ଦୁଃଖ ଓ ସୁଖ

ଡକ୍ଟର ବାସୁଦେବ ମିଶ୍ର

ଆମ ପାଖରେ ଯାହା ସବୁ ଅଛି ତାହା ଆମକୁ ଯେତିକି ଖୁସି ଦିଏନା, ଆମ ପାଖରେ ନ ଥିବା ଜିନିଷକୁ ନେଇ ଆମେ ତାଠାରୁ ଅଧିକ ଦୁଃଖୀ ହେଉ। ମନୁଷ୍ୟ ଜୀବନ ସାରା ଯେତେ ଯାହା ପାଏ, ତାହା ଗୋଟାଉ ଥାଏ। ପ୍ରାଚୀନ ମଣିଷ ଗୋଷ୍ଠୀ କୈନ୍ଦ୍ରିକ ଜୀବନ ଜିଉଥିଲା। ନିଜ ଲାଗି ଏଇ ଗୋଟାଇବାର ଲୋଭ ତାକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଲା। ବ୍ୟକ୍ତିଗତ ସ˚ପତ୍ତି ବା ‘ପ୍ରାଇଭେଟ୍‌ ପ୍ରପର୍ଟି’ କଥା ତ ସେଇଠୁ ଆସିଲା।

ଆମ ପାଖରେ ଯେତିକି ଅଛି, ଆଉ କାହା ପାଖରେ ସେତିକି ନାହିଁ ଭଳି ଭାବନାଟିଏ ଆମ ମନକୁ ସୁଖ ଦିଏ। କିନ୍ତୁ ଆଉ କାହାର ଯଦି ଆମ ଠାରୁ କିଛି ଅଧିକ ଅଛି, ଆମେ ଦୁଃଖୀ ହୋଇଯାଉ। କିନ୍ତୁ ଆମ ପାଖରେ ଯାହା ଅଛି, ଅନେକଙ୍କ ପାଖରେ ସେତିକି ବି ନାହିଁ ବୋଲି ଯଦି ଆମେ ବିଚାର କରନ୍ତୁ, ତେବେ ଆମ ମନରେ ଅଯଥା ଉଦ୍‌ବେଳନ ଆସନ୍ତା ନାହିଁ। କିନ୍ତୁ, ବିଡ଼ମ୍ବନା, ଏଭଳି ଭାବନା ଆମ ମନକୁ କମ୍‌ ଆସେ। ଆମେ ନିଜକୁ ଆମଠାରୁ ଅଧିକ ଦୁର୍ଭାଗ୍ୟଗ୍ରସ୍ତ ବ୍ୟକ୍ତି ସହିତ ତୁଳନା କରୁନା।

ସତ କହିଲେ, ଦୁଃଖ ହେଉଛି ଆପେକ୍ଷିକ। ଦୁଃଖର ସ˚ଜ୍ଞା ସମସ୍ତଙ୍କ ପାଇଁ ସମାନ ନୁହେଁ। ଦୋକାନରେ ଥିବା ସବୁଠାରୁ ଦାମୀ ଜୋତାଟିକୁ କିଣିବାକୁ ହମହମ ହେଉଥିଲେ ମଧୢ ଧନାଭାବରୁ ତାହା କିଣି ନ ପାରିଲେ ତାହା ମୋ ପାଇଁ ଦୁଃଖର କାରଣ ହୋଇପଡେ଼। କିନ୍ତୁ ଜୋତା ପିନ୍ଧିବା ପାଇଁ ଗୋଡ଼ ନ ଥିବା ଲୋକଟିର ଦୁଃଖ ନିକଟରେ ଏପରି ଦୁଃଖ ସ˚ପୂର୍ଣ୍ଣ ତୁଚ୍ଛ ନୁହେଁ କି? ପ୍ରତ୍ୟେକ ଲୋକର କିଛି ନା କିଛି ଦୁଃଖ ଥାଏ ଏବ˚ ନିଜର ଦୁଃଖ ହିଁ ସବୁଠାରୁ ଅଧିକ ବୋଲି ସେ ଭାବୁଥାଏ। କିନ୍ତୁ ଯଦି ସେ ନିଜର ଦୃଷ୍ଟିଭଙ୍ଗୀକୁ କିଞ୍ଚିତ ବଦଳାଇ ଦିଅନ୍ତା ଓ ନିଜ ଠାରୁ ଉପରକୁ ନ ଦେଖି ତଳକୁ ଦେଖନ୍ତା, ତେବେ ସେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତା ଯେ ଯାହାହେଉ ଭଗବାନ ତାକୁ କେତେ ଭଲରେ ରଖି ନାହାନ୍ତି ସତେ!

