରୱେଲର ବିପଦ ବାବଦରେ ମଧ୍ୟ ପ୍ରଶ୍ନ ଉଠା‌ଇଥାଏ।

Advertisment

ଏହା ସତ ଯେ ସୁଜିତ ପୂର୍ବରୁ ମଧ୍ୟ ଅନେକ ଶିଶୁଙ୍କର ଏହି କାରଣରୁ ପ୍ରାଣହାନି ହୋଇଛି। କେବଳ ବୋରୱେଲ ନୁହେଁ ଉନ୍ମୁକ୍ତ ‘ମ୍ୟାନ୍‌ ହୋଲ୍’ ଅଥବା ଗର୍ତ୍ତରେ ପଡ଼ି ଅ‌େନକ ପ୍ରାଣ ହରାଉଛନ୍ତି। ତେବେ ଏହାର ହିସାବ ରଖିବାର କୌଣସି ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇନାହିଁ। ତେଣୁ ଏ ନେଇ ଏକ ବିଧିବଦ୍ଧ ପରିସଂଖ୍ୟାନ ନାହିଁ। ତେବେ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା ରିପୋର୍ଟ ଆଧାରରେ ୨୦୧୪ରେ ଲୋକସଭାରେ ଉପସ୍ଥାପିତ ତଥ୍ୟାନୁସାରେ ଗର୍ତ୍ତ ଏବଂ ମ୍ୟାନ୍‌ହୋଲ୍‌ରେ ପଡ଼ି ୨୦୧୦ରେ ୧୭୫, ୨୦୧୧ରେ ୧୯୨ ଓ ୨୦୧୨ରେ ୧୯୪ ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ଏହା ପରେ ସରକାରୀ ସ୍ତରରେ କୌଣସି ହିସାବ ନାହିଁ। ପରିସଂଖ୍ୟାନ କେବଳ ମାତ୍ର ସଂଖ୍ୟାର ତାଲିକା ନୁହେଁ, ଏହା ନୀତି ନିର୍ଦ୍ଧାରଣ ବେଳେ କାମରେ ଆସେ। ତେଣୁ, ଏ କ୍ଷେତ୍ରରେ ପରିସଂଖ୍ୟାନର ଅଭାବ ଏକ ଗୁରୁତର ସରକାରୀ ଅବହେଳା ବୋଲି କହିଲେ ଚଳିବ।

୨୦୦୬ ମସିହାରେ ପ୍ରଥମେ ଏହିଭଳି ଏକ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ଅନେକଙ୍କ ମନେ ଥିବ ଯେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ହଲ୍‌ଧେରୀ ଗାଁର ଜଣେ ଦିନମଜୁରିଆଙ୍କ ଚାରି ବର୍ଷର ପୁଅ ପ୍ରିନ୍‌ସ ୬୦ ଫୁଟ ଗଭୀରତାର ବୋ‌ରୱେଲ ଭିତରକୁ ଖସି ପଡ଼ିଥିଲା, ଯାହାକୁ ୪୮ ଘଣ୍ଟାର ଅକ୍ଳାନ୍ତ ଅପରେସନ୍‌ ପରେ ର‌କ୍ଷା କରାଯାଇପାରିଥିଲା। କିନ୍ତୁ ତା ପରେ ଘଟିଥିବା ଏଭଳି ଅନେକ ଅନୁରୂପ ଘଟଣାରେ ଖୁବ୍‌ କମ୍ ଶିଶୁ ପ୍ରିନ୍‌ସ ସୁଲଭ ଭାଗ୍ୟର ଅଧିକାରୀ ହୋଇପାରିଥିଲେ। ତେବେ, ୨୦୦୯, ଫେବ୍ରୁଆରି ମାସରେ ଜଣେ ନାଗରିକଙ୍କ ଚିଠି ଆଧାରରେ ତତ୍‌କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କେ.ଜି. ବାଳକୃଷ୍ଣନ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ଦାଏର୍‌ କରି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବୋ‌ରୱେଲ୍‌ରେ ଢାଙ୍କୁଣି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତା ପରେ ୨୦୧୦ ଫେବ୍ରୁଆରି ମାସରେ କେନ୍ଦ୍ର ସରକାର ଏକ ଗାଇଡ୍‌ଲାଇନ୍‌ ଜାରି କରିଥିଲେ ଯାହା ଅନୁସାରେ କୌଣସି ଜମି ମାଲିକ ବୋରୱେଲ ଖୋଳିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏହା ଛଡ଼ା ସବୁ ଡ୍ରିଲିଂ ସଂସ୍ଥା ପଂଜିକୃତ ହେବେ, ଗାତ ପାଖରେ ସାଇନ୍‌ବୋର୍ଡ ଲାଗିବା ଓ ବାଡ଼ ବୁଜା ହେବା ବାଧ୍ୟତାମୂଳକ ଥିଲା। ଏହା ସତ୍ତ୍ବେ ଏଭଳି ଦୁର୍ଘଟଣା ହେଉଥିବାର ଅର୍ଥ ନିୟମର ଖିଲାପ କରାଯାଉଛି।

ଯେତେବେଳେ ସୁଜିତର ମୃତ୍ୟୁରେ ବ୍ୟଥିତ ହଜାର ହଜାର ବ୍ୟକ୍ତିଙ୍କ ଶୋକବାର୍ତ୍ତାରେ ସାମାଜିକ ଗଣମାଧ୍ୟମ ଉଛୁଳି ପଡ଼ିଥିଲା, ‌େସତିକି ବେଳେ ଜଣେ ଲେଖିଥିଲେ: ଆମେ ‘ମିସନ ଚନ୍ଦ୍ରଯାନ’ ପାଇଁ ପ୍ରଚେଷ୍ଟା କରିପାରୁଛୁ ମାତ୍ର, ଦେଶରେ ଗାତରେ ପଡ଼ି ମୃତ୍ୟୁବରଣ କରୁଥିବା ଶିଶୁଟିକୁ ବଞ୍ଚାଇ ପାରିଲୁ ନାହିଁ।

ବାସ୍ତବରେ ଏହା ହେଉଛି ଅନ୍ତରୀକ୍ଷ ସ୍ପର୍ଶ କରିବାକୁ ବାହାରିଥିବା ଭାରତର ଧରାତଳର ବାସ୍ତବତା।

ଦେଉଳପଡ଼ା,କେନ୍ଦ୍ରାପଡ଼ା
ଇମେଲ୍‌: [email protected]