ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଭାଷା ଓ ସାହିତ୍ୟ ସୁରକ୍ଷା କଥା ଆଲୋଚନା ବେଳେ କର୍ମବୀର ଗୌରୀଶଙ୍କରଙ୍କ ନାମ ସର୍ବାଗ୍ରେ ମନକୁ ଆସେ। କୁଚକ୍ରୀ ଗୋଷ୍ଠୀଙ୍କର ଓଡ଼ିଆ ସାହିତ୍ୟ ଓ ଭାଷା ବିଲୋପ ପାଇଁ ଯେଉଁ ସଂଘବଦ୍ଧ ଉଦ୍ୟମ ଜାରି ରହିଥିଲା ସେହି ସମୟରେ ଜନ୍ମଲାଭ କରିଥିଲେ ଯୁଗପୁରୁଷ ଗୌରୀଶଙ୍କର। ଜାତିରେ ଓଡ଼ିଆ ନ ହେଲେ ମଧ୍ୟ ଗୁଣରେ, ଚିନ୍ତା ଓ ଚେତନାରେ ପ୍ରଚଣ୍ଡ ସ୍ୱାଭିମାନୀ ଓ ଜାତୀୟତାବାଦୀ ଥିଲେ ଗୌରୀଶଙ୍କର। ଉତ୍କଳ ଦୀପିକାର ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସମ୍ପାଦନା ଦାୟିତ୍ୱ ବହନ କରି ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସେ ଥିଲେ ମହାମେରୁ ସଦୃଶ।

Advertisment

ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ ୧୮୭୮ ମସିହାରେ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ଏହାର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ଦୀର୍ଘ ଦୁଇ ଦଶନ୍ଧି ଧରି, ଏକମାତ୍ର ଲକ୍ଷ୍ୟ ଓଡ଼ିଆ ଭାଷା ଓ ଜାତିର ଉନ୍ନତି ସାଧାନ। ତାଙ୍କ ଦ୍ୱାରା ସମ୍ପାଦିତ ‘ଉତ୍କଳ ଦୀପିକା’ ମାଧ୍ୟମରେ ଓଡ଼ିଆମାନଙ୍କ ସମସ୍ୟା, ଅସନ୍ତୋଷ ଭାବ, ଦୁଃଖ କଷ୍ଟ ପ୍ରାକୃତିକ ବିପର୍ଯ୍ୟୟର ବାସ୍ତବଚିତ୍ର, କୁସଂସ୍କାର ଓ ଅନ୍ଧବିଶ୍ୱାସର ଚରମ ପରିଣତି ଉପରେ ସମ୍ବାଦ ପରିବେଷଣ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଓ ଇଂରେଜ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଓଡ଼ିଆମାନଙ୍କ ଭିତରେ ଜାତୀୟ ଚେତନା ସୃଷ୍ଟି କରିବାରେ ଉତ୍କଳ ଦୀପିକାର ପ୍ରମୁଖ ଭୂମିକା ଥିଲା।

ନଅଙ୍କ ଦୁର୍ଭିକ୍ଷର ଅସଲ ଚିତ୍ର ପ୍ରକାଶ କରି ସେ ଗୋରା ସରକାରଙ୍କୁ ହରଡ଼ଘଣାରେ ପକାଇ ଦେଇଥିଲେ ଓ ନିଷ୍ପେସିତ, ଅବହେଳିତ ଓଡ଼ିଆଙ୍କ ସ୍ୱର ଶାଣିତ କରାଇବାରେ ସହାୟକ ହୋଇଥିଲେ। ଓଡ଼ିଆମାନଙ୍କ ଆଳସ୍ୟ ପରାୟଣ ଭାବକୁ ଲକ୍ଷ୍ୟ କରି ଉତ୍କଳ ଦୀପିକା ମାଧ୍ୟମରେ ଗୌରୀଶଙ୍କର ଏ ଜାତିକୁ ଚେତେଇ ଦେଇଥିଲେ– “ହେ ଉତ୍କଳୀୟମାନେ ଉଠ! ଆପଣାର ପୂର୍ବ ପୁରୁଷର ଯଥାର୍ଥ ନାମ ରକ୍ଷା କର ଓ ଆପଣା ଆପଣାର ଲଲାଟସ୍ଥ ଅଜ୍ଞତାପବାଦ ରୂପ କଳଙ୍କରେଖା ଉନ୍ମୋଚନ କରିବାକୁ ତତ୍ପର ହୁଅ। ଆଉ କେତେ କାଳ ଆଳସ୍ୟ ସଲିଳରେ ଜୀବନ ବିସର୍ଜନ କରିବ?” ମାନ୍ଦ୍ରାଜ, ବଙ୍ଗଳା ଓ ମଧ୍ୟପ୍ରଦେଶ ସହିତ ଓଡ଼ିଶା ମିଶି ରହିଥିବାରୁ ଗୌରୀଶଙ୍କର ଏହାକୁ ‘ତିନି ଥେଣ୍ଟିଆ କାକୁଡ଼ି ବାଡ଼ି’ ଓ ଦୁଇ ଘର କୁଣିଆ ହୋଇ ଓଡ଼ିଆ ଶେଷରେ ଉପାସରେ ଶୋଉଛନ୍ତି ବୋଲି ଦର୍ଶାଉଥିଲେ। ‘କଟକ ଷ୍ଟାର’ ପତ୍ରିକାରେ ଉମାଚରଣ ହାଲ୍‌ଦାର ଓଡ଼ିଆ ଭାଷାକୁ ବଙ୍ଗାକ୍ଷରରେ ଲେଖିବା ପାଇଁ ପ୍ରସ୍ତାବ ଦେବାରୁ ଗୌରୀଶଙ୍କର ଏହାର ତୀବ୍ର ପ୍ରତିବାଦ କରି ଲେଖିଥିଲେ– ‘ଯାହା ପୁଅ ତାହାକୁ ସୁନ୍ଦର’। ବାରମ୍ବାର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସେ ଆହ୍ୱାନ ଦେବା ସହ ଏକତ୍ରୀକରଣ ବିନା କିପରି ଉନ୍ନତି ସାଧନ ହୋଇପାରୁନାହିଁ ତାହା ବିଶଦ ଭାବେ ସମ୍ପାଦକୀୟରେ ଆଲୋଚନା କରୁଥିଲେ। ତାଙ୍କ ନିୟମିତ ବଳିଷ୍ଠ ଲେଖା ଦ୍ୱାରା ଜନମତ ସୃଷ୍ଟି ହୋଇପାରିଥିଲା।

