ଅବସର ସମୟର ବନ୍ଧୁ

ଆମରି କଥା - ନାରାୟଣ ମିଶ୍ର

ଆଜିକୁ ପଚାଶ ବର୍ଷ ତଳେ ମୋ ସାଙ୍ଗରେ ରେଭେନ୍‌ସା କଲେଜରେ ପଢ଼ୁଥିବା ଓ ଡାକ୍ତର ଚାକିରିରୁ ଅବସର ନେଇଥିବା ଗୁରୁ ଦାସ ଆମ ଘରେ ପହଞ୍ଚିଲା। କଥା ପ୍ରସଙ୍ଗରେ ସେ କହିଲା ଭାଇ, ମୁଁ ବହୁତ ଖୁସିରେ ଅଛି (ଆଜିକାଲି ପ୍ରାୟ ଏଭଳି ସ୍ବୀକାରୋକ୍ତି ମିଳିବା ଅସମ୍ଭବ, କାରଣ କେମିତି ଅଛ ପଚାରିଲେ ଉତ୍ତର ମିଳେ -ହଁ ଭାଇ ଚଳିଯାଉଛି)। ଗୁରୁ କହି ଚାଲିଲା- ‘କାହିଁକି ଖୁସିରେ ଅଛି, ଜାଣିଛୁ? ମୁଁ ତିନିଟି ଜିନିଷ ଆପଣେଇଛି; ସେ ତିନିଟି ଯାକ ମୋତେ ଅଜସ୍ର ଖୁସି ପ୍ରଦାନ କରୁଛନ୍ତି। ପ୍ରଥମଟି ହେଲା ପେନ୍‌ସନ୍‌, ଦ୍ବିତୀୟଟି ମୋର ସ୍ତ୍ରୀ ଏବ˚ ତୃତୀୟଟି ତୋ ଭଳି କେତେକ ବନ୍ଧୁ। ଏକ ଲକ୍ଷ ଟଙ୍କାରୁ ଅଧିକ ପେନ୍‌ସନ ପାଉଛି। କିଛି ନିର୍ଦ୍ଦିଷ୍ଟ ଖର୍ଚ୍ଚ ନାହିଁ, ପ୍ରତିମାସରେ ଏକ ତାରିଖରେ ଟଙ୍କା ଜମା ହୋଇଯାଉଛି। ସେଥିରୁ କୋଡ଼ିଏ ହଜାର ଟଙ୍କା ସ୍ତ୍ରୀକୁ ଦେଇଦିଏ ଆଉ ଆମ କାର‌୍‌ ଓ ଡ୍ରାଇଭର ବି ତା’ କାମରେ ଆସେ। ସ୍ବାଧୀନ ଭାବରେ ମାସକୁ ସେ କି ଖର୍ଚ୍ଚ କରେ, ମୁଁ ପଚାରିବାର ଆବଶ୍ୟକତା ନ ଥାଏ। ଅବଶିଷ୍ଟ ଟଙ୍କାରୁ ଡ୍ରାଇଭର ଦରମା, ବିଜୁଳି ବିଲ. ଫ୍ଲାଟ୍‌ ମେଣ୍ଟେନାନ୍‌ସ, ଗ୍ରସେରି ଓ ମାର୍କେଟି˚ ଖର୍ଚ୍ଚ ପରେ ଯାହା ବଳେ, ସେସବୁ ସଉକିଆ ବୁଲାବୁଲି ଓ କିଣାକିଣି ଏବ˚ ଔଷଧପତ୍ର ଇତ୍ୟାଦିରେ ଖର୍ଚ୍ଚ ହୋଇଯାଏ। ବିବାହିତ ପୁଅ ଏବ˚ ଝିଅ ପ୍ରତିଷ୍ଠିତ ହେତୁ ମୋ ପେନ୍‌ସନ୍‌ ଆଡେ଼ ଆଖି ପକାନ୍ତି ନାହିଁ।