ତେବେ ସେଇ ଧାରାରେ ଚିନ୍ତା କଲେ ପ୍ରଶ୍ନ ଉଠିପାରେ, ତାହା ହେଲେ ଗୋଡ଼ ନ ଥିବା ଲୋକ ସାନ୍ତ୍ବନା ପାଇବ କେମିତି? ସେ ପୁଣି କାହା ଆଡ଼କୁ ଦେଖିବ? ଏ ପରିପ୍ରେକ୍ଷୀରେ ସୁନ୍ଦର ଗପଟିଏ କୁହାଯାଉ। ଗୋଟିଏ ଗାଁରେ ଜଣେ ଯୁବକ ଜିଦ୍‌ କରିବାରୁ ତା ବାପା ଜମିବାଡ଼ି ବିକି ତା ଲାଗି ସୁନ୍ଦର ଘୋଡ଼ାଟିଏ କିଣିଦେଲେ। କାରଣ ଯୁବକଟି ଥିଲା ତାଙ୍କର ଏକମାତ୍ର ପୁତ୍ର। କିନ୍ତୁ, ପୁଅ ଘୋଡ଼ା ଚଢୁ ଚଢୁ ପଡ଼ିଗଲା ଓ ତାର ଗୋଡ଼ ଭାଙ୍ଗିଗଲା ଏବ˚ ସେ ଭିନ୍ନକ୍ଷମ ହୋଇଗଲା। ସେ ଓ ତାର ପରିବାର ଲୋକେ ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦିଲେ। ଯୁବକର ସାଙ୍ଗସାଥୀମାନେ ଖେଳକୁଦ କରୁଥିବା ବେଳେ ଯୁବକ ଲୁହ ଗଡେ଼ଇଲା। କିଛି ଦିନ ପରେ ଯୁଦ୍ଧ ଲାଗିଲା। ରାଜାଙ୍କ ଲୋକମାନେ ଆସି ଗାଁର ସମର୍ଥ ଯୁବକମାନଙ୍କୁ ଯୁଦ୍ଧରେ ଲଢ଼ିବା ଲାଗି ଜୋର କରି ନେଇଗଲେ। ଏତିକି ବେଳେ ଭିନ୍ନକ୍ଷମ ଯୁବକକୁ ଛାଡ଼ି ଦେଇଗଲେ। ଏବେ ସେ ଓ ତାର ପରିବାର ଭଗବାନଙ୍କୁ ପ୍ରଣାମ ଜଣାଇଲେ। ଯାହା ଦିନେ ଦୁର୍ଭାଗ୍ୟ ଥିଲା, ହଠାତ୍‌ ସୌଭାଗ୍ୟ ହୋଇଗଲା।

ଆମେ ଯେତେବେଳେ ଦୁଃଖୀ ହେଉ, ସେତିକି ବେଳେ ଭଗବାନ ଆମ ଉପରେ ସଦୟ ନୁହନ୍ତି ବୋଲି ବିଚାର କରୁ। କିନ୍ତୁ ଭଗବାନଙ୍କ ଯୋଜନା କିଭଳି ତାହା ଆମେ ବୁଝିପାରୁନା। ତେଣୁ ସର୍ବଦା ଚିନ୍ତା କରିବା ଦରକାର ଯେ ଆମେ ଯେଉଁ ସ୍ଥିତିରେ ଅଛୁ, ତାହା ହିଁ ଆମ ଲାଗି ସର୍ବଶ୍ରେଷ୍ଠ ସ୍ଥିତି। ଆମ ହାତରେ ବିଶେଷ କିଛି ନାହିଁ, ସବୁ ଡୋର ଭଗବାନ ବା ନିୟତି ହାତରେ। ନିୟତି ଆମ ଲାଗି କ’ଣ ସବୁ ଲୁଚାଇ ରଖିଛି ତାହା ଆମେ ଜାଣୁନା। ତେଣୁ ଯାହା ମିଳିଛି, ସେଥିରେ ସନ୍ତୁଷ୍ଟ ରହିବା ଦରକାର। ଏଭଳି ଭାବନା ଆସିଲେ ମନରେ ଶାନ୍ତି ଆସେ, ଦୁଃଖ ହଟେ।

ସମ୍ବନ୍ଧିତ ଖବର