ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ଅନୁକୂଳ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା

ପି.କେ. ମିଶ୍ର

ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ବ ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଦିବସ ପାଳନ କରିଥାଏ। ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ବିଭିନ୍ନ ଦେଶର ସରକାର ଓ ସଂଗଠନ ଏହି ଦିବସକୁ ପାଳନ କରିଥାନ୍ତି। ବିଶ୍ବର ସବୁଆଡେ ପ୍ରତ୍ୟେକ ଓ ସମସ୍ତ ସମୁଦାୟ ମଧ୍ୟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବା ଲାଗି ମଧ୍ୟ ଏହି ଦିବସ ସତର୍କ କରି ଦେଇଥାଏ। ବିପର୍ଯ୍ୟୟ ବିପତ୍ତି ହ୍ରାସ ଲାଗି ୨୦୧୫ ସେଣ୍ଡାଇ ଫ୍ରେମୱାର୍କକୁ ଗ୍ରହଣ କରାଯାଇଥିଲା। ସେବେଠାରୁ ‘ସେଣ୍ଡାଇ ସେଭେନ’ ଅଭିଯାନର ଅଂଶ ସ୍ବରୂପ ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଦିବସ ପାଳିତ ହୋଇଆସୁଛି। ସେଣ୍ଡାଇ ଲକ୍ଷ୍ୟ ସହ ଜଡିତ ଏକ ବିଷୟବସ୍ତୁ ‘ବିପର୍ଯ୍ୟୟ ପ୍ରଭାବରୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଏବଂ ମୌଳିକ ସେବାରେ ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବା।’

ଚଳିତବର୍ଷ ମୋଜାମ୍ବିକ, ବାହାମାସ ଏବଂ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଛି। ଯାହା ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣର ଜରୁରି ଆବଶ୍ୟକତା ଉପରେ ଆଲୋକପାତ କରୁଛି।

ଓଡ଼ିଶାରେ ସାମୁଦ୍ରିକ ଝଡ଼ କାରଣରୁ ପାଖାପାଖି ୧୨୦କୋଟି ଆମେରିକୀୟ ଡଲାରର ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଦୀର୍ଘବର୍ଷର ପ୍ରୟାସ ମାଧ୍ୟମରେ କିଭଳି ଭାବେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କରାଯାଇ ପାରିବ, ସେ ଦି‌ଗରେ ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ବିଶ୍ବବ୍ୟାଙ୍କର ଆର୍ଥିକ ସହାୟତାରେ ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ କାର୍ଯ୍ୟକ୍ରମ ଅନ୍ତର୍ଗତ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଭୂତଳ ବିଦ୍ୟୁତ ତାର ବିଛାଇବା କାମ କରାଯାଇଥିଲା। ଝଡ଼ବାତ୍ୟା ପରେ ଏସବୁ ଅଞ୍ଚଳରେ ଖୁବ୍‌ ଅଳ୍ପଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇଥିଲା। ଅପରପକ୍ଷରେ ଅନ୍ୟ ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବାକୁ ଅଧିକ ଦିନ ଲାଗିଥିଲା। ଏହି ବ୍ୟବସ୍ଥା ଦ୍ବାରା କେବଳ ବିଦ୍ୟୁତ୍‌ ସରବରାହ ଭିତ୍ତିଭୂମି ଜନିତ କ୍ଷୟକ୍ଷତି ହ୍ରାସ କରିବା ସମ୍ଭବ ହେଲାନାହିଁ, ବରଂ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବା କାରଣରୁ ସାଧାରଣ ଜୀବନଯାତ୍ରା ଉପରେ ପଡୁଥିବା ପ୍ରଭାବକୁ ହ୍ରାସ କରାଯାଇପାରିଲା। ଏପରି ଅଭିଜ୍ଞତାରୁ ଭାରତ ଓ ସାରା ବିଶ୍ବ ଅନେକ କିଛି ଶିଖି ପାରିବେ ଏବଂ ସେମାନଙ୍କ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଅଧିକ ବାସ୍ତବବାଦୀ ଆଭିମୁଖ୍ୟ ନେଇ କାମ କରି ପାରିବେ।

