ଜର୍ମାନ୍‌ ଭାଇନାଙ୍କ ଜନ୍ମଦିନରେ

ପ୍ରଦୋଷ ମିଶ୍ର

ପାଖରେ ଥିଲେ କେହିକେହି ଖୁବ୍ ଭଲ ପାଉଥିବାର ପ୍ରମାଣ ଅବଶ୍ୟ ଥାଇପାରେ, କିନ୍ତୁ ଦୂରରେ ରହି, ପରିଚୟ ନ ଥାଇ, ଅଜଣା ଭାବରେ କେହି ଜଣେ ଆପଣାର ମଣିଷଟିଏ ଯେ ଥାଏ, ତାହା ନିଶ୍ଚିତ ଭାବରେ ଅନେକ ଉପଲବ୍‌ଧି କରି ସାରିଥିବେ। ଆମର ଅଜଣାତରେ ସେ ଆମକୁ ଜାଣନ୍ତି, ଚିହ୍ନନ୍ତି ଆଉ ଖୁବ୍ ଭଲପାଆନ୍ତି ବି। ତାଙ୍କର ହୃଦୟର ମହାନ ଦୃଷ୍ଟିରେ ସେ ଆମକୁ ସବୁବେଳେ ଦେଖୁଥାଆନ୍ତି। କେବଳ ଲୋକ ଦେଖାଣିଆ କାମ କରି, ବାଃ ବାଃ ନେଇଗଲେ କେହି ମହାନ ହୋଇଯାଏ ନାହିଁ। ମଣିଷ ପାଇଁ ସେଇ ଲୋକ ହିଁ ଆତ୍ମୀୟ ହୋଇଥାଏ, ଯିଏ ତାକୁ ଭଲପାଏ, ସ୍ନେହ କରେ, କେବେକେବେ ମନେପକାଇ ଦୁଇପଦ କଥାହୁଏ; ଯାହା ପାଖରୁ ଆଡ଼ମ୍ବରପୂର୍ଣ୍ଣ କଥା, ଗର୍ବ, ଅହଂକାରରେ ଭରିଥିବା ସ୍ୱରର ବାସ୍ନା ନଥାଇ, ଥାଏ ଆଶ୍ୱାସନା ଏବଂ ଆଗକୁ ବଢ଼ିବାର ପ୍ରେରଣା। ସେଭଳି ଜଣେ ବିରଳ ବ୍ୟକ୍ତି ଆମର ପ୍ରିୟ ଜର୍ମାନ୍‌ ଭାଇନା ଡକ୍ଟର (ଇଂଜିନିୟର) ରାଜେନ୍ଦ୍ର ନାରାୟଣ ଦାସ।

ଦିନରେ ହେଉ କି ରାତିରେ, ବେଳରେ ହେଉ କି ଅବେଳରେ, ଅଚାନକ ବିଦେଶରୁ ଫୋନ କଲ୍‌ଟିଏ, ଆଶା କରିପାରୁ ନଥିବା ବ୍ୟକ୍ତି ପାଖରୁ ଯଦି ଆସିଯାଏ ପଦେ ମଧୁର କଥା ଶୁଭେ, ‘କେମିତି ଅଛ?’, ତେବେ କେମିତି ଲାଗିବ କହନ୍ତୁ ତ? ସେ କହୁଥିବେ, ‘ମୁଁ ରାଜେନ୍ଦ୍ର କହୁଛି ଜର୍ମାନୀରୁ। ତମର ଓଡ଼ିଆ ଭାଇଟାଏ ପରା। ଜାଣି ପାରୁନ?’ ଆପଣ ନିଶ୍ଚୟ ଅବାକ୍ ହୋଇଯିବେ। ବିଶ୍ୱାସ କରିବେନି। ଜର୍ମାନ କେଉଁଠି, ଆଉ ମୁଁ କେଉଁଠି? ଏ ବ୍ୟକ୍ତି ମତେ ଜାଣିଲେ କିପରି? କିଛି ସମୟ ଚୁପ୍ ରହିଯିବେ। ପେଟ ପୂରିଯିବ ସେଇ ପଦେ କଥାରେ, ଅଜାଡ଼ି ହୋଇ ପଡୁଥିବ ଆଶୀର୍ବାଦ, ସ୍ନେହର ବାରିଧାରା।

