ପ୍ରତିବର୍ଷ ଅକ୍ଟୋବର୧୭ ତାରିଖରେ ବିଶ୍ବବ୍ୟାପୀ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୂଳନ ଦିବସ ପାଳିତ ହୋଇଥାଏ। ଦାରିଦ୍ର୍ୟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି ତଥା ଏହାର ମାନବିକ ଅଧିକାର ଓ ଗରିମା ଉପରେ ଥିବା ପ୍ରଭାବକୁ ଲୋକଲୋଚନକୁ ଆଣିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଦାରିଦ୍ର୍ୟ ଆମ ଜୀବନ ଏବଂ ସମାଜ ପାଇଁ ଏକ ଅଭିଶାପ। ମହାତ୍ମା ଗାନ୍ଧୀଙ୍କ ଭାଷାରେ ଦାରିଦ୍ର୍ୟ ହେଉଛି ହିଂସାର ସବୁଠାରୁ ନିକୃଷ୍ଟ ରୂପ। ଦାରିଦ୍ର୍ୟର ପ୍ରଭାବରୁ ଖାଦ୍ୟାଭାବ, କ୍ଷୁଧା, ନିରାଶ୍ରୟତା, ରୋଗ, ହିଂସା, ଅନଟନ, କନ୍ଦଳ ତଥା ଅଶାନ୍ତିର ବାତାବରଣ ଜନ୍ମ ନିଏ- ଯାହା ପରିଶେଷରେ ଉଭୟ ମଣିଷର ଜୀବନ ଓ ସମାଜର ବିକାଶ ପଥରେ ବାଧକ ସାଜେ।

Advertisment

ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୂଳନ ଦିବସର ଇତିହାସ ବେଶ୍ ପୁରୁଣା। ୧୯୮୭ ମସିହା ଅକ୍ଟୋବର ୧୭ ତାରିଖରେ ପ୍ୟାରିସ୍‌ର ଟ୍ରୋକାଡେରୋଠାରେ ଶତାଧିକ ଲୋକ ଜମାହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦାରିଦ୍ର୍ୟକୁ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଘୋଷଣା କରିବା ସହ ଏହାର ନିରାକରଣ ପାଇଁ ସମସ୍ତଙ୍କୁ ଏକାଠି ହୋଇ ପ୍ରୟାସ କରିବାକୁ ନିବେଦନ କରିଥିଲେ। ସେହିଦିନଠାରୁ ଅକ୍ଟୋବର ୧୭କୁ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ଓ ସଚେତନତାର ଏକ ଦିବସ ଭାବେ ଦେଖାଗଲା। ୧୯୯୨ ମସିହା ଡିସେମ୍ବର ୨୨ ତାରିଖରେ ସଂଯୁକ୍ତ ରାଷ୍ଟ୍ର ମହାସଭା ଅକ୍ଟୋବର ୧୭ ତାରିଖକୁ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୂଳନ ଦିବସ ଭାବେ ଘୋଷଣା କଲା। ଚଳିତ ବର୍ଷ ଉକ୍ତ ଦିବସର ବିଷୟ ରହିଛି: ‘ସଭିଙ୍କ ପାଇଁ ବାସ୍ତବରେ ଗରିମା’। ଏ ସମାଜରେ ସମସ୍ତଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ତେଣୁ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ଓ ସମ୍ଭାବନା ସୁନିଶ୍ଚିତ କରିବା ଆବଶ୍ୟକ।

ସଂଯୁକ୍ତ ରାଷ୍ଟ୍ର ସଂଘ ସମସ୍ତଙ୍କୁ ଏହି ଅବସରରେ ସାମାଜିକ ନ୍ୟାୟ, ଶାନ୍ତି ଓ ଆମ ପୃଥିବୀ ପାଇଁ ପ୍ରତିବଦ୍ଧ ହେବାକୁ ନିବେଦନ କରିଛି। ବର୍ତ୍ତମାନ ସମୟରେ ମଧ୍ୟ ୧୩୦ କୋଟି ଲୋକ ବିଭିନ୍ନ ପ୍ରକାର ଦାରିଦ୍ର୍ୟ କବଳରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଅର୍ଦ୍ଧେକ ଶିଶୁ ଏବଂ ଯୁବା, ଯାହା ବାସ୍ତବରେ ଚିନ୍ତାଜନକ। ସାମୂହିକ ପ୍ରୟାସ, ସହଯୋଗ, ସଚେତନତା ଓ ସମ୍ବେଦନଶୀଳତା ମାଧ୍ୟମରେ ଏକ ଉନ୍ନତ ସ୍ଥିତିର କଳ୍ପନା କରାଯାଇପାରିବ। ଏହି ଦିବସ ଅବସରରେ ସଂଯୁକ୍ତ ରାଷ୍ଟ୍ର ସଂଘ ଦାରିଦ୍ର୍ୟ ବିରୋଧରେ ସଂଘର୍ଷ ପାଇଁ ବୈଶ୍ବିକ ସ୍ତରରେ ଆବଶ୍ୟକ ସହଯୋଗକୁ ନେଇ ସଚେତନତା ସୃଷ୍ଟି କରିଥାଏ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