‘ଲୋକମାନେ କଷ୍ଟ ପାଉଛନ୍ତି, ମରୁଛନ୍ତି। ପରିବେଶ ଧ୍ୱଂସ ହେଉଛି। ଗଣ-ବିଲୋପ ଆରମ୍ଭ ହେବା ଅବସ୍ଥାରେ ଆମେ ପହଞ୍ଚିଲେଣି। ...ଏବ˚ ତୁମେମାନେ ଅର୍ଥନୀତିର ଅଭିବୃଦ୍ଧି ବିଷୟରେ ଅସରନ୍ତି ପରୀ-ଗପ ଆମକୁ ଶୁଣାଉଛ... ତୁମର ଫମ୍ପା ବାକ୍ୟ ମୋ ଶୈଶବ ଓ ସ୍ୱପ୍ନକୁ ଚୋରାଇ ନେଇଛି। ... କେଉଁ ସାହସରେ! ହାଉ ଡେର୍ ୟୁ!’
ଏହିଭଳି କିଛି ଶବ୍ଦ ସହିତ ସୁଇଡେନ୍ର ଷୋହଳ ବର୍ଷ ବୟସ୍କା ଗ୍ରେଟା ଥନବର୍ଗ ହୋଇଗଲେ ପରିବେଶ ସପକ୍ଷରେ ପୃଥିବୀର ସବୁଠାରୁ ଅଧିକ ଶାଣିତ ସ୍ୱର। ସେପ୍ଟେମ୍ବର ୨୩, ୨୦୧୯ ଦିନ ଯୁକ୍ତରାଷ୍ଟ୍ରର ନ୍ୟୁୟର୍କଠାରେ ଅନୁଷ୍ଠିତ ହୋଇଥିବା ‘ଜାତିସଂଘ ଜଳବାୟୁ ପଦକ୍ଷେପ ଶିଖର ସମ୍ମିଳନୀ’ରେ ଗ୍ରେଟା ସମବେତ ବିଶ୍ବର ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟେର ଏମିତି କଡ଼ା ବାକ୍ୟ ପ୍ରୟୋଗ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆଡ଼କୁ ତାଙ୍କର କ୍ଷୁବ୍ଧ ଚାହାଣି ସାରା ବିଶ୍ବକୁ ଚକିତ କରିଦେଇଥିଲା। ପ୍ରକାଶଥାଉ କି, ଟ୍ରମ୍ପ୍ ଜଳବାୟୁ-ପରିବର୍ତ୍ତନ ସମ୍ବନ୍ଧରେ ପରିବେଶ-ବିଜ୍ଞାନୀଙ୍କ ଦ୍ବାରା ଦିଆଯାଉଥିବା ସତର୍କ ବାଣୀ ତଥା ତଥ୍ୟକୁ ଅସ୍ବୀକାର କରି ଆସୁଛନ୍ତି। ୨୦୧୫ର ପ୍ୟାରିସ୍ ଜଳବାୟୁ ରାଜିନାମାରୁ ସେ ଆମେରିକାକୁ ଓହରାଇ ଆଣିଥିଲେ।
ଉକ୍ତ ଘଟଣାର କିଛି ମାସ ପରେ ବି.ବି.ସି. ରେଡିଓର ଜଣେ ସାମ୍ବାଦିକ ୩୦ ଡିସେମ୍ବର ୨୦୧୯ରେ ଗ୍ରେଟାଙ୍କ ସାକ୍ଷାତକାର ନେବା ସକାଶେ ତାଙ୍କ ସ୍ବିଡେନସ୍ଥିତ ବାସଭବନରେ ପହଞ୍ଚିଲେ। ଏହି ସାକ୍ଷାତକାରରେ ଗ୍ରେଟା କହିଥିଲେ ଯେ, ସେପ୍ଟେମ୍ବର ୨୦୧୯ର ଜାତିସ˚ଘ ସମ୍ମିଳନୀରେ ଟ୍ରମ୍ପ୍ଙ୍କ ପ୍ରତି ତାଙ୍କ ବହୁ ଚର୍ଚ୍ଚିତ ଚାହାଣି ଓ ବାକ୍ୟ ବାଣ ନିଷ୍ଫଳ ଥିଲା। କାରଣ ‘ଟ୍ରମ୍ପ୍ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ କଥା ଶୁଣୁ ନାହାନ୍ତି। ଗ୍ରେଟା କହିଥିଲେ- ‘ସେ ଅବା ମୋ ବକ୍ତବ୍ୟ ପ୍ରତି କାହିଁକି କର୍ଣ୍ଣପାତ କରିବେ?’
