ଜୀବ-ପରମଙ୍କ ମିଳନ ହିଁ ଯୋଗ

(ଆନ୍ତର୍ଜାତିକ ଯୋଗଦିବସ ଅବ୍ୟବହିତ ପୂର୍ବରୁ)

ଆଧୁନିକ ସମାଜ ଯୋଗକୁ ସ୍ୱୀକୃତି ଦେଇଛି। ଯୋଗର ଅନ୍ତର୍ନିହିତ ଜଟିଳତାକୁ ଦୂର କରିବାରେ ଏବଂ ଏହାର ଅଭ୍ୟାସକୁ କେବଳ ପ୍ରାଚ୍ୟ ଦେଶବାସୀଙ୍କ ମଧ୍ୟରେ ସୀମିତ ନ ରଖିବାରେ ପରମହଂସ ଯୋଗାନନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆମେରିକାରେ ତାଙ୍କର ଯୋଗ-ଧ୍ୟାନ ଶିକ୍ଷାର ବ୍ୟାପକ ଗ୍ରହଣୀୟତା ପରବର୍ତ୍ତୀ ସମୟରେ ବିଶ୍ୱର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ବିସ୍ତାର ଲାଭ କରିଥିଲା। ଆଜି ପାଶ୍ଚାତ୍ୟରେ ଯୋଗାନନ୍ଦଜୀ ଯୋଗର ପିତା ରୂପେ ମାନ୍ୟତା ପାଇଛନ୍ତି।

ଯୋଗ ଶବ୍ଦର ଅର୍ଥ ହେଉଛି ସଂଯୋଗ- ‘ସଂଯୋଗୋ ଯୋଗ ଇତ୍ୟୁକ୍ତୋ ଜୀବାତ୍ମାପରମାତ୍ମନୋଃ’। ଅର୍ଥାତ୍ ପରମାତ୍ମାଙ୍କ ସହ ଜୀବାତ୍ମାର ସଂଯୋଗ ହିଁ ଯୋଗ। ଏହା ପ୍ରତ୍ୟେକ ମଣିଷର ଜୀବନର ଲକ୍ଷ୍ୟ। ଯୋଗ ମାଧ୍ୟମରେ ହିଁ ତାହା ସମ୍ଭବ ହୋଇଥାଏ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ଆମ ଭିତରେ ଥିବା ବୃତ୍ତି-ପ୍ରବୃତ୍ତି ଉପରେ ବିଜୟ ପାଇଁ ପ୍ରକୃତ ପଥଟିଏ ପ୍ରଦାନ କରେ, ଯାହା ପରିଶେଷରେ ଈଶ୍ବର ସାକ୍ଷାତ୍କାର କରାଇଥାଏ।

ଗୀତାରେ ଅଛି- ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ। ଯୁକ୍ତସ୍ବପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା।। ଅର୍ଥାତ୍ ଆହାର, ବିହାର, ସମସ୍ତ କର୍ମପ୍ରଚେଷ୍ଟା ଏବଂ ସ୍ବପ୍ନ ଓ ଜାଗ୍ରତ ଅବସ୍ଥାରେ ଯିଏ ଇଷ୍ଟଙ୍କ ସହ ଯୁକ୍ତ ରହିପାରେ, ଏପରି ଯୋଗ ତା’ର ସମସ୍ତ ଦୁଃଖକୁ ବିନାଶ କରେ। ଇଷ୍ଟଙ୍କର, ଭଗବାନଙ୍କର ନାମ ଜପ ମାଧ୍ୟମରେ ହିଁ ମଣିଷ ସର୍ବଦା ତାଙ୍କ ସହ ଯୁକ୍ତ ରହିପାରେ। ସେଥିପାଇଁ ଜପ ହେଉଛି ଯୋଗର ଏକ ବଡ଼ ଅଂଗ। ଶାସ୍ତ୍ରରେ ଲେଖାଯାଇଛି- ଜପାତ୍ ସିଦ୍ଧିଃ, ଜପାତ୍ ସିଦ୍ଧିଃ, ଜପାତ୍ ସିଦ୍ଧିର୍ନ ସଂଶୟଃ। ଅର୍ଥାତ୍ ନିରନ୍ତର ଜପ କରିବା ଦ୍ବାରା ସିଦ୍ଧି ମିଳେ। ପୁଣି ଅର୍ଥ ଭାବନା ସହିତ ଜପ କରିବା ପାଇଁ କୁହାଯାଇଛି। ସବୁ କାର୍ଯ୍ୟ ଭିତରେ ନିରନ୍ତର ଜପ କରିବା ସହ ସକାଳ, ସନ୍ଧ୍ୟା ଓ ରାତିରେ ନିର୍ଦ୍ଦିଷ୍ଟ ସମୟରେ ଯୋଗାସନରେ ବା ସୁଖାସନରେ ବସି ଜପ ସହ ଧ୍ୟାନ କରିବା ଉଚିତ।

ପତଞ୍ଜଳିଙ୍କ ଯୋଗସୂତ୍ରରେ ଅଷ୍ଟାଙ୍ଗ ଯୋଗ ସାଧନାର କଥା ଉଲ୍ଲେଖ ଅଛି। ସେହି ୮ ପ୍ରକାର ଯୋଗ ହେଉଛି- ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ସମାଧି ଯୋଗର ଶେଷ ପର୍ଯ୍ୟାୟ ହୋଇଥିବା ବେଳେ ଆସନ ହେଉଛି ସାଧନାର ପ୍ରଥମ ପର୍ଯ୍ୟାୟ। ପତଞ୍ଜଳି ଲେଖିଛନ୍ତି- ସ୍ଥିରସୁଖମାସନମ୍। ଅର୍ଥାତ୍ ଯେଉଁଥିରେ ଆମେ ସ୍ଥିରଭାବରେ ମେରୁଦଣ୍ଡ ସିଧା କରି ଦୀର୍ଘ ସମୟ ବସିପାରିବା ସେପରି ଆସନ ଅଭ୍ୟାସ କରିବା ଉଚିତ। ପଦ୍ମାସନ, ସିଦ୍ଧାସନ ପ୍ରଭୃତି ଯେଉଁମାନେ ବାଲ୍ୟକାଳରୁ ଅଭ୍ୟାସ କରିନାହାନ୍ତି, ସେମାନେ ପରିଣତ ବୟସରେ ଅଭ୍ୟାସ କରିବା ସମ୍ଭବ ନୁହେଁ। ସେମାନଙ୍କ ପାଇଁ ଚକାସନ ବା ସୁଖାସନ ହିଁ ଶ୍ରେଷ୍ଠ। ମୂଳ ଉଦ୍ଦେଶ୍ୟ ଆସନ ନୁହେଁ, ମୂଳ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପର୍ଯ୍ୟାୟ ଦେଇ ସମାଧି ଆଡ଼କୁ ଗତି କରିବା। କିନ୍ତୁ ଆମେ ଯୋଗ କହିଲେ କେବଳ ଆସନ ଭିତରେ ସୀମାବଦ୍ଧ ହୋଇ ରହିଛୁ। ପୁଣି ଗୁରୁ ନ ଥାଇ ଅନେକେ ଟିଭିରୁ ଦେଖି ପ୍ରାଣାୟାମ ଅଭ୍ୟାସ କରୁଛନ୍ତି। ଏହା ମାରାତ୍ମକ। ପ୍ରାଣାୟାମରେ ଭୁଲଭାଲ ହେଲେ ଲୋକ ଦୁରାରୋଗ୍ୟ ବ୍ୟାଧିରେ ପଡ଼ିପାରେ ବା ମୃତ୍ୟୁ ବି ଘଟିପାରେ। ପ୍ରାଣ (ପବନ)ର ସ୍ଥୈର୍ଯ୍ୟ ଓ ଆୟାମ ଯେଉଁଥିରେ ଘଟେ ତାହା ପ୍ରାଣାୟାମ। ଅନୁରାଗର ସହ ନାମଜପ, ଭଜନ, କୀର୍ତ୍ତନ ଆଦି ଦ୍ବାରା ବି କିଛି ପରିମାଣରେ ପ୍ରାଣାୟାମ ହୋଇଥାଏ। ଯମ ଓ ନିୟମ ବି ପାଳନ କରିବା ଦରକାର। ଯମ କ’ଣ? ଅହିଂସା, ସତ୍ୟ, ଅସ୍ତେୟ (ଅଚୌର୍ଯ୍ୟ), ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ – ଏହି ପାଞ୍ଚଟି ଜିନିଷକୁ ଯମ କୁହାଯାଏ। ସେହିପରି ଶୌଚ, ସନ୍ତୋଷ, ତପ, ସ୍ବାଧ୍ୟାୟ ଓ ଈଶ୍ବରପ୍ରଣିଧାନ- ଏହି ପାଞ୍ଚଟି ଜିନିଷକୁ ନିୟମ କୁହାଯାଏ। ଏସବୁ ପାଳନ ନ କରି କେବଳ ଆସନ ଓ ନିଃଶ୍ବାସପ୍ରଶ୍ବାସର ବ୍ୟାୟାମକୁ ଯୋଗ କୁହାଯାଇ ପାରିବ ନାହିଁ।

