ଜ୍ଞାନୀ ବ୍ରାହ୍ମଣ

କଥାଟିଏ - ଯାଯାବର

ଜଣେ ଅତ୍ୟନ୍ତ ଜ୍ଞାନୀ ବ୍ରାହ୍ମଣ ଥିଲେ। ତାଙ୍କର ଅଶେଷ ସୁନାମ ଥିଲା। ଦିନକର କଥା। ଜଣେ ଯୁବକ ତାଙ୍କ ପାଖକୁ ଆସି ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବାକୁ ଚାହିଁଲା। ବ୍ରାହ୍ମଣ ତାର ପରିଚୟ ମାଗିଲେ।

ଯୁବକ କହିଲା- ମୁଁ ଜଣେ ମୂର୍ଖ ଯୁବକ। ଶିକାର କରି ଚଳେ। ତେବେ ମୁଁ ଭଲ ତୀର ମାରି ପାରେ। କେଜାଣି କାହିଁକି ଏ ସବୁରେ ମନ ମାନୁନାହିଁ। ଭାବିଲି ଟିକିଏ ଜ୍ଞାନ ମାର୍ଗରେ ଯିବି। ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।

ଏହା ଶୁଣି ବ୍ରାହ୍ମଣ କହିଲେ – ତୁମ କଥାରେ ମୁଁ ରାଜି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି।

ଯୁବକଟି ପଚାରିଲା- ଆଜ୍ଞା ତାହା ପୁଣି କ’ଣ?

ବ୍ରାହ୍ମଣ କହିଲେ- ମୁଁ ମଧୢ ତୁମ ଭଳି ଜଣେ ମୂର୍ଖ। ପିଲାଟି ଦିନରୁ ମୁଁ ଶସ୍ତ୍ର ଚାଳନା ପ୍ରତି ଗଭୀର ଆଗ୍ରହୀ ଥିଲି। କିନ୍ତୁ ତାହା ମୋ ଭାଗ୍ୟରେ ନ ଥିଲା। ଏବେ ତୁମେ ମୋତେ ପ୍ରଥମେ ଶିଷ୍ୟ ଭାବେ ବରଣ କରି ଶସ୍ତ୍ର ଚାଳନା ଶିଖାଅ। ତା ପରେ ମୁଁ ତୁମ କଥା ବୁଝିବି।

ଏହା ଶୁଣି ଶବର ଯୁବକ ବ୍ରାହ୍ମଣଙ୍କ ପାଦ ତଳେ ପଡ଼ିଗଲା। ସେ କହିଲା- ସତରେ ଆପଣ ଜଣେ ଦିବ୍ୟ ଜ୍ଞାନୀ। ତା ନ ହେଲେ ଏତେ ସୁନାମ ସତ୍ତ୍ବେ ଆପଣ କେମିତି ଏଭଳି ବିନମ୍ର ହୋଇ ରହି ପାରିଛନ୍ତି। କାରଣ ମୁଁ ଦେଖିଛି ଟିକିଏ ଜ୍ଞାନ ପାଇଲେ ଲୋକେ ଗର୍ବରେ ମତ୍ତ ହୋଇଯାଆନ୍ତି।

ବ୍ରାହ୍ମଣ କହିଲେ- ଦୁଇ ପ୍ରକାର ଜ୍ଞାନ ଅଛି। ଗୋଟିଏ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଦିଏ। ସେଭଳି ଜ୍ଞାନୀ ଅନ୍ୟ କୌଣସି ଜ୍ଞାନକୁ ସ୍ବୀକାର କରନ୍ତି ନାହିଁ। କିନ୍ତୁ ସେଭଳି ଜ୍ଞାନୀ ଜୀବନରେ ବଢ଼ି ପାରନ୍ତି ନାହିଁ। ଆଉ ଏକ ପ୍ରକାର ଜ୍ଞାନ ଆଖି ଖୋଲିଦିଏ। ସେମାନେ ସମସ୍ତଙ୍କ ଠାରୁ ସବୁ ଗ୍ରହଣ କରୁଥାଆନ୍ତି ଓ ମୃତ୍ୟୁ ପର୍ଯ୍ୟନ୍ତ ବଢୁଥାଆନ୍ତି। ତୁମେ ଏବେ କିଭଳି ଜ୍ଞାନୀ ହେବ ତାହା ତୁମ ବିଚାର ସ୍ଥିର କରିବ।

ସମ୍ବନ୍ଧିତ ଖବର