ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା, ତାହାକୁ ଗୋପାଳ ଦାସ (ଉଡ଼େ), ବାଲେଶ୍ବରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ବିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନ ସୁନ୍ଦର ଦେବ ଗୋସ୍ବାମୀ, ଲୋକନାଟ୍ୟ ପରମ୍ପରାକୁ ଭିତ୍ତିକରି ଗୀତାଭିନୟ ରଚନାରେ ପ୍ରବୃତ୍ତ ହେଲେ। ଏତିକିବେଳେ ଓଡ଼ିଶାର ଅନ୍ୟ ଜଣେ ଯୋଗଜନ୍ମା ପୁରୁଷ ବୈଷ୍ଣବ ପାଣି ଆଉ ଟିକେ ଆଗକୁ ପାଦ ପଢ଼ାଇ ଓଡ଼ିଶା ଯାତ୍ରା ଜଗତରେ ଲୋକନାଟକର ବିକାଶ ପାଇଁ ଆଗେଇ ଆସିଲେ। ପାରମ୍ପରିକ ଲୋକନାଟକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନଗ୍ନତା ଓ ଅଶ୍ଳୀଳତାକୁ ଦୂରେଇ ଦେଇ ନୂଆ ରୂପରେ ବିିଭିନ୍ନ ନାଟକ ରଚନା କରି ଯାତ୍ରା ଜରିଆରେ ଲୋକମାନଙ୍କର ଆଦରଣୀୟ ହେଲେ। ସେହି ପ୍ରଥିତଯଶା ପ୍ରତିଭାଧରଙ୍କ ଜନ୍ମ ୧୮୮୨ କୁମାର ପୂର୍ଣ୍ଣିମା ଗୁରୁବାର ରାତ୍ରିରେ ହୋଇଥିଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ। ଜନ୍ମ ସମୟରୁ ପୁତ୍ର ରୋଗଗ୍ରସ୍ତ ହେତୁ ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦ ଦେବୀ, ଶ୍ରୀଜଗନ୍ନାଥଙ୍କ ବଡ଼ଛତା ତଳେ ପୁଅକୁ ବୈଷ୍ଣବ କରି ଦେଇଥିଲେ। ସେହିଦିନଠାରୁ ସେ ବୈଷ୍ଣକ ପାଣି ରୂପେ ପରିଚିତ।
କୋଠପଦା ମଠାଧୀଶ ମହନ୍ତ ରଘୁନାଥ ପୁରୀ ଗୋସ୍ବାମୀଙ୍କ ଇଷ୍ଟଦେବ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଫୁଲ ତୋଳିବା କାର୍ଯ୍ୟ ମାଳି ଭାବରେ, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଯାତ୍ରା ଦଳରେ ଗୋଟିପୁଅ ନାଚୁଆ ଓଡ଼ିଆ ସାହିତ୍ୟ ଜଗତରେ ଶତାଧିକ ଗୀତିନାଟକ ରଚନା କରି ବଙ୍ଗ, ବିହାର, ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକାଧାରରେ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, ହାସ୍ୟରସିକ, ସମାଜ ସଂସ୍କାରକ ସର୍ବୋପରି ଯାତ୍ରା ଦଳ ଗଠନରେ ଏକ ପ୍ରଚଣ୍ଡ ପ୍ରତିଭା ରୂପେ ଛିଡ଼ା ହୋଇଥିଲେ। ତେଣୁ ସେ ଏକ ବିସ୍ମୟ। ଜୀବନଯାତ୍ରାରେ ପ୍ରତିଟି ମୁହୂର୍ତ୍ତରେ ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଅଭାବ ଅନଟନ ଭିତରେ ଗତି କରି ପ୍ରକୃତି, ସଂସ୍କୃତି ଓ ମାଟି ମାଆକୁ ଭଲ ପାଉଥିବା ଏହି ସାହିତ୍ୟ କାଣ୍ଡାରି ଆଜନ୍ମ ଜୀବନ ସଂଗ୍ରାମରେ ଜଣେ ନିଃସଙ୍ଗ ଯୋଦ୍ଧା ଭାବରେ ଅବିରତ ସଂଗ୍ରାମ କରି କ୍ଷତବିକ୍ଷତ ହୋଇ ନିଷ୍ଠାପର ଉଦ୍ୟମ, ଏପରିକି ଜୁଳୁଜୁଳିଆ ପୋକକୁ ବୋତଲରେ ପୂରାଇ ପାଠ ପଢ଼ି ନିଜର