ମୃତ୍ୟୁ: ବିଚ୍ଛେଦ ନା ବିଳାସ

ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

‘ତୁମେ ଆସିବାକୁ ଅଯଥା ଡେରି କରିଦେଲ। ଏଇ ପନ୍ଦର ମିନିଟ ଆଗରୁ ମୁଖ୍ୟମନ୍ତ୍ରୀ ଚାଲିଗଲେ। ଅନେକ ମନ୍ତ୍ରୀ ବି ଆସିଥିଲେ। ଟିକିଏ ଆଗରୁ ଆସିଥିଲେ ଦେଖା ହୋଇ ଯାଇଥାଆନ୍ତା।’ ଏଇ ତିନିଟି ବାକ୍ୟ ମୋର ଜଣେ ସୁହୃଦ୍‌ ୧୯୮୪ ମସିହାରେ, ଆଜକୁ ୩୫ ବର୍ଷ ତଳେ କହିଥିଲେ। ସେଦିନ ତାଙ୍କ ବଡ଼ଭାଇଙ୍କର ମୃତ୍ୟୁ ହୋଇଯାଇଥିବାରୁ ମୁଁ ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ଯାଇଥାଏ। କଥାଟା ମୋତେ ଅତ୍ୟନ୍ତ ଅଡ଼ୁଆ ଲାଗିଥିଲେ ମଧ୍ୟ ସୌଜନ୍ୟ ଦୃଷ୍ଟିରୁ ମୁଁ ଚୁପ୍‌ ରହିଥିଲି। ପରେ ଏକାଦଶାହ ଦିନ ତାଙ୍କ ଗ୍ରାମକୁ ଯିବାପାଇଁ ମୋତେ ସ୍ବତନ୍ତ୍ର ଭାବେ ଅନୁରୋଧ କରିଥିଲେ ମଧୢ ଜର୍ମାନୀକୁ ଫେରି ଆସୁଥିବାରୁ ଯାଇ ପାରିନଥିଲି। ପରେ ଶୁଣିଲି ସେ ଏକାଦଶାହ ଅବସରରେ କୁଆଡେ଼ ଦଶ ହଜାରରୁ ଅଧିକ ଖାଇଲେ ଓ ସେଠାରେ ଏକ ବଡ଼ ଯାତ୍ରାର ବାତାବରଣ ଥିଲା। ଜଣଙ୍କର ମହାପ୍ରୟାଣଜନିତ ସାମାନ୍ୟତମ ଶୋକର ଚିହ୍ନ ସେଠାରେ ନଥିଲା। ନିଜକୁ ପଚାରିଥିଲି ଏପରି ସ୍ଥଳେ ମୃତ୍ୟୁ ବିଚ୍ଛେଦର ନାମ ନା ବିଳାସର ପ୍ରତିରୂପ?

୫ ବର୍ଷ ତଳର ଗୋଟିଏ ଘଟଣା। ଜଣେ ଅତ୍ୟନ୍ତ ଧନଶାଳୀ ଓ ପ୍ରବଳ ପ୍ରତାପୀ ବ୍ୟକ୍ତିଙ୍କର ସହଧର୍ମିଣୀଙ୍କର ଅକସ୍ମାତ ବିୟୋଗ ହୁଏ। ତାଙ୍କ ଏକାଦଶାହରେ ସ୍ବାମୀ ଏପରି ଏକ ପର୍ବର ବନ୍ଦୋବସ୍ତ କରିଥିଲେ ଯେ ଅନ୍ୟମାନଙ୍କ ଲାଗି ତାହା ଦୃଷ୍ଟିକଟୁ ହୋଇଯାଇଥିଲା। ପ୍ରାୟ ଅଢେ଼ଇ ହଜାରରୁ ଅଧିକ ଲୋକ ସେଥିରେ ଯୋଗ ଦେଇଥିଲେ। ଏକ ବିରାଟ ଉତ୍ସବ ଭଳି ଆୟୋଜନ କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ଫଟୋକୁ ଅତି କମ୍‌ରେ ହଜାରେରୁ ଅଧିକ ଗୋଲାପରେ ସଜା ଯାଇଥିଲା। ଉପସ୍ଥିତ ଅତିଥିମାନେ ଅଧିକାଂଶ ଆମୋଦ ପ୍ରମୋଦରେ ମାତିଥିଲେ।

