ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ।
Sambad is now on WhatsApp
Join and get latest news updates delivered to you via WhatsApp
୮୨ ବର୍ଷର ଜୀବନ। ନଭେମ୍ବର ୧୯୦୪ରୁ ୨୦୨୨। ଯେଉଁ ମାସରେ ଜନ୍ମ ସେଇ ମାସରେ ମୃତ୍ୟୁ। ହିନ୍ଦୁ ମତରେ ଏହା ଏକ ବିରଳ ସଂଯୋଗ। କ୍ଷଣଜନ୍ମା ବ୍ୟକ୍ତିତ୍ବର ମାପକାଠି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଓଡ଼ିଆ ବିଭାଗରେ ଭାଷାତତ୍ତ୍ବର ଆଚାର୍ଯ୍ୟ ଭାବରେ ଅବସର ନେଇଥିଲେ ସେ। ହେଲେ ସାହିତ୍ୟ, ସମାଲୋଚନା ଓ ଭାଷା ସମ୍ପର୍କିତ ଅନୁଶୀଳନରୁ ଅବସର ନେଇ ନଥିଲେ କେବେ। ଶେଷ ଯାଏଁ। ଶେଯରେ ପଡ଼ିଥିଲେ ବି। ଶେଷରେ ଜୀବନରୁ ଅବସର ନେଇଗଲେ ଏଇ ନଭେମ୍ବର ୧୯ ତାରିଖରେ।
କେତେ ପ୍ରବନ୍ଧ, କେତେ ପୁସ୍ତକ ରଚନା, କେତେ ପଢ଼ା, କେତେ କେତେ ଦେଶ ବୁଲା। ପଶ୍ଚିମ ଜର୍ମାନୀ, ପୂର୍ବ ଜର୍ମାନୀ (ସେତେବେଳକା), ଜର୍ମାନୀ, ବିଲାତ, ଫ୍ରାନ୍ସ, ସ୍ବିଜରଲାଣ୍ଡ, ଗ୍ରିସ୍। ପୁଣି କେତେ କେତେ ଥର। ବୁଲିବା ପାଇଁ ନୁହେଁ। ଜ୍ଞାନ ବିତରଣ ପାଇଁ, ଅାହରଣ ପାଇଁ ତପସ୍ବୀ ବୁଲିବୁଲି ଜ୍ଞାନେ ବାଣ୍ଟେ। ବିଶ୍ବବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ବୁଲିବୁଲି ଗଗନେନ୍ଦ୍ର ସାର୍ ଜ୍ଞାନ ବାଣ୍ଟୁଥିଲେ।
ରେଭେନ୍ସାରୁ ବିଏ, ଶାନ୍ତିନିକେତନରୁ ଓଡ଼ିଆରେ ଏମ୍.ଏ., ଡେକାନ୍ କଲେଜ, ପୁନାରୁ ଭାଷାତତ୍ତ୍ବରେ ଡିପ୍ଳୋମା, ଉତ୍କଳ ବିଶ୍ବବିଦ୍ୟାଳୟରୁ ଅନୁଶୀଳନାତ୍ମକ ଧ୍ବନିତତ୍ତ୍ବରେ ପିଏଚ୍.ଡି। ପୁଣି ହାଇଡେଲବର୍ଗ ବିଶ୍ବବିଦ୍ୟାଳୟ, ଜର୍ମାନୀରୁ ଅନ୍ତର୍ଜାତୀୟ ଉନ୍ମେଷନୀ ପାଠ୍ୟକ୍ରମରେ ତାଲିମ୍।
ପଢ଼େଇବା, ଲେଖିବା ଓ ଗବେଷଣା କରିବାରେ ବିତିଗଲା ସାରା ଆୟୁଷ। କାଉଁରିଆ କାଠିର ମନୋଭାବ। ଭାଙ୍ଗିବି ପଛେ ମିଛ ଆଗରେ ନଇଁବି ନାହିଁ। ଘିଅ ଦୀପପରି ଜୀବନ-ଲକ୍ଷ୍ୟ। ନିଜ ଦେହର ଘିଅ ସରିଯାଉ ପଛେ ଆଲୁଅ ଦେବି।
ତାଙ୍କ ସହ ଅନ୍ତରଙ୍ଗ ଭାବରେ ଯୋଡ଼ି ହେବାର ସୌଭାଗ୍ୟ ଲାଭ କରିଥିଲି ମୁଁ। ଫୋନ୍ ଆସେ, ‘ମେଲ୍ରେ ପଠେଇଚି। ପଢ଼ିବେ ଓ କହିବେ।’ ମୂର୍ଖ ଅକ୍ଷର ଚିହ୍ନି ପଢ଼ିଦେଇ ପାରେ, କହିବ କ’ଣ? ଯାହା କହେ ତାହା ନିଜକୁ ବି ନିଅଣ୍ଟ ଲାଗେ।
ପ୍ରଫେସର ଦାଶ କୋଟିକରେ ଥିଲେ ଗୋଟିଏ। ନିଆରା ନିଅଁା, ନିଆରା ଆଲୁଅ। ପ୍ରଣାମ୍ ସାର୍। ଯେଉଁଠି ଥାଆନ୍ତୁ, ଆଶୀର୍ବାଦ କରୁଥାନ୍ତୁ।