ମୋଦୀ, ଗାନ୍ଧୀ-ନେହରୁ ଓ ସିନେମା

ଚିତ୍ତରଞ୍ଜନ ଚିରଞ୍ଜିିତ

ଆଗାମୀ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟ୍‌ ସମୟରେ ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ମହାକାଶ ବିଜ୍ଞାନରେ ଅନେକ କୃତିତ୍ବର ଅଧିକାରୀ ହୋଇଥିବା ଆମ ଦେଶ ସହିତ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯିବ। ସାଧାରଣ ନାଗରିକଙ୍କଠାରୁ ମହାକାଶ ବିଜ୍ଞାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମୁହୂର୍ତ୍ତର ପ୍ରତୀକ୍ଷାରେ ରହିଛନ୍ତି। କିନ୍ତୁ, ଯେଉଁମାନେ ଗତ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ମିସନ ମଙ୍ଗଳ’କୁ ପ୍ରେକ୍ଷାଳୟରେ ବସି ଦେଖିଥିବେ, ସେମାନେ ନିଶ୍ଚିତ ସେହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଆଗୁଆ ଅନୁଭବ କରିଥିବେ।
‘ମିସନ ମଙ୍ଗଳ’ ଆମ ମହାକାଶ ବୈଜ୍ଞାନିକଙ୍କ ସଫଳତାର କାହାଣୀ ଆଧାରରେ ନିର୍ମିତ କେବଳ ଏକ ଚଳଚ୍ଚିତ୍ର ନୁହେଁ, ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ଦୃଢ଼ ମନୋବଳ କିଭଳି ଏକ ବୃହତ୍‌ କାର୍ଯ୍ୟକୁ ସଫଳତାମୁହାଁ କରିପାରେ- ତାହାର ଏକ ଯଥାର୍ଥ ନିଦର୍ଶନ। ତେବେ, ଚଳଚ୍ଚିତ୍ରର କାହାଣୀ ଏବଂ ଏହାର ସଫଳତା ବାହାରକୁ ଯାଇ ଦେଖିଲେ ଏହା ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର କାର୍ଯ୍ୟକ୍ରମକୁ ଏଥିରେ ରୂପାୟନ କରାଯାଇଛି। ଚଳଚ୍ଚିତ୍ର ଶେଷରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ହିଁ ତାହା ସୂଚାଉଛି । ଯେଉଁଥିରେ ସେ ମହାକାଶ ବୈଜ୍ଞାନିକଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ସହିତ ମଙ୍ଗଳ ଗ୍ରହ ଅଭିଯାନ କଥା ମଧ୍ୟ ସଂକ୍ଷେପରେ କହିଛନ୍ତି।

‘ମିସନ ମଙ୍ଗଳ’ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ କେନ୍ଦ୍ରର ଏକ ଯୋଜନା ବା କାର୍ଯ୍ୟକ୍ରମ (ଚନ୍ଦ୍ରାୟନ ପ୍ରକଳ୍ପ)କୁ ରୂପ ଦିଆଯାଇଥିବା ପ୍ରଥମ ଚଳଚ୍ଚିତ୍ର। ମୋଦୀଙ୍କ ପ୍ରଥମ ପାଳି ଶାସନରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଧାରରେ ବହୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଯାହାକି, ପ୍ରଧାନମନ୍ତ୍ରୀ ମୋଦୀ ଓ କ୍ଷମତାସୀନ ବିଜେପିର ଭାବମୂର୍ତ୍ତିକୁ ବଢ଼ାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍’, ‘ମଣିକର୍ଣ୍ଣିକା’, ‘ଟଏଲେଟ୍: ଏ ଲଭ୍‌ ଷ୍ଟୋରି’, ‘ସୁଇ ଧାଗା’, ‘ପ୍ୟାଡ୍‌ମ୍ୟାନ’ ଭଳି କେତେକ ଚଳଚ୍ଚିତ୍ର। ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍’ ହେଉଛି ୨୦୧୬ ମସିହାରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ କରିଥିବା ଅପରେସନ୍ ଆଧାରରେ ନିର୍ମିତ ଏକ ସିନେମା। ‘ସୁଇ ଧାଗା’ରେ ପ୍ରଧାନମନ୍ତ୍ରୀଙ୍କ ‘ମେକ୍-ଇନ୍-ଇଣ୍ଡିଆ’ ଓ ‘ଷ୍ଟାର୍ଟ ଅପ୍‌’ର ପ୍ରଚାର କରାଯାଇଛି। ସମସ୍ତଙ୍କ ମନେଥିବ, ୨୦୧୪ ମସିହା ନିର୍ବାଚନ ସମୟରେ ମୋଦୀ ବର୍ଷକୁ ୧୦ କୋଟି ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶ୍ରୁତି ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠିଲା, ସେତେବେଳେ ଚଳଚ୍ଚିତ୍ର ‘ସୁଇଧାଗା’ ତାଙ୍କୁ ଏବଂ ତାଙ୍କ ସରକାରକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥିଲା। ଗତ ଜାନୁଆରି ୨୫ ତାରିଖରେ ମୁକ୍ତିଲାଭ କରିଥିବା ‘ମଣିକର୍ଣ୍ଣିକା’ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମର ପ୍ରଚାର କରି ନ ଥିଲେ ମଧ୍ୟ ସେତେବେଳେ ଏହାର ଏକ ଡାଇଲଗ୍‌ ବା ସଂଳାପକୁ ନେଇ ଚର୍ଚ୍ଚା ହୋଇଥିଲା। ଚଳଚ୍ଚିତ୍ରର ଏକ ଚରିତ୍ର ଜଣେ ବ୍ରିଟିସ୍‌ ବ୍ୟକ୍ତିଙ୍କୁ କହୁଛନ୍ତି : ‘ତୁମ ଆଉ ମୋ ମଧ୍ୟରେ ପାର୍ଥକ୍ୟ ହେଉଛି- ତୁମେ ଶାସନ କରିବାକୁ ଚାହୁଁଛ ଆଉ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି।’ ଏକଥା ଉଲ୍ଲେଖ କରିବାରେ ଦ୍ୱିଧା ନାହିଁ ଯେ ନେହରୁ, ଗାନ୍ଧୀ ପରିବାରକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଅନେକ ସମୟରେ ଏହା କହିଛନ୍ତି। ‘ପିଏମ୍ ନରେନ୍ଦ୍ର ମୋଦୀ’ ତ ପ୍ରଧାନମନ୍ତ୍ରୀଙ୍କ ଜୀବନୀ ଆଧାରରେ ନିର୍ମିତ, ଯାହାକି ଚା’ ବିକିବା ଦିନଠାରୁ ଆରମ୍ଭ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶେଷ ହୋଇଛି।

