ଜେନ୍‌ ଗୁରୁ ନେନେଙ୍କୁ ପଚାରିଲେ ଜଣେ ଅନ୍ବେଷୀ-ଆଜ୍ଞା, ନିର୍ବାଣ କେମିତି ମିଳେ?

Advertisment

ନେନେ କହିଲେ-ତୁୁମେ କିଛି ଆଶା କରିବା ବା ଚାହିବା ଛାଡ଼ିଦିଅ।

ଅନ୍ବେଷୀ କହିଲେ- ‘ହଉ’ ଏବଂ ଚାଲିଗଲେ। ଦୁଇ ଦିନ ପରେ ପୁଣି ଆସି‌େଲ ଓ କହିଲେ- ଆପଣ ଯେଉଁ ନ ଚାହିବା କଥାଟି କହିଲେ ତାହା ହାସଲ କରି ହେଉନାହିଁ। ତାର ଉପାୟ କ’ଣ?
ନେନେ କହିଲେ- ‘ନ ଚାହିବା’ର ଉପାୟ ଖୋଜିବା ଅର୍ଥ ପୁଣି କିଛି ‘ଚାହିବା’। ତେଣୁ କିଛି ଖୋଜନାହିଁ। ସବୁ ଖୋଜିବା, ଲୋଡ଼ିବା ବନ୍ଦ କର।

ଅନ୍ବେଷୀ ପଚାରିଲେ- ବୁଝି ପାରିଲି ନାହିଁ, ଉଦାହରଣ ଦେଇ ବୁଝାନ୍ତୁ।

ନେନେ କହିଲେ- ନଉକାଟିଏ ଅଛି। ତହିଁରେ ଆହୁଲା ଅଛି ଓ ପାଲ ବି ଅଛି। ତୁମେ ନଉକାରେ ଚଢ଼ିବା ପରେ ପ୍ରଥମେ ଆହୁଲାକୁ ଫିଙ୍ଗି ଦେଲ ଏବଂ ନଦୀର ସୁଅରେ ନଉକାକୁ ମେଲି ଦେଲ। ତୁମେ ଏଠି ପ୍ରଥମ ସ୍ତରର କାମନା ଛାଡ଼ିଲ। ତା ପରେ ତୁମେ ପାଲ ଲଗାଇବାକୁ ଭାବିଲ, କିନ୍ତୁ ପରେ ତାକୁ ବି ତ୍ୟାଗ କଲ। କାରଣ ତୁମେ କେବଳ ସୁଅରେ ଭାସିଯିବାକୁ ଚାହିଁଲ, ପବନର ସହାୟତାକୁ ବି ଲୋଡ଼ିଲ ନାହିଁ। ଏବେ ତୁମେ ନଦୀରେ ସଂପୂର୍ଣ୍ଣ ମୁକ୍ତ ଭାବେ ଭାସି ଚାଲିଲ।

ଅନ୍ବେଷୀ କହିଲେ- କିନ୍ତୁ ଏମିତିରେ ତ କୂଳରେ ପହଞ୍ଚିବା ଅନିଶ୍ଚିତ?

ନେନେ କହିଲେ- କୂଳରେ ପହଞ୍ଚିବା କଥା କାହିଁକି ଭାବୁଛ? କେବଳ ଭାସି ଚାଲ!

ଅନ୍ବେଷୀ କହିଲେ- କୂଳରେ ନ ଲାଗି କେବଳ ଭାସି ଚାଲିବାରେ ଲାଭ?

ନେନେ କହିଲେ- ପୁଣି ଲାଭ ଖୋଜିଲଣି? ସବୁ ଛାଡ଼ିଦିଅ। କେବଳ ଭାସି ଚାଲ। କେଉଁଠି ପହଞ୍ଚିବ, କେମିତି ପହଞ୍ଚିବ, କେବେ ପହଞ୍ଚିବ‌; ତାର କୌଣସି ଠିକଣା ନାହିଁ। ଏଣେ ମନରେ ଭୟ କି ଆଶଙ୍କା କିଛି ନାହିଁ। ପାରିବ? ନିର୍ବାଣ ପାଇବା ଲାଗି ଯାତ୍ରା ଏମିତି ହେବା ଦରକାର, ପାରିବ?