ପୃଥିବୀ ପୃଷ୍ଠରେ ଶେଷ ଡୋଡୋ ପକ୍ଷୀର ମୃତ୍ୟୁ ହୋଇଥିଲା ୧୬୬୨ରେ। ଡଚ୍ ବଣିକମାନେ ମରିସସ୍ ଆସିବାର ମାତ୍ର ୬୪ ବର୍ଷ ମଧ୍ୟରେ ଡୋଡୋ ବ˚ଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇ ଯାଇଥିଲା। ଭାରତ ମହାସାଗରର ମାଡାଗାସ୍କର ଦ୍ବୀପ ନିକଟସ୍ଥ ମରିସସ୍ ହିଁ ଥିଲା ଡୋଡୋ ପକ୍ଷୀଙ୍କ ବାସସ୍ଥଳୀ। ଆଜି ପୃଥିବୀ ଡୋଡୋ ଶୂନ୍ୟ।
ବତକ ଭଳି ଦିଶୁଥିବା ଏ ପକ୍ଷୀଗୁଡ଼ିକ ଉଡ଼ି ପାରୁ ନ ଥିଲେ। ଏମାନଙ୍କ ଉଚ୍ଚତା ଦୁଇରୁ ତିନି ଫୁଟ ଏବ˚ ଓଜନ ୧୫ରୁ ୨୫ କିଲୋ ପର୍ଯ୍ୟନ୍ତ ହେଉଥିଲା। କୁହାଯାଏ, ଡଚ୍ମାନେ ଆସିବା ପୂର୍ବରୁ ମରିସସ୍ରେ କୁକୁର ଏବ˚ ବିଲେଇ ଭଳି ଜନ୍ତୁ ନଥିଲେ। ଡଚ୍ ବଣିକମାନେ ସେମାନଙ୍କ ସାଙ୍ଗରେ କୁକୁର ଓ ବିଲେଇ ଧରି ମରିସସ୍ ଆସିଥିଲେ। ଏହି କୁକୁର ଓ ବିଲେଇଙ୍କ ଆହାର ହେବା ଲାଗି ଡୋଡୋ ଶିକାର କରାଗଲା। ସେମାନେ ତ ସହଜେ ମଣିଷ ପାଖକୁ ଚାଲି ଆସୁଥିଲେ; ତେଣୁ ଶିକାର ସହଜ ହେଲା।
ସ୍ବଭାବତଃ ଡୋଡୋମାନେ ଥିଲେ ମଣିଷକୁ ବିଶ୍ବାସ କରୁଥିବା ପକ୍ଷୀ। ତେଣୁ ସେମାନେ ମଣିଷ ସହିତ ରହିବାକୁ ପସନ୍ଦ କରୁଥିଲେ। ଡଚ୍ ଆସିବା ପୂର୍ବରୁ ସେହି ପକ୍ଷୀଗୁଡ଼ିକ ମରିସସ୍ର ଜନଜାତିଙ୍କ ମେଳରେ ଖୁବ୍ ଆନନ୍ଦରେ ରହୁଥିଲେ।
ଏ ତ ଗଲା ଡୋଡୋ ପକ୍ଷୀର ବ˚ଶ ନାଶର କାହାଣୀ। ମଣିଷକୁ ଅତି ମାତ୍ରାରେ ଭରସା କରି ସେମାନେ ସବୁଦିନ ପାଇଁ ଏ ପୃଥିବୀ ପୃଷ୍ଠରୁ ବିଦାୟ ନେଲେ। ତେବେ, ଡୋଡୋ ଭଳି ମଣିଷକୁ ସ୍ବଭାବତଃ ଭରସା କରୁଥିବା ଅନେକ ପ୍ରାଣୀ ଆଜି ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇ ଗଲେଣି ଏବ˚ ଅନେକ ବିଲପ୍ତିର ଦ୍ବାର ଦେଶରେ। ସ୍ପେନ୍ର ଗ୍ରେଟ୍ ଅକ୍, ଆଲାସ୍କାର ସମୁଦ୍ର ଗାଈ, ଟାସ୍ମାନିଆ ବାଘ, ଉତ୍ତର ଆମେରିକାର ପାସେଞ୍ଜର ପିଜିଅନ୍, ବେଜି˚ ହ୍ବାଇଟ୍ ଡଲ୍ଫିନ୍, ଲାଇବେରୀୟ ଛେଳି, ଦକ୍ଷିଣ ଆମେରିକାର କପିବାରା, ଫ୍ରାନ୍ସର ଗିନି ପିଗ୍ ଓ ଅଷ୍ଟ୍ରେଲୀୟ ମେଣ୍ଢା ଭଳି ପ୍ରାଣୀଙ୍କ ଭିତରୁ ଆନେକ ଆଜି ପୃଥିବୀ ପୃଷ୍ଠରୁ ବିଲୁପ୍ତ ବା ବିଲୁପ୍ତପ୍ରାୟ ସ୍ଥିତିରେ।
