ମହାପ୍ରସ୍ଥାନର ବର୍ଷେ ବିତିଗଲାଣି ଚାହୁଁ ଚାହୁଁ। ଏଇ ମେ ତେଇଶିରେ ବର୍ଷପୂରଣୀ। ଏ ଜୀବନ୍ତ ଶରୀରଟା ଦୀର୍ଘ ବୟାନବେ ବର୍ଷ ଧରି ସାଧାରଣ ମଣିଷର ସେବାରେ ଲାଗିଥିଲା। ସେଇ ମରଶରୀରକୁ ପୋଡ଼ିପୋତି ଦେବା ଅପେକ୍ଷା ଚିକିତ୍ସାବିଜ୍ଞାନୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହାୟତା ପାଇଁ ଏମ୍ସର ପରୀକ୍ଷାଗାରରେ ସଂରକ୍ଷିତ ରଖାଯାଇଛି- ତାଙ୍କରି ଶେଷ ଇଚ୍ଛାକୁ ସମ୍ମାନ ଜଣାଇ। ମରି ମଧ୍ୟ ଅମର ହୋଇଗଲେ ସାଲିସହୀନ ସାମ୍ୟବାଦୀ ପ୍ରବାଦ ପୁରୁଷ, ଶତସଂଗ୍ରାମର ଅବିଚଳିତ ସେନାପତି, ଗରିବ, ଖଟିଖିଆ, କୃଷକ ଆଉ ଶ୍ରମିକଙ୍କର ନିକଟତମ ବନ୍ଧୁ କମ୍ପ୍ରେଡ ଶିବାଜୀ ପଟ୍ଟନାୟକ।
ସୁବିଧାବାଦ ଓ ଅର୍ଥସର୍ବସ୍ବ ରାଜନୀତିର ଚକ୍ରବ୍ୟୂହରେ ନ ପଡ଼ି ମାର୍କ୍ସବାଦର ଚେତନାରେ ନିଜକୁ ଉଦ୍ବୁଦ୍ଧ କରି ଭାରତର ସ୍ବାଧୀନତା ସଂଗ୍ରାମଠୁ ଆରମ୍ଭ କରି ଆଜିର ନବ୍ୟ-ଫାସିବାଦ ବିରୋଧୀ ଲଢ଼େଇ ପର୍ଯ୍ୟନ୍ତ ଦୀର୍ଘ ପଚସ୍ତରି ବର୍ଷ କାଳ ଅବିଚଳ ଭାବେ ମତାଦର୍ଶ ସହିତ ଦୃଢ଼ ଭାବରେ ରହିପାରିବା- କିଛି କମ୍ ସାଧନାର କଥା ନୁହେଁ। ତାଙ୍କ ଜୀବନର ଅନ୍ତ ଓଡ଼ିଶା ରାଜନୀତିରେ ମୂଲ୍ୟବୋଧଭିତ୍ତିକ ଧାରାର ଏକ ପ୍ରକାଣ୍ଡ କ୍ଷତିସାଧନ କରିଛି।
କ୍ଷମତା ମଣିଷକୁ ଦୁର୍ନୀତିର ନିକଟବର୍ତ୍ତୀ କରାଏ- ଏହାକୁ ଦୃଢ଼ ଭାବେ ଅପ୍ରମାଣିତ କରିଛନ୍ତି ଶିବାଜୀବାବୁ। ତିନିଥର ଲୋକସଭା ସଦସ୍ୟ ଭାବେ ଭୁବନେଶ୍ବର ଭଳି ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ମାତ୍ର ଦୁର୍ନୀତିର ଛିଟା ତାଙ୍କୁ ସ୍ପର୍ଶ କରିପାରି ନାହିଁ। ଏହା ତାଙ୍କର ଦୁର୍ନିବାର ଗୁଣାଭିମୁଖୀ ପ୍ରବଣତା ଓ ଆତ୍ମସଚେତନତାର ଫଳଶ୍ରୁତି। ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି କ୍ଷମତାସୀନ ଉତ୍ତୁଙ୍ଗ ନେତୃତ୍ବମାନଙ୍କ ସହିତ ପାରିବାରିକ ବ୍ୟକ୍ତିଗତ ସମ୍ପର୍କରେ ଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ଅନମନୀୟ ଶିବାଜୀବାବୁ ଖଣ୍ଡାଧାରରେ ବାଟ ଚାଲିପାରୁଥିଲେ। ଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଶିବାଜୀବାବୁଙ୍କ ମଣିଷପଣିଆ, ସାଧୁତା, ନିର୍ଭରଯୋଗ୍ୟତା ଓ କର୍ମନିଷ୍ଠତାକୁ ସ୍ବୀକାର ପୂର୍ବକ ଯଥେଷ୍ଟ ସମ୍ମାନ ଦେଇଥାନ୍ତି।
କର୍ମଯୋଗୀ ଶିବାଜୀବାବୁ ଥିଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ପ୍ରମୁଖ ଉଦ୍ୟୋକ୍ତା। ୧୯୯୪ ମସିହାରେ ଲୋକସଭାରେ ରେଳମନ୍ତ୍ରୀ, ଅର୍ଥମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥକୁ ମଂଜୁର କରାଇଥିଲେ। ଏହି ରେଳପଥର ତ୍ବରାନ୍ବିତୀକରଣ ପାଇଁ ପାଞ୍ଚ ଜିଲ୍ଲାରେ କ୍ରିୟାନୁଷ୍ଠାନ କମିଟି ଗଠନ କରି ଆନ୍ଦୋଳନ ଚାଲୁ ରଖିବାରେ ସେ ଥିଲେ ଦକ୍ଷ ସେନାପତି। ନାଲ୍କୋର ଘରୋଇକରଣ ବିରୋଧରେ, ଚିଲିକା ମତ୍ସ୍ୟଜୀବୀଙ୍କର ତଥା ଚିଲିକାର ସୁରକ୍ଷା ପାଇଁ ଶିବାଜୀବାବୁ ଥିଲେ ପ୍ରତିବଦ୍ଧ ସଂଗ୍ରାମୀ। ନୟାଗଡ଼ ଚିନିକଳ ଆନ୍ଦୋଳନ, ବୃତଙ୍ଗ ଓ ପଦ୍ମାବତୀ ବ୍ୟାରେଜ ପାଇଁ ଅହରହ ଉଦ୍ୟମରତ କ୍ରାନ୍ତିପୁରୁଷ ଶିବାଜୀବାବୁ ଓଡ଼ିଶାର ପ୍ରଗତିଶୀଳ ଚେତନାର ଥିଲେ ଜଣେ ସୁପରିବାହକ। ଆଜି ପ୍ରଥମ ଶ୍ରାଦ୍ଧ ଦିବସରେ ଶିବାଜୀବାବୁଙ୍କୁ ଅଜସ୍ର ପ୍ରଣାମ।
ମୋ-୯୪୩୮୧୫୦୦୭୯