ସୃଜନଶୀଳତାକୁ ଶକ୍ତ କରି ନିଜକୁ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ପାରମ୍ପରିକ ବିଚାରଧାରା, ସଂସ୍କୃତିମୁଖୀ, ନିଜସ୍ବ ମଞ୍ଚସଜ୍ଜା, ସ୍ବର ସଂଯୋଜନା, ନିର୍ଦ୍ଧିଷ୍ଟ କାବ୍ୟ ଉପରେ ପର୍ଯ୍ୟବସିତ। ପାଣିଙ୍କ ଅନେକ ଗୀତିନାଟ୍ୟ ୧୯୨୬ ରୁ ୧୯୩୭ ମସିହା ମଧ୍ୟରେ ସୃଷ୍ଟ। ତାଙ୍କ ରଚନାଗୁଡ଼ିକ ଲୋକପ୍ରିୟ ହେବାର କାରଣ- (୧) ବିଷୟବସ୍ତୁ ନିର୍ବାଚନରେ ନୂତନତ୍ବ, (୨) ପୌରାଣିକ, ସାମାଜିକ, କାଳ୍ପନିକ, ରାଜନୈତିକ, ଐତିହାସିକ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ, (୩) ସରଳ, ବୋଧଗମ୍ୟ, ବାସ୍ତବଧର୍ମୀ, (୪) ଦେଶାତ୍ମବୋଧ ଜାତୀୟ ଚେତନାକୁ ଉଦ୍ବୁଦ୍ଧ କରେ, (୫) ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମ୍ୟ ଜୀବନ ଉପରେ ଆଧାରିତ, (୬) ଚରିତ୍ର ଚିତ୍ରଣରେ ବାସ୍ତବତା, (୭) ଲୋକଭାଷା ଓ ଲୋକଶୈଳୀର ପ୍ରୟୋଗ, (୮) ହାସ୍ୟରସ ପରିବେଷଣରେ ମାର୍ଜିତ ଓ କୌତୂହଳପ୍ରଦ ଘଟଣା ଉପସ୍ଥାପନ, (୯) ବ୍ୟକ୍ତିତ୍ବ ଓ ସ୍ପଷ୍ଟବାଦିତା ପ୍ରକାଶିତ।
ଜୀବନକାଳ ମଧ୍ୟରେ ତାଙ୍କ ସୃଷ୍ଟି ସମ୍ଭାରଗୁଡ଼ିକ ଯାହାକି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ଏବଂ ପ୍ରକାଶିତ ତାହା ହେଲା ଗୀତାଭିନୟ ଗୀତିନାଟକର ସଂଖ୍ୟା ହାରାହାରି ଏକ ଶହରୁ ଉର୍ଦ୍ଧ୍ବ। ସେଗୁଡ଼ିକ ମଧ୍ୟରେ ରହିଛି ୧୯ଟି ଫାର୍ସ ସଙ୍ଗୀତ, ଭଜନ, ଜଣାଣ, ଚଉତିଷା, ୬୫ଟି ମାଳିକା କାବ୍ୟ ଏବଂ ୭ଟି ଗଦ୍ୟରଚନା ଓ ଆତ୍ମକାହାଣୀ।
ଡ.ମାୟାଧର ମାନସିଂହ ସ୍ବର୍ଗତ ପାଣିଙ୍କୁ ସମାଜ ସଂସ୍କାରକ ରୂପେ ଓ ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କୁ ‘ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ’ ରୂପେ ଅଭିହିତ କରିଛନ୍ତି। ପାଣିଙ୍କର ଅନ୍ତିମ ଜୀବନ ଥିଲା କାରୁଣ୍ୟମୟ। ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଏହି ଅନନ୍ୟ ସାଧାରଣ ବହୁମୁଖୀ ପ୍ରତିଭାଙ୍କ ପାର୍ଥିକ ଶରୀର ଲୀନ ହେଲା କରାଳ ଗର୍ଭରେ। ଆତ୍ମୀୟସ୍ବଜନ କେହି ନ ଥିଲେ ପାଖରେ, ଥିଲେ ହାତଗଣତି କେଇଜଣ ସାହିତ୍ୟପ୍ରେମୀ। ସେମାନେ ମରଶରୀରକୁ ଠେଲାଗାଡ଼ି ସାହାଯ୍ୟରେ ଖାନ୍ନଗର ମଶାଣିକୁ ନେଇ ଶେଷକୃତ୍ୟ ସଂପନ୍ନ କରିଥିଲେ। ଯେତେ ଦିନ ଓଡ଼ିଆ ଜାତି ବଞ୍ଚିରହିଥିବ, ସେ ପର୍ଯ୍ୟନ୍ତ ସେହି ବହୁମୁଖୀ ପ୍ରତିଭା ଓଡ଼ିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ, ଜାତିର ହୃଦୟରେ ଅମୂଲ୍ୟ ସଂପଦ ରୂପେ ସାଇତା ହୋଇ ରହିଥିବେ ।
ବରିଷ୍ଠ ସାମ୍ବାଦିକ
ମୋ-୯୪୩୭୪୮୪୧୨୫