ଦେବସ୍ନାନ ମହିମା

ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ ମହାପ୍ରଭୁଙ୍କ ନରରୂପୀ ଲୀଳା ମଧ୍ୟରୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ସ୍ନାନ ପୂର୍ଣ୍ଣିମାର ମହତ୍ୱ ଏବଂ ମହିମା ଅନନ୍ୟ। ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ରୀତିନୀତିର ପ୍ରତିଫଳିନ ହୁଏ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ବାର୍ଷିକ ସ୍ନାନ କ୍ରିୟାରେ। ଭକ୍ତଙ୍କ ଲାଗି ଚିର ଉପସ୍ଥିତ ପ୍ରଭୁ ଏବଂ ତାଙ୍କ ସହ ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କର ସ୍ନାନବେଦୀ ଯାଏଁ ପହଣ୍ଡି ଏବଂ ସେଠାରେ ୧୦୮ ଗଡ଼ୁ ଜଳରେ ସ୍ନାନର ଦୃଶ୍ୟ କେବଳ ଭକ୍ତଙ୍କୁ ଭାବବିହ୍ୱଳ କରେ ନାହିଁ, ତାହା ଆଣେ ଏକ ନିଜତ୍ୱର ସମ୍ପର୍କ, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ। ଭକ୍ତ ବୁଝିପାରେ ନର ରୂପରେ ନାରାୟଣଙ୍କର ମର୍ତ୍ତ୍ୟର ଲୀଳା, ଯେଉଁଥିରେ ମହାପ୍ରଭୁଙ୍କର ଉତ୍ତପ୍ତ ଶରୀରକୁ ମହାଔଷଧିର ଆବଶ୍ୟକତା ପଡ଼େ। ସେହି ଭାବରେ ଥାଏ ପୀଡ଼ାକୁ ଅନୁଭବ କରି ତାହାକୁ ବାଣ୍ଟିବାର ଅଭିପ୍ରାୟ। ନର ଆତ୍ମା ସହ ପରମବ୍ରହ୍ମଙ୍କ ଏହି ମିଳନରେ ରହିଥାଏ ଏକ ପରୋକ୍ଷ ଅବ୍ୟକ୍ତ, ଆଧ୍ୟାତ୍ମ୍ୟ ଏବଂ ଏକ ଭରସାର ଚିନ୍ତନ। ମହାପ୍ରଭୁ ମଣିଷର ସବୁ ପୀଡ଼ା ଆଉ ଦୁଃଖ ବୁଝିବାରେ ସକ୍ଷମ, କାରଣ ସିଏ ମଣିଷର ଜୀବନଶୈଳୀରେ ବଞ୍ଚୁଛନ୍ତି, ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସାରେ ପୁନଃ ସୁସ୍ଥ ହୋଇ ଯାତ୍ରାରେ ବାହାରୁଛନ୍ତି। ଏହି ଗୋଟିଏ ବୃତ୍ତାନ୍ତର ଲୁଚି ରହିଛି ଅନେକ ଗୁଢ଼ ରହସ୍ୟ ଏବଂ ଏହି ରୀତିନୀତିରୁ ସ୍ପଷ୍ଟ ହୋଇଯାଏ ଜଗନ୍ନାଥଙ୍କ ଅପୂର୍ବ ମହିମା ଏବଂ କାହିଁକି ସିଏ କଳିଯୁଗର ପ୍ରତ୍ୟକ୍ଷ ଈଶ୍ୱର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କଠାରୁ ପୃଥକ ଏବଂ ଅନ୍ୟୋତ୍ତମ।

ଦେବସ୍ନାନ ପୂର୍ଣ୍ଣିମାର ରୀତିନୀତି କେବଳ ପୌରାଣିକ ଭିତ୍ତିଭୂମି ଉପରେ ଆଧାରିତ ନୁହେଁ। ଏଥିରେ ମଧ୍ୟ ସଂଶ୍ଲିଷ୍ଟ ଅଛି ଐତିହାସିକ ଘଟଣାର ପୁନଃ ରୂପାନ୍ତର। ଯେଉଁ ଭଗବାନ ଭକ୍ତର ଲାଗି, ସ୍ତମ୍ଭରୁ ପ୍ରକଟ ହୋଇ ନରସିଂହ ରୂପ ଧାରଣ କରିପାରନ୍ତି, ସେହି ଲୀଳାମୟ କଳିଯୁଗରେ ମଧ୍ୟ ନିଜର ଭକ୍ତର ଲାଗି ଧାରଣ କରିପାରନ୍ତି ହସ୍ତୀର ସ୍ୱରୂପ। ଘଟଣାଟି କିଂବଦନ୍ତି ଭଳି ପ୍ରଚାରପ୍ରସାର ହେଉଥିଲେ ମଧ୍ୟ ବିବରଣୀ ଅନୁସାରେ ଏହା ପୁରାତନ ଇତିହାସର ପୁନଃ ଅବଲୋକନ ଭଳି ମନେ ହୁଏ। ନଚେତ ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଭକ୍ତଜଣଙ୍କର ନାମ ଏବଂ ସମ୍ପ୍ରଦାୟ ସହ ବୃତ୍ତାନ୍ତ ଜଡ଼ିତ ହୋଇ ନଥା’ନ୍ତା। ଗଣପତି ଭଟ୍ଟଙ୍କ ଲାଗି ମହାପ୍ରଭୁ ଗଛ ବେଶ ଧାରଣ କରିଲେ, ଏହାର ଉଲ୍ଲେଖ ଦର୍ଶାଏ, ଶ୍ରୀକ୍ଷେତ୍ର କେବଳ ଓଡ଼ିଶାବାସୀମାନଙ୍କ ଲାଗି ନୁହେଁ, ସମଗ୍ର ବିଶ୍ବ ଲାଗି ଏକ ତୀର୍ଥସ୍ଥାନ ଏବଂ ଯିଏ ଭକ୍ତିରେ ଧ୍ୟାନ କଲା ମହାପ୍ରଭୁ ତାହାକୁ ନିଜର ବୋଲି ଦର୍ଶାଇ ପାରନ୍ତି।

ଦେବସ୍ନାନ ପୂର୍ଣ୍ଣିମାର ବିଧି ବିଧାନ ଯାହା ହେଉ ନା କାହିଁକି, ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ପୂର୍ବରୁ ବିଧିବତ ସ୍ନାନ କରି ନବଯୌବନ ରୂପ ଧାରଣ କରିବା ନିଧାର୍ଯ୍ୟ। ଏହା ଏକ ପର୍ବ, ଯେଉଁଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ବଡ଼ ଦେଉଳ ବାହାରେ ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି। ଏହି ପର୍ବ ଏକ ସାଥେ ଓଡ଼ିଆ ଜାତିର ଇତିହାସ, ପରମ୍ପରା, ପୁରାଣ, ପ୍ରଚଳନ ଏବଂ ଓଡ଼ିଶାର ବୈଚିତ୍ର୍ୟର ବିଶ୍ବରେ ପରିଚୟ।

ଶାନ୍ତା ଦାସ,
ନାରୀନେତ୍ରୀ, ରେମୁଣା, ‌‌ମୋ: ୯୪୩୭୪୩୬୭୨୩

ସମ୍ବନ୍ଧିତ ଖବର