ଭଗବାନଙ୍କ ବିଚାର

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ କିଛି ଖଜୁରି କୋଳି ଧରି ରାସ୍ତାରେ ଯାଉଥିଲେ। ଦଳେ ପିଲା ତାଙ୍କ ପଛରେ ପଡ଼ିଗଲେ ଏବଂ ଖଜୁରି କୋଳି ମାଗିଲେ।

ନସିରୁଦ୍ଦିନ ସେମାନଙ୍କୁ କହିଲେ- ଦେବାରେ ମନା ନାହିଁ। କିନ୍ତୁ କେମିତି ବାଣ୍ଟିବି ‌ତାହା ହେଉଛି ପ୍ରଶ୍ନ।

ପିଲାମାନଙ୍କ ଭିତରୁ ବୁଦ୍ଧିଆ ପିଲା ପଚାରିଲା- ପ୍ରଶ୍ନ କେମିତି?

ନସିରୁଦ୍ଦିନ କହିଲେ- ମୁଁ ଭଗବାନଙ୍କ ଭଳି ବାଣ୍ଟିବି ନା ମଣିଷଙ୍କ ଭଳି ବାଣ୍ଟିବି?

ବୁଦ୍ଧିଆ ଓ ବୟସରେ ବଡ଼ ପିଲାଟି କହିଲା- ଭଗବାନଙ୍କ ଭଳି ବାଣ୍ଟ। ତାଙ୍କ ଭଳି ବିଚାର କାହାର ନାହିଁ।

ନସିରୁଦ୍ଦିନ କହିଲେ- ତୁମେ ବାବା ଠିକ କହିଛ! ଭଗବାନଙ୍କ ଭଳି ବିଚାର ଆଉ କାହାର ନାହିଁ।

ଏହା କହି ସେ ମୁଠା ମୁଠା ଖଜୁରି ଏଣେ ତେଣେ ଫୋପାଡ଼ି ଦେଇ କହିଲେ- ଏବେ ଯିଏ ଯାହା ପାରୁଛ ନିଅ।

ପିଲାମାନେ ଦୌଡ଼ାଦୌଡ଼ି କରି ଖଜୁରି ଗୋଟାଉଥିବା ବେଳେ ଏ ବିକଳ ଦୃଶ୍ୟ ଦେଖି ଜଣେ କହିଲା- ମୁଲ୍ଲା, ତୁମେ ସତରେ କେତେ ଅମଣିଷ!

ମୁଲ୍ଲା ହସି କହିଲେ- ବୁଦ୍ଦୁ, ଭଗବାନ ଏମିତି ବାଣ୍ଟନ୍ତି। ସେ ପକାଇ ଦିଅନ୍ତି, ଯାହାକୁ ଯାହା ମିଳିଲା, ତାହା ହେଉଛି ତାର ଭାଗ୍ୟ। ବର୍ଷା କଲା ବେଳେ ଭଗବାନ ଦେଖନ୍ତି ନାହିଁ ଯେ କେଉଁଠି ତାର ଦରକାର ଅଛି ଓ କେଉଁଠି ନାହିଁ! ସେ ସବୁଠି ପାଣି ବର୍ଷାନ୍ତି, ତେଣିକି ଯିଏ ଯାହାର ଯେମିତି ଭୋଗିବା କଥା ଭୋଗନ୍ତି। ମଣିଷ ଗଣି ଗଣି ହିସାବ କରି ସମାନ ଭାବେ ବାଣ୍ଟେ।

ସମ୍ବନ୍ଧିତ ଖବର