ଆଗାମୀ ଦଶନ୍ଧିଗୁଡ଼ିକରେ ସାରାବିଶ୍ବରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ ହେବାକୁ ଥିବାରୁ ଏଥିପ୍ରତି ଗୁରୁତ୍ବ ଦେବା ଜରୁରି ହୋଇପଡିଛି। ଉଭୟ ଭବିଷ୍ୟତ ଏବଂ ବର୍ତ୍ତମାନର ଭିତ୍ତିଭୂମି ବ୍ୟବସ୍ଥା ଆଗାମୀ ଦିନରେ ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟର ସମ୍ମୁଖୀନ ହେବେ। ଏସବୁ ବିପର୍ଯ୍ୟୟ ମଧ୍ୟରୁ କେତେକ ଅପ୍ରତ୍ୟାଶିତ ହୋଇପାରେ। ଏହି ସମୟ ମଧ୍ୟରେ ବିଶେଷକରି ଜଳବାୟୁ ସହ ଜଡିତ ବିପର୍ଯ୍ୟୟର ସ୍ବରୂପ ବଦଳି ଯାଇପାରେ। ବିପର୍ଯ୍ୟୟ କାରଣରୁ ସରକାରୀ କ୍ଷୟକ୍ଷତିର ଦୁଇତୃତୀୟାଂଶ ଭିତ୍ତିଭୂମି ସହ ଜଡିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବ୍ୟବସ୍ଥାର ଢାଞ୍ଚା, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ ଏସବୁ ବିପତ୍ତି ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେବା ଲାଗି ସକ୍ଷମ ହେବା ଆବଶ୍ୟକ। ଏସବୁ କ୍ଷୟକ୍ଷତି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀକୁ ସର୍ବାଧିକ ପ୍ରଭାବିତ କରିଥାଏ। ଏହି କ୍ଷତିରୁ ମୁକୁଳିବା ଲାଗି ସେମାନଙ୍କୁ ଅନେକ ସମୟ ଲାଗିଥାଏ।

ତେଣୁ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କେବଳ ଏକ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ମୌଳିକ ବିକାଶ ପ୍ରସଙ୍ଗ। ପରିବହନ, ଘରୋଇ ଓ ବିଶ୍ବ ବଜାରକୁ ସଂଯୋଗ, ବାଧାମୁକ୍ତ ବିଦ୍ୟୁତ, ଜଳ ଓ ସଞ୍ଚାର ବ୍ୟବସ୍ଥା, ଅର୍ଥନୈତିକ ବିକାଶ ଏବଂ ସମୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଏହା ସ୍ଥାୟୀ ବିକାଶ ଲକ୍ଷ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି। ଏସ୍‌ଡିଜିର ନବମ ଲକ୍ଷ୍ୟ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରୀଭୂତ ହୋଇଥିବାବେଳେ ଅନ୍ୟ ଲକ୍ଷ୍ୟ ଗୁଡ଼ିକ ସ୍ପଷ୍ଟ ଭାବେ ଉନ୍ନତମାନର ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ଗୁରୁତ୍ବାରୋପ କରିଥାନ୍ତି।

ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ନିର୍ମାଣ କରିବା ଲାଗି ଯଥେଷ୍ଟ ଆର୍ଥିକ ସହାୟତା, ପ୍ରଶାସନିକ ବ୍ୟବସ୍ଥା ଓ ସାମର୍ଥ୍ୟର ଆବଶ୍ୟକତା ରହିଛି। ତେବେ ଏଥିରେ ନିବେଶ ତୁଳନାରେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି, ଯାହାର ଓଡ଼ିଶା ହେଉଛି ଏକ ଉଦାହରଣ।

