ଗୋଟିଏ ଯୁଦ୍ଧରେ ଦୁଇ ପକ୍ଷର ସେନାପତିଙ୍କ ଭିତରେ ଘମାଘୋଟ ଯୁଦ୍ଧ ଚାଲିବା ପରେ ଜଣେ ଭୂପତିତ ହେଲେ। ତାଙ୍କ ଗଳାକୁ ବିଦ୍ଧ କରିବାକୁ ଆର ଜଣକ ଉଦ୍ୟତ ହେଉଥିଲା ବେଳେ ଅଟକି ଗଲେ। କାରଣ ପରାଜିତ ସେନାପତି ବି ଥିଲେ ଜଣେ ଚମତ୍କାର ଯୋଦ୍ଧା। ଏଇ ସମୟରେ ପରାଜିତ ସେନାପତି ହଠାତ୍‌ କହି ଉଠିଲେ- କଅଣ ଭାବୁଛ? ମୋତେ ହତ୍ୟା କରିବ କି ନାହିଁ?

Advertisment

କିନ୍ତୁ ଅଟକି ଯାଇଥିବା ସେନାପତି ତାହା ଶୁଣି ପାରୁ ନ ଥିଲେ। କାରଣ ତାଙ୍କ ମୁଣ୍ତରେ ତିନିଟି ପ୍ରଶ୍ନ ଲହଡ଼ି ଭାଙ୍ଗୁଥିଲା। ସେଗୁଡ଼ିକ ହେଲା, ତାହାଙ୍କୁ ହତ୍ୟା କରି ଠିକ୍‌ କରିବି କି ଭୁଲ? ଭଲ କରିବି କି ମନ୍ଦ? ନ୍ୟାୟ କରିବି କି ଅନ୍ୟାୟ ?

ସେ ସେଇ ପରାଜିତ ସେନାପତିଙ୍କୁ ଛାଡ଼ି ଦେଲେ କିନ୍ତୁ ମନରେ ଥିବା ଏ ପ୍ରଶ୍ନ ତ୍ରୟର ଉତ୍ତର ଲାଗି ଗୁରୁଙ୍କ ପାଖକୁ ଗଲେ। ଗୁରୁ ଏହା ଶୁଣି କହିଲେ- ତୁମେ ଯେମିତି ତୁମ ଦେଶ ଲାଗି ଲଢ଼ୁଛ, ସେ ବି ସେମିତି ଲଢୁଥିଲେ। ଦେଶ ଦୁଇଟି ପରସ୍ପରର ଶତ୍ରୁ, ହୋଇଥିବାରୁ ତୁମେ ଦୁହେଁ ପରସ୍ପରର ଶତ୍ରୁ। ତେଣୁ ଦେଶ ଦୃଷ୍ଟିରୁ ବିଚାର କଲେ ତାଙ୍କୁ ହତ୍ୟା କଲେ ତୁମେ ଠିକ୍‌ କାମଟି କରିଥାଆନ୍ତ।

କିନ୍ତୁ, ଦେଶ ପ୍ରସଙ୍ଗକୁ ହଟାଇ ଦେଲେ ତାଙ୍କ ଓ ତୁମ ଭିତରେ ପ୍ରଭେଦ ନାହିଁ। ତୁମ ଭଳି ସେ ବି ଜଣେ ମଣିଷ। ତାଙ୍କର ବି ପିଲା ପରିବାର ଓ ବନ୍ଧୁବାନ୍ଧବ ଅଛନ୍ତି। ସେ ସୁଖରେ ହସନ୍ତି ଓ ଦୁଃଖରେ କାନ୍ଦନ୍ତି। ସେଇ ଦୃଷ୍ଟିରୁ ତୁମେ ଦୁହେଁ ପ୍ରାୟ ସମାନ। ତେଣୁ ଯୁଦ୍ଧର ପୃଷ୍ଠଭୂମିରୁ ବିଚାର କଲେ ତୁମେ ତାଙ୍କୁ ହତ୍ୟା କରି ହୁଏତ ଠିକ୍‌ କରିଥାଆନ୍ତ। କିନ୍ତୁ ଭଲ କାମଟିଏ କରି ନ ଥାଆନ୍ତ। କର୍ତ୍ତବ୍ୟ ଲାଗି ଠିକ ଓ ଭୁଲର ବିଚାର, କିନ୍ତୁ ନିଜର ଆତ୍ମା ଲାଗି ଭଲ ଓ ମନ୍ଦର ବିଚାର। ତୃତୀୟରେ ଆସିବ ନ୍ୟାୟ ଓ ଅନ୍ୟାୟର ବିଚାର। ଯାହା ଠିକ୍‌ ବା ଭଲ ତାହା ସଦାବେଳେ ନ୍ୟାୟସ˚ଗତ ହୋଇ ନ ପାରେ। ନ୍ୟାୟ ବିଚାର କରିବାକୁ ହେଲେ ଚିନ୍ତା କରିବାକୁ ହେବ ଯେ ତୁମ କାର୍ଯ୍ୟ ଦ୍ବାରା ତୁମେ ଭଗବାନଙ୍କ ଦରବାରରେ ଦୋଷୀ ଭାବେ ଛିଡ଼ା ହେଉଛ ନା ନିର୍ଦ୍ଦୋଷ ଭାବେ? ଏହାର ଉତ୍ତର କେବଳ ଭଗବାନ ହିଁ ଦେବେ। ତେବେ ଦେଖ, ସେଇ ମୁହୂର୍ତ୍ତରେ ତୁମ ମନରେ ତିନିଟି ପ୍ରଶ୍ନ ଜାତ ହେଲା ବୋଲି ସେ ଦୈବାତ୍‌ ଜୀବନ ବଞ୍ଚାଇ ପାରିଲେ। ତାହା ହେଲା କେମିତି? ମୁଁ କହିବି ଈଶ୍ବର ବୋଧହୁଏ ତାହା ହିଁ ଚାହୁଁଥିଲେ।