ବିଶିଷ୍ଟ ରାଜନେତା ତଥା ସଫଳ ଶିଳ୍ପଦ୍ୟୋଗୀ ଦିଲୀପ ରାୟଙ୍କର ଆଜି ଜନ୍ମଦିନ। ରାୟ ବାହାଦୁର ଓବରାଏଙ୍କୁ ଭାରତବର୍ଷର ଆଧୁନିକ ହୋଟେଲ ଶିଳ୍ପର ‘ଜନକ’ ବୋଲି କୁହାଯାଏ। ପଞ୍ଚତାରକା ହୋଟେଲକୁ ଏକ ନିଆରା ଢଙ୍ଗରେ ‘ରିସୋର୍ଟ’ ଶୈଳୀରେ ନିର୍ମାଣ କରି ଦିଲୀପ ଭାରତବର୍ଷରେ ହୋଟେଲଶିଳ୍ପକୁ ଏକ ନୂଆ ରାସ୍ତା ଦେଖାଇଛନ୍ତି ଏବଂ ଏକକ ମାଲିକାନାରେ ବୋଧହୁଏ ଭାରତର ଅନ୍ୟତମ ଶ୍ରେଷ୍ଠ ହୋଟେଲ୍‌ ଗ୍ରୁପ୍‌ର ମାନ୍ୟତା ପାଇବା ପାଇଁ ଯାଉଛନ୍ତି, ଯାହାକି ପାଖାପାଖି ୯ଟି ରାଜ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି। ସେ ସାରା ଭାରତବର୍ଷରେ ୮ଟି ରାଜ୍ୟରେ ହୋଟେଲ ଶିଳ୍ପ ସଂପ୍ରସାରଣ ଏବଂ ଏକକାଳୀନ ୫ଟି ସ୍ଥାନରେ ନୂଆ ହୋଟେଲ ତିଆରି କରୁଛନ୍ତି।

Advertisment

ଏହାସହିତ ରାଜ୍ୟ ରାଜନୀତି ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ରାଜନୀତି ଉପରେ ତାଙ୍କର ତୀକ୍ଷ୍‌ଣ ନଜର ଥାଏ। ଗତ ଜୁଲାଇ ମାସ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ ବେଳେ ତାଙ୍କୁ ପ୍ରଚାର କରିବା ପାଇଁ ରାଉରକେଲା ଯିବାପାଇଁ ଅନୁରୋଧ କରାଗଲା। ଜୁନ୍‌ ୧୩ ତାରିଖ ଦିନ ସିଙ୍ଗାପୁର ଗସ୍ତ ଥିବାରୁ ମାତ୍ର ଗୋଟାଏ ଘଣ୍ଟା ପାଇଁ ରାଉରକେଲା ଯିବାର ବ୍ୟବସ୍ଥା ହେଲା। ଦିଲୀପ ସମର୍ଥନ କରୁଥିବା ପ୍ୟାନେଲର ୧୫ଜଣ ପ୍ରାର୍ଥୀଙ୍କୁ ତାଙ୍କ ବାସଭବନରେ ଭେଟି ସିଙ୍ଗାପୁର ଚାଲିଗଲେ। ନିର୍ବାଚନ ସରିବା ପରେ ଦେଖାଗଲା ୧୫ ଜଣଙ୍କ ଭିତରୁ ୧୩ ଜଣ ନିର୍ବାଚନ ଜିତିଛନ୍ତି। ତାଙ୍କର ଗୋଟିଏ ଘଣ୍ଟା ରହଣୀ ରାଉରକେଲା ରାଜନୀତିକୁ ଏପଟ-ସେପଟ କରିବା ପାଇଁ ଯଥେଷ୍ଟ।