ସମ୍ବଲପୁର ଜିଲ୍ଲାର କୋର୍ଟ କଚେରୀ ଓ ସରକାରୀ କାର୍ଯ୍ୟାଳୟରେ ଯେତେବେଳେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳନ କରିବାକୁ ଇଂରେଜ ସରକାର ନିଷ୍ପତ୍ତି ନେଲେ, ଗୌରୀଶଙ୍କର ଏହାକୁ ବିରୋଧ କରିଥିଲେ, ଶେଷରେ ଏହା ଏକ ଆନ୍ଦୋଳନର ରୂପ ନେଇଥିଲା। ଉତ୍କଳ ଦୀପିକା ମାଧ୍ୟମରେ ଏହି ନିଷ୍ପତ୍ତିର ତୀବ୍ର ସମାଲୋଚନା କରିବା ଦ୍ୱାରା ଇଂରେଜ ସରକାର ଏହି ଇସ୍ତାହାରଟି ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ, ଫଳସ୍ୱରୂପ ପରବର୍ତ୍ତୀ ସମୟରେ ଓଡ଼ିଶା ଡିଭିଜନ ସହ ସମ୍ବଲପୁର ମିଶିଥିଲା। ସେହିପରି ୧୯୦୩ ମସିହାରେ ଯେତେବେଳେ ଉତ୍କଳ ସମ୍ମିଳନୀ ଜନ୍ମଲାଭ କଲା। ଏହାର ସମ୍ପାଦକ ଦାୟିତ୍ୱ ମଧ୍ୟ ଗୌରୀଶଙ୍କରଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଓ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ ସେ ଥିଲେ ସଂକଳ୍ପବଦ୍ଧ। ୧୯୦୯ ମସିହାରେ ନିଜ ସ୍ୱଉପାର୍ଜିତ ଧନରେ ସେ କଟକ ଟାଉନହଲ ନିର୍ମାଣ କରିଥିଲେ ଓ କାୟସ୍ଥ ଛାତ୍ରାବାସ ସ୍ଥାପନ କରିଥିଲେ। ନାରୀ ଶିକ୍ଷା ପାଇଁ ମଧ୍ୟ ସେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିଲେ। ଏକାଧାରରେ ଗୌରୀଶଙ୍କର ଥିଲେ ସମାଜ ସଂସ୍କାରକ, ସଂଗଠକ, ସାହିତ୍ୟିକ ଓ ସାମ୍ବାଦିକ। ତାଙ୍କୁ ଓଡ଼ିଶା ସମ୍ବାଦପତ୍ରର ଜନକ ବୋଲି ସମ୍ବୋଧନ କରାଯାଏ। ଭକ୍ତ କବି ମଧୁସୂଦନ ରାଓ ଏହି ମହାମନୀଷିଙ୍କ ଗୁଣଗାନ କରି ଲେଖିଥିଲେ–
‘ନବ ଯୁଗ ଭାଷା-ପ୍ରଭା ‘ଦୀପିକା’ ପ୍ରକାଶି
ଧନ୍ୟ ତୁମ୍ଭେ ଏ ଉତ୍କଳେ ସୁକୃତ ବିଳାସି।’

ସମ୍ପାଦକ, ଉତ୍କଳ ଗାନ୍ଧୀ ସ୍ମାରକନିଧି, କଟକ