ଦ୍ବିତୀୟ ଖୁସି ହେଲା ମୋ ସ୍ତ୍ରୀ। ମୁଁ ଜାଣେ ଏବ˚ ସେ ବି ଜାଣେ ଯେ ତା’ ଭାଇଭଉଣୀ ଏବ˚ ମୋ ଭାଇଭଉଣୀ ଇତ୍ୟାଦି ଯେଉଁମାନଙ୍କୁ ମଣିଷ କରିବାରେ ଆମର ଝାଳବୁହା ଧନରୁ ସି˚ହଭାଗ ଖର୍ଚ୍ଚ ହୋଇସାରିଛି ସେମାନଙ୍କ ମଧୢରୁ ସମସ୍ତେ ଆମକୁ ଚିତାକାଟି ତାଙ୍କ ବାଟରେ ଅଛନ୍ତି। କେବଳ ଭାଇଭଉଣୀ, ଶଳା, ଶାଳୀ ନୁହଁନ୍ତି ଭଣଜା ଭାଣିଜୀ ଓ ପୁତୁରା ଝିଆରୀ ମଧୢ ଆମ ଦ୍ବାର ମାଡ଼ନ୍ତି ନାହିଁ। ଈଶ୍ବରଚନ୍ଦ୍ର ବିଦ୍ୟାସାଗର କହିଥିଲେ- ଉପକାର ପାଇଥିବା ଲୋକ ହିଁ କୃତଘ୍ନ ହୁଅନ୍ତି। ଏବେ ଟିକିଏ ଅଟକି ଗୁରୁ କହିଲା- ବୁଝିଲ ମିଶ୍ରେ, ଏଇ ଯେଉଁ ଚାଳିଶ ପଇଁଚାଳିଶ ବର୍ଷ ତଳର ବିବାହ ଯୋଗୁ ଗୋଟେ ଲେଖାଁ ସ୍ତ୍ରୀ ଆମେ ପାଇଛେ, ସେମାନେ ଆମ ପରିବାର ପାଇଁ ଅନେକ କଷ୍ଟ ସହିଛନ୍ତି। ଆଜିକାଲିକା ପୁଅଝିଅଙ୍କ ଭଳି ‘ଆଜି ବିବାହ କାଲି ଛାଡ଼ପତ୍ର’ କଥା ସେମାନେ ଚିନ୍ତା ବି କରିନାହାନ୍ତି। ନିଜ କୃତଘ୍ନ ଭାଇମାନଙ୍କୁ ସେ ଛାଡ଼ିଛନ୍ତି ଓ ମୁଁ ବି ଛାଡ଼ିଛି। ଆମ ବେଳର ବିବାହିତ ସ୍ତ୍ରୀମାନଙ୍କ ମନରେ ଆଧୢାତ୍ମିକ ଭାବ ଯୋଗୁଁ ଆମମାନଙ୍କୁ ସେମାନେ ଠିକ୍‌ ବାଟରେ ନେଇ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଏବେ ଯୌବନ ଚାଲି ଯାଇଥିଲେ ବି ଆମେ ପରସ୍ପର ପ୍ରତି ହୃଦୟଭରା କୃତଜ୍ଞତା ଜ୍ଞାପନ କରି ଚାଲିଛେ। ପତ୍ର ଝଡ଼ିବା ସମୟ ପାଖେଇ ଆସିଲାଣି, ତେଣୁ ଆକର୍ଷଣ ଅଧିକା ହେବା ସ୍ବାଭାବିକ।

