ଆମାଜନ ନିଆଁ ଠାରୁ ଆମ ଜଙ୍ଗଲ ନିଆଁ ଯାଏ

ଅକ୍ଷୟ କୁମାର ସାହୁ

ଦକ୍ଷିଣ ଆମେରିକାସ୍ଥ ବ୍ରାଜିଲ୍‌ରେ ଥିବା ଆମାଜନ ବର୍ଷା ବନ(Rain Forest)ରେ ଗତ କିଛି ଦିନ ହେଲା ସର୍ବଗ୍ରାସୀ ଲେଲିହାନ ନିଆଁ ଜଳୁଛି। ଗଲା ସେପ୍‌ଟେମ୍ବର ୧୧ ତାରିଖ ସୁଦ୍ଧା ପ୍ରାୟ ୮୮ ହଜାର ଛୋଟବଡ ନିଆଁ ଲାଗି ଏହି ଜଙ୍ଗଲ ଜଳିପୋଡ଼ି ପାଉଁଶ ହେବାରେ ଲାଗିଛି। ବ୍ରାଜିଲ୍‌ରେ ଚେରା‌ଡ଼ୋ ବା ସେରା‌ଡ଼ୋ ନାମକ ଥିବା ଆଉ ଏକ ବନ ପରସ˚ସ୍ଥାରେ ଚଳିତ ମାସରେ ଛୋଟବଡ଼ ୮ହଜାର ବନାଗ୍ନି ଘଟଣା ଘଟିଥିବା ବିଷୟ ବ୍ରାଜିଲ୍‌ର ‘ନେସନ୍ୟାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ରିସର୍ଚ୍ଚ’ ଦ୍ବାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଆମାଜନ ଓ ସେରାଡ଼ୋ ବିଶ୍ବର ୩୬ଟି ସ୍ବୀକୃତିପ୍ରାପ୍ତ ଜୈବମଣ୍ତଳ ମଧ୍ୟରୁ ଅନ୍ୟତମ। ଏଠି ଲାଗିଥିବା ନିଆଁର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କରନ୍ତି।

ଆମାଜନ ବର୍ଷା ବନ ବିଶ୍ବ ପରିବେଶ ସନ୍ତୁଳନ କ୍ଷେତ୍ରରେ ବିଶେଷ ମହତ୍ବ ରଖେ। ବିଶ୍ବର ସମୁଦାୟ ବୃକ୍ଷଲତା ଓ ଜୀବଜନ୍ତୁ ସମ୍ପଦ ମଧ୍ୟର ଏକ ତୃତୀୟାଂଶ ଏହି ଜଙ୍ଗଲରେ ରହିଛି। ପ୍ରାୟ ୧୬ହଜାର ପ୍ରଜାତିର ୩୯୦ ବିଲିଅନ (୧ ବିଲିଅନ ହେଉଛି ୧୦୦ କୋଟି)ସ˚ଖ୍ୟକ ବୃକ୍ଷଲତା ଏହି ଜଙ୍ଗଲରେ ଥିବାର ଅନୁମାନ କରାଯାଏ।

ଆମାଜନ ବର୍ଷା ବନ ଜୈବ ବିିବିଧତାରେ ଭରା। ଏଠାରେ ପୃଥିବୀର ସମୁଦାୟ ବୃଷ୍ଟିଜନିତ ମଧୁର ଜଳ ସ˚ପଦର ଏକ ପଞ୍ଚମା˚ଶ ରହିଛି। ଆମାଜନ ଜଙ୍ଗଲ ବାୟୁମଣ୍ତଳକୁ ଯୋଗାଉଥିବା ଅମ୍ଳଜାନର ପରିମାଣ ଦୃଷ୍ଟିରୁ ଏହାକୁ ପୃଥିବୀର ଫୁସଫୁସ ବୋଲି କୁହାଯାଏ। ଆମାଜନ ନିଆଁର ପ୍ରଭାବ ନେଇ ବିଶ୍ବ ସ୍ତରରେ ସ୍ବାଭାବିକ ଭାବେ ବେଶ୍‌ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। କାରଣ ବିଶ୍ବର ମୋଟ୍‌ ଜଙ୍ଗଲର ୨୦ ପ୍ରତିଶତ ଆମାଜନ ଅବବାହିକାରେ ହିଁ ରହିଛି। ଏହାଛଡ଼ା ବିଶ୍ବର ସମଗ୍ର ଭୂଭାଗର ୪ ଭାଗ ଏହି ଅଞ୍ଚଳରେ ରହିଛି।

