ଚାଷ ଓ ଦେଶ, ଚିଠା କୃଷି ନୀତିରେ ଚାଷୀ ଆୟ ବୃଦ୍ଧି ପ୍ରସଙ୍ଗ

ନଟବର ଖୁଣ୍ଟିଆ

ଓଡ଼ିଶା ରାଜ୍ୟ ସରକାର ନୂତନ କୃଷିନୀତି ୨୦୧୯ ପ୍ରଣୟନ କରିବାର ସିଦ୍ଧାନ୍ତ ନେଇ ଚିଠା ପ୍ରସ୍ତୁତ କରି ସର୍ବସାଧାରଣଙ୍କର ମତାମତ ଚାହିଁଛନ୍ତି। ରାଜ୍ୟର ଏହି କୃଷିନୀତି ହେବ ଚତୁର୍ଥ କୃଷିନୀତି। ପୂର୍ବରୁ ୧୯୯୬, ୨୦୦୮ ଓ ୨୦୧୩ରେ ତିନିଟି କୃଷିନୀତି ଆସିଥିଲା। ଏବେ ଆସନ୍ତୁ ଏହି ଚିଠା ନୀତି ଉପରେ ଦୃଷ୍ଟି ପକାଇବା। କୃଷିନୀତିର ଲକ୍ଷ୍ୟ ହେଲା ଚାଷୀର ଆୟ ବୃଦ୍ଧି କରିବା। ଆମ ରାଜ୍ୟର ୬୨ ଭାଗ କର୍ମଜୀବୀ କୃଷି ଉପରେ ନିର୍ଭରଶୀଳ। ସୁତରା˚ କୃଷିନୀତିରେ ଏହି ଚାଷୀମାନଙ୍କ ଆୟ ବୃଦ୍ଧିକୁ ପ୍ରାଥମିକତା ଦିଆଯିବା ସ୍ବାଭାବିକ।

