ଦିଲ୍ଲୀର ବାୟୁ ପ୍ରଦୂଷଣଜନିତ ସଂକଟ ଏବେ ଏଭଳି ଘନେଇଛି ଯେ ଦିଲ୍ଲୀ ଦିଶୁଛି ହଲିଉଡ୍‌ ସିନେମା ‘ଆପୋକାଲିପ୍‌ସ’ରେ ପ୍ରଦର୍ଶିତ ଆସନ୍ନ ବିନାଶ ଅପେକ୍ଷାରେ ଥିବା ଏକ ସହର ଭଳି।

Advertisment

‘ଏୟାର ଭିଜୁଆଲ ୱେବ୍‌ସାଇଟ୍’ ଅନୁସାରେ ପୃଥିବୀ‌ର ସବୁଠାରୁ ଅଧିକ ବାୟୁ ପ୍ରଦୂ‌ଷଣର ଶିକାର ସହର ଭାବେ ଦିଲ୍ଲୀ ଏକ ନମ୍ବରରେ। ଏହାର ‘ଏକ୍ୟୁଏଲ୍‌’ ବା ‘ବାୟୁ ଗୁଣମାନ ସ୍ତର’ ଦ୍ବିତୀୟ ସ୍ଥାନରେ ଥିବା ସହର ଢାକ୍କା (ବାଂଲାଦେଶ) ୭ ଗୁଣ।

‘କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ ଦ୍ବାରା ୨୦୧୫ ମସିହାରେ ପ୍ରସ୍ତୁତ କରାଯାଇଥିବା ପ୍ରଦୂଷଣ ସୂଚକାଙ୍କରେ ୫୦୦ ହେଉଛି ସର୍ବୋଚ୍ଚ ସଂଖ୍ୟା। ଗଲା ରବିବାର ସକାଳେ ଦିଲ୍ଲୀରେ ବାୟୁ ଏହି ସୂଚକାଙ୍କରେ ୪୯୪ରେ ପହଞ୍ଚି ଯାଇଥିଲା। ଏଥିରୁ ଦିଲ୍ଲୀ ସାମନା କରୁଥିବା ବାୟୁ ପ୍ରଦୂଷଣ ବାବଦରେ କିଛିଟା ଅନୁମାନ କରାଯାଇପାରେ।

କୁହାଯାଉଛି ଯେ ୨୦୧୬, ନଭେମ୍ବର ୬ରେ ଦିଲ୍ଲୀ ସବୁଠାରୁ ଅଧିକ ବାୟୁ ପ୍ରଦୂଷଣଜନିତ ଦୁଃସ୍ଥିତିକୁ ସାମନା କରିଥିଲା। କାରଣ ସେହି ଦିନ ବାୟୁ ଏଭଳି ଦୂଷିତ ଥିଲା ଯେ ସହର ଦିନ ‌େବଳା ବି ଅନ୍ଧକାରାଚ୍ଛନ୍ନ ହୋଇ ରହିଥିଲା। ସେହି ଦିନ ପ୍ରଦୂଷଣ ସୂଚକାଙ୍କରେ ତାହା ୪୯୭ରେ ପହଞ୍ଚିଥିଲା। କିନ୍ତୁ ପରିବେଶବିତମାନେ କହନ୍ତି ଯେ ଗଲା ରବିବାର ଦିନ ହୋଇଥିବା ବାୟୁ ପ୍ରଦୂଷଣ ୨୦୧୬ ଠାରୁ ବି ଅଧିକ ମାରାତ୍ମକ ସ୍ତରରେ ରହିଛି। ୨୦୧୬ରେ ମାତ୍ର ୫ଟି ସ୍ଥାନର ବାୟୁ-ପ୍ରଦୂଷଣ ସ୍ତରକୁ ନେଇ ହାରାହାରି ହିସାବ କରାଯାଇଥିଲା। ଏଥର ୩୨ଟି ସ୍ଥାନର ବାୟୁର ଗୁଣମାନକୁ ନେଇ ହିସାବ କରାଯାଇଛି।

ପୁଣି ଖବର ମିଳିଲାଣି ଯେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନର ବାରଣ ସତ୍ତ୍ବେ ପଞ୍ଜାବରେ ଫସଲ ପୋଡ଼ା ଆରମ୍ଭ ହୋଇଯାଇଛି ଏବଂ ଘନ କଳା ଧୂଆଁ ଆକାଶକୁ ଘୋଟି ଗଲାଣି। ଏହାର ପ୍ରଭାବରେ ଦିଲ୍ଲୀର ବାୟୁ ପ୍ରଦୂଷଣଜନିତ ସଂକଟ ହୁଏତ ଆହୁରି ଘନୀଭୂତ ହୋଇପାରେ।

କଥା ହେଲା, ବାୟୁ ପ୍ରଦୂଷଣ ଲାଗି ଯେତେଗୁଡ଼ିଏ ବି କାରଣ ଅଛି, ସବୁଗୁଡ଼ିକ ହେଉଛି ମନୁଷ୍ୟକୃତ। ପୁଣି ଊଣାଅଧିକେ ଲୋକେ ଏ ବାବଦରେ ଜାଣନ୍ତି। କିନ୍ତୁ ବିଡ଼ମ୍ବନା, ଖୁବ୍ ଅଳ୍ପ ଲୋକ ଏ ବାବଦରେ ସଚେତନ ହୋଇ ସେ ଅନୁସାରେ କାର୍ଯ୍ୟ କରୁଛନ୍ତି।