ଜମି ଭାଗ ବଣ୍ଟା

କଥାଟିଏ - ଯାଯାବର

ଜଣେ ଚାଷୀ ମୃତ୍ୟୁ ବେଳକୁ ତାଙ୍କର ଜମିକୁ ଦୁଇ ପୁଅଙ୍କୁ ସମାନ ଭାବେ ବାଣ୍ଟିଦେଲେ। ହେଲେ କଥା ହେଲା, ଗେଲ ବସରର ବଡ଼ ପୁଅକୁ ଦେଲେ ଭଲ ଓ ଉର୍ବର ଜମି ଏବ˚ ସାନ ପୁଅକୁ ମିଳିଲା ପଥୁରିଆ ଓ ବନ୍ଧ୍ୟା ଜମିର ଚକଡ଼ା। ଏଭଳି ଜମି ବଣ୍ଟାକୁ ସମସ୍ତେ ସମାଲୋଚନା କଲେ। କିନ୍ତୁ ସାନ ପୁଅ ବାପା କରିଥିବା ବିଚାର ନେଇ କିଛି କହିଲା ନାହିଁ।

ଦିନ ବିତିଗଲା। ବଡ଼ ପୁଅକୁ ବିଶେଷ କିଛି କରିବାକୁ ହେଲା ନାହିଁ। ସେ ଘରେ ବସି ତା ଜମିରୁ ଭଲ ଅମଳ ପାଇଲା ଓ ଆରାମରେ ରହିଲା। କିନ୍ତୁ ସାନ ପୁଅ ତା ଭାଗର ଜମିରୁ ଫସଲ ପାଇବା ଲାଗି ହାଡ଼ ଭାଙ୍ଗିଦେଲା। ଅନେକ ପରିଶ୍ରମ ଓ କୌଶଳ କରି ଜମିକୁ ପାଣି ନେବାର ବ୍ୟବସ୍ଥା କଲା। ଚାଷବାସର କିସମକୁ ନେଇ କେତେ ପରୀକ୍ଷାନିରୀକ୍ଷା କଲା। ଜମିରୁ କେମିତି ଭଲ ଫସଲ ମିଳିବ ସେଥି ଲାଗି ଦିନ ରାତି ଉଦ୍ୟମ କଲା। ଧୀରେ ଧୀରେ ତା ଜମିରେ ଭଲ ଫସଲ ହେଲା। ବଡ଼ ଭାଇ ଭଳି ଭଲ ଅମଳ କଲା। ହେଲେ ସେତେ ବେଳକୁ ଯୁଗ ବିତିଯାଇଥିଲା।

ଦିନକର କଥା। ସାନ ଭାଇର ସ୍ତ୍ରୀ ପଚାରିଲା- ବାପା, ତୁମ ପ୍ରତି କେତେ ଅନ୍ୟାୟ କଲେ। ସେଥିଲାଗି ଆମେମାନେ କେତେ କ’ଣ ସହିଲେ। କିନ୍ତୁ ତୁମେ କାହିଁକି କେବେ ଥରେ ବି ଏ ଅନ୍ୟାୟ ବିରୋଧରେ ତୁଣ୍ତ ଖୋଲିଲ ନାହିଁ?

ସାନ ପୁଅ କହିଲା- ବାପା ଅନ୍ୟାୟ କରିଥିଲେ? କିଏ କହିଲା? ବାପା ଥିଲେ ବିଚାରବନ୍ତ। ସେ ଜାଣିଥିଲେ ଯେ ଏ ବନ୍ଧ୍ୟା ଜମିରୁ କେବଳ ତାଙ୍କ ସାନ ପୁଅ ହିଁ ଫସଲ ଉପୁଜାଇ ପାରିବ। ତେଣୁ ସେ ମୋତେ ତାହା ଦେଇଥିଲେ। ଦେଖ, ସେ ଜମିକୁ ଶସ୍ୟ ଶ୍ୟାମଳା କରିବା ଭିତରେ ମୁଁ କେତେ କ’ଣ ଶିଖିଯାଇଛି ଯାହା ଜଣେ ସାଧାରଣ ଚାଷୀ କେବେ ବି ଶିିଖି ପାରିବ ନାହିଁ। ମୋର ଧୈର୍ଯ୍ୟ, ସ˚ଯମ ଓ ଦୃଢ଼ତା ବଢ଼ିଛି। ମୋର ଆତ୍ମବଳ ବଢ଼ିଛି। ବାପା ମୋତେ ଏ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ସବୁ ଦିନ ପ୍ରଣାମ ହିଁ କରୁଛି।

ସମ୍ବନ୍ଧିତ ଖବର