‘ଇଣ୍ଟରନାସନାଲ ୟୁନିଅନ୍ ଫର୍ କନ୍ଜର୍ଭେସନ ଅଫ୍ ନେଚର’ (ଆଇୟୁସିଏନ୍)ର ତଥ୍ୟ ଅନୁସାରେ ଭାରତୀୟ ବଷ୍ଟାର୍ଡ ପକ୍ଷୀ, ହାନ୍ଗୁଲ (କାଶ୍ମୀରୀ ହରିଣ), ମଣିପୁରୀ ସାନ୍ଗାଇ (ମଣିପୁରୀ ହରିଣ), ତାମିଲନାଡୁ, କେରଳ ଉପକୂଳରେ ଦେଖାଯାଉଥିବା ଡୁଗୋଙ୍ଗ୍ (ସମୁଦ୍ର ଗାଈ) ଭଳି କେତେକ ପ୍ରାଣୀ ମଧୢ ଏହି କାରଣରୁ ଏବେ ବିଲୁପ୍ତ ହେବାକୁ ବସିଲେଣି।
ଆଇୟୁସିଏନ୍ର ତଥ୍ୟ ଅନୁସାରେ ୨୦୧୮ ମସିହା ସୁଦ୍ଧା ଭାରତରେ ମାତ୍ର ୧୮୨ଟି ହାନ୍ଗୁଲ, ୧୫୦ରୁ କମ୍ ଭାରତୀୟ ବାଷ୍ଟାର୍ଡ ପକ୍ଷୀ, ୨୦୦ରୁ କମ୍ ସାନ୍ଗାଇ ଏବ˚ ୨୦୦ରୁ କମ୍ ଡୁଗୋଙ୍ଗ ଥିଲେ। ଏମାନଙ୍କ ସ˚ଖ୍ୟାରେ କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି।
ମଣିଷକୁ ଭଲ ପାଉଥିବା ହାନ୍ଗୁଲ ଓ ସାନ୍ଗାଇଙ୍କ ସ˚ଖ୍ୟା ଅସ୍ବାଭାବିକ ଭାବେ ହ୍ରାସ ପାଇବାର କାରଣ ବ୍ୟାପକ ଶିକାର। ଖାଦ୍ୟ ଓ ଔଷଧ ପାଇଁ ଡୁଗୋଙ୍ଗ ମରା ଚାଲିଛି।
ମଣିଷକୁ ଭଲ ପାଉଥିବା ପକ୍ଷୀଙ୍କ ଭିତରେ ଅଛନ୍ତି ମୟୂର। ଏବେ ସେଗୁଡ଼ିକର ବ୍ୟାପକ ଶିକାର କରାଯାଉଛି। ସେହିଭଳି ଆମ ରାଜ୍ୟରେ ମଣିଷ ପ୍ରେମୀ କୃଷ୍ଣସାର ମୃଗଙ୍କ ସ˚ଖ୍ୟା ମଧୢ ଦ୍ରୁତ ଗତିରେ ଲୋପ ପାଇବାକୁ ବସିଲାଣି। ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଆସିକା, କୋଦଳା ଅଞ୍ଚଳକୁ ଛାଡ଼ିଦେଲେ ବାକି ଅଞ୍ଚଳରେ କୃଷ୍ଣସାର ମୃଗ ଦେଖିବାକୁ ମିଳୁ ନାହାନ୍ତି।
ମଣିଷକୁ ଭରସା କରୁଥିବା ପ୍ରାଣୀଙ୍କ ବିଲୁପ୍ତି ପ୍ରମାଣ କରେ ଯେ ମନୁଷ୍ୟ ଆଦୌ ଭରସାଯୋଗ୍ୟ ନୁହେଁ। ସେଇ ପରିପ୍ରେକ୍ଷୀରେ ଆଦିବାସୀମାନଙ୍କ ଭିତରେ କଥାଟି ବିଶେଷ ପ୍ରଣିଧାନ ଯୋଗ୍ୟ। ସେମାନେ କହିଥାଆନ୍ତି- ବାଘର ଭୟ କ’ଣ ରେ! ଆମକୁ ତ ମଣିଷର ଭୟ।
ନିଗିନିପୁର, ସାନଜରିଆ, କେନ୍ଦ୍ରାପଡ଼ା
ଫୋନ୍: ୯୪୩୭୨୧୩୮୫୪