ବାୟାଣୀ ରାବିୟା

କଥାଟିଏ-ଯାଯାବର

ଅପରାହ୍‌ଣ। ସୂର୍ଯ୍ୟ ଢଳିଲେଣି। ନିଜ ଛୋଟ କୁଡ଼ିଆ ବାହାର ପଡ଼ିଆରେ ସନ୍ଥ ରାବିୟା କିଛି ଖୋଜିବାରେ ବ୍ୟସ୍ତ। ଗାଁ ଲୋକେ ପଚାରିଲେ- ରାବିୟା, କ’ଣ ଖୋଜୁଛ?
ରାବିୟା କହିଲେ- ଛୁଞ୍ଚିଟିଏ ପଡ଼ିଯାଇଛି। ତାକୁ ଖୋଜୁଛି।
କିଛି ସମୟ ପରେ ଅନ୍ଧାର ହୋଇଯିବ। ରାବିୟା ହଇରାଣ ହେବେ। ତେଣୁ ଲୋକମାନେ ବି ଛୁଞ୍ଚି ଖୋଜାରେ ଲାଗିଗଲେ। ଅନେକ ଖୋଜିବା ପରେ ଛୁଞ୍ଚି ମିଳିଲା ନାହିଁ।
ତା ପରେ ଜଣେ ପଚାରିଲେ- ରାବିୟା, ଛୁଞ୍ଚିଟି ଠିକ୍ କେଉଁଠି ହଜାଇଲ କୁହ। ଏ ପଡ଼ିଆ ବହୁତ ବଡ଼। ଠିକ୍‌ ଜାଗା କେଉଁଟା ନ ଜାଣିଲେ ପାଇବା କଷ୍ଟକର।
ରାବିୟା କହିଲେ- ଛୁଞ୍ଚିଟି ଘର ଭିତରେ କେଉଁଠି ପଡ଼ିଗଲା। ଘର ଭିତରଟା ଅନ୍ଧାର। ଦୀପଟିଏ ଲଗାଇବା ଲାଗି ମୋ ପାଖରେ ସାଧନ ନାହିଁ। ତେଣୁ ଯେଉଁଠି ଆଲୋକ ଅଛି, ସେଠି ଖୋଜୁଛି।
ଲୋକେ ମୁଣ୍ଡରେ ହାତ ଦେଲେ। ସେମାନେ କହିଲେ-ରାବିୟା, ଆମେ ଭାବୁ ଯେ ତୁମେ ଜଣେ ବାୟାଣୀ। ଆଜି କିନ୍ତୁ ତାହା ପ୍ରମାଣ କରିଦେଲ!
ରାବିୟା କହିଲେ- ନା, ନା। ସମସ୍ତେ ଯାହା କରୁଛନ୍ତି ମୁଁ ତ ତାହା ହିଁ କରୁଛି। ଏହା ତ ଏବର ଯୁଗର ଧର୍ମ। ଲୋକେ ସୁଖ, ଶାନ୍ତି, ଆନନ୍ଦ; ଏ ସବୁ କିଛି ବାହାରେ ଖୋଜୁଛନ୍ତି। ଅଥଚ ସବୁ ସେମାନଙ୍କ ଭିତରେ ଅଛି। ସେମାନଙ୍କ ଭିତରଟା ଅନ୍ଧକାରମୟ ବୋଲି ସେମାନେ ତାକୁ ଭିତରେ ପାଉ ନାହାନ୍ତି। ତେଣୁ ଭାବୁଛନ୍ତି ବାହାରେ କାଳେ ମିଳିଯିବ! ମୁଁ ବି ସେଇୟା କରୁଥିଲି ମାତ୍ର!

ସମ୍ବନ୍ଧିତ ଖବର