ନିକଟରେ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ବିପର୍ଯ୍ୟୟ ପ୍ରଶମନ ଭିତିଭୂମିରେ ଗୋଟିଏ ଆମେରିକୀୟ ଡଲାର ନିବେଶ କରାଯିବା ଦ୍ବାରା ୪ ଡଲାର ମୂଲ୍ୟର ସାମାଜିକ ଆର୍ଥିକ କ୍ଷତି ଏଡାଇ ଦେଇ ହୋଇଥାଏ। ଏହାକୁ ଭିତିଭୂମି ଜୀବନଚକ୍ରର ବହୁଗୁଣ ଲାଭ ଭାବେ ବିବେଚନା କରାଯାଇଥାଏ।

ନୂତନ କିମ୍ବା ଅବିକଶିତ କ୍ଷେତ୍ରରେ ବିକାଶରେ ନିବେଶ ହେଉ ଅଥବା ବର୍ତ୍ତମାନ ଭିତ୍ତିଭୂମିର ନବୀକରଣ କ୍ଷେତ୍ରରେ ହେଉ, ଭିତ୍ତିଭୂମି କ୍ଷେତ୍ରରେ ହେଉଥିବା ବ୍ୟାପକ ନିବେଶରେ ବିପର୍ଯ୍ୟୟ ପ୍ରଶମନ ସାମର୍ଥ୍ୟ ବୃଦ୍ଧି କରିବା ସହିତ ଦୀର୍ଘକାଳୀନ ଭିତ୍ତିରେ ସମ୍ଭାବ୍ୟ କ୍ଷୟକ୍ଷତି ଠାରୁ ଆମ ଭବିଷ୍ୟତକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ନିର୍ମାଣ କରିବାର ପ୍ରୟାସ ତିନୋଟି ସିଦ୍ଧାନ୍ତ ଆଧାରିତ ହେବା ଉଚିତ।

ପ୍ରଥମତଃ, ଭିତ୍ତିଭୂମିର ପରିପାଟୀ ଏପରି ହେବା ଆବଶ୍ୟକ ଯାହା ଗରିବ ଏବଂ ସବୁଠୁ ଦୁର୍ବଳ ଶ୍ରେଣୀ ସମେତ ଜନସଂଖ୍ୟାର ସମଗ୍ର ଆର୍ଥିକ ବର୍ଗକୁ ବିଶ୍ବସନୀୟ ‌େ‌ସବା ଯୋଗାଇ ଦେଉଥିବ।

ଦ୍ବିତୀୟତଃ, ଭିତ୍ତିଭୂମି ବିକାଶ ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରକୁ ନେଇ ଅଧିକ ସମନ୍ବିତ ହେବା ଉଚିତ।

ତୃତୀୟତଃ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମିର ବିକାଶ ଏପରି ହେବା ଆବଶ୍ୟକ, ଯା‌ହା ବିଶ୍ବସ୍ତରୀୟ ଓ ସ୍ଥାନୀୟ ତଥା ଜାତୀୟ ପରିଦୃଶ୍ୟକୁ ସୁହାଉଥିବ।

ଏପରି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ କରାଯିବା ଦ୍ବାରା ‌ଯେକୌଣସି ଦେଶର ଆର୍ଥିକ ଗତିପଥ ବଦଳିବା ସହିତ ଏହା ଦ୍ରୁତ ଆର୍ଥିକ ବିକାଶ ଦିଗରେ ସୁରକ୍ଷିତ ଭାବେ ଗତି କରି ପାରିବ।

ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ନିର୍ମାଣ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଲାଗି ୧୦ ସୂତ୍ରୀ ଏଜେଣ୍ଡାର ଅବତାରଣା କରିଛନ୍ତି। ସମସ୍ତ ବିକାଶମୂଳକ କ୍ଷେତ୍ର ଏହି ସିଦ୍ଧାନ୍ତକୁ ଗ୍ରହଣ କରିବା ଉପରେ ଏଥିରେ ଜୋର ଦିଆଯାଇଛି। ଏହି ଏଜେଣ୍ଡା ଆଧାରରେ ୨୩ ସେପ୍‌ଟେମ୍ବର ୨୦୧୯ରେ ମିଳିତ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ବ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆର୍‌ଆଇ)ର ଘୋଷଣା କରିଛନ୍ତି।

