ବିଜୟଶ୍ରୀ ରାଉତରାୟଙ୍କୁ ମୁଁ ମୋ ଛାତ୍ର ଥିବା ବେଳୁ ଜାଣେ। ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ବେଳେ ସେ ଆମ ତଳ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସ୍ନାତକ ଛାତ୍ର ହୋଇ ରେଭେନ୍ସା ଛାତ୍ର ସଂସଦର ସଭାପତି ପାଇଁ ଲଢ଼ିବା ଯୋଗୁଁ ଆମ ଶ୍ରେଣୀର କେହି ସାଧାରଣ ସଂପାଦକ ପାଇଁ ଲଢ଼ିଲେ ନାହିଁ। ଆମ ତଳ ଶ୍ରେଣୀର ଛାତ୍ର ହୋଇ ସାଧାରଣ ସଂପାଦକ ନିର୍ବାଚନରେ ଭାଗ ନେଇ ବିଜୟ ଲାଭ କରିଥିଲେ। ବିଜୟଶ୍ରୀ ରାଉତରାୟଙ୍କ ରାଜନୀତିରେ ପ୍ରବେଶ ଏବଂ ନିରବଚ୍ଛିନ୍ନ ବିଜୟ ଧାରା ସମ୍ଭବତଃ ସେହିଦିନ ଠାରୁ ଆରମ୍ଭ ହୋଇଥିଲା।

Advertisment

୧୯୯୦ ମସିହା ପରଠାରୁ ପିତାଙ୍କ ନିର୍ବାଚନମଣ୍ଡଳୀ ବାସୁଦେବପୁରରୁ ଲଗାତର ଛଅ ଥର ନିର୍ବାଚିତ ହୋଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସୁପୁତ୍ର ହୋଇଥିବାରୁ ରାଜନୀତିରେ ପ୍ରବେଶ କରିବା ଏକ ସାଭାବିକ ପ୍ରକ୍ରିୟା ଥିଲା। ମୁଁ କିନ୍ତୁ ତାଙ୍କୁ ଯେତିକି ଜାଣିଛି, ତାଙ୍କର ରାଜନୈତିକ ସଫଳତା ପାଇଁ ନୀଳମଣି ବାବୁଙ୍କ ସହ ଥିବା ପାରିବାରିକ ସଂପର୍କ କମ୍ ଏବଂ ନିଜର ବ୍ୟକ୍ତିଗତ ଆଚରଣ ଓ ଆଭିମୁଖ୍ୟ ବେଶି ଦାୟୀ ଥିଲା। ସ୍ବଚ୍ଛଳ ଏବଂ ସଫଳ ପରିବାରରେ ଜନ୍ମଲାଭ କରିଥିବାରୁ ସେ ସାଧାରଣ ଓଡ଼ିଆଙ୍କ ପରି ଅଭାବ କ’ଣ ଜାଣି ନ ଥିବେ। ବିନ୍ଦାସ୍ ଭାବେ ହସଖୁସିରେ ଜୀବନ ବିତେଇବା ହୁଏତ ତାଙ୍କର ଜୀବନର ମୂଳ ମନ୍ତ୍ର ଥିଲା। ମୋର କାହିଁକି ମନେହୁଏ ତାଙ୍କର ଜୀବନ ପ୍ରତି ଏ ପ୍ରକାର ଆଭିମୁଖ୍ୟ ତାଙ୍କର ରାଜନୈତିକ ସଫଳତାର ଅନ୍ୟତମ କାରଣ।

ଦୀର୍ଘଦିନର ବ୍ୟବଧାନରେ ମୁଁ ଯେତେବେଳେ ଓଡ଼ିଶାକୁ ଫେରିଆସି ‘ସମ୍ବାଦ’ ପ୍ରକାଶ କଲି, ସେତେବେଳେ ପୁଣି ବିଜୟଶ୍ରୀ ରାଉତରାୟଙ୍କ ସହିତ ମୋର ସାକ୍ଷାତ ଆଲୋଚନା ହେଲା। ସେତେବେଳକୁ ମୁଁ ଖବରକାଗଜର ସଂପାଦକ ଏବଂ ସେ ବିରୋଧୀ ଦଳର ବିଧାୟକ ଓ ମନ୍ତ୍ରୀ। ଓଡ଼ିଶାର ଯେକୌଣସି ପ୍ରସଙ୍ଗ ବା ସମସ୍ୟାକୁ ନେଇ ମୁଁ ଯେତେ ଥର ତାଙ୍କ ସହିତ ଆଲୋଚନା କରିଛି ତାଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଛି। ସେ ଯେ ଅନ୍ୟ ରାଜନେତାମାନଙ୍କ ଠାରୁ ଭିନ୍ନ ଥିଲେ, ଏ ଅନୁଭବ ମୋର ହୋଇଛି। କ୍ଷମତା ବା ଅର୍ଥର ଅହଂକାର ତାଙ୍କୁ ଆଦୌ ସ୍ପର୍ଶ କରି ନଥିଲା। ଏଭଳି ଜଣେ ବ୍ୟକ୍ତିଙ୍କୁ ଛାତ୍ର ଜୀବନରୁ ଜାଣିବାର ସୁଯୋଗ ଈଶ୍ଵର ମୋତେ ଦେଇଥିଲେ ବୋଲି ମୁଁ ନିଜକୁ ଭାଗ୍ୟବାନ ମନେ କରେ। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଉଛି ।