ସାକ୍ଷରତା ହିଁ ସଫଳତା

(ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ) - ଡକ୍ଟର ଦେବୀଲାଲ ମିଶ୍ର

ପ୍ରତିବର୍ଷ ସେପ୍ଟେମ୍ବର ମାସ ୮ ତାରିଖରେ ବିଶ୍ବବ୍ୟାପୀ ସାକ୍ଷରତା ଦିବସ ପାଳିତ ହୋଇଥାଏ। ରାଷ୍ଟ୍ର ବା ସମାଜର ବିକାଶ ପାଇଁ ସାକ୍ଷରତା ଅପରିହାର୍ଯ୍ୟ। ସାକ୍ଷରତା ବିନା ଜଣେ ନାଗରିକ ହିସାବରେ ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଅସମ୍ଭବ। ପଢ଼ିବା ଓ ଲେଖିବା ପାଇଁ ଅସମର୍ଥ ହେଲେ ଶିକ୍ଷା ବାଧାପ୍ରାପ୍ତ ହୁଏ ଓ ଆମ ବ୍ୟକ୍ତିତ୍ବର ବିକାଶ ମଧ୍ୟ କଷ୍ଟକର ପାଲଟିଥାଏ। ସାକ୍ଷରତା ବିନା ଗୋଟିଏ ସମାଜ ଅନୁନ୍ନତ ହୋଇରହେ ଏବଂ ଜନ ସହଯୋଗ ଓ ଭାଗିଦାରୀ ବିନା ଏହା ବିକାଶ ପଥରେ ଅଗ୍ରସର ହୋଇପାରେ ନାହିଁ। ତେଣୁ ସାକ୍ଷରତାର ପ୍ରୟୋଜନ ପ୍ରତି ଜନ‌ସଚେତନତା ସୃଷ୍ଟି କରିବା ଆନ୍ତର୍ଜାତିକ ସାକ୍ଷରତା ଦିବସର ପ୍ରମୁଖ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ଦ୍ବାରା ପ୍ରଥମକରି ୧୯୬୬ ମସିହା ସେପ୍ଟେମ୍ବର ୮ ତାରିଖରେ ସାକ୍ଷରତା ଦିବସ ପାଳିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ୮ ତାରିଖରେ ଏହା ପାଳିତ ହୋଇଆସୁଛି।

ବିଭିନ୍ନ ସୂତ୍ରରୁ ଜଣାଯାଏ ଯେ, ଏବେବି ବିଶ୍ବରେ ୭୮୧ ମିଲିୟନ ଲୋକ ସାକ୍ଷର ନୁହଁନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ଏହିବର୍ଷ ସାକ୍ଷରତା ଦିବସର ବିଷୟ ରହିଛି ‘ସାକ୍ଷରତା ଶିକ୍ଷା ସଂସ୍ଥାଗୁଡିକର ରୂପାନ୍ତରଣ: ସୁଯୋଗ ଓ ସମ୍ଭାବନାର ସନ୍ଧାନ’। ନେଶନାଲ୍‌ ସର୍ଭେ ଅଫ୍‌ ରିପୋର୍ଟ ଆଧାରରେ, ୨୦୨୨ରେ ଭାରତର ସାକ୍ଷରତା ହାର ହେଉଛି ୭୭.୭ ପ୍ରତିଶତ। ଯଦିଓ ଶେଷ ସେନ୍‌ସସ ରିପୋର୍ଟ ତୁଳନାରେ ସାକ୍ଷରତା ହାରରେ ୪ ପ୍ରତିଶତ ବୃଦ୍ଧି ଘଟିଛି, ତଥାପି ହାରାହାରି ପ୍ରତି ୪ ଭାରତୀୟଙ୍କ ମଧ୍ୟରେ ଏବେ ଜଣେ ନିରକ୍ଷର ଅଛନ୍ତି। ବିଶ୍ବ ସାକ୍ଷରତା ହାରକୁ ହିସାବକୁ ନେଲେ ଏହା ପ୍ରତି ୮ଜଣରେ ଜଣେ। ୨୦୨୨ରେ ଭାରତର ମହିଳା ସାକ୍ଷରତା ହାର ୭୦.୩ ପ୍ରତିଶତ ଏବଂ ପୁରୁଷ ସାକ୍ଷାରତା ହାର ୮୪.୭%। ଏହି ପ୍ରଭେଦ ବିକାଶ ପାଇଁ ଏକ ବଡ଼ ଆହ୍ବାନ। ସାକ୍ଷରତା ବନା ସଶକ୍ତିକରଣ ସମ୍ଭବ ନୁହେଁ। ୟୁନେସ୍କୋ ଏବଂ ଜାତୀୟ ସାକ୍ଷରତା ମିଶନ୍‌ ଅନୁସାରେ ସାକ୍ଷାରତାର ତିନିଗୋଟି ପ୍ରମୁଖ ପରିମାପ ରହିଛି:

୧-ପଢ଼ିବା ଓ ଲେଖିବାର ସାମର୍ଥ୍ୟ, ୨-ଏକ ଭାଷା ବିଷୟରେ ଜ୍ଞାନ, ୩-ସମାଜରେ କାର୍ଯ୍ୟ, ସଂଚାର ଏବଂ ସହଭାଗିତା ନିମନ୍ତେ ଆବଶ୍ୟକୀୟ ଦକ୍ଷତା।

ଜାତିସଂଘର ପୂର୍ବତନ ସେକ୍ରେଟାରୀ ଜେନେରାଲ୍‌ କୋଫି ଆନନ୍‌ କହିଥିଲେ, ‘ସାକ୍ଷରତା ହେଉଛି ଦୁର୍ଦ୍ଦଶାରୁ ଆଶାକୁ ଅଗ୍ରସର ହେବା ପାଇଁ ଏକ ସେତୁ। ଏହା ଆଧୁନିକ ସମାଜରେ ନିତ୍ୟ ଜୀବନର ଏକ ମାଧ୍ୟମ। ଏହା ମାନବୀୟ ପ୍ରଗତି ଆଡ଼କୁ ଏକ ରାସ୍ତା, ଯାହାଦ୍ବାରା ପ୍ରତ୍ୟେକ ପୁରୁଷ, ମହିଳା ଏବଂ ଶିଶୁ ସେମାନଙ୍କ ଦକ୍ଷତା ପୂର୍ଣ୍ଣ ବିକାଶରେ ସଫଳ ହୋଇପାରିବ।

ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
debilalmishra@gmail.com

ସମ୍ବନ୍ଧିତ ଖବର