କ୍ରିୟାଯୋଗର ମହାନ୍ ଗୁରୁ

ସ୍ବାମୀ ଶ୍ରୀ ଯୁକ୍ତେଶ୍ୱର ଗିରିଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ

ସ୍ବାମୀ ଶ୍ରୀ ଯୁକ୍ତେଶ୍ୱର ଗିରି ଜଣେ ଆଧ୍ୟାତ୍ମିକ ଗୁରୁ ଏବଂ ସେ ‘ଯୋଗୀର ଆତ୍ମଚରିତ’ ରଚୟିତା ଶ୍ରୀଶ୍ରୀପରମହଂସ ଯୋଗାନନ୍ଦଙ୍କର ଗୁରୁ ଥିଲେ। ସ୍ବାମୀ ଶ୍ରୀ ଯୁକ୍ତେଶ୍ୱର ଗିରି ୧୦ ମେ ୧୮୫୫ ମସିହାରେ ବଙ୍ଗଳା ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ନାମ ପ୍ରିୟନାଥ କରାର ଥିଲା। ପରମଗୁରୁ ମହାବତାର ବାବାଜିଙ୍କ ନିର୍ଦ୍ଦେଶରେ ସେ ଲେଖିଥିବା ‘ଦି ହୋଲି ସାଇନ୍ସ,’ ଏକ କାଳଜୟୀ, ସର୍ବୋକୃଷ୍ଟ, ସାରଗର୍ଭକ ପୁସ୍ତକ ଯାହା ଗଭୀର ଆଧ୍ୟାତ୍ମିକ ସତ୍ୟକୁ ସଂକ୍ଷିପ୍ତ ଏବଂ ସରଳ ଭାବରେ ବର୍ଣ୍ଣନା କରି ସମସ୍ତଙ୍କ ପାଇଁ ବୋଧଗମ୍ୟ କରାଇ ପାରିଛି।

ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱରଜୀ, ତାଙ୍କର ପ୍ରମୁଖ ଶିଷ୍ୟ ଯୋଗାନନ୍ଦଜୀଙ୍କୁ ପ୍ରଦାନ କରିଥିବା ପ୍ରଶିକ୍ଷଣ ଥିଲା କଠୋର ଏବଂ ନିଖୁଣ। ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱର ତାଙ୍କୁ ଭାରତର ତଥା ବିଶ୍ୱର ଜନସାଧାରଣଙ୍କ ନିକଟରେ କ୍ରିୟାଯୋଗର ଜ୍ଞାନକୁ ଏକ ଅକଳନୀୟ ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ସକ୍ଷମ କରାଇ ପାରିଥିଲେ। ଶ୍ରୀ ଯୁକ୍ତେଶ୍ୱରଜୀ କହିଛନ୍ତି, “କ୍ରିୟା ଯୋଗ ହେଉଛି ଏପରି ଏକ ଉପକରଣ ଯାହା ମାଧ୍ୟମରେ ମାନବର ବିବର୍ତ୍ତନ ତ୍ୱରାନ୍ୱିତ ହୋଇପାରିବ।” ଏହା ଏକ ନିର୍ଦିଷ୍ଟ ବିଜ୍ଞାନ ଯାହା ମନୁଷ୍ୟକୁ ତାହାର ଶରୀର, ମନ ଓ ପ୍ରାଣର ଶୁଦ୍ଧତା ପ୍ରାପ୍ତି ନିମନ୍ତେ ସାମର୍ଥ୍ୟ ଯୋଗାଇଥାଏ ଏବଂ ପରିଶେଷରେ ଭଗବାନଙ୍କ ସହିତ ଏକାକାର ହୋଇଯିବା ପାଇଁ ଆନ୍ତରିକ ଅଭ୍ୟାସକାରୀଙ୍କୁ ସକ୍ଷମ କରାଇଥାଏ।

ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱରଜୀଙ୍କ ପରାମର୍ଶ କ୍ରମେ ଶ୍ରୀ ଯୋଗାନନ୍ଦ କ୍ରିୟାଯୋଗକୁ ପାଶ୍ଚାତ୍ୟରେ ପ୍ରସାର କରିଥିଲେ। ଶ୍ରୀ ଯୁକ୍ତେଶ୍ୱରଜୀ ତାଙ୍କୁ କ୍ରିୟାଯୋଗର ଜ୍ଞାନକୁ ବିଶ୍ୱସ୍ତ ଭାବରେ ବିସ୍ତାର କରିବାକୁ ‘ସେଲ୍ଫ ରିଅଲାଇଜେସନ ଫେଲୋସିପ୍’ ଏବଂ ‘ଯୋଗଦା ସତ୍‌ସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ’ ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ। ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱରଜୀଙ୍କର ଯୋଗାନନ୍ଦଜୀଙ୍କୁ ମାର୍ଗଦର୍ଶନ, ମୁଖ୍ୟତଃ ମାନବସମାଜକୁ ଯୋଗ ବିଷୟରେ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଏକ ନୂତନ ପଦକ୍ଷେପ ଥିଲା। ପରିଣାମତଃ ଏକ ମହାନ ଆଧ୍ୟାତ୍ମିକ ଗୁରୁ ହିସାବରେ ତାଙ୍କର ଚରମ ସଫଳତା ଓ ଆଧ୍ୟାତ୍ମିକ ଜ୍ୟୋତି ବିଭିନ୍ନ ମହାଦେଶକୁ ପରିବ୍ୟାପ୍ତ ହୋଇଯାଇଥିଲା।

