ପର୍ତ୍ତୁଗାଲର ଛେଳି ବାହିନୀ
ଅଣାକାର
ଅଗ୍ନିଶମ ବିଭାଗର କର୍ମଚାରୀ ଭାବେ ଛେଳିମାନେ ନିଯୁକ୍ତି ପାଇଛନ୍ତି! ବିଶ୍ବାସ କରିପାରୁଛନ୍ତି? ଏହା ସତ ଏବଂ ଏହା ହୋଇଛି ପର୍ତ୍ତୁଗାଲରେ। ଏବେ ଶୁଣନ୍ତୁ କାହିଁକି ଏମିତି ହେଲା!
Sambad is now on WhatsApp
Join and get latest news updates delivered to you via WhatsApp
ୟୁରୋପ ମହାଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଆଇବେରିଆନ ଉପଦ୍ବୀପରେ ଥିବା ଦେଶ ଦୁଇଟି ହେଉଛନ୍ତି ସ୍ପେନ ଓ ପର୍ତ୍ତୁଗାଲ। ପର୍ତ୍ତୁଗାଲ ସରକାର ନିଜ ଦେଶରେ ପାଇନ ଜଙ୍ଗଲ ସୃଷ୍ଟି କରିବା ଉପରେ ବିଶେଷ ପ୍ରାଧାନ୍ୟ ଦେଇଥାଆନ୍ତି। ସେ ଦେଶର ଜଳବାୟୁ ପାଇନ ଓ ୟୁକାଲିପ୍ଟସ ଗଛ ଲାଗି ବିଶେଷ ଉପଯୁକ୍ତ। ପୁଣି କାଗଜ-ଶିଳ୍ପ ଲାଗି ଏହି ଗଛ ଦ୍ବୟର କାଠ ଠାରୁ ବଳି ଭଲ ଆଉ କିଛି କାଠ ନାହିଁ। ତେଣୁ ପର୍ତ୍ତୁଗାଲ ଲାଗି କାଗଜ ଶିଳ୍ପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ସମସ୍ୟା ହେଲା, ଏହି ବୃକ୍ଷଗୁଡ଼ିକର କାଠ ଖୁବ୍ ହାଲୁକା ଏବଂ ସହଜରେ ଦହନଶୀଳ। ଆପଣ ଦିଆସିଲି କାଠି କଥା ମନେ ପକାନ୍ତୁ। ଦିଆସିଲି କାଠିଗୁଡ଼ିକ ପାଇନ୍ କାଠରେ ତିଆରି। ତେଣୁ ପର୍ତ୍ତୁଗାଲ ଲାଗି ପାଇନ ଜଙ୍ଗଲରେ ଲାଗୁଥିବା ନିଆଁ ମୁଣ୍ଡବ୍ୟଥାର କାରଣ ହୋଇଥାଏ। କିନ୍ତୁ ଯଦି ସରକାର ପାଇନ ଓ ୟୁକାଲିପ୍ଟସ ଗଛର ବନୀକରଣକୁ ପ୍ରୋତ୍ସାହନ ନ ଦିଅନ୍ତି, ତେବେ କାଗଜ ଶିଳ୍ପ ଆକ୍ରାନ୍ତ ହେବ ଓ ଦେଶର ଜିଡିପି ଶତକଡ଼ା ତିନି ଭାଗ ହ୍ରାସ ପାଇବ। ଏଣେ ଜଙ୍ଗଲ ପୋଡ଼ି ହେଲେ ନିଆଁ ଏମିତି ଦ୍ରୁତ ବେଗରେ ମାଡ଼ି ଯାଇ ଜନବସତିକୁ କ୍ଷତି ପହଞ୍ଚାଏ ଯେ ସରକାର ଓ ପ୍ରଶାସନ ହତଭମ୍ବ ହୋଇ ପଡ଼ନ୍ତି।
