ନୀତିର କାର୍ଯ୍ୟକାରିତା‌

ଉର୍ଜିତ ପଟେଲ୍‌

ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ. କେ ସିଂଙ୍କ ପୁସ୍ତକ ‘ରିକ୍ୟାଲିବ୍ରେଟ : ଚେଞ୍ଜିଂ ପାରାଡାଇମ୍ସ’ରେ ଭାରତର ପ୍ରଗତି ଏବଂ ସାମ୍ପ୍ରତିକ ବିକାଶ ଲକ୍ଷ୍ୟର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ରଙ୍କ ‘ନିର୍ଦ୍ଦିଷ୍ଟ ଅନ୍ତର୍ଦୃଷ୍ଟି’କୁ ନେଇ ପ୍ରସ୍ତୁତ ଏ ପୁସ୍ତକରେ ସ୍ଥାନିତ ବିଷୟବସ୍ତୁ କେତେକ ଐତିହାସିକ ଅନ୍ତର୍ଜାତୀୟ ରାଜିନାମା ଯଥା ବିପର୍ଯ୍ୟୟ ପ୍ରଶମନ ପାଇଁ ସେଣ୍ଡାଇ ଫ୍ରେମୱର୍କ, ମିଳିତ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଏବଂ ପ୍ୟାରିସ୍‌ ରାଜିନାମା ପରିପ୍ରେକ୍ଷୀରେ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି। ଲେଖକ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱର ସହ ସ୍ପଷ୍ଟ ଭାବେ ମତ ଉପସ୍ଥାପନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ଏହି ପୁସ୍ତକରେ ଆଲୋକପାତ କରାଯାଇଛି ଯାହାକି ଅତ୍ୟନ୍ତ ପଠନଉପଯୋଗୀ, ସୂଚନାପ୍ରଦ ଏବଂ ଚିନ୍ତନଶୀଳ ହୋଇପାରିଛି। ଫସଲ ବୀମା ଏବଂ ବିପର୍ଯ୍ୟୟ ପ୍ରଶମନ ଭଳି ବିଭିନ୍ନ ଜଟିଳ ବିଷୟବସ୍ତୁକୁ ଅତ୍ୟନ୍ତ ସରଳ ଭାବେ ବର୍ଣ୍ଣନା କରାଯାଇଛି।

ବିଶେଷ କ୍ଷେତ୍ରରେ ସଫଳତା ପାଇଁ ଭିନ୍ନ ଭିନ୍ନ ଅଂଶୀଦାରମାନଙ୍କୁ କିଭଳି ସାଥୀରେ ନେଇ ଆଗେଇବାକୁ ହେବ, ତାହାର ପୁନଃଅନୁଧ୍ୟାନ ପାଇଁ ମୂଳତଃ ପୁସ୍ତକରେ ଗୁରୁତ୍ୱାରୋପ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ପ୍ରଶାସନିକ ପାରଦର୍ଶିତାର ବିକାଶ, ସଶକ୍ତୀକରଣ ଏବଂ କେନ୍ଦ୍ର, ରାଜ୍ୟ ଓ ତୃତୀୟ ସ୍ତରର ପ୍ରଶାସନ ମଧ୍ୟରେ ସମନ୍ୱୟ ଆଦି ବିଷୟ ଅତ୍ୟନ୍ତ ବିସ୍ତୃତ ଭାବେ ଏଥିରେ ବର୍ଣ୍ଣନା କରାଯାଇଛି ।ଏହା ବାସ୍ତବରେ ଏକ ବହୁମୁଖୀ ବିଷୟ ଯେଉଁଥିରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ, ଗଣିତ ଏବଂ ସାମାଜିକ ବିଜ୍ଞାନ ଆଦି ସାମିଲ ରହିଛି।

