ଗୋଟିଏ ପୋଖରୀରେ ତିନିଟି ମାଛ ଥିଲେ। ସେମାନଙ୍କ ଆକାର ବେଶ୍ ବଡ଼ ଥିଲା। ସେମାନଙ୍କ ଭିତରୁ ଜଣେ ଥିଲା ବୁଦ୍ଧିଆ, ଜଣେ ଅଧା ବୁଦ୍ଧିଆ ଏବ˚ ଜଣେ ନିର୍ବୁଦ୍ଧିଆ। ସେଇ ପୋଖରୀକୁ କେବେ କୌଣସି ମାଛ ଧରାଳି ଆସି ନ ଥିଲେ। ତେଣୁ ସେମାନେ ନିର୍ଭୟରେ ରହୁଥିଲେ। ଦିନେ ସେମାନେ ଦେଖିଲେ ଦୁଇ ଜଣ ମାଛ ଧରାଳି ଜାଲ ଧରି କୂଳରେ ଛିଡ଼ା ହେଲେ।
ଏହି କଥା ତିନି ମାଛ ଦେଖିଲେ। ବୁଦ୍ଧିଆ ମାଛ ମନରେ ଛନକା ପଶିଲା। ଆର ଦୁଇ ମାଛଙ୍କ ମନରେ କିଛି ପ୍ରତିକ୍ରିୟା ହେଲା ନାହିଁ। ବୁଦ୍ଧିଆ ମାଛ କହିଲା, ଏଠାରୁ ନଦୀ କିଛିଟା ଦୂରରେ, ଆହୁରି ଦୂରରେ ସମୁଦ୍ର। ଏଇ ପୋଖରୀରୁ ନଦୀରେ ପହଞ୍ଚିବା ଲାଗି ଗୋଟିଏ ବାଟ ଅଛି। ସେଇ ବାଟେ ପହଁରି ଗଲେ ଅଧେ ଦିନ ଲାଗିବ। କିନ୍ତୁ ଭାରି କଷ୍ଟକର ପହଁରା। ଚାଲ ପଳାଇବା। ଅଧା ବୁଦ୍ଧିଆ ମାଛ କହିଲା ତୁମେ ଅଯଥାରେ ଡରୁଛ। ନିର୍ବୁଦ୍ଧିଆ ମାଛ କିଛି କହିଲା ନାହିଁ।
ବୁଦ୍ଧିଆ ମାଛ ଯିବାକୁ ବାହାରିଲା। ବାହାରିଲା ବେଳେ ଅଧା ବୁଦ୍ଧିଆ ମାଛ କହିଲା- ଘର ହିଁ ସବୁଠାରୁ ନିରାପଦ ସ୍ଥାନ। ବୁଦ୍ଧିଆ ମାଛ କିଛି କହିଲା ନାହିଁ ଓ ଚାଲିଗଲା।
ପରଦିନ ସକାଳେ ଦୁଇ ମାଛୁଆ କୂଳରେ ଛିଡ଼ା ହେଲେ ଏବ˚ କେଉଁ ପଟୁ ଜାଲ ପକାଇବେ ବିଚାର କଲେ। ଅଧା ବୁଦ୍ଧିଆ ମାଛ ମନେ ମନେ ଭାବିଲା- ହେ ଭଗବାନ, ମୁଁ ଯଦି କାଲି ବୁଦ୍ଧିଆ ମାଛ ସହ ଚାଲିଯାଇଥାଆନ୍ତି, କେତେ ଭଲରେ ଥାଆନ୍ତି। ଏବେ କଅଣ କରିବି? କିନ୍ତୁ କିଛି କରିବାର ନ ଥିଲା। ଏଣେ ମାଛ ଧରାଳିଙ୍କୁ ଦେଖି ଅନେକ ଦିନ ପରେ କୂଳରେ କାହାକୁ ଦେଖିବାର ସୁଯୋଗ ମିଳିଛି ବୋଲି ଭାବି ନିର୍ବୁଦ୍ଧିଆ ମାଛଟି ଉପରେ ପହଁରି ଲାଗିଥିଲା। ତାର ବିରାଟ ଆକାର ଦେଖି ମାଛ ଧରାଳିମାନେ ତାକୁ ଆଗ ଧରିଲେ। ତା ପରେ ଅଧା ବୁଦ୍ଧିଆ ମାଛର ପାଳି ପଡ଼ିଲା।