ଗାନ୍ଧୀଜି ପ୍ରତି ଦିନ ସକାଳେ ଦଶଟି ଖଜୁରି କୋଳି ଜଳଖିଆ ଭାବେ ଖାଉଥିଲେ। ଏହା ଦେଖି ଦିନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାବିଲେ ଯେ ଗାନ୍ଧୀଙ୍କ ଲାଗି ଏତିକି ମାତ୍ର ଜଳଖିଆ ଆଦୌ ଯଥେଷ୍ଟ ହେଉନାହିଁ। ତେଣୁ ସେ ଭିତରେ ବ୍ୟବସ୍ଥା କଲେ ଯେ ଗାନ୍ଧୀଙ୍କୁ ଯେମିତି ପନ୍ଦରଟି ଖଜୁରି କୋଳି ଦିଆଯାଏ।

Advertisment

ଯେଉଁ ଦିନ ପ୍ରଥମ କରି ପନ୍ଦରଟି ଖଜୁରି ଦିଆଗଲା, ସେ ଦିନ ସକାଳେ ପଟେଲ ବି ଗାନ୍ଧୀଙ୍କ ସହିତ ଥିଲେ। ଗାନ୍ଧୀ ଖଜୁରି କୋଳି ଦେଖି କହିଲେ- ମୋତେ ଲାଗୁଛି ଅଧିକ ଖଜୁରି କୋଳି ଦିଆଯାଇଛି!

ବଲ୍ଳଭ ଭାଇ ପଟେଲ କହିଲେ- ଆପଣଙ୍କୁ ସବୁ ଦିନ ଦଶଟି ଦିଆଯାଏ, ଆଜି ପନ୍ଦରଟି ଦିଆଯାଇଛି।

ଗାନ୍ଧୀ କହିଲେ- ତାହା ହେଲେ ପାଞ୍ଚଟି ଖଜୁରି କାଢ଼ି ନିଅ।

ଏହା ଶୁଣି ପଟେଲ କହିଲେ- ବାପୁ, ଦଶ ଆଉ ପନ୍ଦର ଭିତରେ କେତେ ତଫାତ୍‌ କୁହନ୍ତୁ ତ?ଆପଣ ପନ୍ଦରଟି ଖାଇ ନିଅନ୍ତୁ।

ଏ କଥା ଶୁଣି ଗାନ୍ଧୀ ଅଧ ମିନିଟ ସମୟ ଆଖି ବୁଜି ବସିଲେ। ତା ପରେ ସେ ବଲ୍ଲଭ ଭାଇ ପଟେଲଙ୍କୁ କହିଲେ- ତୁମେ ମୋତେ ଗୋଟିଏ ଚମତ୍କାର ଜ୍ଞାନ ଦେଲ। ସତରେ ପାଞ୍ଚଟି ଖଜୁରି କିଛି ନୁହେଁ। ତେଣୁ ମୁଁ ଭାବୁଛି ଆଜି ଠାରୁ ଦଶଟି ଜାଗାରେ ପାଞ୍ଚଟି ଖଜୁରି ଖାଇବି।

ଏ କଥା ଶୁଣି ବଲ୍ଲଭ ଭାଇ ପଟେଲ କହିଲେ- ବାପୁ, ମୁଁ ଦୁଃଖିତ। ଆପଣ ସେଇ ଦଶଟି ହିଁ ଖାଆନ୍ତୁ। କିନ୍ତୁ ମୋତେ ଗୋଟିଏ କଥା କହନ୍ତୁ, ଆପଣଙ୍କ ମୁଣ୍ତକୁ ଏମିତି ବିଚାର ଆସେ କେମିତି?

ଗାନ୍ଧୀ କହିଲେ- ସେଥିରେ କିଛି ଯାଦୁ ନାହିଁ। କଥା ହେଲା, ତୁମେ ଯଦି ନିରନ୍ତର ଅପରିଗ୍ରହ ବା ବୈରାଗ୍ୟ କଥା ଭାବିବ ତେବେ କେବଳ ଏମିତି ଚିନ୍ତା ହିଁ ଆସିବ। କାରଣ ସେତେବେଳେ ତୁମର ମୁଖ୍ୟ ଧେୢୟ ଥିବ, କେତେ କମରେ ଚଳିବ। ତେଣୁ ତୁମ ବିଚାର ସେଇଭଳି ବାଟରେ ଯିବ।