ଭାରତର ନେତୃତ୍ବରେ ମିଳିତ ଜାତିସଂଘ ବିପର୍ଯ୍ୟୟ ବିପତ୍ତି ପ୍ରଶମନ କାର୍ଯ୍ୟାଳୟ ସହଯୋଗରେ ବହୁ ରାଷ୍ଟ୍ର ଏହି ମେଣ୍ଟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଦୁଇବର୍ଷ ମଧ୍ୟରେ ବିକଶିତ ହୋଇଥିବା ଏହି ମେଣ୍ଟର ଆବଶ୍ୟକତା ଓ ପ୍ରାସଙ୍ଗିକତାକୁ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ଥିବା ରାଷ୍ଟ୍ର, ଭିତ୍ତିଭୂମିର ବ୍ୟାପକ ଅଭାବ ଥିବା ରାଷ୍ଟ୍ର, କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ଏବଂ ଭୂଭାଗ ଘେରି ରହିଥିବା ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ ଗ୍ରହଣ କରିଛନ୍ତି। ଏହି ମେଣ୍ଟ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ସଂପୃକ୍ତ ମନ୍ତ୍ରଣାଳୟ, ମାନକ ନିର୍ଦ୍ଧାରଣ ସଂଗଠନ, ଅର୍ଥ ଓ ବୀମା ପ୍ରଦାନକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏକତ୍ରିତ କରିବ।

ନବଗଠିତ ମେଣ୍ଟର ପାଣ୍ଠି ସ୍ତର ଏବଂ ବ୍ୟବସ୍ଥାଗତ ଅସୁବିଧା ପ୍ରତି ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି। ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର ଯଥା ବିଦ୍ୟୁତ, ଦୂରସଞ୍ଚାର ଏବଂ ପରିବହନ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ସଂପୂର୍ଣ୍ଣ ବ୍ୟବସ୍ଥାକୁ ବିପର୍ଯ୍ୟୟ ନିରୋଧୀ କରିବା ଉପରେ ଗୁରୁତ୍ବ ଦେବା ଜରୁରି। ଏହାର ଅର୍ଥ ହେଉଛି ବିପର୍ଯ୍ୟୟ ବିପତ୍ତି ପରିଚାଳନା କେବଳ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ଦାୟିତ୍ବ ହେବା ଅପେକ୍ଷା ବ୍ୟାପକସ୍ତରରେ ଅନ୍ୟ ଅଂଶୀଦାରଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ।

ସିଡିଆର୍‌ଆଇର ପ୍ରତିଷ୍ଠାତା ଭାବେ, ଅନ୍ୟ ରାଷ୍ଟ୍ରଗୁଡ଼ିକ ନିକଟରୁ, ଭାରତ ପାଖରେ ଶିଖିବାର ଏବଂ ନିଜସ୍ବ ଅନୁଭୂତି ବାଣ୍ଟିବାର ସୁଯୋଗ ରହିଛି। ଗୋଟିଏ ସାର୍ବଜନୀନ ବିଶ୍ବ ହିତ ପାଇଁ ସମାନ ଭାବନା ରଖୁଥିବା ଭାଗୀଦାରୀମାନଙ୍କୁ ଏକାଠି କରିବା ଲାଗି ସିଡିଆର୍‌ଆଇ ଏକ ସାଧାରଣ ମଞ୍ଚ ଯୋଗାଇ ଦେବ।

ବର୍ତମାନ ସମୟ ଆସିଯାଇଛି, ସମସ୍ତେ ଗୋଟିଏ ପାଦ ଆଗକୁ ବଢ଼ାଇ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ବିକାଶର ବୈଶ୍ବିକ ମାର୍ଗରେ ଆଗେଇ ଯିବା ଆବଶ୍ୟକ।

– ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ସମ୍ବନ୍ଧିତ ଖବର