ପାଗ ହେମାଳ, ରାଜନୀତି ଗରମ

ଆମେରିକାରୁ ପତ୍ର - ଅନାଦି ନାୟକ

ଆମେରିକାରେ ଓ୍ଵାସି˚ଟନ ପାଖରେ ରହି ନଭେମ୍ବର ଶେଷରେ ବରଫ ପଡ଼ିିବ ବୋଲି ଚିନ୍ତା କରି ଲାଭ କଅଣ? ନଈ ଭିତରେ ଘର କରି କୁମ୍ଭୀରକୁ ଡରିଲେ କଅଣ କାମ ଚଳିବ? ତେବେ, ସତ କହିଲେ ଏଠା ପରିସ୍ଥିତି ପାଇଁ ଅନେକ ସମୟରେ ବରଫ ପଡ଼ିିବାଟା ଭାରି ଦରକାର। କାରଣ ବରଫ ପଡ଼ିିଲେ ମାଟି ଓଦା ରହିବ। ଭୂଇଁ ଉପରେ ବରଫ ଲଦି ହୋଇ ରହିଲେ ତାର ପାଣି ମାଟି ଭିତରକୁ ଭେଦେ। ସାନ ବଡ଼ ସବୁ ରକମର ଚାଷୀଙ୍କ ପାଇଁ ମାଟିର ଆର୍ଦ୍ରତା ଭାରି ଦରକାର ଓ ସୂର୍ଯ୍ୟକିରଣ ପାଇ ବରଫ ଧୀରେ ଧୀରେ ତରଳିଲେ ପରିଷ୍କାର ପାଣିଟା ମାଟି ଭିତରକୁ ଧୀରେ ଧୀରେ ଭେଦେ। ବାହାରେ ପଡ଼ିିଥିବା ଥଣ୍ତା ବରଫ ଯୋଗେ ଅନେକ ରୋଗ ଜୀବାଣୁ ମଧ୍ୟ ନଷ୍ଟ ହୁଅନ୍ତି।

ଓ୍ଵାସି˚ଟନକୁ ତ ପ୍ରତି ଦିନ ପୃଥିବୀର ବିଭିନ୍ନ ଆଡୁ ହଜାର ହଜାର ଲୋକ ବୁଲିବାକୁ ଓ ଦେଖିବାକୁ ଆସୁଛନ୍ତି, ବିଜ୍ଞାନ ଓ ବ୍ୟବସାୟ କ୍ଷେତ୍ରରେ ଏଠୁ ଶିଖିବା ପାଇଁ ମଧୢ ଦୁନିଆର ସବୁ ଆଡୁ ଛାତ୍ରଛାତ୍ରୀ ଆସି ଏଠି ପଢୁଛନ୍ତି। ଏଠୁ ଜ୍ଞାନ ଆହରଣ କରିବା ପାଇଁ ପୂର୍ବରୁ ଭାରତ ସରକାର ସବୁ ଖର୍ଚ୍ଚ ବହନ କରି ପିଲା ପଠାଉଥିଲେ। ଏବେ ସରକାରୀ ପଇସାରେ ମାଗଣାରେ ପଢ଼ିିବାକୁ ଭାରତରୁ ଏତେ ପିଲା ଆସୁ ନାହାନ୍ତି। ଯେଉଁମାନେ ଆସୁଛନ୍ତି ସେମାନେ ନିଜ ନାଆଁରେ ମୁଚାଲିକା ଲେଖାଇ କରଜ ଟଙ୍କାରେ ପାଠ ପଢୁଛନ୍ତି ଓ ଏଠା କଲେଜ ବା ବିଶ୍ବବିଦ୍ୟାଳୟରୁ ସାହାଯ୍ୟ ପାଉଛନ୍ତି। କୌଣସି ଛାତ୍ରକୁ କଲେଜ ବା ୟୁନିଭର୍ସିଟି ଥରେ ଗ୍ରହଣ କରି ନେଲା ପରେ କେବଳ ଏଠି ପହଞ୍ଚିବାର ଦାୟିତ୍ବ ହୁଏତ ସେ ପିଲାର, ମାତ୍ର ଏଠି ପହଞ୍ଚିଲା ପରେ ଛାତ୍ରଟିକୁ ସବୁ ପ୍ରକାରର ସାହାଯ୍ୟ କରି କେମିତି ତାର ପଢ଼ାରେ ବ୍ୟାଘାତ ହେବ ନାହିଁ ସେଥିପାଇଁ ଶିକ୍ଷାନୁଷ୍ଠାନମାନେ ଖୁବ୍‌ ସଜାଗ ଥିବା ଦେଖାଯାଏ।

