ଦଶାବତାର ସ୍ତୁତି ଓ ପୂଜା ଶ୍ରୀଜୟଦେବଙ୍କ ପୂର୍ବରୁ ଦେଶରେ ପ୍ରଚଳିତ ଥିଲା। ଋକ୍‌ବେଦରେ ‘ତ୍ରିଣି ପଦା ବିଚକ୍ରମେ ବିଷ୍ଣୁର୍ଗୋପା ଅଦାଭ୍ୟଃ’ ବାକ୍ୟଦ୍ବାରା ବିଷ୍ଣୁଙ୍କ ବାମନ ଅବତାର କଥା ଜଣାଯାଇଛି। ଐତରେୟ ବ୍ରାହ୍ମଣ ଓ ତୈତିରୀୟ ସଂହିତାରେ ବାମନ ଅବତାରଙ୍କ ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। କେତେକ ବ୍ରାହ୍ମଣ ଓ ଆରଣ୍ୟକରେ ବରାହ, ମତ୍ସ୍ୟ, କୂର୍ମ, ନୃସିଂହ ଅବତାରଙ୍କ ବର୍ଣ୍ଣନା ଦେଖିବାକୁ ମିଳେ। ଶତପଥ ବ୍ରାହ୍ମଣରେ ମତ୍ସ୍ୟ ଓ କୂର୍ମ ଅବତାରଙ୍କ ବର୍ଣ୍ଣନା ରହିଛି। ମହାଭାରତରେ ମଧ୍ୟ ଦଶାବତାର ବର୍ଣ୍ଣନା ଦେଖିବାକୁ ମିଳେ। ମହାଭାରତରେ କଳ୍କୀ ଅବତାରର ଉଲ୍ଲେଖ ଥିଲେ ମଧ୍ୟ ବୁଦ୍ଧଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଗ୍ରହଣ କରାଯାଇନାହିଁ। ଶ୍ରୀମଦ୍ଭଗବଦ୍‌ଗୀତାରେ ଭଗବାନ୍ ବାରମ୍ବାର ଅବତାର ନେଉଥିବା କଥା ଉଲ୍ଲେଖ ରହିଛି - ‘ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ’ା

Advertisment

ହରିବଂଶ, ବରାହ ପୁରାଣ ଓ ଅଗ୍ନି ପୁରାଣରେ ବି ଅବତାରମାନଙ୍କ ବିଷୟ ଲେଖାଅଛି। ଭଗବାନ ଶଙ୍କରାଚାର୍ଯ୍ୟ ମଧ୍ୟ ଏକ ଦଶାବତାର ସ୍ତୋତ୍ରର ରଚୟିତା। ମାତ୍ର ଏଥିରେ ବଳରାମଙ୍କ ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ଭାବେ ନିଆଯାଇଛି।
‘‘ଘନାଦ୍‌ ଗୋଧନଂ ଯେନ ଗୋବର୍ଦ୍ଧନେନ
ବ୍ୟରକ୍ଷି ପ୍ରତାପେନ ଗୋବର୍ଦ୍ଧନେନ,
ହତାରାତିଚକ୍ରୀ ରଣଧ୍ବସ୍ତଚକ୍ରୀ
ପଦଧ୍ବସ୍ତଚକ୍ରୀ ସ ନଃ ପାତୁ ଚକ୍ରୀ।’’ (ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ)

ସେହିଭଳି କାଶ୍ମୀରଦେଶୀୟ ମହାକବି କ୍ଷେମେନ୍ଦ୍ର (ଖ୍ରୀ.ଅ. ୧୦୩୦-୧୦୮୦) ସ୍ବକୃତ ଦଶାବତାର ସ୍ତୁତିରେ ଶ୍ରୀକୃଷ୍ଣଙ୍କୁ ବଳରାମଙ୍କ ସ୍ଥାନରେ ଅଷ୍ଟମ ଅବତାର ଭାବେ ଗ୍ରହଣ କରିଛନ୍ତି। ମହାକବି ଶ୍ରୀହର୍ଷକୃତ ନୈଷଧୀୟ ଚରିତମ୍‌ ମହାକାବ୍ୟରେ ନଳରାଜା ୪୦ଟି ଶ୍ଳୋକରେ ଦଶାବତାରଙ୍କ ସ୍ତୁତି କରିଛନ୍ତି।