୧୯୯୬ ମସିହାରେ ଦିଲ୍ଲୀର ୯ ତ୍ୟାଗରାଜ ମାର୍ଗ ଦିଲୀପଙ୍କ ବଙ୍ଗଳାରେ ବିଜୁବାବୁ ରହୁଥାନ୍ତି। ପ୍ରତ୍ୟେକଦିନ ସକାଳୁ ନୂଆ ନୋଟ(ଟଙ୍କା) ବାଣ୍ଟିବା ପାଇଁ ସେ ବହୁତ ଭଲ ପାଉଥିଲେ। ଟଙ୍କା ବାଣ୍ଟିବା ପରେ ଯାହା ବଳକା ରୁହେ, ସେ ତାଙ୍କ ପଞ୍ଜାବୀ ପକେଟରେ ରଖନ୍ତି। ହଠାତ୍‌ ଦିନେ ସକାଳେ ‌ଦେଖାଗଲା ପକେଟରେ ଥିବା ସବୁ ଟଙ୍କାକୁ ମୂଷା କାଟି ଦେଇଛି। ରାତିରେ ବିଜୁବାବୁଙ୍କ କୋଠରୀରେ ଗୋଟିଏ ଯନ୍ତା ରଖାଗଲା, ସକାଳେ ଦେଖାଗଲା ଗୋଟେ ବିରାଟ ମୂଷା ଯନ୍ତାରେ ପଡ଼ିଛି। କର୍ମଚାରୀମାନେ ଦିଲୀପଙ୍କୁ ଖବର ଦେଲେ। ବିଜୁବାବୁଙ୍କ କୋଠରୀକୁ ଯାଇ ସେ କହିଲେ ଏ ମୂଷାକୁ ମାରିଦିଅ। ତତ୍‌କାଳେ ବିଜୁବାବୁ ମ‌ନାକଲେ। କହ‌ିଲେ, ଗାଡ଼ିରେ ଏ ମୂଷାକୁ ନେଇ ଇଣ୍ଡିଆ ଗେଟ୍‌ରେ ଛାଡ଼ିଦେଇ ଆସ। ସେଠାର ତା’ର ବହୁତ ସାଙ୍ଗ ଅଛନ୍ତି, ସେ ଆରାମରେ ଖାଇପିଇ ରହିବ। ତେଣୁ ନଡିଆ ଭଳି ବାହାରକୁ ‘ଟାଣ’ ଦେଖାଯାଉଥିବା ବିଜୁବାବୁଙ୍କ ହୃଦୟ କେତେ କୋମଳ ଏହା ତା’ର ଏକ ନିଚ୍ଛକ ଉଦାହରଣ ।

ଦିଲୀପଙ୍କ ପାଖରେ ଅନେକ ତାରକା ହୋଟେଲ ରହିଛି। ନେପାଳ ରାଜପରିବାର ପାଖରୁ ଦିଲୀପ କିଣିଛନ୍ତି ୯୦୦ ଏକର ବିଶିଷ୍ଟ ଚା ବଗିଚା, ଯାହା ସିଲିଗୁଡ଼ି-ଦାର୍ଜିଲିଂ ମଝିରେ ଅବସ୍ଥିତ। ବୋଧହୁଏ ଏହା ଭାରତବର୍ଷର ସବୁଠାରୁ ସୁନ୍ଦର ଶୈଳନିବାସ।

ସଫଳତାର ଶୀର୍ଷରେ ଥାଇ ମଧ୍ୟ ଆମ ରାଜ୍ୟ, ରାଜ୍ୟର ପରମ୍ପରା, ଅତିଥି, କଳା, ସଂସ୍କୃତିକୁ ସେ କେବଳ ମନେ ରଖିନାହାନ୍ତି, ତାଙ୍କର ସମସ୍ତ ହୋଟେଲଗୁଡ଼ିକରେ ଓଡ଼ିଶାର କଳା ଏବଂ ସଂସ୍କୃତିକୁ ଅତି ନିଖୁଣ ଭାବରେ ପ୍ରତିଫଳିତ କରାଇଛନ୍ତି। ଯଥାର୍ଥରେ କୁହାଯାଏ ‘ସଫଳତାର ନିରବ ସାଧକ’।