ବିଭିନ୍ନ ବିଶ୍ବ ବିଦ୍ୟାଳୟର ବଛା ବଛା ଅଧୢାପକ ବିଭିନ୍ନ ସ୍ତରରେ ସରକାରରେ ପଶିଥିବା ମଧୢ ଦେଖାଯାଏ। ସେକ୍ରେଟାରି, ଅଣ୍ତର ସେକ୍ରେଟାରି, ରାଷ୍ଟ୍ରଦୂତ, ବିଚାରପତି ସମେତ ବିଭିନ୍ନ କମିଟି ଓ କମିସନର ସଭ୍ୟ ଭାବରେ ସେମାନେ ମନୋନୀତ ହୁଅନ୍ତି। ଭାରତକୁ ରାଷ୍ଟ୍ରଦୂତ ଭାବରେ ଯାଇଥିବା ଦାନିଏଲ୍‌ ମୟନିହାନ, ଜନ୍‌ କେନେଥ ଗାଲବ୍ରେଥ୍‌, କିଙ୍ଗ୍‌ମ୍ୟାନ ବ୍ରିଉଷ୍ଟରଙ୍କ ପରି ଲୋକେ ରାଷ୍ଟ୍ରଦୂତ ହେବା ପୂର୍ବରୁ ଓ ପରେ ଅଧୢାପକ ଭାବରେ କାର୍ଯ୍ୟ କରିଥିଲେ। ବୈଦେଶିକ ସେକ୍ରେଟାରି ହେବା ପରେ ଡିନ୍‌ ରସ୍କ୍‌, ଜର୍ଜ ସୁଲ୍‌ସ୍‌, କଣ୍ତୋଲିଜା ରାଇସ୍‌ ବିଶ୍ବବିଦ୍ୟାଳୟର ହତାକୁ ଫେରି ଯାଇଥିଲେ। ହାର୍ଭାର୍ଡ‌୍‌ ଓ ପ୍ରିନ୍‌ସଟନ ପରି ଏଠି ବିଶ୍ବବିଦ୍ୟାଳୟମାନେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। ସାମୂହିକ ସ୍ବାର୍ଥ ସହିତ ସମ୍ପୃକ୍ତ ଯେ କୌଣସି ସମସ୍ୟା ସପକ୍ଷରେ ଓ ବିରୋଧରେ ଜନମତ ସୃଷ୍ଟି କରିବାରେ ସେମାନଙ୍କର ଅବଦାନ ବଳବତ୍ତର ରହିଛି।

ହେମାଳ ପବନ ଭିତରେ ଖାଲି ଓ୍ଵାସି˚ଟନ ଅଞ୍ଚଳ କାହିଁକି ସମୁଦାୟ ଆମେରିକା ଏବେ ଉତ୍ସବମୁଖର ହେବାକୁ ଚେଷ୍ଟା କରୁଛି। ସବୁଠାରୁ ବଡ଼ ଦୁଇଟି ଉତ୍ସବ ଆଗକୁ ଆସୁଛି। ଖ୍ରୀଷ୍ଟମାସ ତ ସବୁଆଡ଼େ ପାଳିତ ହୁଏ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଦିବସ ଭାବରେ ଡିସେମ୍ବର ୨୫ ତାରିଖଟି ଏକ ବିଶିଷ୍ଟ, ଧର୍ମ ସମ୍ପୃକ୍ତ ଦିବସ ଭାବରେ ଦୁନିଆ ସାରା ପାଳିତ ହୋଇଥାଏ। ତାର ମଧୢ ବ୍ୟତିକ୍ରମ ରହିଛି। ରୁଷିଆ, ୟୁକ୍ରେନ ସମେତ ପୂର୍ବ ୟୁରୋପର ଗ୍ରୀକ୍‌ ଅର୍ଥୋଡକ୍ସ (ରକ୍ଷଣଶୀଳ) ଚର୍ଚ୍ଚର ସଭ୍ୟମାନେ ଖ୍ରୀଷ୍ଟମାସ ପାଳନ କରନ୍ତି ଡିସେମ୍ବର ୨୫ର ବାର ଦିନ ପରେ। ଖ୍ରୀଷ୍ଟିଆନ ହେଲେ ବି ସେମାନଙ୍କର ପାଞ୍ଜି ଅଲଗା।