ରାଜସ୍ଥାନର ଆଜମୀରରେ ଦ୍ବାଦଶ ଶତାବ୍ଦୀରେ ଖୋଦିତ ଏକ ଶିଳାଲିପିରେ ଦଶାବତାର ସ୍ତୁତି ଦେଖିବାକୁ ମିଳେ। ଏଥିରେ ଅଷ୍ଟମ ଅବତାରରେ ବଳରାମଙ୍କୁ ନିଆଯାଇଛି ଓ ଶ୍ରୀକୃଷ୍ଣ-ବଳରାମଙ୍କ ମଧ୍ୟରେ ଅଭେଦତ୍ବ ପ୍ରତିପାଦିତ ହୋଇଛି।

୧୪ଶ ଶତାବ୍ଦୀରେ ଲିଖିତ ସ୍କନ୍ଦ ପୁରାଣ ଅନ୍ତର୍ଗତ ଉତ୍କଳଖଣ୍ଡରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ପୌରାଣିକ ଗୌରବ ଓ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି, ଯେଉଁଥିରେ ଏହାକୁ ଦଶାବତାର କ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି।
‘‘ଏତଦ୍ରହସ୍ୟ ପରମଂ ପୁତ୍ର ତେ କଥିତଂ ମୟା ା
ଦଶାବତାରକ୍ଷେତ୍ରସ୍ୟ ମାହାତ୍ମ୍ୟଞ୍ଚ ସୁଗୋପିତମ୍‌ ାା’’

ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପର୍ଯ୍ୟନ୍ତ ଶ୍ରୀଗୀତଗୋବିନ୍ଦର ୯୮ଟି ଟୀକା ଆବିଷ୍କୃତ ହୋଇଥିବା ଦୃଷ୍ଟିକୁ ଆସିଛି। ତେବେ ଏହାର ସଂଖ୍ୟା କ୍ରମଶଃ ବଢ଼ିପାରେ। କେତେକ ଉତ୍କଳୀୟ ମଧ୍ୟ ଶ୍ରୀଗୀତଗୋବିନ୍ଦର ଟୀକା ପ୍ରଣୟନ କରିଛନ୍ତି। ଆବିଷ୍କୃତ କେତେକ ଟୀକାର ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା।

ଉଦୟନାଚାର୍ଯ୍ୟକୃତ ଭାବବିଭାବିନୀ ଟୀକା:
କବୀନ୍ଦ୍ର ଉଦୟନାଚାର୍ଯ୍ୟ ଶ୍ରୀଗୀତଗୋବିନ୍ଦର ‘‘ଭାବବିଭାବିନୀ’’ ନାମରେ ଏକ ଟୀକା ପ୍ରଣୟନ କରିଛନ୍ତି। ନିଆଳି ଶାସନସ୍ଥ ଶୋଭନେଶ୍ବର ଓ ଭୁବନେଶ୍ବରସ୍ଥ ମେଘେଶ୍ବର ମନ୍ଦିରରେ ଥିବା ଶିଳାଲେଖର କବି ହେଉଛନ୍ତି ଏହି ଉଦୟନ। ଏହାଙ୍କଦ୍ୱାରା ପ୍ରଣୀତ ‘ଭାବବିଭାବିନୀ ଟୀକା’ର ପୋଥିକୁ ଐତିହାସିକ ଡ. କୀଲବର୍ଣ୍ଣ ମଧ୍ୟପ୍ରଦେଶର ଜଣେ ଚାଷୀ ଏସ୍. ଲକ୍ଷ୍ମଣସାଙ୍କର ବ୍ୟକ୍ତିଗତ ଗ୍ରନ୍ଥାଳୟରେ ଖ୍ରୀ.ଅ.୧୮୭୪ରେ ଦେଖିଥିବାର ଉଲ୍ଲେଖ କରିଛନ୍ତି। ଏହା ହିଁ ସମ୍ଭବତଃ ଶ୍ରୀଗୀତଗୋବିନ୍ଦର ସର୍ବପୁରାତନ ଟୀକା। କବୀନ୍ଦ୍ର ଉଦୟନ ଶ୍ରୀଜୟଦେବଙ୍କ ସମସାମୟିକ ଓ ବଙ୍ଗର ହିନ୍ଦୁରାଜା ଲକ୍ଷ୍ମଣ ସେନ୍‌ଙ୍କ ସଭାପଣ୍ଡିତ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ସାନଭାଇ ଥିବା ଗୋବର୍ଦ୍ଧନାଚାର୍ଯ୍ୟକୃତ ଆର୍ଯ୍ୟାସପ୍ତଶତୀର ଶ୍ଳୋକରୁ ଜଣାଯାଏ।

