୨୦୨୦- ଦୁଇଟି ଆଶା

ଝରକା

ଏ.ପି.ଜେ. ଅବଦୁଲ କଲାମଙ୍କ ଦ୍ବାରା ୧୯୯୮ରେ ଲିଖିତ ଲୋକପ୍ରିୟ ପୁସ୍ତକ ‘ଇଣ୍ଡିଆ ୨୦୨୦: ଏ ଭିଜନ୍ ଫର୍ ଦି ନ୍ୟୁ ମିଲେନିଅମ୍’ରେ ସେ ଯେଉଁ ସମୟ ବିନ୍ଦୁ କଥା କହିଥିଲେ, ଆମେ ଆଜି ସେଠାରେ ଉପନୀତ। ଏହି ବର୍ଷର ଦରଜା ଦେଇ ଆମେ ଓ ଆମର ଏ ପୃଥିବୀ ଦ୍ବିତୀୟ ଦଶନ୍ଧିରୁ ତୃତୀୟ ଦଶନ୍ଧିକୁ ପ୍ରବେଶ କରିବ। ସେହି ଦୃଷ୍ଟିରୁ ଏହି ବର୍ଷ ହେବ ଏଭଳି ଏକ କାଳଖଣ୍ଡ, ଯାହା ଉପରେ ଛିଡ଼ା ହୋଇ ପୃଥିବୀ ଉଭୟ ପଛକୁ ଚାହିଁବ ଏବଂ ଆଗକୁ ମଧ୍ୟ ଅବଲୋକନ କରିବ। ଏହି ବର୍ଷ ସ୍ବପ୍ନ ପୂରଣ ଓ ଲକ୍ଷ୍ୟ ହାସଲ ଆଦିରେ ସଫଳତା ଓ ବିଫଳତାକୁ ନେଇ ହିସାବ ହେବ। ସେହି ଦୃଷ୍ଟିରୁ ୨୦୨୦ ହେବ ଏହାର ପୂର୍ବ ବର୍ଷଗୁଡ଼ିକ ଠାରୁ ଭିନ୍ନ। ଏହା ହେବ ଏକବିଂଶ ଶତାବ୍ଦୀର ସରଣୀରେ ଏକ ମାଇଲ ଖୁଣ୍ଟ।

ବର୍ଷର ପ୍ରଥମ ଦିନରେ ଆମେ କେବଳ ଆଶାର ଆଲୋକକୁ ଦେଖିବା। ଏ ପରିପ୍ରେକ୍ଷୀରେ ଯଦି ଭାରତ କିଛି ଗଗନଚୁମ୍ବୀ ଉପଲବ୍‌ଧି ହାସଲ କରିବାର ସ୍ବପ୍ନ ଦେଖୁଥିବ, ତେବେ ତାହା ହେବ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ ବା ‘ଇସ୍ରୋ’ ଦ୍ବାରା ସୂର୍ଯ୍ୟକୁ ମହାକାଶ ଯାନ ‘ଆଦିତ୍ୟ ଏଲ୍୧’ର ପ୍ରସ୍ତାବିତ ପ୍ରକ୍ଷେପଣ। ଏହା ହେବ ‘ଗଗନଯାନ’ କ୍ରମରେ ଭାରତର ଅନ୍ତରୀକ୍ଷ ଉପଲବ୍‌ଧି ହାସଲ ଦିଗରେ ଏକ ବଡ଼ ପଦକ୍ଷେପ।

ଅନ୍ତରୀକ୍ଷରୁ ଧରାବତରଣ କଲେ ଯାହା ଭାରତ ଲାଗି କିଛି ଆଶାର ଆଲୋକ ଦେଖାଉଛି ତାହା ହେଉଛି ୨୦୨୦ର ଅଲିଂପିକ୍‌ସ। ୨୦୦୮ରେ ବନ୍ଧୁକ ଚାଳନାରେ ଅଭିନବ ବିନ୍ଦ୍ରା ଭାରତକୁ ପ୍ରଥମ ଥର ଲାଗି ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଆଣି ଦେଇଥିଲେ। ତା ପର ଠୁ ଅଲିଂପିକ୍‌ସରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ହୋଇଛି। ୨୦୧୨ରେ ଭାରତର ପଦକ ସଂଖ୍ୟା ସର୍ବାଧିକ ୬କୁ ଛୁଇଁଥିଲା। ଚଳିତ ବର୍ଷ ଅର୍ଥାତ୍‌ ୨୦୨୦ରେ ଟୋକିଓରେ ହେବାକୁ ଯାଉଥିବା କ୍ରୀଡ଼ାର ଏହି ମହାକୁମ୍ଭରେ ଭାରତକୁ ଆହୁରି ଅଧିକ ପଦକ ମିଳିବା ନେଇ ଆଶା ବାନ୍ଧିବା ଅମୂଳକ ନୁହେଁ। ବନ୍ଧୁକ ଚାଳନା, ତୀର ଚାଳନା, କୁସ୍ତି ଓ ଭାରୋତ୍ତୋଳନ ଭଳି କିଛି ବିଭାଗରେ ଭାରତର ପଦକ ଆଶା ପାରଂପରିକ ଭାବେ ଯଦିଓ ରହି ଆସିଛି, ଆମେ ଆଶା କରିବା ଯେ ହିମା ଦାସ ଓ ଦୂତୀ ଚାନ୍ଦ ଯଥାକ୍ରମେ ୪୦୦ ମିଟର ଓ ୧୦୦ ମିଟର ଦୌଡ଼ରେ ପଦକ ଆଣିବେ ଓ ଦୀପା କର୍ମକାର ଜିମ୍‌ନାଷ୍ଟିକ୍‌ରେ ଭାରତକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର