ଝରକା: ସୂଚନା ଅଧିକାର ଅସ୍ତ୍ର ହେବାର ବିପଦ

ଗଲା ସୋମବାର ଦିନ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରକାଶ କରିଥିବା ମତ ସୂଚନା ଅଧିକାରର ଦୁରୁପଯୋଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅଞ୍ଜଳୀ ଭରଦ୍ବାଜ ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ଆଗତ ଏକ ମାମଲାର ଶୁଣାଣି କରୁଥିବା ବେଳେ ମାନ୍ୟବର ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ଭଳି ମନ୍ତବ୍ୟ ଦେଇଛନ୍ତି।

୨୦୦୫ ମସିହାରେ ସୂଚନା ଅଧିକାର ଏକ ଆଇନରେ ପରିଣତ ହେବା ପରେ ଉତ୍‌ଫୁଲ୍ଲିତ ଭାରତରେ ଏକ ଆଶା ପ୍ରକାଶ ପାଇଥିଲା ଯେ ଏଣିକି ସରକାରୀ ଦୁର୍ନୀତିକୁ ରୋକିବା ଲାଗି ଜନସାଧାରଣଙ୍କ ହାତକୁ ଅସ୍ତ୍ରଟିଏ ଆସିଗଲା। କିନ୍ତୁ ସେତେବେଳେ ଆଶା କରା ଯାଇ ନ ଥିଲା ଯେ ଏହି ଅସ୍ତ୍ରର ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ଅନେକ ଦୁର୍ନୀତିଗ୍ରସ୍ତ ରହି ଏହାର ଦୁରୁପଯୋଗ କରିବେ। ତାହା ହିଁ ହୋଇଥିବା ଏବେ ଦେଖିବାକୁ ମିଳୁଛି। କାରଣ ଅନେକ ଲୋକ ଏହା ସାହାଯ୍ୟରେ ସରକାରୀ ଅଧିକାରୀମାନଙ୍କୁ ‘ବ୍ଲାକ୍‌ ମେଲ୍‌’ କରି ଏହାକୁ ନିଜ ଲାଗି ଅର୍ଥ ଉପାର୍ଜନର ଏକ ମାଧ୍ୟମରେ ପରିଣତ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ଅନେକଙ୍କ ଲାଗି ଏକ ‘ପେସା’ରେ ପରିଣତ ହେଲାଣି, ଯାହା ଚିନ୍ତାର ବିଷୟ।

ଏହା ସହିତ ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଏହି କାରଣରୁ ସରକାରୀ ଅଧିକାରୀମାନେ କୌଣସି ନିଷ୍ପତ୍ତି ନେବାକୁ ଭୟ କରୁଛନ୍ତି, ଯାହା ସରକାରୀ କାର୍ଯ୍ୟର ଅଗ୍ରଗତିରେ ବାଧା ପହଞ୍ଚାଉଛି। ଏହି ମର୍ମରେ ମାନ୍ୟବର ଅଦାଲତ କହିଛନ୍ତି ଯେ ଯିଏ ଯେଉଁ ବିଷୟରେ ଚାହିଁଲା, ତାର ସୂଚନା ମାଗିବା ଏକ ପ୍ରମାଦପୂର୍ଣ୍ଣ ବ୍ୟବସ୍ଥା। କେବଳ କୌଣସି ବ୍ୟବସ୍ଥା ବା ବିଷୟ ଦ୍ବାରା ପ୍ରଭାବିତ ଲୋକେ ହିଁ ସେ ବାବଦରେ ସୂଚନା ମାଗିବାର ଅଧିକାର ପାଇବା ଉଚିତ।

ସୂଚନା ଅଧିକାରକୁ ଅସ୍ତ୍ର ବୋଲି ଅଭିହିତ କରାଯିବା ପରେ ଏହାର ଉଭୟ ପଟର ଧାରକୁ ଲୋକେ ବ୍ୟବହାର କରିବାକୁ ଚାହିଁବା ଫଳରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଆଇନ ଏବେ ପୁନଃ ସମୀକ୍ଷାର ଅବକାଶ ସୃଷ୍ଟି କଲାଣି। ପ୍ରକୃତରେ ଏକ ଅସ୍ତ୍ରକୁ ‌େଯ ପର୍ଯ୍ୟନ୍ତ ଠିକଣା ଭାବେ ବ୍ୟବହାର କରାଯିବାର ବିବେକ ସମସ୍ତଙ୍କ ଭିତରେ ଉଦୟ କରାଯାଇ ନ ପାରିଛି, ସେ ପର୍ଯ୍ୟନ୍ତ ଏହାର ସଂଯମଶୀଳ ବ୍ୟବହାର ଲାଗି କିଛି କାଇଦା କଟକଣା ରହିବା ଆବଶ୍ୟକ ବୋଲି ମନେ ହୁଏ।

ସମ୍ବନ୍ଧିତ ଖବର