ଏହି ସାକ୍ଷାତକାର ସମୟରେ ଗ୍ରେଟା ପ୍ରକାଶ କରିଥିଲେ ଯେ ସ୍କୁଲ୍ ଛାତ୍ରୀ ଥିବା ବେଳେ ସେ ଅବସାଦଗ୍ରସ୍ତ ହୋଇ ପଡ଼ିଥିଲେ। ତେଣୁ ତାଙ୍କ ବାପା, ମାଆ ଓ ଗୁରୁଜନମାନେ ଚିନ୍ତିତ ହୋଇ ଉଠିଥିଲେ। ତେବେ ତାଙ୍କ ସ୍କୁଲ୍ରେ ଆୟୋଜିତ ଏକ ପରିବେଶ ଧର୍ମଘଟେର ସେ ଯୋଗ ଦେବା ପରେ ଅବସାଦରୁ ମୁକ୍ତିି ପାଇଲେ ଏବଂ ସେ ତାଙ୍କ ଜୀବନର ଉଦ୍ଦେଶ୍ୟକୁ ପାଇଯାଇଥିଲେ।
ଗ୍ରେଟା ତାଙ୍କ ବାପାଙ୍କୁ ଆମିଷ ଭୋଜନରୁ ନିବର୍ତ୍ତାଇେଲ। ସେ ଜାଣିବାକୁ ପାଇଲେ ଯେ ଆମିଷ ଭକ୍ଷଣ ପରିବେଶ ପ୍ରତିକୂଳ। ଏହା ଦ୍ବାରା ସବୁଜ ଘର ପ୍ରଭାବ (ଗ୍ରିନ୍ ହାଉସ୍ ଏଫେକ୍ଟ)ର ପ୍ରକୋପ ବଢେ଼, ଯାହା ବିଶ୍ବ-ତାପନକୁ ବଢ଼ାଇଥାଏ। ନିଜ ଝିଅକୁ ଖୁସି କରିବାକୁ ବାପା ଆମିଷ ଛାଡ଼ିଲେ।
େଗ୍ରଟାଙ୍କ ମାଆ ମାଲେନା ଜଣେ ଅପେରା ଗାୟିକା। ସେ ବିଭିନ୍ନ ଦେଶକୁ ନିଜ କଳା ପରିବେଷଣ ଲାଗି ଯାଉଥିଲେ। ଯାତ୍ରାର ଜରିଆ ଥିଲା ଉଡ଼ାଜାହାଜ। କିନ୍ତୁ ବିମାନ-ଯାତ୍ରା ଦ୍ବାରା ବାୟୁ ପ୍ରଦୂଷଣ ଓ ବିଶ୍ବ ଉଷ୍ଣତା ବୃଦ୍ଧି ପାଏ ବୋଲି ଝିଅ କହିବାରୁ ତା ମନକୁ ଉଲ୍ଲସିତ କରିବା ଲାଗି ସେ ବିମାନ-ଯାତ୍ରା ପରିହାର କଲେ। ଜଳବାୟୁ-ଆନ୍ଦୋଳନରେ ଅଧିକ ସକ୍ରିୟ ହେବାକୁ ଏହା ଗ୍ରେଟାଙ୍କୁ ଅଧିକ ଉତ୍ସାହିତ କଲା।
ଗ୍ରେଟା ଆଜି ନିଜ ପିତା ଓ ମାତାଙ୍କ ପାଖରେ ଋଣୀ। ପିତା ଓ ମାତା ଉଭୟ ଗ୍ରେଟାଙ୍କ ପସନ୍ଦକୁ ବୁଝି ତାଙ୍କ ପ୍ରତି ସମ୍ବେଦନଶୀଳ ହେଲେ ଓ ତାଙ୍କ ଇଚ୍ଛାକୁ ସମ୍ମାନ ଦେଲେ। କିନ୍ତୁ ଚିନ୍ତା କରନ୍ତୁ ତ ଆମ ଦେଶରେ ଏମିତି କିଛି ଘଟେ କି? ଆମ ଦେଶରେ ଅଧିକାଂଶ ସ୍ଥଳରେ ବାପା ଓ ମାଆମାନେ ପିଲାମାନଙ୍କୁ ସେମାନଙ୍କ ନିଜ ଇଚ୍ଛାନୁସାରେ ଗଢ଼ିବାକୁ ଚାହାନ୍ତି। ପିଲାର ଇଚ୍ଛା ସର୍ବଦା ଗୌଣ ହୋଇଯାଏ। ସେଥିଲାଗି ତ ଭଲ ଚିତ୍ର ଆଙ୍କୁଥିବା ପିଲାଟିଏ ବଡ଼ ହୋଇ ବ୍ୟାଙ୍କରେ ଚାକିରି କରେ ଓ ଚିତ୍ର ଆଙ୍କିବା ଭୁଲିଯାଏ। ଯେଉଁ ପିଲାର ବାପା ଓ ମାଆ ତା ପଛରେ ଥାଆନ୍ତି, ସେ ସଂସାରରେ କାହାକୁ ଡରି ନ ଥାଏ। ସେଥି ଲାଗି ତ ଗ୍ରେଟା ବିଶ୍ବର ବଡ଼ ବଡ଼ ନେତାଙ୍କ ଆଗରେ ଗର୍ଜି ପାରିଲେ ଓ ଟ୍ରମ୍ପ୍ଙ୍କ ଆଡ଼କୁ କଟମଟ କରି ଚାହିଁ ପାରିଲେ!
ମୋ: ୯୪୩୭୦୨୬୬୫୧