ମାତ୍ର ‘‘ଥ୍ୟାଙ୍କ୍‌ସ ଗିଭି˚’’ ହେଲା ଆମେରିକାନ୍‌ ଲୋକଙ୍କର ପୂରା ପୂରି ନିଜସ୍ବ। ଆମେରିକାର ସୃଷ୍ଟି ସହିତ ଏ ଦିନର ସମ୍ପର୍କ ରହିଛି। ତିନିଶହ ବର୍ଷ ତଳେ କେତେ ଜଣ ୟୁରୋପୀୟ ଲୋକ ଡଙ୍ଗାରେ ଆସି ଏଠି ବସବାସ ଆରମ୍ଭ କଲେ। ଏଠାର ଜଳବାୟୁର ପରିସ୍ଥିତି ସେମାନଙ୍କୁ ଜଣା ନଥିଲା। ଶୀତ ଦିନର ବରଫ ଝଡ଼ ଓ ଖରା ଦିନର ମଶା ଉପଦ୍ରବ ସହି ଗୋଟାଏ ବର୍ଷ କାଟିଲା ପରେ ସେମାନଙ୍କର ଏ ଜାଗାଟା ବିଷୟରେ ପୂର୍ଣ୍ଣ ଧାରଣା ହେଲା। ଖ୍ରୀଷ୍ଟିଆନ ହେଲେ ମଧୢ ଖ୍ରୀଷ୍ଟ ଧର୍ମ ବିଷୟରେ ସେମାନଙ୍କର ମତ ଇ˚ଲଣ୍ତର ଦେଶବାସୀଙ୍କ ସହିତ ଖାପ ନ ଖାଇବାରୁ ସେମାନେ ପଳାଇ ଆସିଥିଲେ।

ଏକ ନୂଆ ଭୂଇଁରେ ନିଜର ଏହି ସୌଭାଗ୍ୟ ପାଇଁ ସେମାନେ ଭଗବାନଙ୍କୁ କୃତଜ୍ଞତା ଜଣାଇବାକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଠିକ୍‌ କଲେ। ପ୍ରାର୍ଥନା ଓ ଭୋଜିଭାତ ପାଇଁ ସେମାନେ ସ୍ଥାନୀୟ ଲୋହିତ ଭାରତୀୟମାନଙ୍କୁ ମଧୢ ନିମନ୍ତ୍ରଣ କରି ଡାକିଲେ। ବର୍ଷକ ଭିତରେ ଇ˚ଲଣ୍ତରୁ ଆସିଥିବା ଜନ୍‌ ସ୍ମିଥ ଓ ଏଠିକାର ଆଦିବାସୀ କନ୍ୟା ପୋକାହୁନ୍ତାଙ୍କ ଭିତରେ ବନ୍ଧୁତା ସୃଷ୍ଟି ହୋଇ ସାରିଥିଲା। ସମସ୍ତେ ଖୁସିରେ ଖିଆପିଆ କଲେ। ସେହି ଦିନରୁ ପ୍ରତି ବର୍ଷ ‘ଥ୍ୟାଙ୍କସ୍‌ ଗିଭି˚’ ଦିନଟି ପାଳିତ ହୋଇ ଆସୁଛି। ନୂଆ ବର୍ଷର ଧାନ ଅମଳ ପରେ ଆମ ଆଡ଼େ ଯେମିତି ‘ନୂଆଁଖାଇ’ ପାଳନ କରାଯାଏ ଏଠି ସେମିତି ‘ଥ୍ୟାଙ୍କ୍‌ସ ଗିଭି˚’।

‘ଥ୍ୟାଙ୍କ୍‌ସ ଗିଭି˚’ର ଆଉ ଗୋଟାଏ ବିଶେଷତ୍ବ ହେଲା ଯେ ଏହି ଦିନ ସବୁ ଘରେ ଭୋଜିଭାତ, ଖାଇବା ପିଇବା ତ ଖୁବ୍‌ ଚାଲେ। ମାତ୍ର ଟର୍କି (ବଣୁଆ କୁକୁଡ଼ା) ମା˚ସ ସବୁ ଘରେ ରନ୍ଧା ହୁଏ। ଟର୍କି ସାଙ୍ଗକୁ ମକା, କ୍ରାନବେରି କୋଳି, କଖାରୁ, କନ୍ଦମୂଳ ଏବ˚ ବଣୁଆ କୋବି (ବ୍ରସେଲ୍‌ସ୍‌ ସ୍ପ୍ରାଉଟ୍‌ – କୋବି ପରି ଦେଖିବାକୁ କିନ୍ତୁ ଆକାରରେ ଛତୁ ପରି ଛୋଟ) ରନ୍ଧା ନ ହେଲେ ଭୋଜନ ଆୟୋଜନର ପୂର୍ଣ୍ଣତା ଆସେନା। ନବାଗତ ଅଧିବାସୀମାନେ ସେମାନଙ୍କର ପ୍ରଥମ ‘ଥ୍ୟାଙ୍କ୍‌ସ ଗିଭି˚’ ପାଳନ କରିବା ଅବସରରେ ଟର୍କି ସାଙ୍ଗକୁ କେବଳ ଉପରୋକ୍ତ ଫସଲ ଅମଳ କରି ପାରିଥିଲେ। ପ୍ରତି ବର୍ଷର ଏଇ ଅବସରରେ ସମସ୍ତେ ସେଇଟାକୁ ମନେ ପକାନ୍ତି। ମା˚ସ ଖାଉ ନ ଥିବା ଲୋକଙ୍କର ସ˚ଖ୍ୟା ଏଠି ଧୀରେ ଧୀରେ ବଢୁଛି। ସେଥିପାଇଁ ମା˚ସର କେତେ ରକମର ବିକଳ୍ପ ବାହାରିଲାଣି। ରେସ୍ତୋରାଁ ଓ ଖାଦ୍ୟ ଦୋକାନରେ, ଜନବସତି ଭିତରେ ମା˚ସର ବିକଳ୍ପର ଭଲ ବିକ୍ରି ହେଉଥିବା ଦେଖାଯାଉଛି।