ଜୀବଜନ୍ତୁଙ୍କର ଜୀବନ ଶୈଳୀ ଉପରେ ଜଙ୍ଗଲର ଗଭୀର ପ୍ରଭାବ ଥାଏ। ଜଙ୍ଗଲ କ୍ଷୟ ହେଲେ ବାୟୁମଣ୍ତଳରେ ଅମ୍ଳଜାନ ପରିମାଣରେ ହ୍ରାସ ଘଟେ। ଋତୁଚକ୍ରରେ ଅନିୟମିତତା ଦେଖାଯିବା ହେତୁ ଫସଲ ଅମଳରେ ତାରତମ୍ୟ ଦେଖାଦିଏ। କେବଳ ସେତିକି ନୁହେଁ, ମଣିଷ ଓ ଜୀବଜନ୍ତୁ ବିଭିନ୍ନ ବ୍ୟାଧିରେ ପୀଡିତ ହୁଅନ୍ତି। ପ୍ରାଣୀମାନଙ୍କ ପ୍ରଜନନ ପ୍ରକ୍ରିୟା ମଧ୍ୟ ନକରାତ୍ମକ ଭାବରେ ପ୍ରଭାବିତ ହୁଏ। ସେହି ଦୃଷ୍ଟିରୁ ଆମାଜନ ଜଙ୍ଗଲରେ ନିଆଁର ଗଭୀର ପ୍ରଭାବ ପୃଥିବୀ ଉପରେ ପଡ଼ିବାର ଆଶଙ୍କା କରାଯାଉଛି।

ଆମାଜନର ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ରୂପେ ମନୁଷ୍ୟକୃତ। ସେଠାକାର ରାଷ୍ଟ୍ରପତି ବୋଲସାନାରୋଙ୍କ ପରୋକ୍ଷ ସାହସ ପାଇ ଜଙ୍ଗଲ ନିକଟରେ ଥିବା ସ୍ଥାନୀୟ ଲୋକମାନେ ନିଆଁ ଲଗାଉଛନ୍ତି। କାରଣ ଏହା ଦ୍ବାରା ଅଧିକରୁ ଅଧିକ ଚାଷଜମି ଓ ଗୋଚାରଣ ଭୂମି ସୃଷ୍ଟି ହେବ। ତେବେ, ରାଷ୍ଟ୍ରପତି ବୋଲସାନାରୋଙ୍କ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସମେତ ଗ୍ରୁପ୍‌-୭ର ସଦସ୍ୟ ରାଷ୍ଟ୍ର ଯେମିତି କି ଜର୍ମାନି, କାନାଡା, ଜାପାନ, ଇ˚ଲଣ୍ତ ଓ ଇଟାଲି ଆଦି ଦେଶର ଚାପ ଫଳରେ ସେ ନିଜ ଅନିଚ୍ଛା ସତ୍ତ୍ବେ ଅଗଷ୍ଟ ୨୪ ତାରିଖରୁ ୪୪ ହଜାରରୁ ଅଧିକ ସାମରିକ କର୍ମଚାରୀଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି। କିନ୍ତୁ ନିଆଁ ତଥାପି ଜଳୁଛି।

ଆଜି ସିନା ବ୍ରାଜିଲ ଦେଶରେ ଆମାଜନ ଜଙ୍ଗଲ ଜଳୁଛି, ଆମ ଭାରତବର୍ଷରେ ପ୍ରାୟତଃ ପ୍ରତ୍ୟେକ ବର୍ଷ ଶୀତ ଓ ଗ୍ରୀଷ୍ମ ଋତୁରେ ଅନେକ ଜଙ୍ଗଲ ବନାଗ୍ନିର ଦୁର୍ଭାଗ୍ୟ ଭୋଗ କରନ୍ତି। ପାହାଡ଼ ଉପରେ ଓ ସମତଳ ଭୂମିରେ ଥିବା ଜଙ୍ଗଲରେ ମଣିଷକୃତ ନିଆଁ ବିକଟାଳ ଆଁ କରି ସହସ୍ର ସହସ୍ର ବୃକ୍ଷଲତା ଓ ବିରଳ ଜୀବଜନ୍ତୁଙ୍କୁ ଗ୍ରାସ କରି ପକାଏ। ଏକ ତଥ୍ୟାନୁସାରେ ୨୦୧୮ ନଭେମ୍ବର ୧ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଡିଶାରେ ୫ ହଜାର ୩୩୨ଟି ଜଙ୍ଗଲ ନିଆଁ ଘଟଣା ରେକର୍ଡ କରାଯାଇଛି। ଗଲା ମାର୍ଚ୍ଚ ମାସରେ ସର୍ବାଧିକ ୪ହଜାର ୪୯୫ଟି ଜଙ୍ଗଲ ନିଆଁ ଘଟଣା ସାମ୍ନାକୁ ଆସିଥିଲା।