ଖବରକାଗଜରେ ଅନେକ ସମୟରେ ବିଭିନ୍ନ ଶୋକସଭାର ବିବରଣୀ ପ୍ରକାଶ ପାଇଥାଏ। ତାହା ପଢ଼ିଲେ ବେଳେ ବେଳେ ପ୍ରଶ୍ନ ଉଠେ ସତରେ କ’ଣ ଉପସ୍ଥିତ ଶ୍ରୋତାମାନେ ପରଲୋକ ଗମନ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁରେ ମର୍ମାହତ? ଏଇ ଲେଖକ ଯୋଗ ଦେଇଥିବା ଅନେକ ଶୋକସଭାରେ ଆନ୍ତରିକ ଶୋକ ପ୍ରକାଶର କ୍ଷଣ ଖୁବ୍‌ କମ୍‌ ଦେଖିଛି। ସଭା ହେବା ଆଗରୁ ବା ସଭା ପରେ ମୃତବ୍ୟକ୍ତିଙ୍କ ବିଷୟରେ କେହି କେବେ ପଦେ ଅଧେ କହୁଥିବାର କ୍ବଚିତ ଶୁଣିବାକୁ ମିଳେ।

ଆମ ଦେଶରେ ଜଣାଶୁଣା ରାଜନେତାଙ୍କର ମୃତ୍ୟୁରେ ଯେପରି ଜନସମାବେଶର ଆୟୋଜନ କରାଯାଏ ବୋଧହୁଏ ପୃଥିବୀର ଅନ୍ୟ କୌଣସି ଦେଶରେ ସେପରି ହୁଏନାହିଁ। ଆମ ଦେଶରେ ଧରି ନିଆଯାଏ ଯେ ମୃତବ୍ୟକ୍ତିଙ୍କ ଘର ସମ୍ମୁଖରେ ଯେତେ ବଡ଼ ଜନ ସମାବେଶ ହେବ, ସେ ସେତେ ଲୋକପ୍ରିୟ ଥିଲେ। ଗୋଟିଏ ଉଦାହରଣ ମନେ ପଡ଼ିଯାଉଛି। ୨୦୧୫ ମସିହା ଏପ୍ରିଲ ମାସରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କର ବିୟୋଗ ଘଟିଲା। ଜଣେ ଜାନକୀପ୍ରେମୀ ବୁଦ୍ଧିଜୀବୀ ତାଙ୍କର ତିରୋଧାନରେ ଦୁଃଖ ପ୍ରକାଶ କରି କହିଲେ, ‘କ˚ଗ୍ରେସରେ ଯଦି ଗୋଷ୍ଠୀ କନ୍ଦଳ ନଥାନ୍ତା, ତେବେ ଜାନକୀବାବୁଙ୍କ ଶୋକସଭାରେ ବିଜୁବାବୁଙ୍କ ପରି ଅନେକ ଲୋକ ହୋଇଥାଆନ୍ତେ!’

ଏବେ ଚିକିତ୍ସା ବିଜ୍ଞାନର ବିକାଶ ଏବ˚ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରୟାସ ଫଳରେ ମଣିଷର ହାରାହାରି ଆୟୁକାଳ ବଢ଼ିଛି। ସେଥି ଲାଗି ଅତି ବୟସ୍କ ବୃଦ୍ଧଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଦୁଃଖର ଗଭୀରତା କମି ଯାଉଛି। ଶୋକ ପ୍ରକାଶ ମଧୢ ଲୋକଦେଖାଣିଆ ହୋଇ ପଡୁଥିବା ଲକ୍ଷ୍ୟ କରାଯାଉଛି। ରୋଗରେ ପଡ଼ି ପଡ଼ି ମଲେ ତ ଅବସ୍ଥା ଆହୁରି ସା˚ଘାତିକ। ଅନେକ ସ୍ଥଳରେ ଏଭଳି ମୃତ୍ୟୁରେ ପରିବାର ଲୋକେ ସ୍ବସ୍ତିରେ ନିଃଶ୍ବାସ ମାରୁଥିବାର ଦେଖାଯାଉଛି। ସେମାନେ ମନେ ମନେ କହୁଛନ୍ତି ଯେ ତ୍ରାହି ମିଳିଗଲା!