ଜର୍ମାନ ଭାଇନାଙ୍କୁ କିଏ ବା ନ ଜାଣେ? ତାଙ୍କର ସ୍ତମ୍ଭ ପଢ଼ି କିମ୍ବା ଅନ୍ୟଠାରୁ ତାଙ୍କ କଥା ଦୁଇପଦ ଶୁଣି ତାଙ୍କ ବିଷୟରେ ସଭିଏଁ ଅବଗତ। କେହି କେହି ତ ତାଙ୍କ ଆଲେଖ୍ୟକୁ ‘ବିଦେଶୀ ମଣିଷର ସ୍ୱଦେଶୀ ସ୍ତମ୍ଭ’ର ଆଖ୍ୟା ଦେଇଥାଆନ୍ତି। ସ୍ୱଦେହରେ ରହନ୍ତି ଜର୍ମାନୀରେ, ମନ କିନ୍ତୁ ଥାଏ ଓଡ଼ିଶାରେ। ତାଙ୍କୁ ‘ଖାଣ୍ଟି ଓଡ଼ିଆ’ କହିଲେ ଭୁଲ୍‌ ହେବନି। ଓଡ଼ିଆମାନଙ୍କ ସହିତ କଥା ହେଲାବେଳେ ତାଙ୍କ ପାଟିରୁ ପଦେ ବି ଅନ୍ୟ ଭାଷା ବାହାରେନି। ତାଙ୍କର ଚାଲିଚଳନ, ହାବଭାବରେ ବି ଓଡ଼ିଶାର ଛାପ। ଦୀର୍ଘ ବାଷଠି ବର୍ଷ ଜର୍ମାନୀରେ ରହିଲେ ବି, ମାତୃଭାଷା କିମ୍ବା ମା’କୁ ସେ ଭୁଲିନାହାନ୍ତି। ତାଙ୍କର ପିଲାମାନେ ଜନ୍ମ ନେଲେ ଜର୍ମାନୀରେ। ହୁଏତ ସେମାନେ ଓଡ଼ିଶାକୁ ଆସିବାର ସୁଯୋଗ ପାଉନଥିବେ, କିନ୍ତୁ କଥା ସେମାନଙ୍କର ଓଡ଼ିଆରେ (ମୋର ଜର୍ମାନରେ ଥିଲାବେଳର ଅଭିଜ୍ଞତା)। ଆମ ରାଜ୍ୟର ଭଲ ମନ୍ଦରେ ବି ସେ ସାମିଲ। ଦୁର୍ନୀତି, ଅପକର୍ମ, ଅନ୍ୟାୟ ହେଲେ ସେ କଲମର ଖଣ୍ଡାଟିଏ ଧରି ଯୋଦ୍ଧା ବନିଯାଆନ୍ତି, ଆଉ ଭଲ କାମ କଲେ ପ୍ରଶଂସାରେ ପୋତି ପକାନ୍ତି। ଓଡ଼ିଶାର ସବୁ ଘଟଣାମାନ ତାଙ୍କର ଆଖି ଆଗରେ। ସେ ସ୍ୱପ୍ନ ଦେଖନ୍ତି ସୁନାର ଓଡ଼ିଶାର। ସେ ଯେ କେହି ହୁଅନ୍ତୁ ନା କାହିଁକି, ତାଙ୍କର ସ୍ୱର ସେଇମାନଙ୍କ ପାଇଁ ତୀକ୍ଷ୍‌ଣ ଥାଏ, ଯେଉଁମାନେ ଆଖିବୁଜି କ୍ଷୀର ପିଉଥାଆନ୍ତି, ଦୁନିଆରେ ସମସ୍ତେ ଯେଉଁମାନଙ୍କୁ ଅନ୍ଧପରି ଲାଗନ୍ତି। ଏମିତି ଆପଣାର ଲୋକଟିଏ କେଉଁଠି ମିଳିବ?

ଆଜି ସେଇ ଆପଣାର ଜର୍ମାନ ଭାଇନାଙ୍କର ଜନ୍ମଦିନ। ତାଙ୍କୁ କୋଟି କୋଟି ପ୍ରଣାମ। ସେ ଦୀର୍ଘାୟୁ ହୁଅନ୍ତୁ।

ମୋ: ୯୪୩୭୦୮୩୦୬୭

ସମ୍ବନ୍ଧିତ ଖବର