ଓଡ଼ିଶାରେ ଜଙ୍ଗଲ କ୍ଷୟର ପ୍ରଭାବ ବେଶ୍‌ ଗଭୀର ଭାବରେ ଅନୁଭୂତ ହେବାରେ ଲାଗିଛି। ଅତୀତରେ ଯେଉଁସବୁ ପାହାଡ଼ ସବୁଜିମାଭରା ଥିଲେ, ସେଗୁଡିକ ଏବେ ଲଣ୍ତା ପଥର ଗଦାରେ ପରିଣତ ହୋଇଛନ୍ତି। ଜଙ୍ଗଲ କ୍ଷୟ ଅନେକ ନଦୀ ଓ ଝରଣାର ମୃତ୍ୟୁର କାରଣ ହୋଇଛି। କେବଳ ସେତିକି ନୁହେଁ, ଏହି କାରଣରୁ ଅନେକ ବିରଳ ପ୍ରଜାତିର ଜଙ୍ଗଲୀ ପଶୁପକ୍ଷୀ, ସରୀସୃପ, ବୃକ୍ଷଲତା ଆଜି ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଆମ ରାଜ୍ୟର ଅପୂର୍ବ ଜଙ୍ଗଲ ସମ୍ପଦକୁ ବନାଗ୍ନି ବିପର୍ଯ୍ୟୟରୁ ବ˚ଚାଇବାକୁ ପଡ଼ିବ। ରାଜ୍ୟ ସରକାର ଏ ଦିଗରେ ଯତ୍ନବାନ ହେବା ଉଚିତ। ପରିବେଶବିତ୍‌ମାନେ କହନ୍ତି ଯେ ଏକ ଟୋଲ୍‌ ଫ୍ରି ନମ୍ବର ଜରିଆରେ ବଣ ନିଆଁର ଖବର ଦେବାର ବ୍ୟବସ୍ଥା କରାଗଲେ ବନ ବିଭାଗ ପାଖକୁ ଏ ବାବଦରେ ଖବର ଶୀଘ୍ର ପହଞ୍ଚି ପାରନ୍ତା, ଯାହା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସହାୟକ ହୁଅନ୍ତା। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଦିଗରେ କର୍ମଚାରୀମାନଙ୍କୁ ବିଶେଷ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ଏହା ସହିତ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ମଧୢ ଗୁରୁତ୍ବ ଦିଆଯିବା ଉଚିତ। ଏହା ସହିତ ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଦେଇ ଜଙ୍ଗଲ ନିଆଁ ଆୟତ୍ତ କରିବା ସକାଶେ ନିୟୋଜିତ କରିବା ଦରକାର। ଜଙ୍ଗଲ ନିଆଁ ସମସ୍ୟାର ସମାଧାନ କରିବା ଲାଗି କେବଳ ସରକାରଙ୍କ ଉପରେ ନିର୍ଭର କଲେ ଚଳିବ ନାହିଁ, ଏଥି ଲାଗି ସାଧାରଣ ଲୋକଙ୍କ ସହଯୋଗ ମଧୢ ଅତ୍ୟନ୍ତ ଜରୁରୀ।

ଆଶିୟାନ ଆପାର୍ଟମେ˚ଟ୍‌, ପଳାଶୁଣୀ, ଭୁବନେଶ୍ବର
ମୋ: ୯୪୩୯୧୭୬୮୩୬

ସମ୍ବନ୍ଧିତ ଖବର