ଚିଠା କୃଷିନୀତିରେ ଚାଷୀର ଆୟ ଅଧୢାୟକୁ ପାଠ କଲେ ଲାଗେ ଯେ ଚାଷୀର ଆୟ ସମ୍ବନ୍ଧରେ ଭ୍ରମ ସୃଷ୍ଟି କରାଯାଇଛି। ଏଥିରେ କୁହାଯାଇଛି ଯେ ଚାଷୀର ମାସିକ ଆୟ ୭,୭୩୧ ଟଙ୍କା। କିନ୍ତୁ ପ୍ରକୃତରେ ଏହି ଆୟ ଜଣେ ଚାଷୀର ନୁହେଁ ଏହା ଗୋଟିଏ ଚାଷୀ ପରିବାରର। ଏହି ପାରିବାରିକ ଆୟର ଗୋଟିଏ ଅ˚ଶ ହେଉଛି କୃଷିରୁ ଆୟ। ମଜୁରୀ, ପଶୁପାଳନ ବା ଛୋଟମୋଟ ବ୍ୟବସାୟରୁ ଆୟ ସହ କୃଷିରୁ ଆୟ ମିଶି ୭୭୩୧ ଟଙ୍କା। ଗୋଟିଏ ପରିବାରର ସଦସ୍ୟ ସ˚ଖ୍ୟା ୫ ହେଲେ- ମୁଣ୍ତପିଛା ଚାଷୀ ପରିବାର ମାସିକ ଆୟ ହେଲା ୧,୫୪୬ ଟଙ୍କା। ଅତଏବ ଦୈନିକ ମୁଣ୍ତପିଛା ୫୦ ଟଙ୍କା। ସେହି ଚିଠାରେ ଅନ୍ୟ ରାଜ୍ୟର ଚାଷୀର ମାସିକ ଆୟ ସହିତ ତୁଳନା କରି କୁହାଯାଇଛି ଯେ ଓଡ଼ିଶାରେ ଚାଷୀର ଆୟ ବୃଦ୍ଧି ହାର ସମଗ୍ର ଦେଶରେ ସର୍ବାଧିକ। ୨୦୦୨-୦୩ ସହିତ ୨୦୧୫-୧୬ର କୃଷି ଆୟର ତୁଳନା କରାଯାଇ ପ୍ରତିଶତ ବୃଦ୍ଧି ଓଡ଼ିଶାରେ ଅଧିକ ବୋଲି କୁହାଯାଇଛି। କିନ୍ତୁ ୨୦୦୨-୦୩ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କୃଷି ଉତ୍ପାଦନ ୫୦ ପ୍ରତିଶତ କମ୍‌ ହୋଇଥିଲା। ତେଣୁ ତୁଳନାରେ ଅଭିବୃଦ୍ଧି ହାର ନିଶ୍ଚିତ ଭାବରେ ଅଧିକ ହେବା ସ୍ବାଭାବିକ। ତେଣୁ ଏହା ଏକ ବିଭ୍ରାନ୍ତିକର ଚିତ୍ର ଦେଉଛି। ୧୯୯୬ରୁ କୁହାଯାଉଛି ଆମର ମୋଟ ଚାଷ ଜମିର ୫୦ ଭାଗ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଇତିମଧୢରେ ୨୩ ବର୍ଷ ବିତିଗଲାଣି- ଆଜି ବି ଆମର ମାତ୍ର ୨୯ ଭାଗ ଫସଲକୁ ଜଳସେଚନ ଯୋଗାଇ ଦିଆଯାଉଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ କହେ। ଅର୍ଥନୈତିକ ସର୍ଭେ ରିପୋର୍ଟ କହେ ସରକାର ୨୦୧୭-୧୮ ସୁଦ୍ଧା ଲକ୍ଷ ହେକ୍ଟର ଜଳସେଚନ ପାଇଁ ଉତ୍ସ ସୃଷ୍ଟି କରାଯାଇଛି। କିନ୍ତୁ ତାର ୬୧ ଭାଗ ଉପଯୋଗ କରାଯାଇଛି। ଚାଷୀର ବିଲରେ ପାଣି ନ ମାଡ଼ିଲେ ଜଳସେଚନ ଉତ୍ସ ସୃଷ୍ଟି ହେବାରେ ଲାଭ କ’ଣ? ଏ ପ୍ରସଙ୍ଗରେ ଆମର ମତ ହେଲା ପ୍ରତି ଚାଷୀର କ୍ଷେତରେ ସେଚ ପୋଖରୀ କରି ବର୍ଷାଜଳକୁ ସ˚ଗ୍ରହ କରିବାର ବ୍ୟବସ୍ଥା ହେଉ। ସେହି ପାଣି ଜଳସେଚନ ପାଇଁ ବିନିଯୁକ୍ତ ହେଉ। ଏହି ଯୋଜନା ମାଧୢମରେ ଆଜି ତେଲେଙ୍ଗାନା ରାଜ୍ୟ ୨୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରି ପାରିଛି। ସୁତରା˚ କୃଷିନୀତିରେ ଏହା ସ୍ଥାନ ପାଉ ଏବ˚ ସେଥିପାଇଁ ଅନ୍ତତଃ ୨୫ ପ୍ରତିଶତ ସବ୍‌ସିଡ଼ି ଦେବାର ବ୍ୟବସ୍ଥା ହେଉ। ପୋଖରୀରୁ ପାଣି ଉଠାଇବା ପାଇଁ ସୋଲାର ପମ୍ପ ସବ୍‌ସିଡ଼ି ମାଧୢମରେ ଯୋଗାଇ ଦିଆଯାଉ।

