ବିଶ୍ବ ଉତ୍ତପ୍ତୀକରଣକୁ ଯଦି ରୋକା ନ ଯାଏ ତେବେ ପୃଥିବୀର ସବୁ ସମୁଦ୍ରକୂଳିଆ ସହର ପ୍ରତି ବର୍ଷ ସାମୁଦ୍ରିକ ବନ୍ୟାର ଶିକାର ହୋଇ ଆଂଶିକ ରୂପେ ଜଳମଗ୍ନ ହେବେ। ଭାରତରେ ଯେଉଁ ସହରଗୁଡ଼ିକ ଲାଗି ଏଭଳି ବିପଦ ସର୍ବାଧିକ ସେଗୁଡ଼ିକ ହେଲେ ମୁମ୍ବାଇ, ସୁରଟ, ଚେନ୍ନାଇ ଓ କୋଲକାତା।

Advertisment

ଏ ସଂକ୍ରାନ୍ତ‌େର ଏକାଧିକ ଗବେଷଣାପ୍ରସୂତ ରିପୋର୍ଟରୁ ପ୍ରକାଶ ଯେ ଯଦି ଜଳବାୟୁକୁ କାର୍ବନ ଉତ୍ସର୍ଜନ ପ୍ରକ୍ରିୟାରେ ହ୍ରାସ ଘଟା ନ ଯାଏ, ତେବେ ଆଗାମୀ ଦଶ ବର୍ଷ ଭିତରେ ଆମ ଦେଶର ବିଭିନ୍ନ ସମୁଦ୍ରକୂଳିଆ ସହରର ୩୧ ନିୟୁତ ଲୋକେ କ୍ଷତିଗ୍ରସ୍ତ ହେବେ। ଏହି ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଅର୍ଥାତ୍‌ ୨୦୫୦ ମସିହା ବେଳକୁ ଉପର ଉଲ୍ଲିଖିତ ସହରଗୁଡ଼ିକ ଆଂଶିକ ଜଳମଗ୍ନ ହୋଇ ଯାଇଥିବେ ଏବଂ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ୩୫ ନିୟୁତରେ ପହଞ୍ଚିଥିବ। ଏ ଶତାବ୍ଦୀର ଶେଷ ବେଳକୁ ଆମ ଦେଶର ଉପକୂଳରେ ରହୁଥିବା ୫୧ ନିୟୁତ ଲୋକ ନିୟମିତ ଭାବେ ଆସୁଥିବା ସାମୁଦ୍ରିକ ବନ୍ୟା ଦ୍ବାରା ଗଭୀର ଭାବେ ଆକ୍ରାନ୍ତ ହେବେ। ଏବେ ସାରା ପୃଥିବୀରେ ୨୫୧ ନିୟୁତ ଲୋକ ସମୁଦ୍ର ବୁଡ଼ିର ଆଶଙ୍କାରେ ଅଛନ୍ତି।

ଶିଳ୍ପ ବିପ୍ଳବ ପୂର୍ବରୁ ସମୁଦ୍ର ପତ୍ତନ ଯାହା ଥିଲା, ବିଂଶ ଶତାବ୍ଦୀରେ ତା ଠାରୁ ୧୧ରୁ ୧୬ ସେଣ୍ଟିମିଟର ଅଧିକ ଉଚ୍ଚ ହୋଇଛି। ସ୍ଥିତି ଏଭଳି ସାଂଘାତିକ ଯେ ଯଦି ବି କାର୍ବନ ଉତ୍ସର୍ଜନକୁ ନିୟନ୍ତ୍ରଣକୁ ଅଣାଯାଏ, ତେବେ ବି ସମୁଦ୍ର ପତ୍ତନ ଉଚ୍ଚତର ହୋଇ ଚାଲିବ। ଗବେଷଣାଗୁଡ଼ିକରେ ଆଶଙ୍କା ପ୍ରକାଶ ପାଇଛି ଯେ ୨୦୫୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ଅଧ ମିଟର ଉଚ୍ଚକୁ ଉଠିଯିବ। ଏହା ଦ୍ବାରା ପୃଥିବୀର ମାନଚିତ୍ର ମଧ୍ୟ ବଦଳିଯିବ।