ଗୃହିଣୀଙ୍କ ଅବଦାନ

ଦର୍ପଣ

ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅକ୍ସଫାମ୍’ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ କିଛି ବିଶେଷ ତଥ୍ୟ ମିଳିଛି। ସେଥିରୁ ଗୋଟିଏ ହେଲା ଭାରତୀୟ ମହିଳାମାନେ ସର୍ବାଧିକ ଆର୍ଥିକ ଅସମାନତାର ଶିକାର। କାରଣ ଦେଶର ଏକ ବୃହତ୍‌ ବର୍ଗ ଅର୍ଥାତ୍‌ ଗୃହିଣୀ ଓ ପରିବାରର ଝିଅମାନେ ବିନା କୌଣସି ପାରିଶ୍ରମିକରେ ପ୍ରତିଦିନ ୩.୨୬ ବିଲିଅନ ଘଣ୍ଟା ଘର କାର୍ଯ୍ୟରେ ବ୍ୟୟ କରିଥାଆନ୍ତି। ଏହା ଦ୍ବାରା ସେମାନେ ବାର୍ଷିକ ୧୯ ଲକ୍ଷ କୋଟି ଟଙ୍କା (ଶିକ୍ଷା ବଜେଟ୍‍ର ୨୦ ଗୁଣ)ର ପରିଶ୍ରମ ମାଗଣାରେ କରନ୍ତି, ଯାହା ରାଷ୍ଟ୍ର ଲାଗି ଏକ ଲାଭ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ବିଡ଼ମ୍ବନା ହେଉଛି ରାଷ୍ଟ୍ରର ଅର୍ଥନୀତିକୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦାନ ମୁଖ୍ୟତଃ ଅନୁଚ୍ଚାରିତ ହୋଇ ରହି ଯାଉଛି।

ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଭାରତର ଗୃହିଣୀମାନେ ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ସବୁଠାରୁ ଦୁର୍ବଳ ବର୍ଗ। ସେମାନେ ପରିବାରର ଛତ୍ରଛାୟା ତଳେ ପ୍ରତିପାଳିତ। କୌଣସି କାରଣରୁ ସେମାନଙ୍କ ଉପରୁ ଏହି ଛତ୍ରଛାୟା ହଟିଗଲେ ସେମାନଙ୍କ ଲାଗି ସବୁଠାରୁ ବଡ଼ ସମସ୍ୟା ଭାବେ ଯାହା ଛିଡ଼ା ହୁଏ, ତାହା ହେଉଛି ଅର୍ଥ ଉପାର୍ଜନ ଓ ଅନ୍ନ ଚିନ୍ତା। ଏଭଳି ବର୍ଗକୁ ସଶକ୍ତ କରିବା ରାଷ୍ଟ୍ରର ଦାୟିତ୍ବ। ଏଥିଲାଗି ସରକାର ମଧ୍ୟ ଚିନ୍ତା କରିବା ଉଚିତ।

ସମ୍ବନ୍ଧିତ ଖବର