ପୋତି ହୋଇ ପଡୁଥିବା ହୀରାକୁଦ

ସାହିଦ୍‌ ଉମର

ଏବେ ହୀରାକୁଦ ଜଳଭଣ୍ତାରରେ ବିପୁଳ ପରିମାଣରେ ପଟୁ ମାଟି ଜମା ହୋଇଥିବା ଯୋଗୁ ତାହାର ଜଳଧାରଣ କ୍ଷମତା ବହୁ ମାତ୍ରାରେ ହ୍ରାସ ପାଇଛି। ତେଣୁ, ଏହା ଉଦ୍‌ବେଗର କାରଣ ହୋଇଛି। ଏ ସମସ୍ୟାର ସମାଧାନ ଲାଗି ନିକଟରେ ଓଡ଼ିଶା ଓ ପ‌ଡ଼ୋଶୀ ଛତିଶଗଡ଼ ରାଜ୍ୟର ଜଳସ˚ପଦ ବିଭାଗର ପଦସ୍ଥ ଅଧିକାରୀମାନେ ଗୋଟିଏ ଯୋଜନା କରିଛନ୍ତି।

୧୯୫୭ ମସିହାରୁ ହୀରାକୁଦ ବହୁମୁଖୀ ପ୍ରକଳ୍ପ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନରେ ଆପଣା ଭୂମିକା ନିର୍ବାହ କରି ଆସୁଛି। କିନ୍ତୁ, ଏବେ ଏହା ବିଭିନ୍ନ ସମସ୍ୟା ଦ୍ବାରା ଆକ୍ରାନ୍ତ ହୋଇ ତାର ମୂଳ ଲକ୍ଷ୍ୟ ସାଧନରୁ ବହୁ ପଛରେ ପଡ଼ିଯାଇଛି। ଗୋଟିଏ ପକ୍ଷରେ ଏହାର ଉପର ମୁଣ୍ତରେ ପଡେ଼ାଶୀ ଛତିଶଗଡ଼ ଏକାଧିକ ବଡ଼ ବଡ଼ ନଦୀବନ୍ଧ ନିର୍ମାଣ କରି ଜଳକୁ ଅଟକାଇ ଦେଉଥିବା ବେଳେ ଅନ୍ୟ ପକ୍ଷରେ ଜଳଭଣ୍ତାରରେ ପଟୁମାଟି ପରିମାଣ ବର୍ଷକୁ ବର୍ଷ ବୃଦ୍ଧି ପାଇ ଚାଲିଥିବାରୁ ଏହାର ଜଳଧାରଣ କ୍ଷମତା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି।

ମହାନଦୀରେ ପୂର୍ବ ଭଳି ଜଳସ୍ରୋତ ଆଉ ନାହିଁ। ଏକ ଆକଳନ ଅନୁସାରେ ହୀରାକୁଦ ଜଳଭଣ୍ତାରର ଧାରଣ କ୍ଷମତା ବାର୍ଷିକ ହାରାହାରି ପ୍ରାୟ ୫୫.୧୨୬ ନିୟୁତ ଘନମିଟର ହିସାବରେ ହ୍ରାସ ପାଉଛି। ଏ ପର୍ଯ୍ୟନ୍ତ ଜଳଭଣ୍ତାରର ଧାରଣ କ୍ଷମତା ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଲାଣି। ଅର୍ଥାତ୍‌ ଜଳଭଣ୍ତାରଟି ସେତିକି ପରିମାଣରେ ପୋତି ହୋଇଗଲାଣି। ୨୦୧୭ ମସିହାର ଏକ ଆକଳନ ଅନୁଯାୟୀ ହୀରାକୁଦ ଜଳଭଣ୍ତାରରେ ପ୍ରାୟ ୨୨୪୫ ନିୟୁତ ଘନମିଟର ପଟୁମାଟି ଜମା ହୋଇଛି। ୨୦୨୫ ବେଳକୁ ଏହା ୩୭୪୯ ନିୟୁତ ଘନମିଟର ଏବ˚ ୨୦୫୦ ବେଳକୁ ଏହା ୫୧୩୩ ନିୟୁତ ଘନମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିବ ବୋଲି ଅନୁମାନ କରାଯାଉଛି।