ଗୁରୁ କହି ଚାଲିଥାଏ ଆଉ ଆମେ ଶୁଣୁଥାଉ। ତା’ପରେ ତୃତୀୟ ଭଲ ପାଇବା ଜିନିଷଟି ହେଲା- ‘‘ବନ୍ଧୁ’’। ହାତଗଣତି କିଛି ଭଲ ବନ୍ଧୁ ଥିବା ଯୋଗୁ ବହୁ ଦୁଃଖ ଭରା ସମୟ ବେଳେ ବନ୍ଧୁ ଆଶ୍ବାସନା ଦିଅନ୍ତି। ଏତେ କଥା ଶୁଣିବା ପରେ ମୁଁ କହିଲି- ‘ସତ କଥା, ବନ୍ଧୁଟିଏ ଭଲ ପାଇଥିଲେ ଦୁଃଖ ସମୟରେ କୁଆଡ଼େ ପଳାଇ ଯିବା ବା ଆତ୍ମହତ୍ୟା କରିବା ଚିନ୍ତାରୁ ମୁକ୍ତି ମିଳେ।’ ପ୍ରକୃତ ବନ୍ଧୁ କିଏ ଜାଣିବା ପାଇଁ ଶ୍ରୀ ଚୈତନ୍ୟ ଦେବଙ୍କ କଥା ମନେ ପଡ଼ିଲା। ଶ୍ରୀ ଚୈତନ୍ୟ ନିଜର ଅନ୍ତରଙ୍ଗ ବନ୍ଧୁ ରଘୁନାଥ ପଣ୍ତିତଙ୍କ ସହ ଥରେ ନୌକାଭ୍ରମଣରେ ଯାଇଥିବା ବେଳେ ନିଜ ଲିଖିତ ଏକ ଲେଖା ପଢ଼ି ରଘୁନାଥଙ୍କୁ ଶୁଣାଇଲେ। ମାତ୍ର ଅଳ୍ପ କେଇପଦ ଶୁଣିବା ପରେ ରଘୁନାଥଙ୍କ ଆଖିରୁ ଲୁହ ବହିବା ଦେଖି ଶ୍ରୀ ଚୈତନ୍ୟ ତା’ର କାରଣ ପଚାରିଲେ। ବିନା ଦ୍ବିଧାରେ ରଘୁନାଥ ପଣ୍ତିତ କହିଲେ- ‘‘ମୁଁ ବି ଏଇ ବିଷୟ ଉପରେ ଏକ ଲେଖା ଲେଖିଛି; କିନ୍ତୁ ମୋ ଲେଖା ତୁଳନାରେ ତୁମ ଲେଖା ଅଧିକ ଉନ୍ନତ ଲାଗୁଛି। ତେଣୁ ମୋ ଲେଖା କେହି ପଢ଼ିବେ ନାହିଁ। ତୁମ ଲେଖାର ଯଥେଷ୍ଟ ଆଦର ହେବ, ଏଥିପାଇଁ ଆଖିରୁ ଦି’ଟୋପା ଲୁହ ବୋହି ଆସିଲା।’ ଶ୍ରୀ ଚୈତନ୍ୟ କହିଲେ- ‘‘ଏଇ ସାମାନ୍ୟ କଥାରୁ ତୁମେ ଦୁଃଖ କାହିଁକି କରୁଛ; ଏଇ ଦେଖ ମୁଁ କ’ଣ କରୁଛି! ବନ୍ଧୁ ସବୁବେଳେ ବନ୍ଧୁ ହୋଇ ରହିବା ଦରକାର-’ ଏତିକି କହି ଶ୍ରୀ ଚୈତନ୍ୟ ତାଙ୍କ ଲିଖିତ ସମ୍ପୂର୍ଣ୍ଣ ପାଣ୍ତୁଲିପିକୁ ନଦୀ ଗର୍ଭକୁ ଫିଙ୍ଗି ଦେଲେ। ରଘୁନାଥ ପଣ୍ତିତ ସତ କଥା କହି ଦେଇଥିବାରୁ ନିଜକୁ ଅନେକ ଧିକ୍‌କାର କଲେ ସତ, କିନ୍ତୁ ସେତେବେଳକୁ ପ୍ରକୃତ ବନ୍ଧୁତା ତା’ର ନିଦର୍ଶନ ଦେଖାଇ ସାରିଥିଲା। ଏ ପ୍ରସଙ୍ଗରେ ଉଦ୍ଧବ-ଗୀତା ପଢ଼ିବା ନିହାତି ଦରକାର।