ଗଲା ନଭେମ୍ବର ୨୮ ଗୁରୁବାର ଦିନ ‘ଥ୍ୟାଙ୍କ୍‌ସ ଗିଭି˚’ ଉତ୍ସବ ପାଳନ କରାଗଲା ବେଳକୁ ଦେଶରେ ରାଜନୈତିକ ବାତାବରଣ ଖୁବ୍‌ ଗରମ ହୋଇ ଉଠିଥିଲା। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କେତେ ରକମର ଦୁର୍ନୀତି କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଏଠା ପାର୍ଲାମେଣ୍ଟର ତଳ କକ୍ଷ ତରଫରୁ ବିଭିନ୍ନ ଲୋକଙ୍କଠାରୁ ତଥ୍ୟ ସ˚ଗ୍ରହ କରାଯାଇଛି। ତା’ ଛଡା ଦେଶବାସୀଙ୍କ ଜାଣିବା ପାଇଁ ଖୋଲା ମଞ୍ଚ ଉପରେ ଏଭଳି ତଥ୍ୟ ଦେଇଥିବା ସାକ୍ଷୀମାନଙ୍କୁ ପ୍ରଶ୍ନ ପଚରାଗଲା। ଫଳରେ ଅନେକ ଅଜଣା ତଥ୍ୟ ପଦାକୁ ଆସିଛି। ଡିମୋକ୍ରାଟ ଓ ରିପବ୍ଲିକାନ ଉଭୟଙ୍କ ତରଫରୁ ସେ ସବୁ ତଥ୍ୟର ବିଶ୍ଳେଷଣ ଚାଲିଛି।

ଗଣତନ୍ତ୍ର ସବୁ ବେଳେ ନିର୍ଭର କରେ ସ˚ଖ୍ୟା ଉପରେ। ସମସ୍ତେ ଜାଣନ୍ତି ଯେ ପାର୍ଲାମେଣ୍ଟର ଦୁଇଟି ଯାକ କକ୍ଷ ରାଜି ନହେଲେ ଟ୍ରମ୍ପ୍‌ଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ପାରିବ ନାହିଁ। ଦୁଇଟି ଯାକ କକ୍ଷ ରହିଛି ଦୁଇଟି ଭିନ୍ନ ଭିନ୍ନ ଦଳ ହାତରେ। ଡିମୋକ୍ରାଟ୍‌ମାନେ ତଥ୍ୟ ସ˚ଗ୍ରହ କରି ସମ୍ଭବତଃ ଟ୍ରମ୍ପ୍‌ଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିବେ। ମାତ୍ର ଏ ଅଭିଯୋଗର ବିଚାର ହେବ ଉପର କକ୍ଷ ବା ସିନେଟରେ। ସେ ଦୋଷୀ ବୋଲି ସାବ୍ୟସ୍ତ ହେଲେ ତାଙ୍କୁ ଗାଦିଚ୍ୟୁତ କରାଯିବ। ମାତ୍ର ଜାଣିବାର କଥା ଯେ ଏ ପରିସ୍ଥିତିରେ ସତ୍ୟ ଅସତ୍ୟ, ନ୍ୟାୟ ଅନ୍ୟାୟର ବିଚାର ବଦଳରେ ସବୁ କଥା ନିର୍ଭର କରୁଛି ସ˚ଖ୍ୟା ଉପରେ। ଯଦି ସିନେଟରମାନଙ୍କ ଭିତରୁ ୬୭ ( ଦୁଇ ତୃତୀୟା˚ଶ) ଜଣ ରାଜି ନହେବେ ତେବେ ଟ୍ରମ୍ପ୍‌ ଯେତେ ଯାହା କରିଥିଲେ ବି ତାଙ୍କ ପାଇଁ କୌଣସି ଶାସ୍ତିର ବ୍ୟବସ୍ଥା ହୋଇ ପାରିବ ନାହିଁ।

ଫ୍ରେଡେରିକ, ମେରିଲ୍ୟାଣ୍ତ

ସମ୍ବନ୍ଧିତ ଖବର