ଈଶ୍ୱରଙ୍କ ଦଣ୍ତ

କଥାଟିଏ - ଯାଯାବର

ଭଦ୍ରଲୋକଙ୍କୁ ତାଙ୍କ ପତ୍ନୀ କହିଲେ- ଦେଖ, ଈଶ୍ବରଙ୍କ ବିଚାର! ପଡ଼ିଶା ଘରର ତୁମ ବନ୍ଧୁ ତାଙ୍କ ପକ୍ଷାଘାତ ରୋଗଗ୍ରସ୍ତ ବାପାଙ୍କ ପ୍ରତି କେତେ ଅନ୍ୟାୟ ଅବିଚାର କରି ନ ଥିଲେ ସତେ? ସେତିକି ବେଳେ ଲୋକେ କହୁଥିଲେ ଯେ ଯେମିତି କରେ ସେମିତି ଫଳ ପାଏ। କେହି କେହି ଏହା ବି କହୁଥିଲେ ଯେ ତାଙ୍କର ଏକମାତ୍ର ପୁଅ ବଡ଼ ହେବା ପରେ ତା ବାପାମାଆଙ୍କ ପ୍ରତି ସମାନ ବ୍ୟବହାର ଦେଖାଇବ। ଆମେ ସମସ୍ତେ କହିଥାଉ ଯେ ପିଲା ବାପା, ମାଆଙ୍କ ଆଚରଣରୁ ସ˚ସ୍କାର ପାଏ। କିନ୍ତୁ ଫଳ ପୂରା ଓଲଟା। ପଡ଼ିଶା ଘର ପୁଅ ତ ଅତି ମାର୍ଜିତ। ଏବେ ସେ ତା ବୃଦ୍ଧ ବାପାଙ୍କ ସେବାରେ ଦିନ ରାତି ଭୁଲି ଯାଇଛି! ସତରେ ଭଗବାନଙ୍କ ବିଚାର ଅଦ୍ଭୁତ।

ଭଦ୍ରଲୋକ ଗୁଣୀ। ସେ ଭଲମନ୍ଦ ନ୍ୟାୟ ଅନ୍ୟାୟର ଗୂଢ଼ କଥା ବୁଝନ୍ତି। ସେ ସ୍ତ୍ରୀଙ୍କୁ କହିଲେ- ପଡ଼ିଶା ଘର ଭଦ୍ରବ୍ୟକ୍ତିଙ୍କୁ ଈଶ୍ବର ଦଣ୍ତ ଦେଇ ନାହାନ୍ତି ବୋଲି ଭାବୁଛ କାହିଁକି? ଯିଏ ଯେମିତି କରେ ସେ ସେମିତି ଫଳ ପାଇବା ଉଚିତ ବୋଲି ବିଚାର କରିବା ହେଉଛି ଆମ ଭଳି ମଣିଷମାନଙ୍କର। କିନ୍ତୁ ଈଶ୍ବର କେତେ ଅଲଗା ବାଗରେ ଦଣ୍ତ ଦିଅନ୍ତି। ମୁଁ ଏବେ ତାଙ୍କୁ ଦେଖି ଯାଇଥିଲି। ମୋତେ ଦେଖି ତାଙ୍କ ଆଖିରୁ ଲୁହ ବହିଗଲା। ଏବେ ପୁଅ ଠାରୁ ଏମିତି ସେବା ଯତ୍ନ ପାଇଲା ବେଳେ ନିଜ ବାପାଙ୍କ ପ୍ରତି କରିଥିବା ଖରାପ ବ୍ୟବହାର ତାଙ୍କର ମନେ ପଡ଼ିଯାଉଛି। ତେଣୁ ସେ ଅହରହ ଅନୁତାପ ଅନଳରେ ଜଳୁଛନ୍ତି। ମୋ ହାତ ଧରି ପକାଇ ସେ କେବଳ କାନ୍ଦି ଚାଲିଲେ। ଶେଷ ଜୀବନରେ ଏମିତି ଜଳିପୋଡ଼ି ମରିବା ହେଉଛି ତ ଈଶ୍ବରଙ୍କ ଦଣ୍ତ!

ସମ୍ବନ୍ଧିତ ଖବର