ଉଦ୍ଧବ ଥରେ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ପ୍ରକୃତ ବନ୍ଧୁ କିଏ? ଶ୍ରୀକୃଷ୍ଣ କହିଲେ- ‘ବିପଦରେ ପଡ଼ିଥିବା ବେଳେ ବନ୍ଧୁଙ୍କୁ ଯିଏ ବିନା ନିମନ୍ତ୍ରଣରେ ପହଞ୍ଚି ସାହାଯ୍ୟ କରେ, ସେ ହିଁ ପ୍ରକୃତ ବନ୍ଧୁ।’ ଉଦ୍ଧବ କହିଲେ- ‘ଠିକ୍‌ କଥା, ତୁମେ ତ ପାଣ୍ତବମାନଙ୍କ ସଖା ଥିଲ, ତେବେ ପଶାଖେଳରେ ହାରି ପାଣ୍ତବମାନେ ବନବାସ ଗଲାବେଳେ ତୁମେ ତୁମ ଆଡ଼ୁ ସାହାଯ୍ୟ କଲ ନାହିଁ କାହିଁକି? ଦ୍ରୌପଦୀଙ୍କୁ ରାଜସଭାରେ ଏତେ ଅପମାନିତ କରାଯାଉଥିବା ବେଳେ ବିବସ୍ତ୍ର ଗରାଗଲା ବେଳ ଯାଏ ଅପେକ୍ଷା କରିବା କି ପ୍ରକାର ବନ୍ଧୁତାର ନିଦର୍ଶନ?’’ ଶ୍ରୀକୃଷ୍ଣ କହିଲେ- ‘ଉଦ୍ଧବ, ଶୁଣ! ଯୁଧିଷ୍ଠିର ମୋତେ ପଶାଖେଳ ନିଷ୍ପତ୍ତି ବିଷୟରେ ଜଣାଇ ନ ଥିଲେ, ବର˚ କହିଥିଲେ, ‘ମୁଁ ନ କହିବା ପର୍ଯ୍ୟନ୍ତ ତୁମେ ସଭାଗୃହକୁ ଯିବ ନାହିଁ।’ ତଥାପି ମୁଁ ସଭାଗୃହର ଦ୍ବାର ଦେଶରେ ଅଦୃଶ୍ୟ ଭାବେ ତାଙ୍କ ଡାକିବାକୁ (ଅନୁମତିକୁ) ଅପେକ୍ଷା କରିରହିଥିଲି। ପଶାଖେଳ ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ ମଧୢରେ ହେବା କଥା, ଦୁର୍ଯ୍ୟୋଧନ ନିଶ୍ଚିତ ହାରିଥା’ନ୍ତେ। କିନ୍ତୁ ଦୁର୍ଯ୍ୟୋଧନଙ୍କ ତରଫରୁ ଯେତେବେଳେ ଗାନ୍ଧାରରାଜ ଶକୁନି ଖେଳିବେ ବୋଲି ଦୁର୍ଯ୍ୟୋଧନ ପ୍ରସ୍ତାବ ଦେଲେ, ସେତେବେଳେ ଯୁଧିଷ୍ଠିର ଯଦି କହିଥା’ନ୍ତେ- ‘ମୋ ତରଫରୁ ଶ୍ରୀକୃଷ୍ଣ ଖେଳିବେ’, ତେବେ ପଶାଖେଳ ହେବା ନିଶ୍ଚିତ ବନ୍ଦ ହୋଇଯାଇଥା’ନ୍ତା। ଯୁଧିଷ୍ଠିରଙ୍କର ନିଜ ପଶାଖେଳର ଜ୍ଞାନ ଉପରେ ଏତେ ଭରସା ଥିଲା ଯେ ସେ ସେଥିରେ ରାଜି ହୋଇଗଲେ। ମୁଁ ତ ମନକୁ ମନ ବିନା ଅନୁମତିରେ ରାଜସଭାକୁ ଯାଇପାରିବି ନାହିଁ ବୋଲି ଯୁଧିଷ୍ଠିର ଆଦେଶ କରିଛନ୍ତି; ତେଣୁ ବାଧୢ ହୋଇ ଯେଉଁଠି ଥିଲି ସେଇଠି ରହିଲି।