ତେବେ, ଏମିତି ଭୟାବହ ବନାଗ୍ନି ସୃଷ୍ଟି ହୁଏ କାହିଁକି? ଏହାର ଏକ ବଡ଼ କାରଣ ହେଉଛି ସେଠାରେ ହେଉଥିବା ଏକ ପ୍ରକାର ଅଜବ ପ୍ରକାର ବଜ୍ରପାତ, ଯାହାକୁ କହନ୍ତି ‘ଡ୍ରାଏ-ଥଣ୍ତରଷ୍ଟର୍ମ’। ଏହା ଘଟିଲା ବେଳେ ବର୍ଷା ଏମିତି ହେଉଥାଏ ଯେ ପାଣି ଗଛକୁ ବା ଭୂମିକୁ ଓଦା କରୁ ନ ଥାଏ; ଏଣେ ବଜ୍ରପାତ ହୋଇ ଗଛକୁ ଜଳାଇ ଦିଏ। ଥରେ ପାଇନ ଗଛରେ ନିଆଁ ଧରିଲେ ତାହା ବ୍ୟାପିଯାଏ। ତଳେ ଜମିଥିବା ଶୁଖିଲା ପତ୍ର ଧୂ ଧୂ ହୋଇ ଜଳେ ଓ ପ୍ରବଳ ନିଆଁ ଆଖପାଖ ଗାଁକୁ ବ୍ୟାପିଯାଏ।
ସବୁ ଦେଶ ଭଳି ପର୍ତ୍ତୁଗାଲର ଗାଁ ଗହଳି ମଧ୍ୟ ଏବେ ଜନଶୂନ୍ୟ। କର୍ମ ସଂସ୍ଥାନ ଲାଗି ଗାଁ ଲୋକେ ସହର ମୁହାଁ। ଯେତେବେଳେ ଗାଁରେ ଲୋକ ରହୁଥିଲେ, ମେଷପାଳକମାନେ ରହୁଥିଲେ। ଗୃହପାଳିତ ଛେଳିମାନେ ଚରି ବଣର ଗଛରୁ ପଡୁଥିବା ପତ୍ରମାନ ଖାଉଥିଲେ। ଗାଁ ଲୋକମାନେ ବସତିର ଚତୁଃପାର୍ଶ୍ବ ସଫା ରଖୁଥିଲେ। ତେଣୁ ବଣ-ନିଆଁ ଗାଁକୁ ପହଞ୍ଚି ପାରୁନଥିଲା। ଏବେ କିନ୍ତୁ ବଣ ନିଆଁ ଗାଁକୁ ଗ୍ରାସି ପକାଉଛି। ଏଣୁ ସରକାର ଏବେ ଜଙ୍ଗଲ ଓ ଗାଁ ମଧ୍ୟବର୍ତ୍ତୀ ଅଞ୍ଚଳକୁ ସଫା ସୁତୁରା ରଖି ‘ଫାୟାର-ବ୍ରେକ୍’ ଅଞ୍ଚଳ ସୃଷ୍ଟି ପାଇଁ ଆଗ୍ରହୀ। ଏଥିପାଇଁ ଛେଳି-ପଲକୁ ସେଠାକାର ଅଗ୍ନିଶମ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଛେଳିମାନଙ୍କ କାମ ହେଲା କେବଳ ଚରିବୁଲି ତଳେ ପଡୁଥିବା ପତ୍ର ଖାଇ ସେ ଜାଗାକୁ ସଫା ରଖିବେ। କିନ୍ତୁ ସମସ୍ୟା ଭାବେ ଯାହା ଦେଖାଦେଇଛି, ତାହା ହେଲା ଛେଳି ଜଗିବା ପାଇଁ ଜଗାଳି ମିଳୁନାହାନ୍ତି। ଗାଁ ଲୋକେ ଛେଳି ଜଗାଳିର ଚାକିରି କରିବା ଅପେକ୍ଷା ସହରକୁ ଯାଇ ଆଉ କିଛି କାମ କରିବାକୁ ଆଗ୍ରହୀ। ତେବେ ସରକାର ଏ ସମସ୍ୟାର ସମାଧାନ ଲାଗି ମଧ୍ୟ ଚେଷ୍ଟିତ।
ପ୍ରାୟ ସବୁ ଦେଶରେ ପୁଲିସ ବିଭାଗ ବା ସେନାବାହିନୀରେ କୁକୁରମାନଙ୍କୁ ନେଇ ‘ଡଗ୍ ସ୍କ୍ବାଡ୍’ ଥାଆନ୍ତି। କିନ୍ତୁ ଛେଳି ସ୍କ୍ବାଡ୍ ବା ବାହିନୀ କେଉଁଠି ନାହିଁ, କେବଳ ପର୍ତ୍ତୁଗାଲରେ ଅଛି। ତେବେ, ପର୍ତ୍ତୁଗାଲ ସରକାରଙ୍କ ବୁଦ୍ଧି ତାରିଫଯୋଗ୍ୟ କି ନୁହେଁ, ଆପଣ କହନ୍ତୁ।
ମୋ-୯୪୩୭୦୨୬୬୫୧