ଏହି ସମୟରେ କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଜୀବନୀ ଆଧାରରେ ‘ଦି ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର୍’ ମୁକ୍ତିଲାଭ କରିଥିଲା। ମାତ୍ର, ମନମୋହନ ସିଂହ କିଭଳି ଗାନ୍ଧୀ ଓ ନେହରୁ ପରିବାରର ଖେଳଣା ହୋଇଥିଲେ, ତାହାର ଚିତ୍ରଣ ତହିଁରେ କରାଯାଇଛି। ସେହିଭଳି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ‘ଇନ୍ଦୁ ସରକାର’ ଚଳଚ୍ଚିତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟର କଥା କୁହାଯାଇଛି ଏବଂ ଏଥିରେ ଉଭୟ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ନକାରାତ୍ମକ ଭ‌ାବେ ଉପସ୍ଥାପନ କରାଯାଇଛି। ସ୍ବାଧୀନତା ପରବର୍ତ୍ତୀ କାଳରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଅହିଂସା, ତ୍ୟାଗ, ହିନ୍ଦୁ-ମୁସ୍‌ଲିମ୍‌ ଏକତା, ଗ୍ରାମ ସ୍ବରାଜ ଭଳି ପ୍ରସଙ୍ଗକୁ ପରୋକ୍ଷରେ ଚିତ୍ରରୂପ ଦିଆଯାଇଛି। କିନ୍ତୁ, ମହାତ୍ମା ଗାନ୍ଧୀଙ୍କର ଚଳଚ୍ଚିତ୍ର ସହିତ ଯେ ପ୍ରତ୍ୟକ୍ଷ ସମ୍ପର୍କ ନଥିଲା, କେତେକ ଘଟଣାରୁ ତାହା ସ୍ପଷ୍ଟ। ୧୯୨୭ ମସିହାରେ ଭାରତୀୟ ସିନେମାଟୋଗ୍ରାଫି କମିଟି ପକ୍ଷରୁ ଗାନ୍ଧୀଜିଙ୍କ ନିକଟକୁ ଉତ୍ତର ଆଶାରେ କିଛି ପ୍ରଶ୍ନାବଳୀ ପଠାଯାଇଥିଲା। ସେହିଭଳି, ବମ୍ବେରୁ ପ୍ରକାଶିତ ଏକ ଦୈନିକ ସମ୍ବାଦପତ୍ର ଭାରତୀୟ ସିନେମାର ୨୫ ତମ ପୂର୍ତ୍ତି ଉପ‌ଲକ୍ଷେ ତାଙ୍କ ଠାରୁ ଏକ ବାର୍ତ୍ତା ଚାହିଁଥିଲେ। ମାତ୍ର, ଗାନ୍ଧୀଜିଙ୍କ ସେକ୍ରେଟାରି ମହାଦେବ ଦେଶାଇ ଉଭୟଙ୍କୁ ଜଣାଇ ଦେଇଥିଲେ ଯେ, ସିନେମା ପ୍ରତି ଗାନ୍ଧୀଜିଙ୍କର କ୍ବଚିତ୍‌ ଆଗ୍ରହ ରହିଛି। ତାଙ୍କଠାରୁ କେହି ମତାମତ ଆଶା କରିବା ଉଚିତ ନୁହେଁ।