ଆଉ ରହିଲା ଦ୍ରୌପଦୀଙ୍କ କଥା। ଦ୍ରୌପଦୀ ଭାବିଥିଲେ ଯେ ତାଙ୍କୁ ଦୁଃଶାସନ ଘୋଷାରି ଘୋଷାରି ସଭା ମଧୢକୁ ଆଣିବା ଦେଖିଲେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ ଏପରିକି ମହାରାଜ ଧୃତରାଷ୍ଟ୍ର ରାଗି ତାଙ୍କୁ ଛାଡ଼ି ଦେବାକୁ ନିଶ୍ଚୟ କହିବେ। ସେପରି ହେଲା ନାହିଁ। ତା’ପରେ ଦ୍ରୌପଦୀ ଭୀଷ୍ମ, ଦ୍ରୋଣ, ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ, ଯୁଧିଷ୍ଠିର ଇତ୍ୟାଦି ସମସ୍ତଙ୍କୁ ଧର୍ମ ଓ ନୀତି କଥା କହି ତାଙ୍କୁ ଏପରି କରିବା ଅନ୍ୟାୟ ବୋଲି କହି ହାତ ଯୋଡ଼ି ପ୍ରାର୍ଥନା କଲେ। ସେ ଭାବିଥିଲେ କେହି ଜଣେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସେମିତି କିଛି ହେଲା ନାହିଁ। ସମ୍ପୂର୍ଣ୍ଣ ରାଜସଭା ନିରବ ଦେଖି ଓ ଦୁଃଶାସନକୁ ଏକୁଟିଆ ବିରୋଧ କରିବା ଅକାରଣ ଜାଣି ଦ୍ରୌପଦୀ ଯେତେବେଳେ ପିନ୍ଧା ଲୁଗା ଛାଡ଼ିଦେଇ ଉପରକୁ ହାତ ଟେକି କହିଲେ: ‘ଗୋବିନ୍ଦ ଦ୍ବାରକାବାସିନ୍‌ କୃଷ୍ଣ ଗୋପୀଜନପ୍ରିୟ

କୌରବୈଃ ପରିଭୂତା˚ ମା˚ କି˚ ନ ଜାନାସି କେଶବ ,
ହେ ନାଥ ହେ ରମାନାଥ ବ୍ରଜନାଆର୍ତ୍ତିନାଶନ
କୌରବାର୍ଣ୍ଣବମଗ୍ନା˚ ମାମୁଦ୍ଧରସ୍ବ ଜନାର୍ଦ୍ଦନ।’

ଏତିକି ଶୁଣି ମୁଁ ତତ୍‌କ୍ଷଣାତ୍‌ ସାହାଯ୍ୟ କରିବାକୁ ବାଧୢ ହେଲି। ଏହା ଛଡ଼ା ମୁଁ ମଧ୍ୟ ଦୀନବନ୍ଧୁ। ଦୁଃଖରେ ଯେ କୌଣସି ଜୀବ ଆର୍ତ୍ତନାଦ କଲେ ମୁଁ କାଳବିଳମ୍ବ ନ କରି ତାକୁ ଉଦ୍ଧାର କରେ। ବନ୍ଧୁତାର ଛଅଟି ଲକ୍ଷଣ ଅଛି।
ପଦାତି, ପ୍ରତିଗୃହ୍ନାତି, ଗୃହ୍ୟ˚ ଆଖ୍ୟାତି ପ୍ରଚ୍ଛତି
ଭୁକ୍ତେ ଭୋଜୟତେ ଚୈବ ଷଡବିଧ˚ ପ୍ରୀତି ଲକ୍ଷଣ˚
ଅର୍ଥାତ ଦେବା, ଗ୍ରହଣ କରିବା, ଗୋପନ କଥା କହିବା ଓ ପଚାରିବା, ଖାଇବା ଓ ଖୁଆଇବା- ଏଇ ଛଅଟି ହେଉଛି ପ୍ରେମ ବା ବନ୍ଧୁତ୍ବର ଲକ୍ଷଣ।

ଗୁରୁର ମୋବାଇଲରେ ଘରୁ ଡାକରା ଆସିବାରୁ ସେ ଚାଲିଗଲା ତା ପରେ ମୁଁ ଭାବୁଥିଲି- ଗୁରୁ ଠିକ୍‌ କଥା କହୁଥିଲା।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର