ଓଜନିଆ ସମସ୍ୟା

ଝରକା

ଗଲା ସେପ୍ଟେମ୍ବର ମାସ ୧୫ ତାରିଖରୁ ‘ଏୟାର ଇଣ୍ତିଆ’ ବିମାନ ସେବା ପକ୍ଷରୁ ବିମାନର କର୍ମଚାରୀମାନଙ୍କ ଲାଗି କମ୍‌ ଚର୍ବିଯୁକ୍ତ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାର କାରଣ ଚର୍ବିଯୁକ୍ତ ତଥା ଉଚ୍ଚ କ୍ୟାଲୋରିଧାରୀ ଖାଦ୍ୟ ଖାଉଥିବା ହେତୁ ସେମାନେ ମୋଟା ହୋଇଯାଉଛନ୍ତି ଏବ˚ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହି କାରଣରୁ ସେମାନଙ୍କ ଲାଗି ଥିବା ପୂର୍ବର ‘ମେନୁ’(ଖାଦ୍ୟ ତାଲିକା)କୁ ବଦଳାଇ ତା ଜାଗାରେ ନୂଆ ‘ମେନୁ’ର ବ୍ୟବସ୍ଥା କରାଯାଇଛି। ତେବେ ଏଭଳି ପଦକ୍ଷେପ ପଛରେ ଯେ ‘ଫିଟ୍‌ ଇଣ୍ତିଆ’ ଅଭିଯାନ ଗୋଟିଏ କାରଣ, ତାକୁ ଅସ୍ବୀକାର କରାଯାଇ ନ ପାରେ।

ଗଲା ଅଗଷ୍ଟ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ‘ଫିଟ୍‌ ଇଣ୍ତିଆ’ ଅଭିଯାନ ବା ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି। ଏହା ପଛରେ ଥିବା ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଭାରତୀୟ ‘ଫିଟ୍‌’ ରହନ୍ତୁ; ନିଜ ଖାଦ୍ୟ-ପାନ ନେଇ ସଚେତନ ରହନ୍ତୁ ଓ ନିଜକୁ ରୋଗମୁକ୍ତ ରଖନ୍ତୁ। ‘ଫିଟ୍‌’ ରହିବା ଅର୍ଥ ସବୁ କାର୍ଯ୍ୟ ଲାଗି ଯୋଗ୍ୟ ହେବା, ଦକ୍ଷ ହେବା। କିନ୍ତୁ ଜୀବନ ଶୈଳୀ ତଥା ଖାଦ୍ୟ-ପାନର ଅଭ୍ୟାସରେ ପରିବର୍ତ୍ତନ କାରଣରୁ ଏବେ ଭାରତୀୟମାନେ ଅଧିକରୁ ଅଧିକ ସ˚ଖ୍ୟାରେ ରୋଗଗ୍ରସ୍ତ ହେବାରେ ଲାଗିଛନ୍ତି। ଏହା ଦ୍ବାରା ଆମ ମାନବ ସମ୍ବଳ ଦୁର୍ବଳ ହେବାରେ ଲାଗିଛି। ସେହି ଦୃଷ୍ଟିରୁ ‘ଏୟାର ଇଣ୍ତିଆ’ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଏକ ସକାରାତ୍ମକ ଉଦ୍ୟମ ଭାବେ ଦେଖାଯାଇପାରେ।

ଅନେକ ସମୟରେ ବିେଶଷ କରି ଆମ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନେଇ ପ୍ରଶ୍ନ ଉଠେ ଯେ ସେମାନେ କେତେ ‘ଫିଟ୍‌’? କାରଣ ପୁଲିସ ଚାକିରିରେ ଭର୍ତ୍ତି ହେବା ଲାଗି ଶାରୀରିକ ଦକ୍ଷତା ବା ‘ଫିଟ୍‌ନେସ୍‌’କୁ ଯୋଗ୍ୟତାର ସବୁଠାରୁ ବଡ଼ ମାପ କାଠି ରୂପେ ବିବେଚନା କରାଯାଏ। କିନ୍ତୁ ଦେଖିବାକୁ ମିଳେ ଯେ ଚାକିରି ପାଇବା ପରେ ପୁଲିସମାନେ ଅଚିରେ ପୃଥୁଳକାୟ ହୋଇଯାଆନ୍ତି ଯାହା ସେମାନଙ୍କ ଦକ୍ଷତାକୁ ଆକ୍ରାନ୍ତ କରେ। ୨୦୧୭ରେ ଜଗତ୍‌ସି˚ହପୁର ଜିଲ୍ଲାରେ ସବୁ ପୁଲିସ ଥାନାକୁ ଓଜନ ମେସିନ ଦିଆଯାଇଥିଲା। ଗଲା ବର୍ଷ କର୍ଣ୍ଣାଟକ କେନ୍ଦ୍ର ସୁରକ୍ଷା ବାହିନୀର ମୁଖ୍ୟ ମୋଟା ପୁଲିସ କର୍ମଚାରୀମାନଙ୍କୁ ସେମାନଙ୍କ ଓଜନ ବିସର୍ଜନ କରିବାକୁ ଆଦେଶ ଦେଇଥିଲେ। କେବଳ ଏଇ କେତେ ଗୋଟିଏ ନୁହେଁ, ଦେଶର ବହୁ ସ୍ଥାନରେ ପୁଲିସ କର୍ମଚାରୀମାନଙ୍କ ମୋଟା ପଣ ନେଇ ଉଦ୍‌ବେଗ ପ୍ରକାଶ ପାଉଛି।

ତେବେ, ଏହା ବି ସତ ଯେ କେବଳ ପୁଲିସ ନୁହନ୍ତି; ବୃତ୍ତି, ଲିଙ୍ଗ, ବୟସ ନିର୍ବିଶେଷରେ ସମସ୍ତେ ‘ଫିଟ୍‌’ ରହିବା ଜରୁରୀ। କାରଣ ଶାରୀରିକ ସୁସ୍ଥତା ଓ ସ୍ଫୂର୍ତ୍ତି ହିଁ ଜଣକୁ ମାନସିକ ସ୍ତରରେ ଜାଗ୍ରତ ରଖିପାରେ, ତାକୁ ଦକ୍ଷ କରିପାରେ। ଅସୁସ୍ଥ ଶରୀର ଏକ ଅଭିଶାପ।

ସମ୍ବନ୍ଧିତ ଖବର