କବୀନ୍ଦ୍ର ଉଦୟନ ବ୍ରାହ୍ମଣବଂଶୀୟ ସୀମାନ୍ତ ରାଜା ବୈଦ୍ୟନାଥଙ୍କ ସଭାମଣ୍ଡନ କରୁଥିଲେ ଓ ଗଙ୍ଗ ସମ୍ରାଟ୍ ରାଜରାଜଦେବ (ଖ୍ରୀ.ଅ. ୧୧୭୦-୧୧୯୦)ଙ୍କ ଶାଳକ ସାମନ୍ତ ରାଜା ସ୍ବପ୍ନେଶ୍ବର ଦେବଙ୍କ ପୃଷ୍ଠପୋଷକତା ମଧ୍ୟ ଲାଭ କରିଥିଲେ। ଭୁବନେଶ୍ବରସ୍ଥ ମେଘେଶ୍ବର ମନ୍ଦିର ପ୍ରଶସ୍ତିର ୧୧ଟି ଶ୍ଳୋକରେ ଗଙ୍ଗସମ୍ରାଟ୍ ଚୋଡ଼ଗଙ୍ଗଦେବ, ରାଜରାଜଦେବ ଓ ଅନଙ୍ଗଭୀମଦେବଙ୍କ ଗୌରବଗାଥା ବର୍ଣ୍ଣନା କରାଯାଇଛି। ସେ ଉତ୍କଳୀୟ କବି ଶ୍ରୀହର୍ଷଙ୍କର ନୈଷଧୀୟ ଚରିତ ମହାକାବ୍ୟର ଟୀକା ରଚନା କରି ଏହାର ନାମ ‘ଉଦୟକରୀ’ ରଖିଥିଲେ। ଉଦୟନଙ୍କ ବଡ଼ଭାଇ ଗୋବର୍ଦ୍ଧନ ଶ୍ରୀଜଗନ୍ନାଥଙ୍କ ସ୍ତୁତିମୂଳକ ଗୋବର୍ଦ୍ଧନଶତକ ରଚନା କରିଥିବାର କେତେକ ଐତିହାସିକ ଯୁକ୍ତି କରିଥାନ୍ତି। କବୀନ୍ଦ୍ର ଉଦୟନଙ୍କ ଭାବବିଭାବିନୀ ଟୀକା ଏପର୍ଯ୍ୟନ୍ତ ଅପ୍ରକାଶିତ।

କବିରାଜ ନାରାୟଣଦାସକୃତ ସର୍ବାଙ୍ଗସୁନ୍ଦରୀ ଟୀକା:
ଉତ୍କଳର ସୁବିଖ୍ୟାତ ପଣ୍ଡିତ କବିରାଜ ନାରାୟଣଦାସ ଶ୍ରୀଗୀତଗୋବିନ୍ଦର ସର୍ବାଙ୍ଗସୁନ୍ଦରୀ ଟୀକା ରଚନା କରିଥିଲେ। ସଂସ୍କୃତ ସାହିତ୍ୟ ଦର୍ପଣର ପ୍ରସିଦ୍ଧ ରଚୟିତା ସ୍ୱନାମଧନ୍ୟ ବିଶ୍ବନାଥ କବିରାଜ ଥିଲେ ତାଙ୍କର ପ୍ରବୃଦ୍ଧପିତାମହ।