ଆମ ଓଡ଼ିଶାର ଜନଜୀବନରେ କାହାର ମରଣ ହେଲେ ସେଇ ଉଦ୍ଦେଶ୍ୟରେ ମୃତ୍ୟୁକ୍ରିୟା ବା ମୃତିକିଆ ପାଳିତ ହୁଏ। କେଉଁଠାରେ ଏହା ଏକୋଇଶ ଦିନ ତ କେଉଁଠାରେ ଏଗାର ଦିନ। ଯଦି ସମ୍ପର୍କ ଶିଥିଳ ଥାଏ ତେବେ ମାତ୍ର ତିନି ଦିନରେ ବି ମୃତିକିଆ ସରିଯାଏ। ରାଜନେତାମାନଙ୍କ ମୃତ୍ୟୁରେ ରାଷ୍ଟ୍ର ମଧ୍ୟ କାହା ପାଇଁ ଦିନଟିଏ ବା କାହା ପାଇଁ ସପ୍ତାହବ୍ୟାପୀ ଶୋକ ପାଳନ କରେ। ଏଣେ ଅସଲ ବେଳେ ଦେଖାଯାଏ ଯେ ପରିବାରରେ କାହାର ମୃତ୍ୟୁ ହେଲେ ଶବଦାହ ଠାରୁ ଆରମ୍ଭ କରି ଘିଅମହୁରେ ଶେଷକୃତ୍ୟ ସମ୍ପନ୍ନ କଲା ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ କୁଟୁମ୍ବ ଭିତରେ ‘ତୁ ଏଇଆ କଲୁନି ବା ସେ ଏଇଆ କଲାନି’ର ଦୋଷାରୋପରେ ପରିବେଶ ମୁଖରିତ ହୋଇଯାଏ।

ସ˚ସାରରେ ଜନ୍ମ ଥିଲେ ମୃତ୍ୟୁ ହେଉଛି ଏକମାତ୍ର ସତ୍ୟ। ତେବେ, ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ଆମେମାନେ ଲୋଭ ଓ ମୋହ ଇତ୍ୟାଦିରେ ଏମିତି ଆତ୍ମବିସ୍ମୃତ ରହୁ ଯେ ଆମେ ଭାବୁ ମୃତ୍ୟୁ ଆମକୁ କେବେ ହେଲେ ସୁଦ୍ଧା ଗ୍ରାସ କରିବ ନାହିଁ। ପ୍ରିୟ ପରିଜନର ମୃତ୍ୟୁରେ ଘଡ଼ିକ ଲାଗି ମନରେ ଯେଉଁ ବୈରାଗ୍ୟ ସୃଷ୍ଟି ହୁଏ ତାହା ଶ୍ମଶାନ ବୈରାଗ୍ୟ। ଧନ ଗର୍ବରେ ବୁଡ଼ି ରହିଥିବା ଏ ବଡ଼ବଡ଼ିଆ କିଛି ଏକାଦଶାହ ପାଳନ ଭଳି ଏକ ବିଷାଦଦାୟକ ଅବସରକୁ ତେଣୁ ଉତ୍ସବ ମୁଖର କରି ପକାଇବାରେ ବୈଚିତ୍ର୍ୟ କେଉଁଠି?

ଭାରତ ଦେଶ ପରି ଜର୍ମାନୀରେ ଏପରି ସାମୂହିକ ଶୋକସଭା ବା ବ୍ୟୟବହୁଳ ଲୋକ ଦେଖାଣିଆ ଏକାଦଶାହ ପାଳନ ମୁଁ କେବେହେଲେ ଦେଖିନାହିଁ। ମୃତ ଶରୀରକୁ ଶ୍ମଶାନକୁ ନିଆଯିବା ବେଳକୁ ସାଧାରଣତଃ ୫୦ରୁ ୧୦୦ ଜଣ ଅତି ନିଜ ଲୋକ ଉପସ୍ଥିତ ଥାଆନ୍ତି। ଯେତେବେଳେ ଇଚ୍ଛା ହୁଏ, ସେତେବେଳେ ପରିବାରର ଲୋକେ କବର ପାଖକୁ ଯାଇ ପ୍ରାର୍ଥନା କରନ୍ତି ଏବ˚ ଫୁଲ ଇତ୍ୟାଦି ଦିଅନ୍ତି। କବରଟି କିପରି ସବୁବେଳେ ସଫାସୁତୁରା ରହିବ ତା’ର ସୁବନ୍ଦୋବସ୍ତ ସେମାନେ କରିଥାନ୍ତି।

କିନ୍ତୁ ଆମ ଦେଶରେ ହେଉଛି ତାର ବିପରୀତ, ଯାହା ଅନେକ ସମୟରେ ମୃତ୍ୟୁକୁ ନେଇ ଆମର ବିଚାର ବିଭ୍ରାଟକୁ ଉନ୍ମୁକ୍ତ କରି ଦେଉଛି।

ଗିଲ୍‌ବାଖ୍‌ ଷ୍ଟ୍ରାସେ ୯୫ ଏ, ୪୧୪୬୬ ନଏସ୍‌, ଜର୍ମାନୀ
[email protected]

ସମ୍ବନ୍ଧିତ ଖବର