ବାଘ ଆଁ ଭିତରେ କବିତା

ନଖିଆ ତିହାଡ଼ି

ମୋ ବନ୍ଧୁ କବି ଭ୍ରମରବର ରାଉତରାୟ ତାଙ୍କ ରଚିତ ସଦ୍ୟ ପ୍ରକାଶିତ କବିତା ବହିଟିଏ ମୋ ଆଗରେ ତୋଳି ଧରି କହିଲେ- ‘ଦେଖିଲ, ଦେଖିଲ, ମୁଁ ନିଜେ ଲେଖିଥିବା ଏ କବିତା ବହିଟି କେମିତି ହେଇଛି!’ ବହିଟି ଯେ ସୁଦୃଶ୍ୟ ଏହା ସତ୍ୟ, ମାତ୍ର ତାର ନାମ ଦେଖି ମୁଁ ଚମକି ପଡ଼ିଲି। ବହିର ନାଁ ଦିଆଯାଇଛି ‘ବାଘର ଆଁ ଭିତରେ କବିତା’।

ପଚାରିଲି- ‘ବାଘର ଆଁ ଭିତରକୁ କବିତା କେମିତି ପଶିଲା କି ହୋ?’ ଭ୍ରମରବର ଟିକିଏ ହସି କହିଲେ, ଏହା ବଡ଼ ଗହନ କଥା। ସାଧାରଣ ପାଠକ ଏ ସବୁକୁ ବୁଝିବା ବଡ଼ ମୁସ୍କିଲ। ଯେତେବେଳେ କବିର ଚିନ୍ତାଧାରା ଆକାଶକୁ ଟପିଯାଏ ଆଉ ପାଠକ ମାଟି କାମୁଡ଼ି ପଡ଼ିରହେ, ସେତେବେଳେ ପାଠକ କିଛି ବୁଝି ନ ପାରି କବିତାକୁ ହାଁ କରି ଅନାଇ ରହେ।’

ଏବେ ମୁଁ ବୁଝିଗଲି ଯେ ଭ୍ରମରବର ମୋର ବିଦ୍ୟାବୁଦ୍ଧିକୁ ତାଚ୍ଛଲ୍ୟ କରୁଛନ୍ତି। ମୁଁ କହିଲି- ଏ ଗହନ ତତ୍ତ୍ବ ଭିତରକୁ ମୁଁ ପଶି ପାରୁନି ଭାଇ! କଲେଜରେ ମୁଁ ବିଜ୍ଞାନରେ ନବେ ପ୍ରତିଶତ ମାର୍କ ରଖୁଥିଲି, ଆଉ ତମେ ଯାହିତାହି ପାସ୍‌ କରିଯାଉଥିଲ। ହେଲେ ଦେଖ, ସାହିତ୍ୟ କ୍ଷେତ୍ରରେ ତୁମେ କେତେ ଆଗରେ, ଆଉ ମୁଁ କେତେ ଅଧମ! ତେଣୁ, ହେ ବନ୍ଧୁ, ଟିକିଏ ବୁଝାଇବା ହେଉ।

ଭ୍ରମରବର ଗଳା ଝାଡ଼ି କହିଲେ- ବାଘ ଗୋଟିଏ ହି˚ସ୍ର ଜନ୍ତୁ। ସେ ଆଁ କରି ଗର୍ଜନ କରେ। ସେ ଗର୍ଜନରେ ଥାଏ କ୍ରୋଧର ସ୍ବର। ବାଘର ଆଁ ବିଦ୍ରୋହର କଥା କହେ। ‘ବାଘର ଆଁ ଭିତରେ କବିତା’ର ଅର୍ଥ ହେଲା ଏକ ବିଦ୍ରୋହର କବିତା। ତା ଛଡ଼ା ଆଉ ଗୋଟିଏ କଥା ହେଲା, ତମେ ଯଦି ଯାତ୍ରା ଫାତ୍ରା ଦେଖୁଥାଅ ତ ଜାଣିଥିବ ଯେ ବହିର ନାଁରୁ ଯାତ୍ରା ହିଟ୍‌। ତେଣୁ ବହିର ଏମିତି ନାଁ ଦେଇଛି ଯେ ତାହା ନିଶ୍ଚୟ ହିଟ୍‌ ହେବ।

‘ଆଚ୍ଛା, ଆଚ୍ଛା’, ବୋଲି କହି ମୁଁ ବହିର କିଛି ପୃଷ୍ଠା ଓଲଟାଇଲି। ଦେଖିଲି ଆଗ ଧାଡ଼ିର ଅର୍ଥ ସହିତ ପଛ ଧାଡ଼ିର ଅର୍ଥର କିଛି ମେଳ ନାହିଁ। ହଠାତ୍‌ ଗୋଟିଏ ଜାଗାରେ ମୁଁ ଅଟକି ଗଲି। ଲେଖା ହୋଇଥିଲା- ‘ତୁମର ଚିକ୍‌ ଚିକ୍‌ ଗାଲ ଦେଖି ମୁଁ ପ୍ରେମରେ ପାଗଳ ହୋଇଗଲି।’