ଲକ୍ଷ୍ମଣ ଭଟ୍ଟକୃତ ରସିକରଙ୍ଗଦା ଟୀକା:
ଶ୍ରୀକ୍ଷେତ୍ରନିବାସୀ, ଶ୍ରୀରାଧାକୃଷ୍ଣ ତଥା ଶ୍ରୀଚୈତନ୍ୟଙ୍କ ପରମଭକ୍ତ ପଣ୍ଡିତ ଲକ୍ଷ୍ମଣଭଟ୍ଟ ଶ୍ରୀଗୀତଗୋବିନ୍ଦର ରସିକରଙ୍ଗଦା ଟୀକା ପ୍ରଣୟନ କରିଥିଲେ। ଉତ୍କଳରେ ଏହାର ପ୍ରସାର ଅଧିକ। ଖ୍ରୀ.ଅ. ୧୭୪୨ରେ ଏହି ଟୀକା ରଚନା ସମାପ୍ତ ହୋଇଥିଲା। ସେ ଓଡ଼ିଆରେ ଶ୍ରୀକୃଷ୍ଣଲୀଳାମୃତ ନାମକ କାବ୍ୟର ମଧ୍ୟ ରଚୟିତା।

ଧନଞ୍ଜୟ ଦ୍ବିଜକୃତ ସର୍ବାଙ୍ଗସୁନ୍ଦରୀ ଟୀକା:
ଧନଞ୍ଜୟ ଦ୍ବିଜ ନାମରେ ଜଣେ ଉତ୍କଳୀୟ କବିରାଜ ନାରାୟଣଦାସଙ୍କ ସର୍ବାଙ୍ଗସୁନ୍ଦରୀ ଟୀକାର ଅନୁକରଣରେ ଏକ ବୃହଦାକାର ସର୍ବାଙ୍ଗସୁନ୍ଦରୀ ଟୀକା ପ୍ରଣୟନ କରିଥିଲେ। ଏହି ଟୀକା ଉତ୍କଳରେ ବିଶେଷ ପ୍ରସାର ଲାଭ କରିଥିଲା। ତା୨୮.୦୮.୧୬୮୮ରେ ଏହି ଟୀକା ସମାପ୍ତ ହୋଇଥିବା ଏହାର ଶେଷ ଶ୍ଳୋକରୁ ଜଣାଯାଏ। ଏହି ଟୀକାରେ ଶ୍ରୀଗୀତଗୋବିନ୍ଦରେ ଥିବା ୭୨ଟି ଶ୍ଳୋକର ବ୍ୟାଖ୍ୟା କରାଯାଇଛି।

କୃଷ୍ଣଦାସ କବିରାଜକୃତ ସର୍ବାଙ୍ଗସୁନ୍ଦରୀ ଟୀକା:
ଉତ୍କଳର କବି କୃଷ୍ଣଦାସ କବିରାଜ ଶ୍ରୀଗୀତଗୋବିନ୍ଦର ସର୍ବାଙ୍ଗସୁନ୍ଦରୀ ଟୀକା ପ୍ରଣୟନ କରିଥିଲେ। ତା୦୨.୦୯.୧୭୦୨ ସୁଦ୍ଧା ଏହା ସମାପ୍ତ ହୋଇଥିଲା। ଖ୍ରୀ.ଅ. ୧୬୧୫ରେ ବୃନ୍ଦାବନଧାମରେ ଶ୍ରୀଚୈତନ୍ୟଚରିତାମୃତ ଲେଖିଥିବା ଗୌଡ଼ୀୟ ସାଧୁ କୃଷ୍ଣଦାସ କବିରାଜଙ୍କଠାରୁ ଟୀକାକାର କୃଷ୍ଣଦାସ ଭିନ୍ନ ଅଟନ୍ତି।

ଓଡ଼ିଶାରେ ଶ୍ରୀଗୀତଗୋବିନ୍ଦର ଅଧିକ ଟୀକା ଆବିଷ୍କାରର ସମ୍ଭାବନା ଅଛି।

(ସ୍ବର୍ଗତ ବିଦ୍ବାନ କେଦାରନାଥ ମହାପାତ୍ରଙ୍କଦ୍ବାରା ସଂକଳିତ ଶ୍ରୀଜୟଦେବ ଓ ଗୀତଗୋବିନ୍ଦ ପୁସ୍ତକ ଆଧାରରେ)

ମୋ: ୯୩୩୭୧୦୨୫୫୩,
[email protected]