‘କୋଭିଡ-୧୯ ଏବଂ ବିପର୍ଯ୍ୟୟ ପ୍ରଶମନର ଭବିଷ୍ୟତ’ ଅଧ୍ୟାୟରେ ଅଧିକ ସକ୍ରିୟ ବିପତ୍ତି ଆକଳନ ଉପରେ ସ୍ପଷ୍ଟ ଭାବେ ଆଲୋକପାତ କରାଯାଇଛି। ବର୍ତ୍ତମାନର ସୀମିତ ବ୍ୟବସ୍ଥା ଏବଂ ଆହୁରି ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟରେ ସ୍ୱୀକାର କରିବା ଲାଗି ଲେଖକ କୁଣ୍ଠାବୋଧ କରିନାହାନ୍ତି । ବିତ୍ତୀୟ ପ୍ରସଙ୍ଗ ଉପରେ ଆଧାରିତ ଅଧ୍ୟାୟରେ ଦର୍ଶାଯାଇଛି ଯେ ଗତ ୩ ଦଶନ୍ଧି ଧରି ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି ଏବଂ ଏସଡିଜି ଏବଂ ଜଳବାୟୁ ସଂକ୍ରାନ୍ତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଯଥା ସମୟରେ ଏସବୁ ଅଧୁରା କାମକୁ ସମ୍ପୂର୍ଣ୍ଣ କରିବାକୁ ହେବ। ଲେଖକ ଦୁଇଟି ବ୍ୟାପକ ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଛନ୍ତି। ତାହା ହେଉଛି ବିତ୍ତୀୟ ଉତ୍ତର ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା (ଏଫଆରବିଏମ) ଆଇନ ୨୦୦୩, ଏଫଆରବିଏମ ସମୀକ୍ଷା ସମିତି ରିପୋର୍ଟ ୨୦୧୭ ଏବଂ ସଂସ୍ଥାଗତ ସମାଯୋଜନ ପରେ ଔପଚାରିକ ପ୍ରତିଶ୍ରୁତି ପୂରଣ କରିବା। ବିତ୍ତୀୟ ସହନଶୀଳତାରୁ ବିତ୍ତୀୟ ସାଧୁତା ପାଇଁ ଏକ ଭରସାଯୋଗ୍ୟ ମାର୍ଗ ସନ୍ଧାନ କରିବା। ଲେଖକ ଜଣାଇଛନ୍ତି ଯେ ଅସ୍ଥିର ଋଣ ମାଧ୍ୟମରେ ବର୍ଦ୍ଧିତ ବ୍ୟୟ ଏବଂ ଉଚ୍ଚ ସାର୍ବଜନୀନ ଋଣଗ୍ରସ୍ତତା ରାଷ୍ଟ୍ରର ନୈତିକ କଲ୍ୟାଣକୁ କ୍ଷତିଗ୍ରସ୍ତ କରିଥାଏ। ଆୟ ତୁଳନାରେ ଅଧିକ ବ୍ୟୟ ଏବଂ ମୁଦ୍ରାସ୍ଫୀତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି।

ସ୍ଥାୟୀ ଆଧାର ସହିତ ବସ୍ତୁ ଓ ସେବା କର ପରିଷଦ ଜିଏସ୍‌ଟି ଦର ନିର୍ଦ୍ଧାରଣ କରିଥାଏ । ଅନ୍ୟପଟେ ଅର୍ଥ ଆୟୋଗ ପାଞ୍ଚ ବର୍ଷରେ ଥରେ ରାଜ୍ୟ ଓ କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ରାଜ୍ୟ ଓ ତୃତୀୟ ସ୍ତରର ପ୍ରଶାସନ ମଧ୍ୟରେ ରାଜସ୍ୱ ବିତରଣ କରିଥାନ୍ତି । ଅଧିକ ପ୍ରଭାବୀ ବିତ୍ତୀୟ ସଂଘୀୟ ଢାଞ୍ଚା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସମନ୍ୱିତ ବ୍ୟବସ୍ଥା ବର୍ତ୍ତମାନ ସମୟର ଆବଶ୍ୟକତା, ଯାହା ଉପରେ ଲେଖକ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥ ଆୟୋଗଙ୍କ ଉପରେ ଆଧାରିତ ଅଧ୍ୟାୟ ଏହି ବିଷୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ । ଭାରତ ସରକାର ଆଇନ ୧୯୧୯ ପରଠାରୁ ଏହି ସଂସ୍ଥାର ବିକାଶ ସମ୍ପର୍କରେ ଏକ ସ୍ପଷ୍ଟ ଐତିହାସିକ ବିବରଣୀ ଏବଂ ୧୯୫୧ ପରଠାରୁ ସବୁ ଅର୍ଥ ଆୟୋଗଙ୍କ ପ୍ରମୁଖ ସୁପାରିସର ସୁସଙ୍ଗତ ସାରାଂଶ ଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଶେଷ ଦୁଇଟି ଅର୍ଥ ଆୟୋଗ ରାଜସ୍ୱ ହସ୍ତାନ୍ତରରେ ଜଙ୍ଗଲ କ୍ଷେତ୍ର ବୃଦ୍ଧି ଉପରେ ବିଶେଷ ଜୋର ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ କେବଳ ଅସାର ଆଲୋଚନା କରିବା ପରିବର୍ତ୍ତେ, ବିଶ୍ବସନୀୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ସାମାଜିକ କ୍ଷେତ୍ରରେ କାହିଁକି ଅତ୍ୟଧିକ ଆଇନ ପ୍ରଣୟନ କରାଯାଉଛି ବିଶେଷ କରି ସେ ସମ୍ପର୍କରେ ଏକ ଅତିରିକ୍ତ ଅଧ୍ୟାୟରେ ଲେଖକମାନେ ମିଳିତ ଭାବେ ଦୃଷ୍ଟିପାତ କରିଥିଲେ ପାଠକଙ୍କ ପାଇଁ ଅଧିକଉପଯୋଗୀ ହୋଇପାରିଥାନ୍ତା। ପ୍ରଶାସନିକ ପୁନର୍ବିନ୍ୟାସ ନିଶ୍ଚିତ ଭାବେ ଏହି ରାଷ୍ଟ୍ରୀୟ ପ୍ରବୃତ୍ତି ଉପରେ ଆଲୋକପାତ କରିବା ଜରୁରି ।

ପୂର୍ବତନ ଗଭର୍ଣ୍ଣର, ଭାରତୀୟ ରିଜର୍ଭ ବ୍ୟାଙ୍କ

ସମ୍ବନ୍ଧିତ ଖବର