ଦେଖାଯାଉଛି ଯେ ପାରମ୍ପରିକ ଧାନ, ଗହମ, ମୁଗ, ବିରି, କୋଳଥ ଆଦି ଭଳି ଖାଦ୍ୟଶସ୍ୟ ଅବା ପନିପରିବାର ଉତ୍ପାଦନ ବଢିଲେ ଚାଷୀଙ୍କ ଆୟରେ ଆଶାନୁରୂପ ବୃଦ୍ଧି ହେଉନାହିଁ। ତେଣୁ ଅନ୍ୟ ବିକଳ୍ପ ଚାଷ କଥା ଚିନ୍ତା କରାଯାଉଛି। ସେଇ କ୍ରମରେ ତାଳ ଚାଷ କୃଷକଙ୍କ ଆୟର ଏକ ଉତ୍ତମ ମାଧୢମ ହୋଇପାରେ। ତାଳ ଗଛ ସହିତ ଆମ ପରିଚିତି ବହୁ ପ୍ରାଚୀନ। ତାହାର ପ୍ରମାଣ ପିଢ଼ିପିଢ଼ି ଧରି ସାଇତା ହୋଇ ରହିଥିବା ଅତି ପ୍ରାଚୀନ ତାଳପତ୍ର ପୋଥି ଓ ପୁରାଣ। ତାଳ ଗଛର ବିଭିନ୍ନ ଅ˚ଶ କାମରେ ଲାଗେ, ଯାହା ଚାଷୀ ଲାଗି ଆୟର ମାଧୢମ ହୋଇପାରିବ। ଏହି ଗଛ ଲଗାଇ ଫଳନ୍ତି କରିବା ଫଳନ୍ତି ଲାଗି ଅଧିକ ଖର୍ଚ୍ଚର ଆବଶ୍ୟକତା ନାହିଁ।

Advertisment

ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ। ବାତ୍ୟା ହେଲେ ଅନ୍ୟ ଫଳ ବୃକ୍ଷ ଭାଙ୍ଗି ରୁଜି ଯାଏ, କିନ୍ତୁ ତାଳଗଛ ପ୍ରାୟତଃ ଭାଙ୍ଗି ନ ଥାଏ। ତେଣୁ ତାଳ ଗଛ ଚାଷ କଲେ ସେ ଦୃଷ୍ଟିରୁ ଚାଷୀ ବିଶେଷ କ୍ଷତି ସହିବାର ଆଶଙ୍କା ନ ଥାଏ। ତାଳଗଛ ଲଗାଇବା ଦିନ ଠାରୁ ବଡ ହୋଇ ଫଳିବା ପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ଯତ୍ନ ଲୋଡେ଼ ନାହିଁ। ଯଦିଓ ଖର୍ଚ୍ଚ ପ୍ରାୟ ନାହିଁ କହିଲେ ଚଳେ, ତେବେ ଫଳ ଧରିବାକୁ ତାଳ ଗଛ ଅଧିକ ସମୟ ନିଏ। ତେବେ ତା ପୂର୍ବରୁ ପତ୍ରର ବ୍ୟବହାର କରାଯାଇପାରେ। ଡାଲା, କୁଲା ଭୋଗେଇ ଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଜିନିଷରେ ତାଳପତ୍ରର ବ୍ୟବହାର ଯେ କେତେ ତାହା ପ୍ରତି ଓଡ଼ିଆ ଜାଣନ୍ତି। ସେ ଦୃଷ୍ଟିରୁ ରାଜ୍ୟର ଅସ˚ଖ୍ୟ ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀଙ୍କୁ ତାଳ ପତ୍ରରୁ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତି ଦିଗରେ ପ୍ରଶିକ୍ଷଣ ଦିଆଯିବା ଦରକାର।

ତାଳ ଗଛରୁ ବାହାରୁଥିବା ଫୁଲ ବା ଚଅଁରକୁ କାଟି ସେଥିରେ ମାଟି ଘଡି ଝୁଲାଇ ଦୈନିକ ପ୍ରାୟ ୫ ଲିଟର ତାଳ ରସ ବାହାର କରାଯାଇପାରେ। ବର୍ଷକୁ ପ୍ରାୟ ୨୦୦ ଦିନ ଏଭଳି ରସ ଉତ୍ପାଦନ କରାଯାଇ ତହିଁରୁ ତାଳ ଗୁଡ଼ ଓ ତାଳ ମିଶ୍ରି ଆଦି ତିଆରି କରାଯାଇପାରେ। ସେମିତି ତାଳକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ପୁଷ୍ଟିକର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ। ଖରା ଦିନେ ତଟକା ତାଳସଜକୁ ସମସ୍ତେ ଭଲ ପାଆନ୍ତି। ସେମିତି ପାଚିଲା ତାଳ ରସରୁ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ। ତାଳ ରସ ବେଶ୍‌ ପୁଷ୍ଟିକର। ଏଥିରେ ଭିଟାମିନ ‘ବି’ ଓ ଭିଟାମିନ ‘ସି’, କାଲସିଅମ,ଫସଫରସ ଓ ଅନେକ ଖଣିଜ ତତ୍ତ୍ବ ଥାଏ। ଏହା ଛଡ଼ା ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାରେ ତାଳ ରସର ବ୍ୟବହାର ରହିଛି।

ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକରେ ତାଳ ଏକ ଅର୍ଥକରୀ ଫସଲ। ତେଲେଙ୍ଗାନା ସରକାର ରାସ୍ତା କଡରେ ତାଳ ଗଛ ଲଗାଇବା ପାଇଁ ଭରତୀୟ କୃଷି ଗବେଷଣା ପରିଷଦକୁ ୨ ଲକ୍ଷ ତାଳ ଚାରା ମାଗିଛନ୍ତି। ତେଲେଙ୍ଗାନା ଭଳି ଆମ ରାଜ୍ୟରେ ମଧୢ ତାଳଗଛ ରୋପଣକୁ ପ୍ରୋତ୍ସାହନ ଦିଆଯିବା ଦରକାର। ସେଇ ତାଳଗଛକୁ ଚାଷୀମାନଙ୍କୁ ଲିଜ ସୂତ୍ରରେ ଦେଇ ସେଥିରୁ ଚାଷୀମାନଙ୍କ ଲାଗି ଆୟକୁ ସୁଗମ କରାଯିବା ଦରକାର। ତାଳ ବଣ ସୃଷ୍ଟି ହେଲେ ବାୟା ଚଢେ଼ଇ ସମେତ ଅନ୍ୟାନ୍ୟ ଅନେକ ପକ୍ଷୀ ବସା ବାନ୍ଧିବେ ଏବ˚ ତଦ୍ଦ୍ବାରା ଏକ ପରିବେଶ ଅନୁକୂଳ ସ୍ଥିତି ସୃଷ୍ଟି ହେବ। ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏ ଦିଗରେ ବିଚାର ବିମର୍ଶ କରି ପଦକ୍ଷେପ ନେବା ଦରକାର। ଚାଷୀଙ୍କ ଆୟ ବୃଦ୍ଧି କଥା ଯେତେବେଳେ ଉଠୁଛି ସେତିକି ବେଳେ ଅଣପାର˚ପରିକ କୃଷି ଉପରେ ନଜର ଦିଆଯିବା ଜରୁରୀ। ସେଇ ପରିପ୍ରେକ୍ଷୀରେ ତାଳ ଚାଷର ଗୁରୁତ୍ବ ରହିଛି।
ଏ୫୦୨, ମୋତି ବ୍ଲକ୍, ତୋଷାଳୀ ଆପାର୍ଟମେଣ୍ଟ,
ସତ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