କୃଷି ଉତ୍ପାଦନ ବୃଦ୍ଧି ପାଇଲେ ଚାଷୀର ଆୟ ଆପଣାଛାଏଁ ବଢ଼ିବ ନାହିଁ। ତାର ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବାକୁ ହେବ। ସେଥିପାଇଁ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣର ବ୍ୟବସ୍ଥା କରାଯିବା ଜରୁରୀ। ଚିଠା କୃଷିନୀତିର ବଜାର ଓ ଭିତ୍ତିଭୂମି ଅଧୢାୟରେ କୁହାଯାଇଛି ଯେ, ବର୍ତ୍ତମାନ ଗଢ଼ି ଉଠୁଥିବା କୃଷକ ଉତ୍ପାଦକ ସ˚ଗଠନ ଓ କୃଷକ ଉତ୍ପାଦକ ସମବାୟ ସମିତିକୁ ନେଇ ଏକ ରାଜ୍ୟସ୍ତରୀୟ ସ˚ଘ ଗଠନ କରାଯିବ। ଏହି ପ୍ରସ୍ତାବ ଏକ ଉତ୍ତମ ପ୍ରସ୍ତାବ। ଓମ୍‌ଫେଡ଼ ଢ଼ାଞ୍ଚାରେ ପନିପରିବା, ଫଳ ପରି କୃଷିଜାତ ଦ୍ରବ୍ୟର କ୍ରୟ, ପ୍ରକ୍ରିୟାକରଣ, ପ୍ୟାକେଜି˚, ବିକ୍ରୟ ଆଦିର ବ୍ୟବସ୍ଥା କରାଗଲେ ତାହା ଚାଷୀର ଆୟ ବୃଦ୍ଧିରେ ସହାୟକ ହେବ। ୨୦୧୫-୧୬ ବଜେଟରେ ସେଥିପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ। ଏହାକୁ ଓମ୍‌ଫେଡ଼ ଢ଼ାଞ୍ଚାରେ କାର୍ଯ୍ୟକାରୀ କରାଯିବା କଥା କୃଷି ନୀତିରେ ସ୍ଥାନ ପାଉ। ଆମ ରାଜ୍ୟରେ କୃଷିଜାତ ଦ୍ରବ୍ୟକୁ ଭିତ୍ତି କରି କୃଷି ପ୍ରକ୍ରିୟାକରଣ ଶିଳ୍ପ ଗଢ଼ି ଉଠିବା ଜରୁରୀ। କୃଷି ଭିତ୍ତିକ ଶିଳ୍ପ ଗଠନ ପାଇଁ ୧୯୯୬ କୃଷିନୀତିରେ ଇପିକଲ୍‌ ଢ଼ାଞ୍ଚାରେ ଆପିକଲ ଗଠନ କରାଯାଇଥିଲା। ଆପିକଲ ଜରିଆରେ କୃଷିଭିତ୍ତିକ ଶିଳ୍ପ ପାଇଁ ଉଦ୍ୟୋଗୀମାନଙ୍କୁ ଆକର୍ଷଣ କରି ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଚିଠା କୃଷିନୀତିରେ ଆପିକଲର ଭୂମିକା ବାବଦରେ କୌଣସି ଉଲ୍ଲେଖ ନାହିଁ। କୃଷିନୀତିରେ କୃଷି ଭିତ୍ତିକ ଶିଳ୍ପ ସ୍ଥାପନରେ ଆପିକଲର ସକ୍ରିୟ ଭୂମିକାକୁ ଉପେକ୍ଷା କରିବା ସ୍ପୃହଣୀୟ ନୁହେଁ।

କୃଷିନୀତିରେ ‘କାଳିଆ’ ଯୋଜନାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନାକୁ ଅଢେ଼ଇ ବର୍ଷ ପରିବର୍ତ୍ତେ ପାଞ୍ଚବର୍ଷକୁ ସ˚ପ୍ରସାରିତ କରାଯାଇଛି। କିନ୍ତୁ କାଳିଆ ଯୋଜନାକୁ ଅଧିକ ପାରଦର୍ଶୀ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। ଯେମିତି ପ୍ରକୃତ କୃଷିଜୀବୀମାନଙ୍କୁ କାଳିଆ ଯୋଜନାରୁ ଲାଭ ପହଞ୍ଚେ ସେଥିଲାଗି ଯଥେଷ୍ଟ ଯତ୍ନ ନିଆଯିବା ଜରୁରୀ। ସେମିତି ଭାଗ ଚାଷ ଆଇନ ସ˚ଶୋଧନ ପାଇଁ ୨୦୧୬ରୁ ପ୍ରସ୍ତାବ ରଖାଯାଉଥିଲେ ମଧୢ ଏପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ। ଚିଠା ନୀତିରେ ଭାଗ ଚାଷ ଆଇନ ସ˚ଶୋଧନର ପ୍ରସ୍ତାବ ରଖାଯିବା ସ୍ବାଗତଯୋଗ୍ୟ। ତାହା ବିଧାନସଭାରେ ଗୃହୀତ ହୋଇ ଏକ ଆଇନରେ ପରିଣତ ହେବା ଦିଗରେ ସରକାର ପଦକ୍ଷେପ ନେବା ଉଚିତ। ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଚାଷୀର ଆୟ ବୃଦ୍ଧି ପାଇଁ ଚିଠା କୃଷିନୀତିକୁ ଅଧିକ ବ୍ୟବହାରଧର୍ମୀ କରାଯାଇ କେତେଗୁଡ଼ିଏ ଅତ୍ୟାବଶ୍ୟକ ଦିଗ ପ୍ରତି ଗୁରୁତ୍ବ ଦିଆଯିବା ଜରୁରୀ।
ଏ୫୦୨, ମୋତି ବ୍ଲକ୍, ତୋଷାଳୀ ଆପାର୍ଟମେଣ୍ଟ,
ସତ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨

ସମ୍ବନ୍ଧିତ ଖବର