ଜଳଭଣ୍ତାର ମଧୢରେ ପଟୁ ଜମା ହେବା ଏକ ବିଶ୍ବବ୍ୟାପୀ ସମସ୍ୟା। ଜଳଭଣ୍ତାରକୁ ପଟୁମାଟି ପୋତି ପକାଇବା ପଛରେ ଥିବା ମୁଖ୍ୟ କାରଣଟି ହେଉଛି ଉପର ମୁଣ୍ତରେ ବ୍ୟାପକ ବନ ବିଧ୍ବ˚ସୀକରଣ ଓ ତଜ୍ଜନିତ ମୃତ୍ତିକା କ୍ଷୟ। ଜଳବାୟୁରେ ପରିବର୍ତ୍ତନ ମଧୢ ମୃତ୍ତିକା ଓ ଶିଳା ଅବକ୍ଷୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛି। ନଦୀ ସ୍ରୋତ ସହ ଏହି ଢିଲା ପଟୁମାଟି ପରିବାହିତ ହୋଇ ଜଳଭଣ୍ତାରରେ ଜମା ହେଉଛି। କିନ୍ତୁ ଏହି ପ୍ରାକୃତିକ ପ୍ରକ୍ରିୟାକୁ ସ˚ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନ ପାରେ। ଅନ୍ୟ ପକ୍ଷରେ ଯଦିଓ ପଟୁମାଟି ଯୋଗୁ ଅନେକ ଜଳଭଣ୍ତାରର ଜଳ ଧାରଣ କ୍ଷମତା ଅତ୍ୟନ୍ତ ପ୍ରଭାବିତ, ତଥାପି କୌଣସି ଜଳଭଣ୍ତାର ଏହି କାରଣରୁ ଏ ପର୍ଯ୍ୟନ୍ତ ଅକ୍ଷମ ହୋଇଯାଇନାହିଁ। ତେବେ, ହୀରାକୁଦ ଭଳି ଏକ ବୃହତ୍‌ ଜଳଭଣ୍ତାର ଭିତରୁ ଏତେ ବିପୁଳ ପରିମାଣର ପଟୁମାଟିକୁ ସ˚ପୂର୍ଣ୍ଣ ରୂପେ କାଢ଼ିବା ଏକ ଅସମ୍ଭବ ବ୍ୟାପାର। ଏଣେ ଆମେ ଚାହୁଁଥିବା ଭଳି ପଟୁ ନିୟନ୍ତ୍ରଣ ଲାଗି କୌଣସି ଉପାୟ ମଧୢ ନାହିଁ। ଏ ପର୍ଯ୍ୟନ୍ତ କିଛି କ୍ଷୁଦ୍ର ଓ ମଧୢମ ଜଳଭଣ୍ତାର ମଧୢରୁ ପଟୁ ନିଷ୍କାସନ ପାଇଁ ଯେଉଁ କିଛି ଉପାୟ ରହିଛି, ସେଗୁଡ଼ିକ ହେଲା- ଫ୍ଲସିଙ୍ଗ୍‌ ବା ହଠାତ୍‌ ଜଳ ପ୍ରବାହ କରିବା, ଜଳଭଣ୍ତାରକୁ ଶୁଷ୍କ କରି ସଫା କରିବା, ଜଳଭଣ୍ତାରରୁ ଜଳ ନିଷ୍କାସନ ଦ୍ବାରା ଫ୍ଲସିଙ୍ଗ୍‌ କରିବା, ବନ୍ୟା କାଳରେ ପଟୁମାଟି ଗୋଳିଆ କରି ନିଷ୍କାସନ କରିବା, ଡ୍ରେଜିଙ୍ଗ୍‌ ଦ୍ବାରା ପଟୁ ନିଷ୍କାସନ, ପାଇପ ଲାଇନ୍‌ ପଦ୍ଧତି ମାଧୢମରେ ପଟୁମାଟି ନିଷ୍କାସନ, ହାଇଡ୍ରୋ-ଆସ୍ପିରେଟର ଦ୍ବାରା ନିଷ୍କାସନ, ହାଇଡ୍ରୋ-ସକ୍‌ସନ ଦ୍ବାରା ନିଷ୍କାସନ ଏବ˚ ପଟୁ ନିୟନ୍ତ୍ରଣ ରଣକୌଶଳର ପ୍ରୟୋଗ। ଏହି ଉପାୟଗୁଡ଼ିକ ମଧୢରୁ ହୀରାକୁଦ ଜଳଭଣ୍ତାର ପାଇଁ କେଉଁ ଗୋଟିକ ପ୍ରଯୁଜ୍ୟ, ତାହା ସ୍ଥିର କରିବା ବିଶାରଦମାନଙ୍କ ମତାମତ ଓ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।

ଜଳଭଣ୍ତାରରୁ ପଟୁମାଟି କାଢ଼ିବା ଏକ ବ୍ୟୟବହୁଳ ବ୍ୟାପାର।କିନ୍ତୁ ଜଳ ଭଣ୍ତାରରେ ଜଳଧାରଣ କ୍ଷମତା ହ୍ରାସ ପାଇଲେ ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନ ଯେଭଳି ପ୍ରତିକୂଳ ଭାବେ ଆକ୍ରାନ୍ତ ହୁଏ, ତା ତୁଳନାରେ ଏ ବ୍ୟୟ ଯଥାର୍ଥ ବୋଲି ମନେହୁଏ।