ତାଙ୍କର ପ୍ରିୟ ଶିଷ୍ୟ ଶ୍ରୀ ଯୋଗାନନ୍ଦଙ୍କ ସହିତ ଶ୍ରୀ ଯୁକ୍ତେଶ୍ୱରଜୀଙ୍କ ପ୍ରଥମ ସାକ୍ଷାତ୍ ନାଟକୀୟ ଏବଂ ପ୍ରେରଣାଦାୟକ ଥିଲା। ଶ୍ରୀ ଯୋଗାନନ୍ଦଜୀ ତରୁଣ ଅବସ୍ଥାରେ ବାରାଣସୀରେ ଏକ ରାସ୍ତାର ଗଳି ନିକଟରେ ଜଣେ ଦୀର୍ଘକାୟ ଓ ଈଶ୍ବରତୁଲ୍ୟ ସନ୍ନ୍ୟାସୀଙ୍କ ଦ୍ୱାରା ଚୁମ୍ବକୀୟ ଭାବରେ ଆକର୍ଷିତ ହୋଇଥିଲେ ଏବଂ ତାଙ୍କୁ ନିଜର ବହୁଜନ୍ମରୁ ପରିଚିତ ଗୁରୁ ବୋଲି ଚିହ୍ନି ପାରିଥିଲେ। ମହାନ୍ ଗୁରୁଙ୍କ ପ୍ରଥମ ଶବ୍ଦ,“ହେ ମୋର ଆପଣାର, ତୁମେ ଆସିଛ!”, ଯେପରି ‘ଯୋଗୀର ଆତ୍ମଚରିତ’ ପୁସ୍ତକରେ ବର୍ଣ୍ଣିତ ହୋଇଛି, ତାହା ଗୁରୁ-ଶିଷ୍ୟ ସମ୍ପର୍କର ଅପରିବର୍ତ୍ତନୀୟ ଆକର୍ଷଣକୁ ପାଠକମାନଙ୍କୁ ସ୍ମରଣ କରାଉଛି।

ପ୍ରାରମ୍ଭିକ ବର୍ଷଗୁଡିକରେ ମହାନ୍ ଗୁରୁଙ୍କ ତତ୍ତ୍ୱାବଧାନରେ ଶ୍ରୀଯୋଗାନନ୍ଦଜୀ ତାଙ୍କ ବ୍ୟକ୍ତିତ୍ୱକୁ ଏପରି ଭାବରେ ପରିମାର୍ଜିତ କରିଥିଲେ ଯାହା ତାଙ୍କ ପାଇଁ ବିଶ୍ୱରେ ଏବଂ ସର୍ବତ୍ର ଅଧିକ ମହାନତା ଆଣିଦେଇଥିଲା। ଯୋଗାନନ୍ଦଜୀଙ୍କୁ ଚରମ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରାଇବାରେ ସ୍ୱାମୀ ଶ୍ରୀ ୟୁକ୍ତେଶ୍ୱରଜୀଙ୍କର ମହାନ ଅବଦାନ ଅବିସ୍ମରଣୀୟ।
ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱରଜୀଙ୍କ ଦ୍ୱାରା ଲିଖିତ ପୁସ୍ତକ, ‘ଦି ହୋଲି ସାଇନ୍ସ,’ ଏକ ପଥପ୍ରଦର୍ଶନକାରୀ ଗୁରୁତ୍ବପୂର୍ଣ୍ଣ ପ୍ରକାଶନ। ସେ ଯୋଗାନନ୍ଦଜୀଙ୍କୁ ଭାରତର ମୂଳ ଶିକ୍ଷାର ମଶାଲ ବହନକାରୀ ଭାବରେ ତାଲିମ ପ୍ରଦାନ କରିଥିଲେ ଏବଂ ଯୋଗାନନ୍ଦଜୀ ଅକାଟ୍ୟ ସତ୍ୟର ବାହ୍ୟ ଜଟିଳତା ପଛରେ ଲୁକ୍କାୟିତ ଥିବା ସରଳତାକୁ ଲୋକଲୋଚନକୁ ଆଣି ପାରିଥିଲେ। ଭାରତର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଦୂତମାନଙ୍କ ମଧ୍ୟରୁ ଜଣଙ୍କର ବନ୍ଧୁ, ଦାର୍ଶନିକ ଏବଂ ମାର୍ଗଦର୍ଶକ ହୋଇ ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱର ଗିରି ଏକ ଆଧ୍ୟାତ୍ମିକ ନବ ଜାଗରଣ ପାଇଁ ପଥ ପରିଷ୍କାର କରିଯାଇଥିଲେ, ଯାହାକି ସତ୍ୟକୁ ଖୋଜୁଥିବା ପୁରୁଷ ଏବଂ ନାରୀମାନଙ୍କର ହୃଦୟ, ମନ ଏବଂ ଆତ୍ମାକୁ ସାରା ବିଶ୍ୱରେ ଏବେ ମଧ୍ୟ ଧୀରେ ଧୀରେ ପ୍ରଭାବିତ କରୁଛି।

ସମ୍ବନ୍ଧିତ ଖବର