ଭଗବଦ୍ ଗୀତାରେ ବିଶେଷ ଭାବରେ ଯୋଗ ବିଜ୍ଞାନ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଗୁରୁତ୍ୱର ସହ ଦର୍ଶାଯାଇଛି ଯେ ଯୋଗୀହିଁ ଆଧ୍ୟାତ୍ମିକତାର ଚରମ ଯୋଦ୍ଧା ଏବଂ ଯୋଗ ଅଭ୍ୟାସରେ ରତ ରହିଲେ ପରିଶେଷରେ ଭଗବାନଙ୍କୁ ପାଇହେବ। ଯୋଗର ଏକ ନିର୍ଦ୍ଦିଷ୍ଟ ଶାଖା, ଯାହାକୁ ଯୋଗାନନ୍ଦଜୀ ତାଙ୍କ ଶିଷ୍ୟମାନଙ୍କ ଦ୍ବାରା ଲୋକପ୍ରିୟ କରାଇ ପାରିଥିଲେ, ତାହା ହେଉଛି କ୍ରିୟାଯୋଗ। ଏହା ହେଉଛି ଏକ ସରଳ, ମନୋବୈଜ୍ଞାନିକ ପଦ୍ଧତି ଯାହାଦ୍ୱାରା ମାନବ ଶରୀରର ରକ୍ତରୁ ଅଙ୍ଗାରକଣା ଦୂରୀଭୂତ ହୋଇ ଅମ୍ଳଜାନ ଦ୍ୱାରା ପୁନଃ ଶକ୍ତି ସଂଚାରିତ ହୋଇଥାଏ। ଯୋଗର ପ୍ରକୃତ ଲାଭ ଏହାର ଆଧ୍ୟାତ୍ମିକ ମୂଲ୍ୟବୋଧରେ ହିଁ ନିହିତ ଥାଏ, କାରଣ ଏହା ନିୟମିତ ଅଭ୍ୟାସକାରୀଙ୍କୁ ଆତ୍ମୋପଲବ୍ଧି ଆଡ଼କୁ ବାଟ କଢ଼ାଇ ନେଇଥାଏ।

ଯୋଗାନନ୍ଦଜୀଙ୍କ ମହାନ ଗୁରୁ ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱର ଗିରି, ତାଙ୍କ ଯୁବା ଶିଷ୍ୟଙ୍କୁ ‘ଜଗଦ୍‌ଗୁରୁ’ ଭୂମିକାରେ ପ୍ରତିଷ୍ଠିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୟୁକ୍ତେଶ୍ୱରଜୀ ନିଜେ ତାଙ୍କ ଗୁରୁ ଲାହିଡି ମହାଶୟଙ୍କ ଦ୍ୱାରା ଯୋଗାଭ୍ୟାସରେ ଦୀକ୍ଷିତ ହୋଇଥିଲେ। ଅମର ଗୁରୁ ମହାବତାର ବାବାଜୀଙ୍କ ସହ ତାଙ୍କର ନାଟକୀୟ ସାକ୍ଷାତ୍କାର ‘ଯୋଗୀର ଆତ୍ମଚରିତ’ ପୁସ୍ତକରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ସେହି ମହତ୍ତ୍ବପୂର୍ଣ୍ଣ ସାକ୍ଷାତ୍ ସମୟରେ ମହାବତାର ବାବାଜୀ ପ୍ରାଚୀନ ଯୋଗବିଜ୍ଞାନକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କର ପ୍ରମୁଖ ଶିଷ୍ୟଙ୍କୁ ପ୍ରସ୍ତୁତ କରିଥିଲେ। ବାବାଜୀ ଲାହିଡି ମହାଶୟଙ୍କୁ ସମସ୍ତ ନିଷ୍ଠାପର ଭକ୍ତଙ୍କୁ ଯୋଗରେ ଦୀକ୍ଷିତ କରିବାକୁ ଅନୁମତି ପ୍ରଦାନ କରିଥିଲେ ଏବଂ ଯୋଗାନନ୍ଦଜୀଙ୍କ ଦ୍ୱାରା ଶହେ ବର୍ଷ ପୂର୍ବେ ପ୍ରତିଷ୍ଠିତ ସେଲ୍ଫ-ରିୟଲାଇଜେସନ ଫେଲୋସିପ୍ / ଯୋଗୋଦା ସତ୍‌ସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ ଅଧୀନରେ ଏହି ପରମ୍ପରା ଅଦ୍ୟାବଧି ପ୍ରଚଳିତ ହୋଇ ଆସୁଛି।

ସମ୍ବନ୍ଧିତ ଖବର