୧୯୮୩ରେ ଶ୍ୟାମ ବେନଗଲଙ୍କ ଚଳଚ୍ଚିତ୍ର ‘ନେହରୁ’ରେ ଜବାହରଙ୍କ ବ୍ୟକ୍ତିତ୍ବ ରୂପାୟିତ ହୋଇଛି। ତେବେ, ଏହା ଭାରତ ଓ ସୋଭିଏତ୍‌ ରୁଷ୍‌ ସରକାରର ମିଳିତ ଉଦ୍ୟମରେ ନିର୍ମିତ ହୋଇଥିବାରୁ ତହିଁରେ ଏହି ଭଳି କିଛି ରହିବା ସ୍ବାଭାବିକ କଥା। କିନ୍ତୁ ଏହା ବ୍ୟତୀତ ନେହରୁଙ୍କ ଉପରେ ନିର୍ମିତ କେତେକ ଚଳଚ୍ଚିତ୍ରରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁଣ୍ଣ କଲାଭଳି ଅନେକ ଉପାଦାନ ରହିଛି। ବରଂ, ନେହରୁଙ୍କ ସାମ୍ୟବାଦ ଓ ଧର୍ମନିରପେକ୍ଷବାଦ ଚିନ୍ତାଧାରାର ପ୍ରଶଂସାରେ ପୃଥ୍ବୀରାଜ କପୁର ପୃଥ୍ବୀ ଥିଏଟର୍‌ରେ ଏକ ନାଟକ ମଞ୍ଚସ୍ଥ କରାଇଥିଲେ। ଅବଶ୍ୟ, ପୃଥ୍ବୀରାଜ କପୁର କଂଗ୍ରେସର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ତେବେ, ଭାରତୀୟ ଚଳଚ୍ଚିତ୍ରରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଇନ୍ଦିରା ଗାନ୍ଧୀ। ‘ଇନ୍ଦୁ ସରକାର’ ଛଡ଼ା ଆହୁରି କେତେକ ଚଳଚ୍ଚିତ୍ର ନିର୍ମିତ ହୋଇଛି, ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ମଳିନ କରିଥିଲା। ସେଥିମଧ୍ୟରୁ ଗୋଟିଏ ଚଳଚ୍ଚିତ୍ର ହେଉଛି ‘ଆନ୍ଧି’। ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ଏହି ଚଳଚ୍ଚିତ୍ରକୁ ୧୯୭୫ ମସିହାରେ ନିଷେଧ କରାଯାଇଥିଲା। ୧୯୭୭ ମସିହାରେ ଇନ୍ଦିରାଙ୍କ ପରାଜୟ ଏବଂ ଜନତା ପାର୍ଟି ସରକାର କ୍ଷମତାସୀନ ହେଲା ପରେ ଏହି ନିଷେଧାଦେଶ ଉଠିଥିଲା ଏବଂ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ୧୯୭୭ ମସିହାରେ ନିର୍ମିତ ‘କିସା କୁର୍ସି କା’କୁ ମଧ୍ୟ ନିଷେଧ କରାଯାଇଥିଲା। ଚଳଚ୍ଚିତ୍ର ‘ଆମୁ’ ୨୦୦୫ ମସିହାରେ ଯେତେବେଳେ ମୁକ୍ତିଲାଭ କରିଥିଲା, ସେତେବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ କେନ୍ଦ୍ରରେ ଶାସନରେ ଥିଲା। ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ଆଧାରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଏଥିରୁ କେତେକ ଆପତ୍ତିଜନକ ଦୃଶ୍ୟକୁ ବାଦ୍‌ ଦିଆଯାଇଥିଲା।

ଏସବୁକୁ ଦୃଷ୍ଟିକୁ ଆଣିଲେ ବୁଝାପଡ଼ିବ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରର କାର୍ଯ୍ୟକ୍ରମକୁ ପ୍ରଚାର କରିବା ପାଇଁ ତଥା ତାଙ୍କ ଭାବମୂର୍ତ୍ତିକୁ ଉଜ୍ଜ୍ବଳ ରଖିବା ପାଇଁ କେତେକ ଚଳଚ୍ଚିତ୍ରର ସିଧାସଳଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶ୍ଚିତ ଭାବେ ଏକ ଧାରଣା ରହିଛି ଯେ, ଲୋକମାନଙ୍କ ନିକଟରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ଚଳଚ୍ଚିତ୍ରକୁ ଏକ ବଳିଷ୍ଠ ମାଧ୍ୟମ ଭାବେ ବ୍ୟବହାର କରାଯାଇପାରେ। ଏଥିରେ ସେ ନେହରୁ-ଗାନ୍ଧୀଙ୍କ ଠାରୁ ଢେର୍‌ ଆଗରେ।
ମୋ: ୯୪୩୭୪୪୯୬୪୪

ସମ୍ବନ୍ଧିତ ଖବର