ମୁଁ ପଚାରିଲି- ହଇହେ ଭ୍ରମରବର, ଗୋଟେ ଝିଅ ଲାଗି ତମେ ପ୍ରେମରେ ପାଗଳ ହୋଇଗଲ! ଏହା ତ ପୂରାପୂରି ପ୍ରେମ କବିତା। ୟା ଭିତରେ ବିଦ୍ରୋହର କଥା କେମିତି ଆସିଲା?
ଭ୍ରମରବର ଅଟ୍ଟହାସ୍ୟ କରି କହିଲେ- ଗୋଟେ ଝିଅକୁ ମୁଁ ଭଲ ପାଇ ବସିଲି। ତାକୁ ମନାଇବା ପାଇଁ ଯେତେ ଲାଗିଲି ବି ସେ ମାନିବା ତ ଦୂରର କଥା, ମୋ ସହିତ ପଦୁଟିଏ କଥା ବି ହେଲାନାହିଁ। ଏମିତି ହେଲେ ମନ ଭିତରେ ବିଦ୍ରୋହ ଜାତ ହେବ ନା ନାହିଁ? ବିଦ୍ରୋହର କବିତା ଫୁଟିବ ନା ନାହିଁ?

କହୁ କହୁ ଭ୍ରମରବର ଏକ ପ୍ରକାର କାନ୍ଦି ପକାଇଲେ ଓ କହିଲେ- ତାହାରି ପାଇଁ ମୁଁ କେତେ ରାତି ଅନିଦ୍ରା ନ ହୋଇଛି! କେତେ ଅର୍ଥ ଶ୍ରାଦ୍ଧ ନ କରିଛି! ଆସ, ଦେଖିବ ଆସ।

ଏହା କହି ଭ୍ରମରବର ମୋତେ ଭିଡ଼ି ଭିଡ଼ି ତାଙ୍କ ପଢ଼ାଘର ଭିତରକୁ ନେଇଗଲେ। ପଢ଼ା ଘରେ କାନ୍ଥରେ ଟଙ୍ଗା ହୋଇଛି ଶହେ ସରିକି ମାନପତ୍ର। ସେ କହିଲେ- କବି ବୋଲି ଏ ମାନପତ୍ର ସବୁ ପାଇବା ଲାଗି ମୋତେ କମ୍‌ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନାହିଁ! କମ୍‌ ଯୋଗାଡ଼ଯନ୍ତ୍ର କରିବାକୁ ପଡ଼ିନାହିଁ! ଏ ସବୁ ପାଇଲି ବୋଲି ତ ଖବରକାଗଜରେ ନାଁ ବାହାରିଲା, ଛବି ବାହାରିଲା, ସମସ୍ତେ କବି ବୋଲି ଜାଣିଲେ। ହେଲେ ହାୟ, ପଦୁଟିଏ କଥା କହିବାକୁ ତାର ମନ ତରଳିଲା ନାହିଁ!

ଭ୍ରମରବରଙ୍କ ପ୍ରତି ସହାନୁଭୂତିରେ ମନ ଭରିଗଲା। ମୁଁ କହିଲି- ହଉ, ଅର୍ଥ ଶ୍ରାଦ୍ଧ କଥା ଭୁଲିଯାଅ। ଏତେ କବିତା ଲେଖିପାରିଛ, ତାହା ବଡ଼ କଥା। ଭାବିନିଅ ଯେ ଉଚିତ ଲୋକକୁ ମାନପତ୍ରମାନ ମିଳିଛି। ହେଲେ, ଭାଇ ଏତେ କବିତା ତମ ମନ ଭିତରୁ ବାହାରିଲା କେମିତି?

ଭ୍ରମରବର କହିଲେ- ବନ୍ଧୁ ବୋଲି ଗୁମର ଫିଟାଉଛି, ଶୁଣ। ବିଭିନ୍ନ କବିଙ୍କର କବିତାରୁ ଧାଡ଼ିଏ ଲେଖାଏଁ ଆଣି ଯୋଡ଼ାଯୋଡ଼ି କରି କବିତା ତିଆରିଛି। ନେଇ ଆଣି ଥୋଇ ଜାଣିଛି ବୋଲି ମୋ କାରଖାନା ଚାଲିଛି।

ତା ପରେ ସେ କହିଲେ -ନିଜ ଲିଖିତ ବହିଟିଏ ତାକୁ ଉତ୍ସର୍ଗ କଲେ କାଳେ ପଦୁଟିଏ କଥା ହେବ ବୋଲି ଭାବି ତାହା ବି କରିଛି।

ମୁଁ ସନ୍ତର୍ପଣରେ ପଚାରିଲି- ଫେର‌୍‌? କଥା ହେଲା?

ଭ୍ରମରବର କହିଲେ- ହଁ ହେଲା। ଅବଶ୍ୟ ତାର ସୁଳଲିତ କଣ୍ଠରେ ସେ କହିଲା- ମୋ ପଛରେ ଆଉ କୁକୁର ଭଳି ଦଉଡ଼ ନାହିଁ।

[email protected]

ସମ୍ବନ୍ଧିତ ଖବର