ପ୍ରତ୍ୟେକ ଜଳଭଣ୍ତାରର ସ୍ବତନ୍ତ୍ର ଚରିତ୍ର ଓ ବିଶେଷତ୍ବ ରହିଛି। ଏଣୁ ପଟୁ ନିଷ୍କାସନ ପାଇଁ ପ୍ରତି କ୍ଷେତ୍ରରେ ବିଶଦ ଅନୁଧୢାନ ପୂର୍ବକ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବା ଉଚିତ। ଏତେ ବିପୁଳ ପରିମାଣରେ ପଟୁମାଟି ନିଷ୍କାସନ ଅସମ୍ଭବ ବୋଲି କହି ଯନ୍ତ୍ରୀମାନେ ହାତ ଟେକି ବସିଗଲେ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେବ ସିନା, କିଛି ଲାଭ ହେବନାହିଁ।

ଯଦି ହୀରକୁଦ ଜଳଭଣ୍ତାରରୁ ପଟୁ ବାହାର କରାଯାଇପାରେ, ତେବେ ନିଷ୍କାସିତ ହୋଇଥିବା ପଟୁକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ। ଜଣାଯାଏ ଯେ ଜଳଭଣ୍ତାରର ପଟୁ ମାଟିରେ ପ୍ରାୟ ୦.୫ରୁ ୧.୦ ନିୟୁତା˚ଶ ହାରରେ ସୁବର୍ଣ୍ଣ କଣିକା ଅଛି। ଏହାର ମୂଲ୍ୟ ଅନ୍ୟୂନ ୪-୫ ଲକ୍ଷ କୋଟିରୁ ଅଧିକ ହେବାର ସମ୍ଭାବନା ରହିଛି।

୧୮୬୬ ମସିହାରେ ଯେତେବେଳେ ବ୍ରିଟିସ ସରକାର ହୀରାକୁଦର ହୀରାଖଣିକୁ ନିଲାମ କରିଦେଲେ ସେତେବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ନିପୁଣ ଦୁର୍ମୂଲ୍ୟ ପଥର ସନ୍ଧାନକାରୀ ଝରା ସମ୍ପ୍ରଦାୟର ‌େଲାକମାନେ ଖଣିଧାରୀଙ୍କ ପାଇଁ ହୀରା ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦେଇଥିଲେ। ତେଣୁ ଖଣିଟି ବନ୍ଦ ହୋଇଯାଇଥିଲା। ଉକ୍ତ ସ୍ଥାନରେ ନିଷେଧାଦେଶ ଜାରି ହେବା ପରେ ଝରାମାନେ କ୍ରମେ ହୀରାକୁଦ ପରିତ୍ୟାଗ କରି ନଦୀର ଉପର ଓ ତଳମୁଣ୍ତକୁ ଚାଲିଯାଇଥିଲେ। ଏବେ ସୁଦ୍ଧା ଏହି ଝରାମାନେ ନଦୀ ଶଯ୍ୟାରେ ହୀରା ଓ ସୁନା ଉଦ୍ଧାର କାର୍ଯ୍ୟକୁ ଅତି ନିପୁଣତା ସହକାରେ କରି ଆସୁଛନ୍ତି ବୋଲି କୁହାଯାଏ।

ସ୍ବାଧୀନତା ପରେ ଏଠାରୁ ହୀରା କିମ୍ବା ସୁନା ସ˚ଗ୍ରହ ନିମନ୍ତେ କୌଣସି ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ପରବର୍ତ୍ତୀ କାଳରେ ହୀରାକୁଦ ନଦୀବନ୍ଧର ନିର୍ମାଣ ଫଳରେ ବିଶ୍ବର ପ୍ରାଚୀନତମ ଓ ପ୍ରସିଦ୍ଧ ହୀରାଖଣିଟି ଗଭୀର ଜଳଭଣ୍ତାର ମଧୢରେ ବୁଡ଼ି ରହିଗଲା। ଏ ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ତାର ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ପୂର୍ବକ ଏକ ଦୁର୍ମୂଲ୍ୟ ରତ୍ନ ପଥର ବିଶୋଧନ ଉଦ୍ୟୋଗ ପ୍ରତିଷ୍ଠା କରାଯିବା ପ୍ରାସଙ୍ଗିକ। ଏହା ଦ୍ବାରା ଜଳଭଣ୍ତାରର ପଟୁମାଟି ମଧୢ ବିଦେଶୀ ନିବେଶକଙ୍କ ଲାଗି ଆକର୍ଷଣୀୟ ହୋଇ ଉଠିବ। ରାଜ୍ୟ ରାଜସ୍ବ ପାଇବା ସହିତ ହୀରାକୁଦର ପଟୁ ଜମା ସମସ୍ୟାର କିଛି ସମାଧାନ ମିଳି ପାରିବ।

[email protected]

ସମ୍ବନ୍ଧିତ ଖବର