ପରିବାରର ପ୍ରୟୋଜନ

ଡକ୍ଟର ଦେବୀଲାଲ ମିଶ୍ର

ଆମ ସମସ୍ତଙ୍କ ଜୀବନରେ ପରିବାରର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ପରିବାର ଭିତରେ ମଣିଷ ନିଜକୁ ସୁରକ୍ଷିତ ମଣେ ଏବଂ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ପ୍ରେମ, ଊର୍ଜା, ସହଯୋଗ ଓ ସାଧନ ପାଏ। ବ୍ୟକ୍ତିର ବିକାଶରେ ପରିବାରର ସହଭାଗିତା ନିଶ୍ଚିତଭାବେ ସ୍ବତନ୍ତ୍ର ଓ ମହତ୍ବପୂର୍ଣ୍ଣ। ପରିବାରର ଗୁରୁତ୍ବ ଓ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ପାଇଁ ପ୍ରତିବର୍ଷ ମେ ମାସ ୧୫ ତାରିଖକୁ ଆନ୍ତର୍ଜାତିକ ପରିବାର ଦିବସ ଭାବେ ପାଳନ କରାଯାଏ। ମିଳିତ ଜାତିସଂଘ ଜେନେରାଲ୍‌ ଆସେମ୍ଲି (Generla Assembly) ର ଅନୁମୋଦନ କ୍ରମେ ୧୯୯୩ ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ପରିବାର ଜନିତ ଅନେକ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ସହ ପରିବାରକୁ ପ୍ରଭାବିତ କରୁଥିବା ବିଭିନ୍ନ ସାମାଜିକ, ଆର୍ଥିକ ଓ ମାନବିକ ଘଟଣା ସମ୍ପର୍କରେ ଜାଣିବା ହେଉଛି ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ପରିବାରକୁ ସକଳ ଆନନ୍ଦର ଉତ୍ସ ଭାବେ ଦେଖାଯାଏ।

(ଆନ୍ତର୍ଜାତିକ ପରିବାର ଦିବସ ଉପଲକ୍ଷେ)

ଜର୍ଜ ବର୍ଣ୍ଣାଡ୍‌ ଶ’ ଏକଦା କହିଥିଲେ ଯେ ଏକ ସୁଖି ପରିବାର ସ୍ବର୍ଗ ସଦୃଶ। ଆମ ଭିତରୁ ଅନେକ ପିଲାଦିନେ ପଢ଼ିଥିବା: ‘ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର’। ପାରସ୍ପରିକ ସ୍ନେହ, ସହଯୋଗ ଓ ସମ୍ବେଦନା ହିଁ ଏକ ସୁଖୀ ଓ ସଫଳ ପରିବାରର ଚାବିକାଠି। ଆମର ଅନ୍ୟ ସମ୍ପର୍କ ଅପେକ୍ଷା ପାରିବାରିକ ସମ୍ପର୍କ ଅଧିକ ଗଭୀର ଓ ସ୍ବାର୍ଥ ରହିତ। ତେବେ ଆଜିର ପରିବର୍ତ୍ତିତ ସାମାଜିକ ପରିସ୍ଥିତି ପରିବାରକୁ ପ୍ରଭାବିତ କରିଛି ନିଶ୍ଚିତ। ପ୍ରତ୍ୟେକ ଦିନ ଆମେ କିଛି ନା କିଛି ନକାରାତ୍ମକ ଖବର ସଂସ୍ପର୍ଶରେ ଆସନ୍ତି। କିନ୍ତୁ ଯେଉଁଠି ପ୍ରେମ ଅଛି, ଶତ ପ୍ରତିଘାତ ସତ୍ତ୍ବେ ମଧ୍ୟ ସମ୍ପର୍କ ଚିରନ୍ତନ ପାଲଟେ। ପରିବାର ପ୍ରତି ଆମର କର୍ତ୍ତବ୍ୟକୁ ଆମେ ଭୁଲିଯିବା ଉଚିତ୍‌ ନୁହେଁ। ପିତା-ମାତା, ଗୁରୁଜନ ଓ ସାନମାନଙ୍କ ପ୍ରତି ଆମର ଉତ୍ତରଦାୟିତ୍ବ ହିଁ ଆମ ବ୍ୟକ୍ତିତ୍ବର ପ୍ରକୃତ ପରିଚୟ। ଜଣେ ବିଶିଷ୍ଟ ବ୍ୟକ୍ତି କହିଥିଲେ ଯେ ଯେଉଁଠି କାହାକୁ ପଛରେ ରଖାଯାଏନି, ବା ଯେଉଁଠି କେହି କାହାକୁ ଭୁଲେ ନାହିଁ। ସେଇଟା ହିଁ ପରିବାର। କୌଣସି ବି କାରଣ କେବେ ପରିବାରଠାରୁ ବଡ଼ ହୋଇନପାରେ। ଏହିବର୍ଷ ଆନ୍ତର୍ଜାତିକ ପରିବାର ଦିବସର ବିଷୟ ରହିଛି ‘ପରିବାର ଓ ସହରୀକରଣ’। ସହରୀକରଣ ଯେମିତି ପରିବାରର ଶିହରଣକୁ କମେଇ ନ ଦେଉ, ସେଥିପ୍ରତି ଆମେ ଯତ୍ନବାନ୍‌ ରହିବା ଉଚିତ୍‌। ସହରୀ ସଭ୍ୟତା ପରିବାରକୁ ଆହୁରି ସମୃଦ୍ଧ କରୁ, ପାରିବାରିକ ସମ୍ପର୍କରେ ବାଧକ ନ ସାଜୁ। ସମୃଦ୍ଧ ଓ ଉନ୍ନତ ପରିବାର ହିଁ ବିକଶିତ ସମାଜର ଚାବିକାଠି।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
[email protected]

ସମ୍ବନ୍ଧିତ ଖବର